ନୂଆଦିଲ୍ଲୀ: ଭାରତ ପୁଣିଥରେ ବିଶ୍ଵ ବିଜେତା ହୋଇଛି। ୨୦୨୬ ଟି-୨୦ ବିଶ୍ଵକପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତ କ୍ରମାଗତ ଦ୍ଵିତୀୟ ଥର ପାନ ବିଶ୍ଵ ବିଜେତା ହୋଇଛି। ଟି-୨୦ ବିଶ୍ଵକପ ଇତିହାସରେ ଏହା ପ୍ରଥମ ଘଟଣା, ଯାହା କୌଣସି ଦଳ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵ ବିଜେତା ହୋଇପାରିଛି। ୨୦୦୭ ଏବଂ ୨୦୨୪ ଟି-୨୦ ବିଶ୍ଵକପ ପରେ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ଵକପ ଟାଇଟଲ ଜିତିଛି।
ଉଲ୍ଲେଖାଯୋଗ୍ୟ ଯେ, ରୋହିତ ଶର୍ମାଙ୍କ ନେତୃତ୍ଵରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ଵକପ ଜିତିଥିଲା। ବର୍ତ୍ତମାନ ସୂର୍ଯ୍ୟକୁମାରଙ୍କ ନେତୃତ୍ଵରେ ୨୦୨୬ ଟି-୨୦ ବିଶ୍ଵକପ ଜିତି ଟିମ ଇଣ୍ଡିଆ ଇତିହାସ ରଚିଛି।
ନ୍ୟୁଜିଲ୍ୟାଣ୍ଡ ଦଳ ଟସ ଜିତିବା ପରେ ଟିମ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଚଳିତ ବିଶ୍ଵକପରେ ବିଫଳ ଚାଲୁଥିବା ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ଆଜି ବିସ୍ଫୋରକ ବ୍ୟାଟିଂ କରି ୧୮ ବଲରେ ଅର୍ଦ୍ଧ ଶତକ ପୂରଣ କରିଥିଲେ। କିନ୍ତୁ ସେ ଏହା ପରେ ପଡିଆରେ ବେଶୀ ସମୟ ରାଖୀପାରିନଥିଲେ। ସେ ୨୧ ବଲରେ ୫୨ ରନ କରି ରଚିନ ରବୀନ୍ଦ୍ରଙ୍କ ବଲରେ ୱିକେଟ କିପର ଟିମ ସେଫର୍ଟଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇଥିଲେ।
ସେପଟେ ଇନ ଫର୍ମ ବ୍ୟାଟର ସଞ୍ଜୁ ସାମସନ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଇଶାନ କିଷନଙ୍କ ସହ ଧୂଆଁଧାର ପାଳି ଖେଳିଥିଲେ। ସଞ୍ଜୁ ସାମସନ ୪୬ ବଲରେ ୮୯ ରନ ସ୍କୋର ଥିବା ବେଳେ ଜେମ୍ସ ନଶିମଙ୍କ ଦ୍ଵାରା ଆଉଟ ହୋଇଥିଲେ। ସେହି ଓଭରରେ ଇଶାନ କିଷନ ମଧ୍ୟ ୨୫ ବଲରେ ୫୪ କରି ଆଉଟ ହେବା ସହ ପରବର୍ତ୍ତୀ ବଲରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କୌଣସି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଏହିପରି ନିଶାମଙ୍କ ସେହି ଓଭରରେ ଭାରତୀୟ ଦଳର ୩ ଟି ୱିକେଟର ପତନ ଘଟିଥିଲା। ତଥାପି ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ (୮ ବଲରେ ୨୬ ରନ) ଯୋଗୁଁ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରେ ୨୫୫ ରନରେ ପହଞ୍ଚିପାରିଥିଲା।
ଜବାବରେ ନ୍ୟୁଜିଲ୍ୟାଣ୍ଡ ଦଳ ୧୫୯ ରନରେ ସମସ୍ତ ୱିକେଟ ହରାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ ସେଫର୍ଟ ସର୍ବାଧିକ ୨୬ ବଲରେ ୫୨ ରନର ପାଳି ଖେଳିଥିଲେ।
ଭାରତୀୟ ଦଳ ପକ୍ଷରୁ ଜସପ୍ରିତ ବୁମରାହ ୪ ଓଭରରେ ୧୫ ରନ ଦେଇ ସର୍ବାଧିକ ୪ ଟି ୱିକେଟ ନେଇଥିଲେ। ସେହିଭଳି ଅକ୍ସର ପଟେଲ ମଧ୍ୟ ୩ ଓଭରରେ ୨୭ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ।


