Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ୧୧ତମ ଅଭିଯୋଗ ଶୁଣାଣି: ୧୪ଜଣଙ୍କୁ ତୁରନ୍ତ ମିଳିଲା ୧୩ ଲକ୍ଷ ୫୦ ହଜାର ଟଙ୍କା

ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୧ତମ ପାଳି। ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍‌କାଳ ପଦକ୍ଷେପ ନେଇଛନ୍ତି।

ଆଜି ୧ ହଜାର ଅଭିଯୋଗକାରୀ ଅନ୍‍ଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ୬ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି, ଆପତ୍ତି ଅଭିଯୋଗ ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରୁଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ଭରା କଥା ଉପସ୍ଥିତ ଥିବା ଲୋକମାନଙ୍କୁ ଗଭୀର ଭାବେ ପ୍ରଭାବିତ କରୁଥିଲା ଏବଂ ସୁଶାସନର ଅନୁଭୂତି ସେମାନଙ୍କ ଆଖିରେ ଝଲସି ଉଠୁଥିଲା।

ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳେ ଆସି ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।

ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ନୟାଗଡର ସନ୍ତୋଷ ବିଶ୍ୱାଳଙ୍କୁ ୫୦ ହଜାର ଟଙ୍କା, ଯାଜପୁରର ବିଷ୍ଣୁଚରଣ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ଲକ୍ଷ୍ମୀଧର ସେଠୀଙ୍କୁ ୧ ଲକ୍ଷ ଟଙ୍କା, କଟକର ସାତ୍ତ୍ୱିକ କରଙ୍କୁ ୧ ଲକ୍ଷ ଟଙ୍କା, କେନ୍ଦୁଝରର ନବୀନ କୁମାର ସେଠୀଙ୍କୁ ୨ ଲକ୍ଷ ଟଙ୍କା, ମୟୁରଭଞ୍ଜର ସୁନିତା ଚୌଧୁରୀଙ୍କୁ ୧ ଲକ୍ଷ ଟଙ୍କା, କଟକର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ୫୦ ହଜାର ଟଙ୍କା, ବୌଦ୍ଧର ନିଳକଣ୍ଠ ପ୍ରଧାନ ଓ ଯଦୁମଣୀ କର୍ମୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ, ଗଞ୍ଜାମର ଛାୟା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ବୁଦ୍ଧିଆ ମଣ୍ଡଳଙ୍କୁ ୧ ଲକ୍ଷ ଟଙ୍କା, ନବରଙ୍ଗପୁରର କମଳା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧାର କୈଳାସ ପଲେଇଙ୍କୁ ୧ ଲକ୍ଷ ଟଙ୍କା ଏବଂ କଟକର ସୁରେଶ କୁମାର ଜେନାଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦକୁ ୫୦ ହଜାର ଟଙ୍କା, ଏହିପରି ୧୪ ଜଣଙ୍କୁ ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି। ସେମାନେ ବିଭିନ୍ନ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି। ଲୋକଙ୍କୁ ନିରନ୍ତର ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ଏହି କାର୍ଯ୍ୟକ୍ରମ ଜାରି ରଖିଛୁ। ଆମ ସରକାର ନିରନ୍ତର ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଏବଂ ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ମାଧ୍ୟମରେ ଗରିବ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଆଞ୍ଚଳିକ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଦଶମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୨୩୪ଟି ଅଭିଯୋଗ ମଧ୍ୟରୁ ୮,୭୧୩ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୫ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସରେ ରହିଛି।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ  ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରଠାରେ ମୁଖ୍ୟମନ୍ତ୍ରୀ ଦକ୍ଷିଣାଞ୍ଚଳ ୮ ଗୋଟି ଜିଲ୍ଲାର ଶୁଣିବେ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷିଣାଞ୍ଚଳ ସମସ୍ତ ଆଠଗୋଟି ଜିଲ୍ଲାର ଅଭିଯୋଗ ଶୁଣାଣି କରିବେ। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ – ତଥା- ସ୍ବତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡିଶା ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍ ଶ୍ରବଣା ବିବେକ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ରୂପରେଖ କିଭଳି ହେବ ସେହି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ସ୍ବାଗତ ଜଣାଇ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ କିଭଳି ସମସ୍ତଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହେବ ସେଥି ନିମନ୍ତେ ନିଜର ମତ ଉପସ୍ଥାପନ କରିଥିଲେ। ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ – ତଥା- ସ୍ବତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡିଶା ଶ୍ରୀ ଦାଶ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଅବଗତ କରାଇଥିଲେ ଯେ, ରାଜ୍ୟ ସ୍ତରରେ ନଅ ଥର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏବଂ ଦଶମ ଅଭିଯୋଗ ଶୁଣାଣି ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଆନ୍ତରିକତାର ସହ ସମସ୍ତ ଜନ ସାଧାରଣଙ୍କର ଅଭିଯୋଗ ଶୁଣାଣି କରୁଛନ୍ତି।

ଅଭିଯୋଗ ଶୁଣାଣି ପ୍ରକୋଷ୍ଠଟିରେ ମାନବୀୟ ସମ୍ବେଦନା ସହିତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣି ହେବ। ଗ୍ରୀଷ୍ମ ପ୍ରବାହ ହେତୁ ସକାଳ ୮ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅଭିଯୋଗ ଗୁଡିକର ଶୁଣାଣି ହେବ। ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଭିଯୋଗ ଗୁଡିକ ଶୁଣାଣି କରିବେ। ଏଥି ନିମନ୍ତେ ବ୍ଯାପକ ପ୍ରଚାର ପ୍ରସାର ହେବ। ଅଭିଯୋଗ ଆବେଦନ ନିମନ୍ତେ ୭୨ ଘଣ୍ଟା ପୂର୍ବରୁ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଇ ନେବାକୁ କୁହାଯାଇଛି। ଏତତ୍ ବ୍ୟତୀତ ଅଣ ପଞ୍ଜିକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ର ଗୁଡିକ ଶିବାରରେ ସିଧା ସଳଖ ଗ୍ରହଣ କରାଯିବ।

ଦକ୍ଷିଣାଞ୍ଚଳ ସ୍ତରୀୟ ଏହି ଅଭିଯୋଗ ଶୁଣାଣି ପ୍ରଥମ ଥର ହେଉଥିବା ହେତୁ ଲୋକଙ୍କ ମନରେ ଉତ୍ସାହ ରହିବ ଏବଂ ଅଧିକ ସଂଖ୍ୟକ ଲୋକେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଯୋଗ ଦେବେ। ଏଣୁକରି ଅଭିଯୋଗ ପ୍ରକୋଷ୍ଠରେ ଆଇନ୍ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ବ୍ୟବସ୍ଥା, ଅଂଶୁଘାତ ଜନିତ ଚିକିତ୍ସା ନିମନ୍ତେ ଅସ୍ଥାୟୀ ଶିବିର, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଶିଶୁ ମାତୃକକ୍ଷ, ପ୍ରେସ ଗ୍ୟାଲେରୀ, ନିରନ୍ତର ବିଦ୍ୟୁତ ସେବା ବ୍ୟବସ୍ଥା, ସ୍ବଚ୍ଛତା ପରିମଳ ବ୍ୟବସ୍ଥା, ଅଭିଯୋଗକାରୀଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଯାଇଛି। ନିର୍ଦ୍ଧାରିତ ତାରିଖ ଏବଂ ସ୍ଥାନ ସ୍ଥିର ହେବା ପରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ଯଥେଷ୍ଟ ପୂର୍ବରୁ ଜଣାଇ ଦିଆଯିବ।

ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅତିରିକ୍ତ ଶାସନ ସଚିବ ପ୍ରଫୁଲ୍ଲ କୁମାର ସ୍ବାଇଁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଛତ୍ରପୁର ଉପ ଆରକ୍ଷୀ ଅଧୀକ୍ଷକ, ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ସୋମବାରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି, କରନ୍ତୁ ଅନଲାଇନ ପଞ୍ଜୀକରଣ

ଭୁବନେଶ୍ବର: ଆସନ୍ତା  ମଇ  ୫ ତାରିଖ ସୋମବାର ସମସ୍ତ ଜିଲ୍ଲାରେ  ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ମଇ ୨ ତାରିଖ ଦିବା  ୧୧ ଘଟିକା ଠାରୁ ଆରମ୍ଭ ହେବ ।

ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି  ପୋର୍ଟାଲ (https://janasunani.odisha.gov.in/) ବ୍ୟବହାର କରି ସଂପୃକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।

ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇପାରିବେ । ଏତଦ୍ ଭିନ୍ନ, ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ ।

ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି l

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅଷ୍ଟମ ପାଳି

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଅଷ୍ଟମ ପାଳି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି। ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି।

ଆଜି ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି ତାଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବ୍ୟୟସାପେକ୍ଷ । ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀ ପିଲାଟିର ଅବସ୍ଥା ଦେଖି ତାକୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ମେଡିକାଲକୁ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଥିଲେ । ଏକମାସ ଚିକିତ୍ସା ହୋଇ ଫେରିବା ପରେ ସେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଆସି ସହାୟତା ପାଇଁ ଦେଖା କଲେ । ମୁଖ୍ୟମନ୍ତ୍ରୀ ଗୋଟିଏ ପିଲାର କଷ୍ଟ ଓ ତା ବାପା ମା’ଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଅଭିଯୋଗ ପ୍ରକୋଷ୍ଠରେ Single Window Systemରେ ଚିକିତ୍ସା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ତ୍ୱରିତ ସହାୟତା ଅନୁମୋଦନ କରି ତୁରନ୍ତ ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ । ଏଥି ସହିତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ଘର ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ହେରମ୍ୱ ଗିରି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ମୁଁ ଯେଉଁ ଆଶା ନେଇ ଆସିଥିଲି ସେହି ଆଶା ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଋଣ ମୁଁ କେବେ ଶୁଝି ପାରିବି ନାହିଁ ।

ସେହିପରି ଆଉ ଜଣେ ଥିଲେ ବଲାଙ୍ଗୀରର ରତନ କାଲଶେ । ତାଙ୍କ ୧୬ ବର୍ଷର ଭିନ୍ନକ୍ଷମ ପୁଅ ଆଲୋକ କାଲଶେକୁ ସାଙ୍ଗରେ ନେଇ ଆସିଥିଲେ । ପିଲାଟି ବସି ପାରୁନି କି ଚାଲିବୁଲି ପାରୁନି । ପିଲାର କଷ୍ଟ ଓ ତା ବାପା ମୁହଁର ଦୁଃଖ ଦେଖି ତାକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିଲେ, ଏବଂ ସି.ଏମ୍‍.ଆର୍‍.ଏଫ୍‍.ରୁ ସହାୟତା ପ୍ରଦାନ କରିବା ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହିଭଳି ଅଭିଯୋଗ ପ୍ରକୋଷ୍ଠକୁ ବିଭିନ୍ନ ଆଶା ଭରସା ନେଇ ଆସୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ତାଙ୍କ ସହୃଦୟତାର ପରିଚୟ ପ୍ରଦାନ କରିଛନ୍ତି ।

ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ଅଷ୍ଟମ ପାଳି । ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ବାହାରେ ଚେୟାରରେ ବସିଥିବା ପ୍ରାୟ ୩୦ ଜଣ ଭିନ୍ନକ୍ଷମଙ୍କୁ ଭେଟିଥିଲେ । ସେମାନଙ୍କ ସମସ୍ୟା ଅଭିଯୋଗକୁ ଗୋଟି ଗୋଟି କରି ଶୁଣିବା ପରେ ପାଖରେ ଥିବା ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ୧୦୦୦ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିଲେ । ମୁଖ୍ୟମନ୍ତ୍ରୀ, ତାଙ୍କ ସହଯୋଗୀ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ଶୁଣୁଥିଲେ ଓ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଭିଯୋଗ ପ୍ରକୋଷ୍ଠରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି । ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରୁ ସପ୍ତମ ପାଳି ସୁଦ୍ଧା ୮୧ ପ୍ରତିଶତ କେସ୍ ସମାଧାନ ହୋଇଛି । ଗତ ୭ଟି ପାଳି ସୁଦ୍ଧା ସମୁଦାୟ ୮୦୩୧ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା, ତନ୍ମଧ୍ୟରୁ ୬୫୪୫ଟି ଅଭିଯୋଗର ସମାଧାନ କରାଯାଇଛି । ପ୍ରଥମ ପାଳିରେ ୯୦ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିଲା ବେଳେ ଦ୍ୱିତୀୟ ପାଳିରେ ୮୮ ପ୍ରତିଶତ, ତୃତୀୟ ପାଳିରେ ୮୬ ପ୍ରତିଶତ, ଚତୁର୍ଥ ପାଳିରେ ୮୪ ପ୍ରତିଶତ, ପଞ୍ଚମ ପାଳିରେ ୮୩ ପ୍ରତିଶତ, ଷଷ୍ଠ ପାଳିରେ ୫୪ ପ୍ରତିଶତ ଏବଂ ସପ୍ତମ ପାଳିରେ ୪୭ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି । ବକେୟା ଅଭିଯୋଗଗୁଡ଼ିକ ପ୍ରୋସେସରେ ରହିଛି । ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକମାନେ ଆସୁଛନ୍ତି ଆମେ ସେମାନଙ୍କୁ କେବେ ନିରାଶ କରିବୁ ନାହିଁ । ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଏଠାକୁ ନ ଆସି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ, ସେଠାରେ ମଧ୍ୟ ସମାଧାନ ହେଉଛି । ଜଟିଳ ସମସ୍ୟା ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀ ୩ ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ: ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର: ଆଗାମୀ ଫେବୃୟାରୀ ୩ ତାରିଖ (ସୋମବାର)ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ ଏବଂ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ। ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।

ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥାନୀୟ ସର୍କିଟ ହାଉସଠାରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ ଅବସରରେ ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଅଭିଯୋଗ ଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ବର୍ଗର ଲୋକେ ଓ ସଂଘର ସଦସ୍ୟମାନେ ନିଜ ନିଜର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ ପ୍ରଦାନ କରିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ମଧ୍ୟ ଶୁଣିଥିଲେ। ପ୍ରାୟ ଶତାଧିକ ଲୋକ ନିଜ ନିଜର ଅଭିଯୋଗ ପ୍ରଦାନ କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗ ଶୁଣିଲେ, ସମାଧାନର ଆଶ୍ବାସନା ଦେଲେ

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୋହନ ଚରଣ ମାଝୀ ଯେଉଁଠି କି ଯାଆନ୍ତୁ ନା କାହିଁକି, ଯେଉଁଠି ବି ଥାଆନ୍ତୁ, ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବାକୁ ଓ ତା’ର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି।

ଆଜି ସକାଳେ ତାଙ୍କ ବାସଭବନକୁ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ କେତେ ଜଣ ଦିବ୍ୟାଙ୍ଗ ମଧ୍ୟ ଆସିଥିଲେ। ଆଜି ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଏହି ଅବସରରେ ଦିବ୍ୟାଙ୍ଗମାନେ ତାଙ୍କ ଘରକୁ ଆସିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ସେମାନଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ।

ସେମାନଙ୍କ ମଧ୍ୟରେ ଥିଲେ କଟକ ବାଉଁଶଗଳିର ଦିବ୍ୟାଙ୍ଗ ଶେଖ୍ ରେହେମାନ। ସେ ଭୁବନେଶ୍ବରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏକ ତିନି-ଚକିଆ ସାଇକେଲରେ ଯାତ୍ରା ଆରମ୍ଭ କରୁଛନ୍ତି। ସେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଶୁଭେଚ୍ଛା ପାଇ ତାଙ୍କର ଯାତ୍ରା ଆରମ୍ଭ କରିବାକୁ। ମୁଖ୍ୟମନ୍ତ୍ରୀ ତାଙ୍କର ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀ ବାଳା ଜେନା, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଲକ୍ଷ୍ମୀ ପଟ୍ଟନାୟକ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ, ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ, ବିଡିଓ କ୍ଷୀରାବ୍ଧି ତନୟା ସାହୁ ପ୍ରମୁଖଙ୍କ ସହ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ମୋଟ ୧୮୨ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୬୮ ଟି ବ୍ୟକ୍ତି ବିଶେଷଙ୍କର ଅଭିଯୋଗ ଥିବା ୧୦ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା ବୋଲି ସୂଚନା ମିଳିଛି। ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ତତ୍କାଳ ଦୁଇଟି ଅଭିଯୋଗର ସମାଧାନ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ପଞ୍ଜୀକୃତ ଏକ ହଜାର ଅଭିଯୋଗକାରୀଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ: ଚାଷୀଙ୍କ ବୁଝିଲେ ଦୁଃଖ

ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନା ଦେବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଠାରୁ ପ୍ରଥମ ଥର ପାଇଁ ପାଇଁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା।

ପୂର୍ବରୁ ସାଧାରଣ ଲୋକଟିଏ ପକ୍ଷରେ ଜଣେ ଉଚ୍ଚ ପଦାଧିକାରୀଙ୍କୁ ଭେଟିବା କଷ୍ଟକର ବ୍ୟାପର ଥିଲା। ଆଜି କିନ୍ତୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ପାଖରେ ବସାଇ ସେମାନଙ୍କ ଦୁଃଖ ଶୁଣୁଛନ୍ତି। ସମାଧାନର ବ୍ୟବସ୍ଥା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଆଶ୍ୱାସନା ଭରା କଥାରେ ଖୁସିରେ ଆତ୍ମହରା  ହୋଇ ଉଠୁଛନ୍ତି ସମସ୍ତେ। ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ଉପସ୍ଥିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ କିପରି ହେବ ସେଥି ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇ ଅଧିକାରୀମାନେ ମଧ୍ୟ ତତ୍ପରତାର ସହ ଲୋକଙ୍କ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ତ୍ୱରିତ ପଦକ୍ଷେପ ପାଇଁ ପ୍ରେରଣ କରୁଥାନ୍ତି। ଏ ଥିଲା ଆଜିର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦୃଶ୍ୟ। ଯେଉଁଠି ସାଧାରଣ ଲୋକ ଏବଂ ସରକାରଙ୍କ ମଧ୍ୟରେ ନଥିଲା କୌଣସି ପ୍ରତିବନ୍ଧକ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନକ୍ଷମ, ରୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପ୍ରତି ଅଭିଯୋଗ ପ୍ରକୋଷ୍ଠରେ  ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିଲା।

ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଚତୁର୍ଥ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୧ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୧୦୦୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ସମସ୍ତ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ।

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଅନୁଗୋଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶଙ୍କର ଦାସ। ଚାକିରୀ କାଳରେ ତାଙ୍କ ପ୍ରତି ବହୁ ଅନ୍ୟାୟ ଓ ଅବହେଳା କରାଯାଇଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଭରା ଅଭିଯୋଗ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣି, ଅଧୈର୍ଯ୍ୟ ନହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ତାଙ୍କୁ ନ୍ୟାୟ ଦେବା ପାଇଁ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଆଉ ଜଣେ ଅଭିଯୋଗକାରୀ ଥିଲେ ଭଦ୍ରକ ଜିଲ୍ଲାର ୨୨ ବର୍ଷର ଭିନ୍ନକ୍ଷମ ଯୁବକ ନିରାକାର ନାୟକ। ସାଙ୍ଗରେ ଥିଲେ ତାଙ୍କ ବାପା ଓ ମା’। ଜାପାନୀ ଜ୍ୱରରେ ପୀଡିତ ହୋଇ ଯୁବକ ଜଣକ ଭିନ୍ନକ୍ଷମ ହୋଇଯାଇଛନ୍ତି। ଚିକିତ୍ସା ପାଇଁ ବହୁ ଖର୍ଚ୍ଚାନ୍ତ ହେଲେଣି। ଚିକିତ୍ସା ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଚିକିତ୍ସା ବାବଦରେ ଆଶ୍ୱାସନା ଭରା ପ୍ରତିଶ୍ରୁତି ଶୁଣି ସେମାନେ ଖୁସି ମନରେ ଫେରିଲେ।

ଆଉ ଜଣେ କୋରାପୁଟ ଜିଲ୍ଲାର ଅଭିଯୋଗକାରୀ ରମେଶ ଧଳ, ଗାଁରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିଷୟ ନେଇ ସପତ୍ନୀକ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି ଜିଲ୍ଲା ଏସ୍.ପିଙ୍କୁ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆଉ ଜଣେ ଅଭିଯୋଗକାରୀ ଥିଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସରୋଜିନୀ ଦାସ।  ସେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ହତ୍ୟାକାରୀଙ୍କୁ ଆଜି ସୁଦ୍ଧା ପୋଲିସ ଧରୁନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତୁରନ୍ତ ଜିଲ୍ଲା ଏସ୍‌.ପିଙ୍କୁ ନିର୍ଦ୍ଦେଶ ଦେଲେ ଏବଂ କହିଲେ ନ୍ୟାୟ ମିଳୁଛି କି ନାହିଁ ମୋତେ ଆସି ଜଣାଇବ। ଅଭିଯୋଗକାରୀ ମହିଳା ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ଭରା କଥା ଶୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ମୋ ମନରେ ଭରସା ସୃଷ୍ଟି କଲେ ଯେ ମୁଁ ନିଶ୍ଚିତ ରୂପେ ନ୍ୟାୟ ପାଇବି। ଏହି ଭଳି ପ୍ରତ୍ୟେକଙ୍କ କିଛି ନା କିଛି ଅଭିଯୋଗ ଥିଲା । ଆଉ ସମସ୍ତେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ପାଖରେ ପାଇ ସିଧାସଳଖ ଅଭିଯୋଗ ଦେଇ ଆତ୍ମସନ୍ତୋଷର ସହ ଫେରିଥିଲେ।

ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

ସୁଦୂର କେନ୍ଦ୍ରାପଡା ଜିଲ୍ଲା ରାଜକନିକାରୁ ୧୭ଜଣ ଚାଷୀ ତାଙ୍କ ଅଞ୍ଚଳର ବରୁଣା ପ୍ରାଥମିକ କୃଷି ସମବାୟ ସମିତିରେ ହୋଇଥିବା ଆର୍ଥିକ ହେରଫେର ବିଷୟରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପଦଯାତ୍ରାରେ ଆସିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ସମିତିର ଦୁଇ ଜଣ ଅଧିକାରୀ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆର୍ଥିକ ସହାୟତାକୁ ଚଞ୍ଚକତା କରି ନେଇଯାଇଛନ୍ତି। ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କୃଷକମାନେ ସେମାନଙ୍କ ଉଚିତ୍ ସରକାରୀ ପ୍ରାପ୍ୟ ପାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ସେମାନଙ୍କ ପାଖକୁ ଆସି ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କଲେ ଏବଂ ସେମାନଙ୍କ ଆଶ୍ୱାସନା ଦେଇଥିଲେ ଯେ ଏ ସରକାର ହେଉଛି ଚାଷୀଙ୍କ ସରକାର। ଚାଷୀଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ କେବେହେଲେ ପ୍ରଶ୍ରୟ  ଦିଆଯିବ ନାହିଁ। ଯଥାଶୀଘ୍ର ଏହି ଅଭିଯୋଗ ଉପରେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବା ସହିତ ଆପଣମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କର ଏହି ଆଶ୍ୱାସନା ଭରା କଥା ଶୁଣି ଖୁସି ମନରେ ସମସ୍ତେ ‘ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ’ ଧ୍ୱନୀ ଦେଇ ଫେରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୫ ରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ଅଗଷ୍ଟ ୫ ତାରିଖ ଦିବା ୧୧ ଘଟିକାରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ। ଭୁବନେଶ୍ଵରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହି ଦିନ ଦିବା ସକାଳ ୮ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ହେବ। ଏସମ୍ପର୍କରେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମାଧାନ ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଣିବା ଧାରା ଜାରି ରଖିଛନ୍ତି। ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୪.୩୦ ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୧୭୪୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ।

ପୂର୍ବରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ଶୁଣୁଥିଲେ ଓ ସମାଧାନ କରୁଥିଲେ । ଲୋକଙ୍କ ସମସ୍ୟାକୁ ମନ ଦେଇ ଶୁଣିବା ଓ ଦୁଃଖ ବୁଝି ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ତାଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଦେଇଛି ଏବଂ ତାଙ୍କ ସରକାର ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିପାରିଛି।

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଭୁବନେଶ୍ୱରର ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ରୋହିତ ପ୍ରଧାନ । ତାଙ୍କର ଜୀବିକା ପାଇଁ ଗୋଟିଏ ଇ-ରିକ୍ସା ଓ ରହିବା ପାଇଁ ଘରର ଆବଶ୍ୟକତା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖୁବ୍ ଶୀଘ୍ର ଏକ ଇ-ରିକ୍ସା ଯୋଗାଇଦିଆଯିବ ବୋଲି ଜଣାଇ ଦିଆଯାଇଥିଲା। ଘର ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।

ପାରାଦୀପର ନିରୁପମା ନାୟକ ନାମକ ଜଣେ ମହିଳା ତାଙ୍କର ଦୁଇ ଭିନ୍ନକ୍ଷମ ପିଲାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣେଇବାକୁ ଆସିଥିଲେ। ତାଙ୍କର ଘର ନାହିଁ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିଥିଲେ ଏବଂ ତତ୍‌କ୍ଷଣାତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ଡାକି ତାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଉକ୍ତ ମହିଳାଙ୍କୁ କହିଥିଲେ ଯେ ଏବେ ତୁମେ ଭତ୍ତା ପାଉଛ, ଆଗକୁ ଘର ମଧ୍ୟ ତୁମକୁ ମିଳିବ। ଧିରେ ଧିରେ ସବୁ ସମସ୍ୟାର ସମାଧାନ ହେବ, ଧୈର୍ଯ୍ୟ ରଖ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ।

ଅଭିଯୋଗ ଶୁଣାଣି ଆରମ୍ଭ ପୂର୍ବରୁ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍‌ଡେଟ୍‌ କରି ରଖିବା ଓ ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ କହିଥିଲେ।

ବିଶେଷ କରି ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସୁଦୃଢ ଓ ଦକ୍ଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଦ୍ୱାରା ଲୋକଙ୍କ ଅଭିଯୋଗ ଠିକ୍ ଭାବରେ ଶୁଣାଗଲେ ଲୋକମାନଙ୍କୁ ଆଉ ଭୁବନେଶ୍ୱର ଆସିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ସେହିପରି ଯେଉଁ ଅଭିଯୋଗ ଗୁଡିକ ଶୀଘ୍ର ଫଇସଲା ହେବା ସମ୍ଭବ, ସେଗୁଡିକୁ ଉପରେ ତୁରନ୍ତ ନିଷ୍ପତ୍ତି କରି ଲୋକଙ୍କୁ ନ୍ୟାୟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସରକାରୀ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସୁଥିବାରୁ ଏହା ଆଚରଣ ବିଧିର ଉଲଂଘନ କରୁଛି। ତେଣୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନ ଆସି, ସଂପୃକ୍ତ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଅଭିଯୋଗ ଜଣାଇବାକୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଲୋକଙ୍କୁ ନ୍ୟାୟ ଦେବାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି। ମୁଁ ଏବଂ ଆମ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଏଠାରେ ଉପସ୍ଥିତ ରହି ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଶୁଣି ସେ ସଂପର୍କରେ ଆଲୋଚନା କରି ତୁରନ୍ତ ସଂପୃକ୍ତ ବିଭାଗକୁ ଜଣାଇ ଏହାର ସମାଧାନ ପାଇଁ ପଦକ୍ଷେପ ନେଉଛୁ। ଏହା ଦ୍ୱାରା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ଦେବା ସମ୍ଭବ ହେଉଛି। ଏଠାରେ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ। ମନ୍ତ୍ରୀମାନେ ଅଭିଯୋଗ ଗ୍ରହଣ କଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାଟ ଦେଇ ତାହା ତଳକୁ ଯାଉଛି। ଆମେ ପଛେ ଟିକେ କଷ୍ଟ ପାଉ ଲୋକଟିଏ ଯେପରି ନିରାଶ ନ ହେଉ, ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛୁ।

ଆଗକୁ ଏହି ପ୍ରକ୍ରିୟା କେବଳ ଭୁବନେଶ୍ୱରରେ ସିମିତ ନ ରଖି ଆର.ଡି.ସି. ସ୍ତରରେ ଅଭିଯୋଗ ଶୁଣାଣି ପାଇଁ ବିଚାର କରୁଛୁ। ଏହା ଦ୍ୱାରା ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅଭିଯୋଗ ଶୁଣାଣି: ୧୫୪୦ ଅଭିଯୋଗ ପଞ୍ଜୀକୃତ,  ୫୦୦୦ ରୁ ଅଧିକ ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେଉଁଠି ସରକାର ଲୋକଙ୍କ ସହିତ ଥାଆନ୍ତି, ଲୋକଙ୍କ ସୁଖ ଦୁଃଖ ଶୁଣନ୍ତି, ସେଇଠି ହିଁ ପ୍ରକୃତ ଗଣତନ୍ତ୍ର ଦେଖିବାକୁ ମିଳିଥାଏ।

ଆଜି ଜୁଲାଇ ମାସର ପ୍ରଥମ ଦିନ, ପ୍ରଥମ ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଛନ୍ତି। ଲୋକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣୁ ଥାଆନ୍ତି, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି ଓ ତୁରନ୍ତ ହେଉଥାଏ ସମାଧାନ।

ସମସ୍ତେ ଖୁସିରେ ଫେରୁଥାନ୍ତି। ସମସ୍ତଙ୍କ ଆଖିରେ ଥିଲା ସରକାରଙ୍କ ଉପରେ ବିଶ୍ୱାସ ଓ ଭରସାର ଝଲକ୍। ସେଇ ବିଶ୍ବାସ ଓ ଭରସାର ରୂପ ହେଉଛି ଗଣତନ୍ତ୍ର।

ପ୍ରାୟ ଏକ ହଜାରରୁ ଅଧିକ ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା କହିଥିଲେ। ଗଭୀର ମନଯୋଗରେ ସମସ୍ତଙ୍କ ସମସ୍ୟା ଶୁଣି ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଉଥାନ୍ତି। ସେମାନଙ୍କ ମଧ୍ୟରେ ଥାଆନ୍ତି ଜଣେ ବୟୋବୃଦ୍ଧା ମହିଳା ସରସ୍ୱତୀ ତ୍ରିପାଠୀ। ତାଙ୍କର ପିଲାମାନେ ସମ୍ପତ୍ତି ହଡପ୍୍ କରି ମା’ଙ୍କୁ ଘରୁ ବାହାର କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ପୋଲିସ୍୍ ବିଭାଗକୁ ନିର୍ଦ୍ଦେଶ ଦେଇ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଲେ। ସେହିପରି କେନ୍ଦୁଝରର ଗୋଟିଏ ସ୍କୁଲରେ କାମ କରୁଥିବା ଜଣେ ମହିଳା ଅନେକ ଦିନ ଧରି ଦରମା ପାଉନାହାନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଥାଲାସେମିଆରେ ପୀଡିତ ଗୋଟିଏ ଛୋଟ ଝିଅର ବାପା ଯାଜପୁରର ସତ୍ୟଜିତ୍ ଆସିଥିଲେ ଚିକିତ୍ସା ସହାୟତା ପାଇଁ। ତାଙ୍କ ଝିଅର ହେବ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାନ୍ଟେସନ୍। ସେଥିପାଇଁ ଯେତେ ଶୀଘ୍ର ସମ୍ଭବ ତାଙ୍କ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ। ଆବଶ୍ୟକସ୍ଥଳେ ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏମିତି ଅନେକ ପୀଡିତ, ଦିବ୍ୟାଙ୍ଗ, ବୟୋବୃଦ୍ଧମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି, ତାଙ୍କ ସମସ୍ୟା ଶୁଣାଉଥାନ୍ତି ଓ ସମାଧାନର ଭରଷା ନେଇ ଯାଉଥାନ୍ତି। ରାଜ୍ୟର ମୁଖ୍ୟଙ୍କଠାରୁ ଭରଷାର ବାଣୀ ଶୁଣି ସେମାନେ ଅତ୍ୟନ୍ତ ଖୁସି ହୋଇ ଫେରୁଥାନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଜନତା ଓ ସରକାରଙ୍କ ମଧ୍ୟରେ ଏକ ଲୌହ ପ୍ରାଚୀର ଥିଲା। ସେ ପ୍ରାଚୀର ଆଜି ଦୂର ହୋଇଛି। ଲୋକ ଓ ସରକାରଙ୍କ ମଧ୍ୟରେ ସିଧା ସଳଖ ସମ୍ପର୍କ ପ୍ରତିଷ୍ଠା ପାଇଛି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଗଣତନ୍ତ୍ରରେ ଲୋକଙ୍କ କଥା ଶୁଣିବା ଓ ସମାଧାନ ପାଇଁ ଚେଷ୍ଟା କରିବା ଏକ ପ୍ରାଥମିକତା। ଏଇ କଥାକୁ ଗୁରୁତ୍ବ ଦେଇ ଆଜି ଠାରୁ ଜିଲ୍ଲା ସ୍ତରରେ ମଧ୍ୟ ଶୁଣାଣୀ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଏହି ପ୍ରକ୍ରିୟାକୁ ଆଗକୁ ଆହୁରି ସୁଦୃଢ଼ କରାଯିବ। ମୋ ସହିତ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ମଧ୍ୟ ଏଥିରେ ସହଯୋଗ କରିଛନ୍ତି। ଏହା ଜାରି ରହିଲେ ଜିଲ୍ଲା ସ୍ତରରେ ଅଧିକାରୀ ମାନେ ଗୁରୁତ୍ଵ ଦେଇ ଲୋକଙ୍କ ସମସ୍ୟାର ସମାଧାନ କରିବେ।

ଜିଲ୍ଲା ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରିଲେ ରାଜ୍ୟ ସ୍ତରରେ ଅଭିଯୋଗ କମ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆଜିର ଶୁଣାଣିରେ ପ୍ରାୟ ୯୯ ପ୍ରତିଶତ ଅଭିଯୋଗର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିନରୁ ହିଁ ଲୋକଙ୍କ ସହିତ ଖୋଲା ମନରେ ମିଶୁଛନ୍ତି। ଲୋକଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରୁଛନ୍ତି। ଭୁବନେଶ୍ୱରର ରାଜ୍ୟ ଅତିଥି ଭବନର କାର୍ଯ୍ୟାଳୟ ହେଉ ବା ବରଗଡ ଓ କେନ୍ଦୁଝର ଗସ୍ତ ପରି ବିଭିନ୍ନ ଜିଲ୍ଲା ଗସ୍ତ ହେଉ, ସବୁ ସମୟରେ ସେ ସାଧାରଣ ଲୋକଙ୍କ ସହିତ ହୃଦୟ ଖୋଲି ମିଶୁଛନ୍ତି ଓ ଆଲୋଚନା କରୁଛନ୍ତି ଓ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରୁଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପରିଚୟ ଦିନ କୁ ଦିନ ହେଉଛି ଉଜ୍ଜ୍ୱଳ।

ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହୋଇଥିଲା। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତି ସୋମବାର ଏହି ପରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାଯାଇଛି।

ଆଜି ସମୁଦାୟ ୧୫୪୦ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ପ୍ରାୟ ୫୦୦୦ ରୁ ଅଧିକ ଲୋକ ଆସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ପଂଚାୟତ ସମିତି କାର୍ଯ୍ୟାଳୟ, ବେଗୁନିଆ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୮୧ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୮୦ ଟି ବ୍ୟକ୍ତିଗତ ସମସ୍ୟା ଥିଲା।

ରେଡ଼କ୍ରସ ଫଣ୍ଡରୁ ସାହାଯ୍ୟ ପାଇଁ ଜଣଙ୍କର ୩୦୦୦ ଟଙ୍କାର ଅଭିଯୋଗ ଥିଲା। ଅଭିଯୋଗ ପ୍ରକୋଷ୍ଠରେ ୦୩ ଟି ଅଭିଯୋଗ ତ୍ୱରିତ ସମାଧାନ କରାଯାଇଥିଲା। ୨ ଟି ହୁଇଲ ଚେୟାର ପ୍ରଦାନ କରାଯାଇଥିଲା।

ଏହି ଶୁଣାଣିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ,ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଉପ -ଜିଲ୍ଲାପାଳ ଦିପ୍ତୀରଂଜନ ସେଠି, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଗଣ, ବି. ଡ଼ି ଓ, ବେଗୁନିଆ ବ୍ଲକ, ଡେପୁଟି -କଲେକ୍ଟର, ଗ୍ରୀଭାନ୍ସ, ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜୁନାଗଡ଼: ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବସପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଵିଡିଓ ଦୁଲାରାମ ମାରାଣ୍ଡି, ଵିଏସଏସଓ, ତୁଷାର ରଞ୍ଜନ ସାହୁ, ଜିପିଓ ରାଜେନ୍ଦ୍ର ଭୋଇ, ଡବ୍ଲୁଇଓ ସୁଶାନ୍ତ କୁମାର ମାଝୀ, ଜେଇ ଆରଡବ୍ଲୁଏସଏସ ମିନିକେତନ ସା, ଗୁପ୍ତା ନାଏକ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଜିଲ୍ଲା ପରିଷଦ ସଭ୍ୟା ଶାମୁକାରାଣୀ କୁମାର,ରାଜସ୍ୱ ନିରୀକ୍ଷକ ଗୋବିନ୍ଦ ପୁରୋହିତ, ଏଲଆଇ ରାମକୃଷ୍ଣ ବେମାଲ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ନେଇ ଆସୁଥିବା ହିତାଧିକାରୀ ଆବାସଗୃହ, ରାସନକାର୍ଡ, ଭତ୍ତା, ଜମି ମରାମତି ଭଳି ଅନ୍ୟାନ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରିବାକୁ ନେଇ ପ୍ରତିଶୃତି ଦେଇଥିଲେ।

ଶିବିରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୁକୁନ୍ଦ ଦୋରା, ଗ୍ରାମ ରୋଜଗାର ସେବକ ହରିନାରାୟଣ ମେହେର, ନାଏବ ସରପଞ୍ଚ ସମେତ ପଞ୍ଚାୟତ କର୍ମଚାରୀ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ୧୯ ଟି ବିଦ୍ୟାଳୟକୁ ମିଳିଲା ସ୍ଥାୟୀ ପଟ୍ଟା

ସୀତାରାମ ଅଗ୍ରୱାଲ

ଚିଲିକା: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚିଲିକା ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ବାଲୁଗାଁ ଏନଏସିର ସମୁଦାୟ ୩୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୩୫ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୩୯୧ ଗୋଟି ଅଭିଯୋଗ ମଧ୍ୟରୁ ୩୮୧ ଟି ବ୍ୟକ୍ତିଗତ ଏବଂ ୧୦ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଏବଂ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ଦୁଇ ଜଣ ଭିନ୍ନକ୍ଷମଙ୍କୁ ଗୋଟାଏ ଲେଖାଏଁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୧୯ ଗୋଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତକୁ ୧୭ ଟି ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ବିଡିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।