Categories
ଆଜିର ଖବର ଜାତୀୟ ଖବର

ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏକ ବଡ ଧରଣର ଆତଙ୍କୀ ହମଲାକୁ ପଣ୍ଡ କରି ଦେଇଛି । ପୋଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି । ଉଭୟ ଆତଙ୍କୀ ଜମ୍ମୁ କାଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀର ସରାଇ କାଲେ ଖାଁ ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଛି । ସୋମବାର ରାତିରେ ସ୍ୱତନ୍ତ୍ର ସେଲ ପକ୍ଷରୁ ଉଭୟ ଆତଙ୍କୀକୁ ଗିରଫ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦୁଇ ଆତଙ୍କୀଙ୍କୁ ଧରିବାର ଜାଲ ବିଛାଇଥିଲା ପୋଲିସ । ଉଭୟଙ୍କୁ କାଲେ ଖାଁ ଅଞ୍ଚଳରେ ରହିଥିବା ମିଲେନିୟମ ପାର୍କ ନିକଟରୁ ଗିରଫ କରାଯାଇଥିଲା। ରାତି ପ୍ରାୟ 10.15 ରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇ ଆତଙ୍କୀଙ୍କୁ  ଧରାଯାଇଥିଲା ।

ଦୁଇ ଆତଙ୍କୀଙ୍କ ପରିଚୟ ମିଳିଥିବା ବେଳେ ଉଭୟ କାଶ୍ମୀରର ବାସିନ୍ଦା ବୋଲି ଜଣାପଡିଛି । 22 ବର୍ଷୀୟ ଅବଦୁଲ ଲତିଫ ମିର ବାରାମୁଲ୍ଲାର ଡୋରୁ ଗ୍ରାମର ବାସିନ୍ଦା ବୋଲି ତଦନ୍ତରୁ ଜଣାପଡିଛି । ଅନ୍ୟତମ ଆତଙ୍କୀ ହେଉଛି 20ବର୍ଷୀୟ ମହମ୍ମଦ ଅଶ୍ରଫ ଖାତନା । ଖାତନା କୁପୱାରା ଜିଲ୍ଲାର ହାଟମୁଲ୍ଲା ଗ୍ରାମର ବାସିନ୍ଦା । ଉଭୟଙ୍କୁ ପୋଲିସ ପକ୍ଷରୁ ପଚରା ଉଚୁରା ଜାରି ରହିଛି । ଉଭୟଙ୍କ ନିକଟରୁ ଦୁଇଟି ସେମି ଅଟୋମେଟିକ ପିସ୍ତଲ ସହିତ 10ଟି ଜୀବନ୍ତ ଗୁଳି ଜବତ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର:  କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।  ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତିମୋଦି ।

ବିଜେପି କର୍ମୀଙ୍କ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାସହ ଜମ୍ମୁକଶ୍ମୀର ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।

ଦକ୍ଷିଣ କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀମାନେ ଗତକାଲି ରାତିରେ ତିନି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  ଆତଙ୍କବାଦୀ ସଂଗଠନ ‘ରେଜିଷ୍ଟାନ୍ସ ଫ୍ରଣ୍ଟ‘ (ଆରଏଫ) ଏହି ଆକ୍ରମଣ ଘଟାଇଛି ବୋଲି ଜମ୍ମୁ କାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ତିନି ବିଜେପି ନେତା ହେଉଛନ୍ତି ଫିଦା ହୁସେନ ୟାତୁ, ଉମର ରସିଦ ବେଗ ଏବଂ ଉମର ରମଜାନ ହାଜାମ । ଫିଦା ହୁସେନ କୁଲଗାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଥିଲା ବେଳେ ଉମର ରସିଦ ବେଗ ଜିଲ୍ଲା ଯୁବ ବିଜେପି କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ଉମର ରମଜାନ ହାଜମ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଥିଲେ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତାଜା ଖବର: ଏବେ ଏବେ ଦୁଇଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କଲେ ସୁରକ୍ଷା କର୍ମି

ଶ୍ରୀନଗର, ବର୍ତ୍ତମାନ ତାଜା ସୂଚନା ଅନୁସାରେ ଜାମ୍ମୁକାଶ୍ମୀରରେ ଦୁଇ ଜଣ ଅଜଣା ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାଟି ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଚାକୁରା ଅଞ୍ଚଳରେ ଘଟିଛି। ଆଜି ହଠାତ ସୁରକ୍ଷା କର୍ମିଙ୍କୁ ଏକ ସୂଚନା ମିଳିଥିଲା ଯେ ଚାକୁରା ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରି ରହିଛନ୍ତି। ଏହାର ସତ୍ୟତା ଥିବା ଜଣାପଡିବା ପରେ ସୁରକ୍ଷା କର୍ମି ସେହି ଅଞ୍ଚଳକୁ ତୁରନ୍ତ ଖାଲି କରି ଦେଇଥିଲେ।

ଏହା ପରେ ନିର୍ଦ୍ଧିଷ୍ଠ ଭାବେ ସେହି ଘର ଉପରେ ତୀକ୍ଷ୍ମ ନଜର ରଖି ସମସ୍ତଙ୍କୁ ବାହାରକୁ ବାହାରିବା ପାଇଁ କୁହାଯାଇଥିଲା। ହେଲେ କେହି ବାହାରିବା ପୂର୍ବରୁ ସେପଟୁ ଗୁଳି ଆରମ୍ଭ ହୋଇଥିଲା। ଏହା ପରେ ସୁରକ୍ଷା କର୍ମି ପାଲଟା ଗୁଳି ବର୍ଷା ଆରମ୍ଭ କରିଦେଲେ। ଏଥିରେ ଦୁଇଜଣ ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ସେଠାରେ ଆହୁରି ଆତଙ୍କି ଲୁଚି ରହିଥିବାର ସୁରକ୍ଷା କର୍ମି ସନ୍ଦେହ କରିଛନ୍ତି। ସେଥିପାଇଁ ସର୍ଚ୍ଚ ଅପରେସନ ଏବେ ବି ମଧ୍ୟ ଜାରୀ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଜାତୀୟ ଖବର ବିଶେଷ ଖବର

ଗିରଫ ହୋଇଥିବା ଅଲ-କାଏଦା ଆତଙ୍କବାଦୀମାନେ କରିଥାଆନ୍ତେ ଏକ ବଡ ଆକ୍ରମଣ, ଜାଣନ୍ତୁ କଣ

ତିରୁବନନ୍ତପୁରମ୍, ଶନିବାର ସକାଳେ ପଶ୍ଚିମବଙ୍ଗ ଏବଂ କେରଳରେ ଚଢାଉ କରି ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ, ଅଲ କାଏଦା ଆତଙ୍କବାଦୀଙ୍କ ଏକ ଆନ୍ତଃରାଜ୍ୟ ଆକ୍ରମଣକୁ ନଷ୍ଟ କରିଦେଇଛି। ନଅ ଅଲ କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣଙ୍କୁ ଏର୍ନାକୁଲମ ଜିଲ୍ଲାରୁ ଏବଂ ପାଞ୍ଚ ଜଣଙ୍କୁ ମୁର୍ସିଦାବାଦରୁ ଗିରଫ କରିଛି।

କେରଳ ପୋଲିସ ଡିଜି ଲୋକନାଥ ବେହେରା ତିନି ଜଣ ଏରନାକୁଲମରୁ ଗିରଫ ହୋଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସର୍ବାଧିକ ପ୍ରବାସୀ ଶ୍ରମିକ ରହୁଥିବା ଏରନାକୁଲମରେ ଏହି ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିଲେ। କୋଚିର ଦୁଇଟି ସ୍ଥାନରୁ ଏହି ତିନିଜଣଙ୍କୁ ଠାବ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମୁର୍ସିଦ ହାସନ, ୟାକୋବ ବିଶ୍ୱ ଏବଂ ମୋର୍ସରଫ ହୁସେନ୍।

କେରଳ ପୋଲିସ ଜାଣିବାକୁ ପାଇଛି ଯେ ହୁସେନ୍ ଗତ ଏକ ଦଶନ୍ଧି ଧରି କେରଳରେ ରହିଆସୁଥିଲେ। ସେ ଆଲୁଭା ନିକଟ ପେରୁମ୍ବାଭୋରରେ ଏକ ବସ୍ତ୍ର ଦୋକାନରେ କାମ କରୁଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମୁର୍ସିଦ ହାସନଙ୍କ ସହ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ରାତି ପ୍ରାୟ 2 ଟା ସମୟରେ ପୋଲିସ ଆସି ହାସନଙ୍କୁ ଗିରଫ କରିଥିଲା।

ଗିରଫ ଆତଙ୍କବାଦୀଙ୍କ ରୁମମେଣ୍ଟଙ୍କ କହିବା କଥା ଯେ, ଲକଡାଉନ୍ ସମୟରେ ସେ ଘରଭଡା ଖୋଜି ଆମ ସହିତ ରହି ଆସୁଥିଲେ। ଆମେ ତାଙ୍କର କିମ୍ବା ତାଙ୍କ ପରିବାରର ବିଷୟରେ କିଛି ଜାଣିନାହୁଁ।” ସାଧାରଣତଃ ସେ ସପ୍ତାହରେ କେବଳ ଦୁଇ ଦିନ କାମ କରୁଥିଲେ ଏବଂ ଅବଶିଷ୍ଟ ସମୟ କୋଠରୀ ଭିତରେ ରହୁ ଥିଲେ।

ପୋଲିସ ବର୍ତ୍ତମାନ ହାସନଙ୍କ ସହ ରହୁଥିବା ସମସ୍ତ ବ୍ୟକ୍ତିଙ୍କ ମୋବାଇଲ୍ ଫୋନ ଜବତ କରିଛି। ସେମାନଙ୍କୁ ଏନ୍ଆଇଏ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି।

ଦିଲ୍ଲୀର ଆତଙ୍କବାଦ ବିରୋଧୀ ତଦନ୍ତ ଏଜେନ୍ସି ଅଧିକାରୀଙ୍କ ଅନୁଯାୟୀ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ମଧ୍ୟ ଛଅ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏମାନେ ଦିଲ୍ଲୀରେ ଆତଙ୍କ ଖେଳାଇବା ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି।

ମୁଖ୍ୟତଃ ନିରୀହ ଲୋକଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମନରେ ଆତଙ୍କ ସୃଷ୍ଟି କରିବା ହେଉଛି ଏହି ଗୋଷ୍ଠୀର କାମ। ଏଥିସହିତ ଭାରତର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକରେ ଆକ୍ରମଣ କରିବାକୁ ଯୋଜନା ମଧ୍ୟ କରୁଥିଲା ​​ବୋଲି ମୁଖପାତ୍ର କହିଛନ୍ତି। ତେବେ କେଉଁ ସଂସ୍ଥା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ତାହା ପରେ ଜଣାପଡିବ।

ଚଢାଉ ବେଳେ ସେମାନଙ୍କ ନିକଟରୁ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର, ଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର, ସ୍ଥାନୀୟ ଭାବରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଘରେ ତିଆରି ବିସ୍ଫୋରକ ଉପକରଣ ସହିତ ଜିହାଦୀ ପ୍ରବନ୍ଧ ଏବଂ ସାହିତ୍ୟ ଜବତ କରାଯାଇଛି।

କେରଳରେ ଗିରଫ ହୋଇଥିବା ବ୍ୟକ୍ତିମାନେ ବର୍ତ୍ତମାନ ଏନଆଇଏ ଅଧିକାରୀଙ୍କ ଅଧୀନରେ ଅଛନ୍ତି। ସେମାନଙ୍କୁ କେରଳର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯିବ। ଏହା ପରେ ସେମାନଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡିଛି।