Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଡିଜିଟାଲ୍ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ୧୦ ନିୟୁତ ଡଲାର ଆର୍ଥିକ ସହଯୋଗ ଘୋଷଣା

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୟୁଏସଏଡ ଏବଂ ବିଲ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ (ବିଏମଜିଏଫ) ର ମିଳିତ ଉଦ୍ୟମ “ଉଇମେନ ଇନ ଡିଜିଟାଲ ଇକୋନୋମି ଫଣ୍ଡ” (ଡବ୍ଲୁଆଇଡିଆଇଏଫ) କୁ ୧୦ ନିୟୁତ (ମିଲିୟନ) ଆମେରିକୀୟ ଡଲାରର ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଭାରତର ଡିଜିଟାଲ ଅର୍ଥନୀତିରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଲିଙ୍ଗଗତ ଡିଜିଟାଲ ବୈଷମ୍ୟକୁ ହ୍ରାସ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ରହିଛି।

ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି ଯେ, “ବିଶ୍ୱସ୍ତରୀୟ ସହଯୋଗ ଭାବରେ ଉଇମେନ ଇନ ଡିଜିଟାଲ ଇକୋନୋମି ଫଣ୍ଡ (ଡବ୍ଲୁଆଇଡିଆଇଏଫ) ଏକ ଐତିହାସିକ ପଦକ୍ଷେପ ଏବଂ ଆମେ ଏହି ପଦକ୍ଷେପର ଏକ ଅଂଶ ହୋଇଥିବାରୁ ଗର୍ବିତ ଅନୁଭବ କରୁଛୁ। ଆମେ ମହିଳାମାନଙ୍କର ଜୀବନଜୀବିକା, ଆର୍ଥିକ ସୁରକ୍ଷା ଏବଂ ଅଭିନବ ପ୍ରଯୁକ୍ତି ମାଧ୍ୟମରେ ସଶକ୍ତୀକରଣକୁ ଆଗକୁ ବଢାଇବା ପାଇଁ ପ୍ରତିବଦ୍ଧ।”

ୟୁଏସଏଡ଼ ଇଣ୍ଡିଆର କାର୍ଯ୍ୟକାରୀ ମିଶନ ନିର୍ଦ୍ଦେଶକ ଡକ୍ଟର ଆଲେକଜଣ୍ଡ୍ରିଆ ଏଇ ସହଭାଗିତାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, “ଲିଙ୍ଗଗତ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ଭାରତ ଏବଂ ଆମେରିକା ମଧ୍ୟରେ ଏହି ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଆମେ ରିଲାଏନ୍ସ ଫାଉଣ୍ଡେସନ ସହିତ ମିଳିତ ଭାବରେ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଡିଜିଟାଲ ଅର୍ଥନୀତିର ସୁଫଳ ଉପଲବ୍ଧ କରାଇବା ଏବଂ ସେମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରୁଛୁ।”