Categories
ବିଶେଷ ଖବର

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ। ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ପାଇକ ମାନଙ୍କ ସାମୁହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ। ଶିକ୍ଷାର୍ଥୀ ମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବା ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍‌ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ। ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତପ୍ରକାଶ କରନ୍ତି। ଏହି ମହାନ  ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ ଏବଂ ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ। ଓଡିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ଶ୍ରୀ ପାଣ୍ଡିଆନ ବର୍ଣ୍ଣନା କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

Categories
ବିଶେଷ ଖବର

ଉତ୍କଳ ଗୌରବ ମଧୁବାବୁ

ବିଶ୍ବବିଜୟୀ ଦାଶ

ଉତ୍ଥାନ, ପତନ ଗୋଟିଏ ଜାତିର ଇତିହାସରେ କିଛି ନୂଆ କଥା ନୁହେଁ। ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ କ୍ଷଣଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ।ଆମ ଓଡ଼ିଶାର ପ୍ରଥମ ଓଡ଼ିଆ ବି.ଏ, ପ୍ରଥମ ଓଡ଼ିଆ ଏମ୍.ଏ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ସ୍ବାଧିନତା ସଂଗ୍ରାମୀ, ଯିଏକି ଓଡ଼ିଶାକୁ ନିଜର ପ୍ରାଣ ଦେଇ ଭଲ ପାଉଥିଲେ ଓ କାମ କରୁଥିଲେ ତଥା ଓଡ଼ିଆ ଜାତିର ଚ଼ିର ନମସ୍ୟ, ପ୍ରାତଃ ସ୍ମରଣୀୟ, ଚ଼ିର ବରଣୀୟ କୂଳବୁଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ।

ଉତ୍କଳଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ।

ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ।ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି)। ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ। କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା। ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।

ସେଠାରେ ମଧୁବାବୁ ଏମ୍.ଏ. ପାସ୍ କରିଥିଲେ। ତା’ପରେ ମଧୁବାବୁ କଲିକତା ବିଶ୍ବବିଦ୍ୟାଳୟ ବି.ଏଲ୍. ପାସ କରି ସାରିଥିଲେ। ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେଠାରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଉନ୍ନତି ପଥରେ ମଧୁବାବୁ ଲାଗିପଡ଼ିଥିଲେ। ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ।

୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ। ବିଚ଼କ୍ଷଣ ବୁଦ୍ଧି ବଳରେ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ ଓ ମଧୁବାରିଷ୍ଟର ଭାବେ ପରିଚ଼ିତ ହୋଇଥିଲେ। ତାଙ୍କର ଓକିଲାତି ଜୀବନକାଳରେ ସେ ବହୁ ଜନହିତକର କାର୍ଯ୍ୟ କରିଥିଲେ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ। ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା। ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ। ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଓଡ଼ିଶାରେ ଚ଼ମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।

ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ ଏକ ବିପର୍ଯ୍ୟନ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ବିଶାଳ ଓଡ଼ିଶା। ଉତ୍କଳ ଜନନୀର ପୂର୍ଣ୍ଣାଙ୍ଗ ରୂପ ପ୍ରତିଷ୍ଠା ପାଇଁ ଜାତୀୟ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ମଧୁବାବୁଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଦୁର୍ବାର ଅଭିଯାନ।ଉତ୍କଳୀୟ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଗଢ଼ିଥିଲେ ଜାତୀୟ ମହାମଞ୍ଚ ଉତ୍କଳ ସମ୍ମିଳନୀ। ଜାତୀୟତାର ମହାପ୍ରବାହ ସୃଷ୍ଟି କରିବାର ଆକାଂକ୍ଷା ନେଇ ଲେଖିଥିଲେ ପ୍ରାଣ ନିଗିଡ଼ା କବିତା।ଜାତୀୟ ବିକାଶ, ଜାତୀୟ ସମସ୍ୟା, ଜାତୀୟ ଚ଼ରିତ୍ର, ଜାତୀୟ ଅସ୍ମିତା ଓ ଜାତୀୟ ସ୍ବାଭିମାନ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡ଼ିବାର ସଂକଳ୍ପ ନେଇ ସମ୍ମିଳନୀ ମଣ୍ଡପରୁ ଗାଇଥିଲେ “ଏଇ ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ,ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ”।

ଗଭୀର ଜାତୀୟତାବୋଧର ଉଦବେଳନ ନେଇ ଭାବିଲେ ମନେହୁଏ ଏହା କେବେବି ଜଣେ ସାଧାରଣ କବିର ଆହ୍ବାନ ନୁହେଁ,ବରଂ ଜଣେ ମହାମାତ୍ନିକ ସଞ୍ଜିବନୀ ମତ୍ନ, ଯେଉଁ ମତ୍ନ ର ଯାଦୁକରୀ ମାୟାରେ ଦିନେ ଚ଼େଇଁ ଉଠିଥିଲା ସମଗ୍ର ଓଡ଼ିଆ ଜାତି।

ତାଙ୍କରି ଲେଖନୀ ନିସୃତ କବିତା ଏବେ ବି ଓଡ଼ିଆଙ୍କ କାନରେ ଠାଇ ଠାଇ ହୋଇ ବାଜେ-
“ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହାସ
ପଡି଼ବକି କେବେ ମନେ ?”

ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି। ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା”। ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ।

ଏହି ମହାପୁରୁଷ, ଓଡ଼ିଆ ମାଟି ର ସ୍ବାଭିମାନ କୂଳବୁଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ୧୯୩୪ ମସିହା ଫେବୃଆରୀ ୪ ତାରିଖ ରେ ଓଡ଼ିଶା ବାସୀଙ୍କୁ ଶୋକସାଗରରେ ଭସାଇ ଚ଼ାଲିଗଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ମୋର ଭୂମିଷ୍ଠ ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍- ୭୫୨୦୩୫

ମୋବାଇଲ ନଂ- ୬୩୭୦୨୦୮୪୨୮

Categories
ବିଶେଷ ଖବର

ବିପ୍ଲବୀ ସହିଦ୍ ରଘୁ ଓ ଦିବାକର

ବିଶ୍ବବିଜୟୀ ଦାଶ

ମାଟି ମା’କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ଉଭୟଙ୍କ ନାମ ଓଡ଼ିଶା ଇତିହାସର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ପରାଧିନ ଭାରତରେ ଓଡ଼ିଶାର ଅଧିକାଂଶ ଗଡ଼ଜାତର ରାଜା ମାନେ, ବ୍ରିଟିଶ୍ ସରକାରର ବାହୁଛାୟା ତଳେ ରହି ପ୍ରଜା-ଶୋଷଣରେ ମାତିଥିଲେ। ଗଡ଼ଜାତରେ ଶାସନ ବୋଲି କିଛି ନଥିଲା। ପ୍ରଜାଙ୍କୁ ବଳପୂର୍ବକ ବେଠି ଖଟାଯାଉଥିଲା, ମାଗଣା ଭେଟି ଦେବାକୁ ପଡ଼ୁଥିଲା।

ବିଚ଼ାର ନାମରେ ପ୍ରହସନ ହେଉଥିଲା, ପ୍ରଜାମାନଙ୍କୁ ରାଜାଙ୍କ ଅତ୍ୟାଚ଼ାରରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରଜାମଣ୍ଡଳ ଗଠନ କରି ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ରଣପୁର ଅଞ୍ଚଳରେ ପ୍ରଜା ମଣ୍ଡଳକୁ ସଂଗଠିତ କରାଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଦୁହେଁ ଥିଲେ ଶିକ୍ଷିତ, ସ୍ବାଭିମାନୀ। ରଣପୁର ଗଡ଼ଜାତ ଅନ୍ତର୍ଗତ ବାଦଭୂଇଁ ରେ ଜନ୍ମଗ୍ରହଣ କରିଥିଲେ ରଘୁ ଏବଂ ଗଡ଼ବାଣୀକିଲୋ ଗ୍ରାମରେ ଜନ୍ମଲାଭ କରିଥିଲେ ଦିବାକାର। ରଣପୁର ପ୍ରଜା ମଣ୍ଡଳର ସଂପାଦକ ଓ ସଂଗଠନ ସଂପାଦକ ଥିଲେ ଯଥାକ୍ରମେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।

ଏହି ଦୁଇ ପ୍ରଚ଼ଣ୍ଡ ଦେଶପ୍ରେମୀ ଯୁବକଙ୍କ ନେତୃତ୍ବରେ ରଣପୁର ପ୍ରଜା ଆନ୍ଦୋଳନ କ୍ରମଶଃ ଶକ୍ତିଶାଳୀ ହୋଇଥିଲା। ନିଜର ଜ୍ଞାନ ବୁଦ୍ଧି ବଳରେ ବିଦ୍ରୋହକୁ ତୀବ୍ର, ଶାଣିତ ଓ କୋଠର କରି ପାରିଥିଲା। ଏତାଦୃଶ୍ୟ ଦେଖି ଇଂରେଜ ସରକାର ଭୟଭୀତ ହୋଇଥିଲେ। ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ରାଜା ତଥା ପଲଟିକାଲ ଏଜେଣ୍ଟଙ୍କ ବିଷ ଦୃଷ୍ଟିରେ ପଡ଼ିଥିଲେ।ସେତେବେଳେ ମେଜର ବେଜେଲଗେଟ୍ ଥିଲେ ପୂର୍ବାଞ୍ଚଳ ଗଡ଼ଜାତ ରାଜ୍ୟ ସମୂହର ପଲଟିକାଲ ଏଜେଣ୍ଟ। ସେ ରାଜାଙ୍କ ପକ୍ଷରୁ ପ୍ରଜା ଅତ୍ୟାଚ଼ାରରେ ସାମିଲ ଥିଲେ।

ପରବର୍ତ୍ତି ସମୟରେ ମିଥ୍ୟା ସାକ୍ଷୀ ପ୍ରମାଣ ଯୋଗାଡ଼ କରି ରାଜନୈତିକ ଏଜେଣ୍ଟ ବେଜେଲଗେଟ୍ ଙ୍କ ହତ୍ୟା ଅଭିଯୋଗରେ ରଘୁନାଥ ଓ ଦିବାକରଙ୍କୁ ଗିରଫ କରି ବିହାରର ଭାଗଲପୁର ଜେଲ୍ କୁ ପଠାଯାଇଥିଲା। ଅନେକ କେସ୍ ଲଢ଼ିବା ପରେ ମଧ୍ୟ ରଘୁ-ଦିବାକରଙ୍କ ସପକ୍ଷରେ ଯାଇନଥିଲା।

ଶେଷରେ ରଘୁ-ଦିବାକରଙ୍କୁ ୧୯୪୧ ମସିହା ଅପ୍ରେଲ ୪ ତାରିଖରେ ବିହାରର ଭାଗଲପୁର ଜେଲରେ ଫାଶୀ ଦଣ୍ଡ ଦିଆଯାଇଥିଲା। ଶହିଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ। ତାଙ୍କର ବଳିଷ୍ଠ ନେତୃତ୍ବ ଆଗାମୀ ଦିନରେ ଦେଶ ସ୍ବାଧୀନତା ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା।

ଆଜିର ଯୁବପିଢ଼ି ରଘୁଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି।ସେମାନଙ୍କର ସଂଗ୍ରାମର ଗାଥା ସର୍ବଦା ଚ଼ିର ସ୍ମରଣୀୟ ହୋଇ ରହିବ। ଆଜି ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।

ଲେଖକ- ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍ – ୭୫୨୦୩୫, ମୋବାଇଲ ନଂ- ୬୩୭୦୨୦୮୪୨୮