ନୂଆଦିଲ୍ଲୀ: ଇଥାନଲ ପ୍ରକଳ୍ପ ନିର୍ମାତାମାନଙ୍କୁ ଶୀଘ୍ର ନିଜର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସୁବିଧା ସୁଯୋଗ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂତନ ନିଷ୍ପତ୍ତି ଅନୁସାରେ ସମ୍ପୃକ୍ତ ପ୍ରକଳ୍ପ ନିର୍ମାତାଙ୍କୁ ଋଣ ଯୋଗାଣ ସମୟସୀମାକୁ ୨୦୨୨ ସେପ୍ଟେମ୍ବର ୩୦ତାରିଖ ଯାଏ ବଢାଇ ଦିଆଯାଇଛି । ୨୦୧୮-୨୧ ବର୍ଷ ମଧ୍ୟରେ ପଞ୍ଜୀକୃତ ଏଭଳି ସମସ୍ତ ପ୍ରକଳ୍ପକୁ ଏହି ସୁବିଧା ମିଳିବ । ଏହାଫଳରେ ସେମାନେ ଧାର୍ଯ୍ୟ ସମୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବା ସହିତ ସୁଧଛାଡର ସୁବିଧା ପାଇବେ ।
ପେଟ୍ରୋଲରେ ଇଥାନଲ ମିଶାଇବାକୁ ସରକାର ଯେଉଁ ଇବି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ସେଥିରେ ଦେଶରେ ଇଥାନଲ ଉତ୍ପାଦନ ଓ ଯୋଗାଣକୁ ଗୁରୁତ୍ୱପ୍ରଦାନ କରାଯାଇଛି । ବଳକା ଋତୁରେ ଦେଶର ଚିନିକଳଗୁଡିକୁ ଅଧିକ ଇଥାନଲ ଉତ୍ପାଦନ ଉପରେ ସରକାର ବିଶେଷ ଜୋର ଦେଉଛନ୍ତି । ଏହାଛଡା ଚିନିକଳ ମାଲିକମାନେ ଇଥାନଲ ବିକ୍ରି କରି ଯେଉଁ ଅର୍ଥ ପାଇବେ ତାହାକୁ ଚାଷୀଙ୍କଠାରୁ ବାକିରେ କିଣିଥିବା ଆଖୁ ବାବଦରେ ଦେୟ ପ୍ରଦାନ କରିବାର ସୁବିଧା ପାଇବେ । ଏହା ଦ୍ୱାରା ମଧ୍ୟ ଚିନିକଳଗୁଡିକର ଆର୍ଥିକ ସ୍ୱଚ୍ଛଳତା ବଢିବ । ଏହା ବ୍ୟତୀତ ବିଭିନ୍ନ ଚିନିକଳ ଓ ଡିଷ୍ଟିଲାରୀକୁ ୨୦୧୮-୨୧ରେ ଏହି ଯୋଜନାରେ ନାନା ପ୍ରକାର ଯେଉଁ ସୁଧ ଛାଡ ସୁବିଧା ଭିନ୍ନଭିନ୍ନ ପ୍ରକାର ଋଣ ଉପରେ ଘୋଷଣା କରାଯାଇଥିଲା ତାହାର ଲାଭ ମଧ୍ୟ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ମିଳିବ ।
ଇଥାନଲ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର ଋଣ ଉପରେ ବାର୍ଷିକ ୬ ଶତାଂଶ ସୁଧ ଛାଡ ସୁବିଧା ଦେଇଛନ୍ତି। ଏହାର ବିକଳ୍ପ ଭାବେ ବ୍ୟାଙ୍କରୁ ଋଣ ଆଣିଥିଲେ ସେ ବାବଦ ସୁଧର ୫୦ଶତାଂଶ ସରକାର ବହନ କରିବାର ବ୍ୟବସ୍ଥା ଅଛି । ଏହି ଦୁଇଟି ବିକଳ୍ପ ମଧ୍ୟରୁ ଯେଉଁଠି କମ୍ ପ୍ରକଳ୍ପ ନିର୍ମାତା କେବଳ ସେହି ସୁଯୋଗ ନେଇପାରିବେ । ଏହି ଯୋଜନାରେ ପ୍ରକଳ୍ପ ନିର୍ମାଣ ନିମନ୍ତେ ବ୍ୟାଙ୍କଗୁଡିକ ୫ବର୍ଷ ପାଇଁ ଋଣ ଯୋଗାଇ ଦେଉଛନ୍ତି । ଏଥିରେ ପ୍ରଥମ ବର୍ଷ ନିମନ୍ତେ ସୁଧ ଆଦାୟକୁ ସ୍ଥଗିତ ରଖିବାର ବ୍ୟବସ୍ଥା ରହିଛି ।
ଯୋଜନା ଅନୁସାରେ ଇଥାନଲ ପ୍ରକଳ୍ପ ପାଇଁ ଋଣ ଯୋଗାଣର ଶେଷ ତାରିଖ ଏଥି ପୂର୍ବରୁ ୨୦୨୨ ମାର୍ଚ୍ଚ/ଏପ୍ରିଲ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଥିଲା । ତେବେ କୋଭିଡ ମହାମାରୀ ଭଳି କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ । ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସବୁ ପ୍ରକଳ୍ପକୁ ଋଣ ଯୋଗାଣ ବ୍ୟାହତ ହୋଇଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ନ କଲେ ଋଣ ମିଳିବା ସମ୍ଭବ ନୁହେଁ । ତେଣୁ ୨୦୧୫-୨୧ ଯୋଜନା ଅନୁସାରେ ଏସବୁ ପ୍ରକଳ୍ପର ନିର୍ମାଣକାଳ ଏବଂ ଏଥିପାଇଁ ଋଣ ଯୋଗାଣ ସମୟ ସୀମା ବୃଦ୍ଧି କରିବା ଆବଶ୍ୟକ ଥିଲା । ଏହା ଫଳରେ ସମ୍ପୃକ୍ତ ଉଦ୍ୟୋଗୀ ସୁଧଛାଡ ଯୋଜନାର ଲାଭ ପାଇପାରିବେ ।
୨୦୧୪ ପୂର୍ବର ଦେଶର ମୋଲାସେସ୍ ଭିତ୍ତିକ ଡିଷ୍ଟିଲାରୀ ଗୁଡିକରେ ଇଥାନଲ ପ୍ରସ୍ତୁତି କ୍ଷମତା ମାତ୍ର ୨୧୫ କୋଟି ଲିଟର ଥିଲା । ଏହାର ପରବର୍ତ୍ତୀ ସାତବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାର ପରିବର୍ତ୍ତିତ ନୀତି ଓ ପ୍ରୟାସ ଦ୍ୱାରା ଏହି କ୍ଷମତା ଦେଢଗୁଣ ବଢିଛି ଏବଂ ଏବେ ଏହା ୫୫୫କୋଟି ଲିଟରରେ ପହଞ୍ଚିଛି । ଦେଶରେ ବିଭିନ୍ନ ପ୍ରକାର ଶସ୍ୟରୁ ଇଥାନଲ ପ୍ରସ୍ତୁତି କ୍ଷମତା ୨୦୧୩ରେ ଥିଲା ୨୦୬କୋଟି ଲିଟର । ଏବେ ଏହା ୨୮୦କୋଟି ଲିଟରରେ ପହଂଚିଛି । ଅତଏବ ଭାରତରେ ଏବେ ମୋଟ ଇଥାନଲ ଉତ୍ପାଦନ କ୍ଷମତା ୮୩୫ କୋଟି ଲିଟର ହୋଇଛି । ତେବେ ୨୦୨୫ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦% ଇଥାନଲ ମିଶାଇବାର ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ପୂରଣ କରିବା ପାଇଁ ଇଥାନଲ ଉତ୍ପାଦନ ପରିମାଣକୁ ୧୭୦୦କୋଟି ଲିଟରରେ ପହଞ୍ଚଇବାର ଆବଶ୍ୟକତା ରହିଛି । ସରକାର ଏବେ ଇଥାନଲ ପ୍ରକଳ୍ପଗୁଡିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ସମୟସୀମା ବୃଦ୍ଧି କରିବା ଫଳରେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ଏବଂ ଏହାର ଉତ୍ପାଦନ ଦକ୍ଷତା ବଢିବ ।
୨୦୧୩ ଫେବୃୟାରୀ ପର୍ଯ୍ୟନ୍ତ ଓଏମ୍ସି ବା ତୈଳ ବିପଣନକାରୀ କମ୍ପାନୀଗୁଡିକୁ ମାତ୍ର ୩୮କୋଟି ଲିଟର ଇଥାନଲ ପେଟ୍ରୋଲରେ ମିଶାଇବାକୁ ଯୋଗାଇ ଦିଆଯାଇଥିଲା । ସେତେବେଳେ ଏହି ମିଶ୍ରଣର ହାର ଥିଲା ୧.୫୩% । ୨୦୧୩-୧୪ରୁ ୨୦୨୦-୨୧ ମଧ୍ୟରେ ଓଏମ୍ସି ଗୁଡିକୁ ଇନ୍ଧନ ଉପଯୋଗୀ ଇଥାନଲ ଯୋଗାଣ ଆଠଗୁଣ ବଢିଛି ଏବଂ ଏହାର ଉତ୍ପାଦନ ମଧ୍ୟ ସମାନ ପରିମାଣରେ ବୃଦ୍ଧି ପାଇଛି । ଏଥିରେ ଐତିହାସିକ ସଫଳତାଟି ହେଲା ୩୦୨.୩୦କୋଟି ଇଥାନଲତ୍ତଉତ୍ପାଦିତ ହୋଇ ତାହା ତୈଳ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଇଛି ଏବଂ ପେଟ୍ରୋଲରେ ଏହାର ମିଶ୍ରଣ ହାର ଏବେ ୮.୧୦ଶତାଂଶ । ୨୦୨୧-୨୨ ଆର୍ଥିକ ବର୍ଷେରେ ୨୦୨୨ ଏପ୍ରିଲ ୩ତାରିଖ ସୁଦ୍ଧା ୧୪୧କୋଟି ଲିଟର ଇଥାନଲ ମିଶାଯାଇଛି ଏବଂ ମିଶ୍ରଣର ହାର ୯.୬୬ ଶତାଂଶ ହୋଇଛି । ଆଶା କରାଯାଉଛି ଯେ ଚଳିତ ଇଥାନଲ ଯୋଗାଣ ବର୍ଷ (୨୦୨୧-୨୨)ରେ ଆମେ ୧୦ଶତାଶ ମିଶ୍ରଣ ବା ବ୍ଲେଡିଂ ଲକ୍ଷ୍ୟପୂରଣ କରିପାରିବୁ ।
କୃଷି ଅର୍ଥନୀତିକୁ ପ୍ରୋତ୍ସାହନ ଏବଂ ଜୀବାଶ୍ମ ଇନ୍ଧନର ଆମଦାନୀକୁ ହ୍ରାସ କରିବା ପାଇଁ ସରକାର ୨୦୨୨ ସୁଦ୍ଧା ୧୦ଶତାଂଶ ଇନ୍ଧନମାନର ଇଥାନଲ ପେଟ୍ରୋଲରେ ମିଶାଇବାକୁ ଲକ୍ଷ୍ୟ ରଖିବା ସହିତ ୨୦୨୫ ସୁଦ୍ଧା ଏହାକୁ ୨୫ ଶତାଂଶକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ପେଟ୍ରୋଲିୟମ ଆମଦାନୀ ହ୍ରାସ ପାଇବା ସହିତ ଦେଶର ବୈଦେଶିକ ବିନିମୟ ମୁଦ୍ରା ମହଜୁଦ ପରିମାଣ ବଢିବ ଏବଂ ପରିବେଶ ପ୍ରଦୂଷଣ ହ୍ରାସ ପାଇବ। (ପିଆଇବି)