Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀରେ ଇନଭେଷ୍ଟ ଓଡିଶା: ଆସିଲା ₹୩୦,୫୯୫ କୋଟି ନିବେଶ ସହ ୪୮,୩୯୦ କର୍ମ ନିଯୁକ୍ତି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ଓଡ଼ିଶାର ଶିଳ୍ପକୁ ସୁଦୃଢ଼ ​​କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ନିବେଶ ଆକର୍ଷିତ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ର ଭାବରେ ସ୍ଥାନିତ କରିବା ପାଇଁ ଉଚ୍ଚସ୍ତରୀୟ ଆଲୋଚନା ଆୟୋଜିତ ହୋଇଛି।

ପ୍ରଥମ ଦିନରେ ଶିଳ୍ପପତିଙ୍କ ସହ ଆଲୋଚନା ଏବଂ ନିବେଶ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀ ନୋଏଡାର ଏଚସିଏଲ ଟେକ୍ନୋଲୋଜି କ୍ୟାମ୍ପସ ପରିଦର୍ଶନ କରିଥିଲେ, ଯେଉଁ ଠାରେ ସେ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ଶ୍ରୀମତୀ ରୋଶନି ନାଦର ମାଲହୋତ୍ରାଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ଉପରେ ଆଲୋଚନା ହୋଇଥିବା ବେଳେ ଓଡ଼ିଶାକୁ ପ୍ରଯୁକ୍ତିବିଦ୍ୟା-ଚାଳିତ ଉଦ୍ୟୋଗର ହବ୍ କରିବା ଉପରେ ଧ୍ୟାନ ଦିଆଯାଇଥିଲା।

ଗସ୍ତ ସମୟରେ, ମୁଖ୍ୟମନ୍ତ୍ରୀ ମାଝୀ କିରଣ ନାଦର କଳା ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ଏଚସିଏଲର ମେଗା ଆଇଟି କ୍ୟାମ୍ପସ, ଏଆଇ ଲ୍ୟାବ୍ ଏବଂ ଆଇଓଟି ଲ୍ୟାବ୍ ଅନୁଧ୍ୟାନ କରିଥିଲେ, ଯାହା ପ୍ରଯୁକ୍ତିବିଦ୍ୟା ଏବଂ ସଂସ୍କୃତିର ସଙ୍ଗମକୁ ପ୍ରତିଫଳିତ କରିଥିଲା। ଏହା ପରେ, ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ତାଜ ପ୍ୟାଲେସରେ ଶୀର୍ଷ ଶିଳ୍ପପତିଙ୍କ ସହ ଏକାଧିକ ଏକାକୀ ବୈଠକ କରିଥିଲେ।

ଏଥିରେ କିରି ଇଣ୍ଡଷ୍ଟ୍ରିଜ୍, ହିମାଦ୍ରି ସ୍ପେଶାଲିଟି କେମିକାଲ୍ ଲିମିଟେଡ୍, ଚୌଗୁଲେ ଗ୍ରୁପ୍, IREL, SLMG ବେଭରେଜେସ୍, ରୁଚି ସୋୟା ଫୁଡ୍ସ ଲିମିଟେଡ୍ (ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍), ଆଇନକ୍ସ GFL ଗ୍ରୁପ୍, ଅଫ୍ ବିଜନେସ୍, କ୍ୱାଣ୍ଟ ସୋଲାର ଏବଂ ଅନ୍ୟାନ୍ୟ ଶିଳ୍ପର ପ୍ରମୁଖ ବ୍ୟକ୍ତିମାନେ ଓଡ଼ିଶାରେ ସେମାନଙ୍କର ବ୍ୟବସାୟକୁ ସଂପ୍ରସାରଣ କରିବା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ପ୍ରଥମ ଦିନର ନିବେଶ ଫଳାଫଳ ୧୪ଟି କମ୍ପାନୀରୁ ନିବେଶ  ₹୩,୦୦୦ କୋଟି ନିବେଶ ଏବଂ ୨୧,୩୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିପରି ୧୧ଟି କମ୍ପାନୀ ସହିତ ଏମଓୟୁ ସ୍ବାକ୍ଷରିତ ହୋଇଛି ଯାହା  ₹୨୭,୫୯୫ କୋଟି ନିବେଶ ଏବଂ ୨୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ମୋଟ ଭାବରେ, ପ୍ରଥମ ଦିନରେ ହିଁ ₹୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସୁନିଶ୍ଚିତ କରାଯାଇଥିଲା, ଯାହା ସମଗ୍ର ଓଡ଼ିଶାରେ ପ୍ରାୟ ୪୮,୩୯୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରଖିଛି।

ଆଲୋଚନାଗୁଡ଼ିକ ଉତ୍ପାଦନ ୟୁନିଟ୍ ଏବଂ ଶିଳ୍ପ ସ୍ଥାପନ ପ୍ରତି ଗୁରୁତ୍ୱପୂର୍ଣ୍ଣ ନିବେଶକଙ୍କ ଆଗ୍ରହକୁ ପ୍ରତିଫଳିତ କରିଥିଲା ​​ଯାହା କେବଳ ସ୍ଥାନୀୟ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ନାହିଁ ବରଂ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଦ୍ୱିତୀୟ ଦିନରେ ପେଟ୍ରୋକେମିକାଲ କ୍ଷେତ୍ରରେ ଆଲୋଚନା

ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ସହିତ ଓଡ଼ିଶାରେ ଏହାର ଡୁଆଲ-ଫିଡ୍ ନାଫ୍ଥା କ୍ରାକର ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିବାର ରହିଛି – ଏହା ଏକ ପରିବର୍ତ୍ତନକାରୀ ପ୍ରକଳ୍ପ ଯାହା ଓଡ଼ିଶାର ପେଟ୍ରୋକେମିକାଲ କ୍ଷମତାକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ଏହା ବ୍ୟତୀତ, ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋକେମିକାଲ ରିଜର୍ଭସ୍ ଲିମିଟେଡ (ISPRL) ଏବଂ ପେଟ୍ରୋନେଟ୍ LNG ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ, ଯାହା ପେଟ୍ରୋକେମିକାଲ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ ​​କରିବ। ମୁଖ୍ୟମନ୍ତ୍ରୀ ମାଝୀ ବ୍ୟବସାୟିକ ବ୍ୟକ୍ତିତ୍ବମାନଙ୍କ ସହିତ ଅଧିକ ଏକାକୀ ବୈଠକ ମଧ୍ୟ କରିବେ, ଯାହା ବିଭିନ୍ନ କ୍ଷେତ୍ରରେ ନିବେଶ ସୁଯୋଗ ଏବଂ ସହଯୋଗୀ ସହଭାଗୀତା ଉପରେ ଧ୍ୟାନ ଦିଆଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କାହିଁକି ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ କାରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିନିଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଇଛି ସେ ନୂଆ ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ଏବଂ ବୁଝାମଣା ପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବେ।

ସେ ଦିଲ୍ଲୀରେ ବିଭିନ୍ନ ଅଂଶୀଦାର ଏବଂ ଶିଳ୍ପପତିଙ୍କୁ ସମ୍ବୋଧିତ କରିବେ। ସେଠାରେ ସେ ନିବେଶ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ସଂସ୍କାର ଏବଂ ପଦକ୍ଷେପ ଉପରେ ସମସ୍ତଙ୍କୁ ଅବଗତ କରାଇବେ।

ଏଥିସହିତ କେତେକ ପ୍ରମୁଖ କଂପାନୀ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବୀର କୀର୍ଯ୍ୟକ୍ରମ ମଧ୍ୟ ରହିଛି। ଯାହା କେବଳ ବର୍ତ୍ତମାନର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ ​​କରିବ ନାହିଁ ବରଂ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଆକର୍ଷିତ କରିବ। ଏହା ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ସହିତ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ। ଯେଉଁ କଂପାନୀ ସହିତ ଏମଓୟୁ ସ୍ବାକ୍ଷରିତ ହେବ ସେଗୁଡିକ ହେଲା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍, ପେଟ୍ରୋନେଟ୍ ଏଲ୍ଏନ୍ଜି, ଏବଂ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋକେମିକାଲ୍ ରିଜର୍ଭସ୍ ଲିମିଟେଡ୍ ସହିତ ଏମଓୟୁ ସ୍ୱାକ୍ଷରିତ ହେବ।

ରାଜ୍ୟରେ ବିଭିନ୍ନ ଶିଳ୍ପ ନିବେଶକୁ ଆକର୍ଷିତ କରିବା ଲକ୍ଷ୍ୟ ନେଇ, ମୁଖ୍ୟମନ୍ତ୍ରୀ ନୋଏଡାର ଏଚସିଏଲ ଟେକ୍ କ୍ୟାମ୍ପସର ସୁବିଧା ପରିଦର୍ଶନ କରିବେ। ସେ ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ବୈଠକରେ ମଧ୍ୟ ଯୋଗଦେବେ।  ମୁଖ୍ୟମନ୍ତ୍ରୀ ୯ ଏପ୍ରିଲରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ଅଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦଘାଟିତ ହେବ ‘ମେକ ଇନ ଓଡିଶା କନକ୍ଲେଭ ୨୨’, ଏହି ଶିଳ୍ପପତିମାନେ ଦେବେ ଯୋଗ

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଜନତା ମଇଦାନରେ ହେବ ବହୁ ପ୍ରତୀକ୍ଷିତ ‘ମେକ ଇନ ଓଡିଶା କନକ୍ଲେଭ ୨୦୨୨ ‘। ବୁଧବାର ସଂଧ୍ୟାରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନତା ମଇଦାନରେ ଏହି  ସମ୍ମିଳନୀ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ସମ୍ମିଳନୀର ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ଶିଳ୍ପପତି ଯୋଗ ଦେଇ ସେମାନଙ୍କର ପୁଂଜିନିବେଶ କଥା ଘୋଷଣା କରିବେ। ଏଥିସହିତ ଓଡିଶା ଶିଳ୍ପ ପାଇଁ କିପରି ଠିକ ବାତାବରଣ ରହିଛି ସେ ନେଇ ବିଭିନ୍ନ ସମୟରେ ଆଲୋଚନା ଚକ୍ର ମଧ୍ୟ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

ଏହି ମେଗା ଶିଳ୍ପ ସମ୍ମିଳନୀରେ ଆରସଲ ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ କଂପାନୀର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲା, ଜେଏସଡବ୍ଲୁ ର ସଜ୍ଜନ ଜିନ୍ଦଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିଷ୍ଠିତ ଶିଳ୍ପପତିମାନେ ବର୍ତ୍ତମାନ ଓଡିଶାରେ ପହଁଚିଥିବାର ଜଣାପଡିଛି।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଛନ୍ତି। ସେ ବହୁ ପୂର୍ବରୁ ଏହି ସମ୍ମିଳନୀରେ ଶିଳ୍ପପତିମାନେ ଯୋଗଦେବା ପାଇଁ ବିଦେଶ ତଥା ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରି ଆଲୋଚନା କରିଛନ୍ତି। ପ୍ରଥମେ ନବୀନ ବିଶ୍ବର ବ୍ୟବସାୟିକ କେନ୍ଦ୍ର ଦୁବାଇରେ ସମ୍ମିଳନୀ କରି ବିଶ୍ବ ଶିଳ୍ପପତିଙ୍କୁ ଆହ୍ବାନ କରିଥିଲେ।

ଏହାପରେ ସେ ମୁମ୍ବାଇ, ନୂଆଦିଲ୍ଲୀ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ପ୍ରଭୃତି ସ୍ଥାନକୁ ଯାଇ ଶିଳ୍ପପତିମାନଙ୍କ ସହିତ ସିଧା କଥାବାର୍ତ୍ତା କରିଛନ୍ତି। ସେଠାରେ ଥିବା ଶିଳ୍ପପତିମାନେ ଓଡିଶାରେ ପୁଂଜିନିବେଶ ପାଇଁ ମଧ୍ୟ ବେଶ ଆଗ୍ରହ ପ୍ରକାଶ କରିବେ ବୋଲି ଜଣାପଡିଛି। ଫଳରେ ମେକ ଇନ ଓଡିଶା କନକ୍ଲେଭ ୨୦୨୨ ସଫଳତା ହାସ କରିବ ବୋଲି ଆଶା କରାଯାଉଛି।

ପ୍ରଥମେ ରାଜ୍ୟରେ ଶିଳ୍ପାୟନ ପାଇଁ ମେକ ଇନ ଓଡିଶା କନକ୍ଲେଭ ୨୦୧୬ ମସିହାରେ ଆରମ୍ଭ କରାଯାଇଥିଲା। ସେତେବେଳେ ଏହି ସମ୍ମିଳନୀରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨,୨୯,୯୪୭ କୋଟି ଟଙ୍କାର ୫୮ଟି ପ୍ରସ୍ତାବ ପାରିତ ହୋଇଛି।

ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୦୮ଟି ପ୍ରସ୍ତାବ ମଞ୍ଜୁରୀ ପାଇଛି। ଏଥର ମଧ୍ୟ ବେଶ୍ କିଛି ପୁଞ୍ଜିନିବେଶ ହେବ ବୋଲି ଆଶା ରଖିଛନ୍ତି ଓଡିଶା ସରକାର।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ନିଜ ଜନ୍ମ ଦିନରେ ହାଇଦ୍ରାବାଦ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ଭୁବନେଶ୍ବର: ଅକ୍ଟୋବର ୧୬ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ସେ ଦୀର୍ଘ ବର୍ଷ ଧରି ତାଙ୍କର ଜନ୍ମ ଦିନ ପାଳନ କରନ୍ତି ନାହିଁ। ହେଲେ ଏଥର ସେ ତାଙ୍କ ଜନ୍ମ  ଦିନରେ ହାଇଦ୍ରାବାଦ ଗସ୍ତ କରିବେ। ତେବେ ସେ ଜନ୍ମଦିନ ପାଳନ ପାଇଁ ନୁହଁ, ବଂର ମେଇକ ଇନ ଓଡିଶାର ସମ୍ମିଳନୀରେ ଯୋଗଦେବା ପାଇଁ ନିବେଶକଙ୍କ ପାଖକୁ ଯିବ।

ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ଅକ୍ଟୋବର ୧୭ ତାରିଖରେ ନିବେଶକ, ଶିଳ୍ପପତି ଓ ବିଭିନ୍ନ ବ୍ୟବସାୟିକ କମ୍ପାନୀର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଗସ୍ତ କରି ନିବେଶକଙ୍କ ସହିତ ଆଲୋଚନା କରି ସାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ତିନିଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ସେ ଆଜି 1.30 ମିନଟରେ ଏହି ଗସ୍ତ କରି ଆସନ୍ତା 29 ତାରିଖରେ ଭୁବନେଶ୍ବର ଫେରିବେ। ଆସନ୍ତାକାଲି ବେଙ୍ଗାଲୁରୁରେ ଇନଭେଷ୍ଟର ମିଟ୍ ଆୟୋଜିତ ହେବ। ସେଠାରେ ନବୀନ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଓଡିଶାରେ ପୁଂଜି ନିବେଶ କରିବାକୁ ଆହ୍ବାନ କରିବେ।

ଏହା ପୂର୍ବରୁ ରାଜ୍ୟ ଶିଳ୍ପ ବିଭାଗର ଏକ ଟିମ ବାଙ୍ଗାଲୁରୁ ଗସ୍ତ କରି ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହି ସମ୍ମିଳନୀ ଫିକି ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ କରାଯାଉଛି। ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଏହି ଇନଭେଷ୍ଟର ମିଟ ଆୟୋଜିତ ହୋଇଛି। ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ବରରେ ହେବ ମେକ ଇନ ଓଡିଶା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନବୀନ ପୁରା ଦମରେ ଲାଗିପଡିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟ ସରକାର ୧୦ଟି ପ୍ରକଳ୍ପକୁ ଦେଲେ ଅନୁମୋଦନ, ୨୦୦୫ କୋଟି ଟଙ୍କା ପୁଂଜି ବିନିଯୋଗ

ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ତଥା ଅତିରିକ୍ତ ଜୀବିକା ନିର୍ବାହ ଦିଗରେ ଆଉ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଜି ୧୦ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି।

ଏହି ପ୍ରକଳ୍ପଗୁଡିକରେ ପାଖାପାଖି ୨୦୦୫.୮୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୫୪୫ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ଏଥିସହିତ ବହୁ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିପାରିବ ବୋଲି କୁହାଯାଇଛି। ପୁଞ୍ଜି ବିନିଯୋଗ ପ୍ରସ୍ତାବର ଆର୍ଥିକ ଏବଂ ବୈଷୟିକ ବିବରଣୀ ଉପସ୍ଥାପନ କରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ ଅଧିକାଂଶ ପ୍ରକଳ୍ପ ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ପର‌୍ୟ୍ୟଟନ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ଅଧିକ ରହିଛି। ସେଗୁଡିକ ହେଲା…

୧- ଖୋର୍ଦ୍ଧାରେ ସୁମନ ରିଏଲ ମିଡିଆ କଂପାନୀର ଏକ ଫାର୍ମାଚ୍ୟୁଟାକଲ ପ୍ରଡକ୍ସନ ଆଣ୍ଡ ରିସର୍ଚ୍ଚ ୟୁନିଟ। ଏଥିରେ ୨୦୦ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୧୨୮୦ ଜଣ ପ୍ରତ୍ୟେକ୍ଷ ନିଯୁକ୍ତି ପାଇବେ।

୨-ଯାଜପୁର ଜିଲ୍ଲାରେ ସାନିଭିରା କଂପାନୀ ଏକ କାର୍ବନ ଇଲଟ୍ରୋଏଡ ପେଷ୍ଟ ମାନ୍ୟୁଫାକଚରିଂ ଶିଳ୍ପ ପ୍ରତିଷ୍ଠା କରିବ। ଏଥିରେ ୨୦୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ପ୍ରତ୍ୟେକ୍ଷ ଭାବେ ୨୬୦ ଜଣ ନିଯୁକ୍ତି ହେବେ।

୩-ଜଗତସିଂହପୁର ଜିଲ୍ଲାରେ ସାଇ ବଲ୍କ ବ୍ୟାଗ କଂପାନୀ ୧୩୫ କୋଟି ଟଙ୍କା ବିନିଯୋଗ କରି ଏକ ରସାୟନିକ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୩୦୧ ଜଣ ନିଯୁକ୍ତି ପାଇବେ।

୪-ଯାଜପୁରରେ ୟୁନାଇଟେଡ ଫେରୋକାଷ୍ଟ ୨୬୧ ଟଙ୍କା ବିନିଯୋଗରେ ଏକ ଫେରୋ ଆଲାଏଜ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୩୭୬ ଜଣ ସିଧା ନିଯୁକ୍ତି ହେବେ।

୫- କେଉଁଝର ଜିଲ୍ଲାରେ ବାଲେନ୍ତୋ ଏଣ୍ଟ୍ରପ୍ରାଇଜସ ୭୭୫ କୋଟି ଟଙ୍କା ବିନିଯୋଗ କରି ଲୁହା ଓର ଏବଂ ପାଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୩୧୪ ଜଣ ସିଧା ନିଯୁକ୍ତି ହେବେ।

୬- କଟକରେ ଓରିକ୍ଲିନ କଂପାନୀ ୮୮ କୋଟି ଟଙ୍କା ବିନିଯୋଗରେ ଜାମ, ଜେଲ୍ଲି, ସସ୍ ପ୍ରଭୃତି ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏଥିରେ ସିଧା ୧୬୦ ଜଣ ନିଯୁକ୍ତି ପାଇବେ।

୭- ଖୋର୍ଦ୍ଧାରେ ଡିଏନ ସି ସେଲ୍ସ କଂପାନୀ ୫୦ କୋଟି ଟଙ୍କା ବିନିଯୋଗ କରି ଏକ ଚିଙ୍ଗୁଡି ପ୍ରକିୟାକରଣ କାରଖାନା କରିବ। ଏଥିରେ ସିଧା ୪୦୯ ଜଣ ନିଯୁକ୍ତି ପାଇବେ।

୮- ଝାରସୁଗୁଡାରେ ରୁନ୍ୟା ଆଲ୍ୟୁମିନିୟମ କଂପାନୀ ୮୦ କୋଟି ଟଙ୍କା ବିନିଯୋଗରେ ଆଲମ୍ୟୁନିୟମ ପାଉଡର ଉତ୍ପାଦନ କରିବ। ଏଥିରେ ୧୨୫ ଜଣ ନିଯୁକ୍ତି ହେବେ।

୯- ଗଂଜାମ ଗୋପାଳପୁରରେ ଥିବା ମେ ଫାୟାର ହୋଟେଲ ଆଣ୍ଡ ରିସୋର୍ଟ ୮୫ କୋଟି ଟଙ୍କା ବିନିଯୋଗରେ ଏହାର କଳେବର ବୃଦ୍ଧି କରିବ। ଏଥିରେ ୧୨୦ ଜଣ ନିଯୁକ୍ତ ହେବେ।

୧୦- ଯାଜପୁରରେ ନରେଶ କୁମାର ଆଣ୍ଡ କୋ କଂପାନୀ ୧୨୫ କୋଟି ଟଙ୍କାରେ ୱେରହାଉସିଂ ଏବଂ ଲଜିଷ୍ଟିକ ପାର୍କ ପ୍ରତିଷ୍ଠା କରିବ। ଏଥିରେ ୨୦୦ ଜଣ ନିଯୁକ୍ତି ପାଇବେ।

ପ୍ରକଳ୍ପଗୁଡିକୁ ମଞ୍ଜୁରୀ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରକଳ୍ପର ନିର୍ମାଣ ଏବଂ କାର‌୍ୟ୍ୟକ୍ଷମ ପାଇଁ ସମୟ ସୀମା ନିର୍ଦ୍ଧାରଣ କରିବାକୁ ଇପିକୋଲକୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ପ୍ରକଳ୍ପ ପ୍ରସ୍ତାବକଙ୍କ ଦ୍ବାରା ସମୟସୀମା ପାଳନକୁ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିବେଶକମାନଙ୍କୁ ଆହୁରି ଅଧିକ ନିଯୁକ୍ତି କରିବାକୁ କୁହାଯାଇଥିଲା।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ଏବଂ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଶ୍ରୀ ସତ୍ୟବ୍ରତ ସାହୁ,  ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ପ୍ରମୁଖ ସଚିବ ଶକ୍ତି ଶ୍ରୀ ନିକୁଞ୍ଜା ବିହାରୀ ଧଲ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ ସଚିବ ଇସ୍ପାତ ଏବଂ ଖଣି ଶ୍ରୀ ଦେଓ ରଂଜନ କୁମାର ସିଂ, ପ୍ରମୁଖ ସଚିବ ପଞ୍ଚାୟତରାଜ ଏବଂ ପାନୀୟ ଜଳ ଶ୍ରୀ ଅଶୋକ କୁମାର ମୀନା, ଏମଡି ଇପିକୋଲ ଶ୍ରୀ ଭୁପେନ୍ଦ୍ର ସିଂ ପୁନିୟା  ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଆଲୋଚନାରେ ଭାଗ ନେଇଥିଲେ।