Categories
ଆଜିର ଖବର ଜାତୀୟ ଖବର

ଡିଏଲଓ ପାଇଁ ଇପିଏସ ପେନସନଧାରୀଙ୍କ ଦ୍ୱାରା ଫେସିଆଲ ଅଥେଣ୍ଟିକେସନ ଟେକ୍ନୋଲୋଜି ବ୍ୟବହାର

ନୂଆଦିଲ୍ଲୀ: ନିରବଚ୍ଛିନ୍ନ ଭାବେ ପେନସନ ସୁବିଧା ଜାରି ରଖିବାକୁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥା (ଇପିଏଫଓ) ର ୭୮ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ବା ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ। ପୂର୍ବରୁ ପେନସନଧାରୀମାନଙ୍କୁ ବ୍ୟକ୍ତିଗତ ଭାବେ ବ୍ୟାଙ୍କକୁ ଯିବାକୁ ପଡ଼ୁଥିଲା, ଯାହାକି କଷ୍ଟଦାୟକ ଥିବାର ଅଭିଯୋଗ ମିଳୁଥିଲା।

ଜୀବନର ଚଳଣିକୁ ସହଜ କରିବାକୁ ଇପିଏଫଓ ପକ୍ଷରୁ ୨୦୧୫ ମସିହାରେ ପେନସନଧାରୀଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ (ଡିଏଲଓ) ବ୍ୟବସ୍ଥା ଆରମ୍ଭ କରାଗଲା। ଇପିଏସ୍ ପେନସନଧାରୀଙ୍କ ପାଖରୁ ଇପିଏଫଓ ବାୟୋମେଟ୍ରିକ ପ୍ରମାଣନ ପ୍ରକ୍ରିୟାରେ ଡିଏଲସି ଗ୍ରହଣ କଲା। ବାୟୋମେଟ୍ରିକ ଭିତ୍ତିକ ଡିଏଲସି ଦାଖଲ କରିବାକୁ ହେଲେ ଜଣେ ପେନସନଧାରୀଙ୍କୁ ଯେକୌଣସି ବ୍ୟାଙ୍କ, ଡାକଘର, ସାଧାରଣ ସେବା କେନ୍ଦ୍ର କିମ୍ବା ଇପିଏଫଓ କାର୍ଯ୍ୟାଳୟ ଯିବାକୁ ପଡ଼ିଥାଏ, କାରଣ ସେଠାରେ ଆଙ୍ଗୁଠି ଛାପ ଓ ଆଖି ଡୋଳାର ଚିତ୍ର ଗ୍ରହଣ କରିବାକୁ ଯନ୍ତ୍ର ଉପଲବ୍ଧ ହୋଇଥାଏ।

ବ୍ୟାଙ୍କ ଓ ଡାକଘରକୁ ବ୍ୟକ୍ତିଗତ ଭାବେ ଯିବାରେ ବରିଷ୍ଠ ନାଗରିକ ମାନେ ସମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଥ ଇଣ୍ଡିଆ ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ ସକାଶେ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବିକାଶ କରାଯାଇଛି। ୨୦୨୨ ମସିହା ଜୁଲାଇ ମାସରେ ଇପିଏଫଓ ଏହି ବ୍ୟବସ୍ଥାକୁ ଗ୍ରହଣ କରିଥିଲା। ପେନସନଧାରୀଙ୍କୁ ଘରେ ବସି ଡିଏଲସି ଦାଖଲ କରିବା ଦିଗରେ ଏହି ନୂତନ ବ୍ୟବସ୍ଥା ବେଶ୍ ଗ୍ରହଣୀୟ, ସହଜ ଏବଂ ଆରାମଦାୟକ। ଯେକୌଣସି ଆଣ୍ଡ୍ରଏଡ ଫୋନ୍ ମାଧ୍ୟମରେ ସେମାନେ ଏହା ଦାଖଲ କରିପାରିବେ, ଯଦ୍ୱାରା ପରିଣତ ବୟସରେ ବ୍ୟାଙ୍କ, ଡାକଘର କିମ୍ବା ଅନ୍ୟ କୌଣସି ସ୍ଥାନକୁ ଏଥିପାଇଁ କଷ୍ଟଦାୟକ ଯାତ୍ରାରୁ ମୁକ୍ତି ମିଳିପାରିବ।

ଏହି ପ୍ରକ୍ରିୟା ଜଣେ ପେନସନଧାରୀଙ୍କୁ ନିଜ ଘରେ ବସ ସୁବିଧାନୁସାରେ ଏକ ସ୍ମାର୍ଟଫୋନ ବ୍ୟବହାର କରି ଫେସିଆଲ ସ୍କାନ ଦ୍ୱାରା ପରିଚୟ ପ୍ରମାଣନ ସମ୍ପନ୍ନ କରିବାର ସୁବିଧା ଦେଉଛି। ଏହି ପ୍ରକ୍ରିୟା ୟୁଆଇଡିଏଆଇର ଫେସ୍ ରିକୋଗନେସନ ଆପ୍ ଦ୍ୱାରା ୟୁଆଇଡିଏଆଇର ଥିବା ଆଧାର ଡାଟାବେସ ସହାୟତାରେ ସମ୍ପନ୍ନ ହୋଇଥାଏ।

ଇପିଏଫଓ ପକ୍ଷରୁ ଫେସିଆଲ ଅଥେଣ୍ଟିକେସନ ଟେକ୍ନୋଲୋଜି ଦ୍ୱାରା ଡିଏଲସି ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବା ପରେ ୨୦୨୨-୨୩ରେ ୨.୧ ଲକ୍ଷ ପେନସନଧାରୀ ଏହାର ସୁବିଧା ନେଇଥିଲେ। ୨୦୨୩-୨୪ ରେ ଏହି ସଂଖ୍ୟା ୬.୬ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାକି ପ୍ରତ୍ୟେକ ବର୍ଷ ଏହି ଟେକ୍ନୋଲୋଜି ବ୍ୟବହାର କରିବାରେ ୨୦୦% ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି। ୨୦୨୩-୨୪ରେ ଏହି ପ୍ରକ୍ରିୟାରେ ୬.୬ ଲକ୍ଷ ପେନସନଧାରୀଙ୍କ ଜୀବନ ପ୍ରମାଣପତ୍ର ମିଳିଥିଲା, ଯାହାକି ଏହି ଅବଧି ମଧ୍ୟରେ ମିଳିଥିବା ମୋଟ ଡିଜିଟାଲ ଲାଇଫ ସାର୍ଟିଫିକେଟର ୧୦%। ଗତ ଆର୍ଥିକ ବର୍ଷରେ ମୋଟ ପ୍ରାୟ ୬୦ ଲକ୍ଷ ଡିଜିଟାଲ ଲାଇଫ ସାର୍ଟିଫିକେଟ ମିଳିଥିଲା।

ଫେସିଆଲ ଅଥେଣ୍ଟିକେସନ ପ୍ରକ୍ରିୟା ବ୍ୟବହାର କରିବାକୁ ହେଲେ ସ୍ମାଟ ଫୋନରେ ‘ଆଧାର ଫେସ୍ ଆରଡି’ ଏବଂ ‘ଜୀବନ ପ୍ରମାଣନ’ ନାମକ ଦୁଇଟି ଆପ୍ଲିକେସନ ଇନଷ୍ଟଲ କରିବାକୁ ପଡ଼ିବ। ଆଧାର ଲିଙ୍କ ହୋଇଥିବା ମୋବାଇଲ ଫୋନ ଗୁଡ଼ିକରେ ଏହି ଆପ୍ଲିକେସନ ବ୍ୟବହାର ସହଜ। ସଫଳତାର ସହ ଫେସ ସ୍କାନ କରିବାକୁ ଏହି ଆପ ରେ ସମ୍ପୂର୍ଣ୍ଣ ନିୟମାବଳୀ ଉପଲବ୍ଧ। ଥରେ ଫେସ ସ୍କାନ ଶେଷ ହୋଇଗଲେ ଡିଏଲସି ଦାଖଲ ହୋଇଯାଇଥାଏ ଏବଂ ମୋବାଇଲ ସ୍କିନରେ ଏହା ସୂଚିତ ହୋଇଥାଏ। ଏଥିସହ ଘରେ ବସି ଜୀବନ ପ୍ରମାଣନ ଆଇଡି ଏବଂ ପିପିଓ ନମ୍ବର ମଧ୍ୟ ମିଳିଯାଇଥାଏ।

ଇପିଏସ ପେନସନଧାରୀଙ୍କ ଡିଏଲସି ପାଇଁ ଏହି ଅଭିନବ ଓ ସହଜ ଟେକ୍ନୋଲୋଜି ୨୦୨୨ ମସିହା ଜୁଲାଇ ମାସରେ ଇପିଏଫଓ ସଫ୍ଟୱେରରେ ସଂଯୁକ୍ତ କରାଯାଇଥିଲା। ଅଧିକରୁ ଅଧିକ ପେନସନଧାରୀଙ୍କୁ ଏହି ନୂତନ ବ୍ୟବସ୍ଥା ବାବଦରେ ସୂଚିତ କରିବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବ୍ୟବସ୍ଥାକୁ ଲୋକପ୍ରିୟ କରାଇବାକୁ କ୍ଷେତ୍ର କାର୍ଯ୍ୟାଳୟ ଗୁଡ଼ିକରେ ପେନସନଧାରୀଙ୍କୁ ବୁଝାଯିବା ସହ ୨୦୨୩ ମସିହା ଜାନୁଆରୀ ମାସରୁ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହୋଇ ଆସୁଥିବା ନିଧି ଆପକେ ନିକତ କାର୍ଯ୍ୟକ୍ରମରେ ମଧ୍ୟ ଅବଗତ କରାଯାଉଛି। ଏହି ଟେକ୍ନୋଲୋଜି ବ୍ୟବହାରର ଏକ ବିସ୍ତୃତ ଭିଡିଓ ଇପିଏଫଓର ଅଫିସିଆଲ ୟୁଟ୍ୟୁବ ହ୍ୟାଣ୍ଡଲ @SOCIALEPFO ରେ ଉପଲବ୍ଧ।

ଅଧିକରୁ ଅଧିକ ପେନସନଧାରୀଙ୍କ ଜୀବନପ୍ରଣାଳୀକୁ ଏହି ନୂତନ ବ୍ୟବସ୍ଥା ସହଜ କରିବ ବୋଲି ଇପିଏଫଓର ଦୃଢ଼ ବିଶ୍ୱାସ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦୁଝର ଠାରେ ଇପିଏଫଓ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ଭୁବନେଶ୍ଵର/ନୂଆଦିଲ୍ଲୀ: କେନ୍ଦୁଝର ଠାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟାଳୟକୁ ଲୋକାର୍ପଣ କରାଯାଇଥିଲା। ଏଥିସହିତ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଇପିଏଫଓ ସଦସ୍ୟମାନଙ୍କର ଲାଭ ଓ ସୁବିଧା ପାଇଁ ଇ-ପାସବୁକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସଦସ୍ୟମାନେ ଗ୍ରାଫିକ୍ସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟର ବିବରଣୀ ଦେଖିପାରିବେ। ଶ୍ରୀ ଯାଦବ ୧୦୦ କିମ୍ବା ତତୋଧିକ କର୍ମଚାରୀ କାମ କରୁଥିବା ଇପିଏଫଓର ୬୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କ୍ରେଚ୍‌ ସୁବିଧାକୁ ଉଦଘାଟନ କରିଥିଲେ ଏବଂ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଆଞ୍ଚଳିକ କାର୍ଯ୍ୟାଳୟ କୋଠା ପାଇଁ ଶିଳାନ୍ୟାସ କରିଥିଲେ।

ଏଥିପୂର୍ବରୁ ଇପିଏଫ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୩୩ତମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ନିମ୍ନ ନିଷ୍ପତ୍ତିଗୁଡ଼ିକ ନିଆଯାଇଥିଲା:

୨୦୨୨-୨୩ ବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ବର୍ଷ ପାଇଁ ଇପିଏଫଓ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ବୋର୍ଡ ଅନୁମୋଦନ କରିଥିଲା।

ଇପିଏଫଓର ଭୌତିକ ଭିତ୍ତିଭୂମି ବଢ଼ାଇବା ପାଇଁ ଆଗାମୀ ପାଞ୍ଚ ବର୍ଷ ଲାଗି ସମ୍ଭାବ୍ୟ ଯୋଜନାକୁ ବୋର୍ଡ ଅନୁମୋଦନ କରିଛି ଯେଉଁଥିରେ ଜମି କ୍ରୟ, ଅଟ୍ଟାଳିକା ନିର୍ମାଣ ଏବଂ ସ୍ୱତନ୍ତ୍ର ମରାମତି ସାମିଲ ରହିଛି, ଏଥିପାଇଁ ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅଧିକ ମଜୁରି ଉପରେ ପେନସନ ଓ ଫାଇଲିଂ ବିକଳ୍ପ ଯୋଗାଇ ଦେବା ଲାଗି ପଦକ୍ଷେପ ଆଦି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅନୁପାଳନ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୋର୍ଡକୁ ଅବଗତ କରାଯାଇଥିଲା।

ଇପିଏଫଓ@2047 ଭିଜନ ଦସ୍ତାବିଜ ଅନୁରୂପ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ (ଆଇଏସଏସଏ)ରେ ଜଣେ ସହଯୋଗୀ ସଦସ୍ୟ ପରିବର୍ତ୍ତେ ମାନ୍ୟତାପ୍ରାପ୍ତ ସଦସ୍ୟଭାବେ ଇପିଏଫଓର ମାନ୍ୟତାକୁ ପରିବର୍ତ୍ତିତ କରିବା ଲାଗି ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଇପିଏଫଓ ଏବଂ ଏନଟିଏ ମଧ୍ୟରେ ଏକ ପ୍ରମୁଖ ବୁଝାମଣାପତ୍ରକୁ ସିବିଟି ଅନୁମୋଦନ କରିଥିଲା। ସାମାଜିକ ସୁରକ୍ଷା ସହାୟତା ଓ ଷ୍ଟେନୋଗ୍ରାଫର କ୍ୟାଡରରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏମଓୟୁ ଅନୁଯାୟୀ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଅଧିକାରୀ ଓ କର୍ମଚାରୀ ସେବା ସର୍ତ୍ତାବଳୀ) ନିୟାମକ, ୨୦୦୮ରେ ସଂଶୋଧନ ନିମନ୍ତେ ସୁପାରିସ କରିବା ଲାଗି ଏକ କମିଟି ଗଠନକୁ ବୋର୍ଡ ମଞ୍ଜୁର ଦେଇଥିଲା।

ପୋର୍ଟଫୋଲିଓ ମ୍ୟାନେଜରଙ୍କ ଏଏମସି ସମ୍ପ୍ରସାରଣ ପାଇଁ ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବୋର୍ଡ ସେହି ଶ୍ରେଣୀ ପାଇଁ ନିର୍ଦ୍ଧାରିତ ସୀମା ଅଧୀନରେ ନିବେଶର ଯେକୌଣସି ସ୍ୱୀକାର୍ଯ୍ୟ ଶ୍ରେଣୀରେ ଇଟିଏଫ ନିବେଶର ଆୟର ନିବେଶ କରିବାର ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ଇପିଏଫଓର ନିଧି ଆପକେ ନିକଟ ୨.୦ ପ୍ରୟାସ ଉପରେ ସିବିଟି ନିକଟରେ ଏକ ଉପସ୍ଥାପନା ଦିଆଯାଇଥିଲା। ପ୍ରତ୍ୟେକ ମାସ ୨୭ ତାରିଖରେ ଦେଶବ୍ୟାପୀ ଏହି ଜିଲ୍ଲା ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗୁଜରାଟର ଭଦୋଦରା ଏବଂ ଆସାମର ବକ୍ସା ଠାରେ ଜିଲ୍ଲା ଶିବିର ସହିତ ସିବିଟି ସଦସ୍ୟମାନେ ସିଧାସଳଖ ଆଲୋଚନା କରିଥିଲେ। ନିଧି ଆପକେ ନିକଟ ୨.୦ର ସଫଳ ଆୟୋଜନ ପାଇଁ ଶ୍ରୀ ଯାଦବ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଇପିଏଫଓରେ ମୋଟ ସଦସ୍ୟଙ୍କ ସଂଖ୍ୟା ଶତକଡା ୯.୨୧ ଭାଗ ବୃଦ୍ଧି: ଯୋଡି ହେଲେ ୧୮.୩୬ଲକ୍ଷ ଲୋକ

ନୂଆଦିଲ୍ଲୀ: ଇପିଏଫଓର ନିୟମିତ ଭାବେ ଦରମା ପାଉଥିବା କର୍ମଚାରୀଙ୍କ ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି। ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ ଶତକଡା ୯.୨୧ଭାଗ ବୃଦ୍ଧି ପାଇଛି। ବର୍ଷ ପରେ ବର୍ଷ ଏହି ପେ ରୋଲ ତଥ୍ୟ ତୁଳନା କଲେ ଜୁନ ୨୦୨୨ରେ ଜୁନ ମାସ ୨୦୨୧ ତୁଳନାରେ ୫. ୫୩ ଲକ୍ଷ ସଦସ୍ୟ ସାମିଲ ହୋଇଛନ୍ତି।

ସେହି ମାସରେ ସାମିଲ ହୋଇଥିବା ମୋଟ ୧୮. ୩୬ଲକ୍ଷ ସଦସ୍ୟ ମଧ୍ୟରୁ ପ୍ରଥମ ଥର ନିମନ୍ତେ ୧୦.୫୪ଲକ୍ଷ ନୂତନ ସଭ୍ୟ ଇପିଏଫ  ଓ ଏମପି ଆଇନ, ୧୯୫୨ ଅଧୀନରେ ସାମିଲ ହୋଇଛନ୍ତି। ଏପ୍ରିଲ ୨୦୨୨ ଠାରୁ ନୂତନ ସଭ୍ୟ ଯୋଗ ଦେବା ଧାରା ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରାୟ ୭.୮୨ ଲକ୍ଷ ସଦସ୍ୟ ବାସ୍ତବ ପକ୍ଷେ ଛାଡିଥିଲେ ମଧ୍ୟ ସେମାନେ ସଂସ୍ଥା ମଧ୍ୟରେ ଚାକିରି ପରିବର୍ତ୍ତନ ସତ୍ତ୍ୱେ ଇଡିଏଫଓରେ ପୁନଃ ଯୋଗଦେଇ ତାଙ୍କ ପୂର୍ବତନ ଭବିଷ୍ୟନିଧି ପାଣ୍ଠିକୁ ଅର୍ଥ ହସ୍ତାନ୍ତର କରିଛନ୍ତି। ମାତ୍ର ସେମାନେ ଭବିଷ୍ୟନିଧି ପାଣ୍ଠିରୁ  ଚୂଡାନ୍ତ ଅର୍ଥ କାଢି ନାହାଁନ୍ତି। ନୂତନ ଭାବେ ସାମିଲ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷର ଏଇମାସ ତୁଳନାରେ ଅଧିକ।

ବୟସ ଅନୁସାରେ ନିୟମିତ ଦରମା ପାଉଥିବା କର୍ମଚାରୀଙ୍କ ତଥ୍ୟକୁ ତୁଳନା କଲେ ୨୨-୨୫ବର୍ଷ ମଧ୍ୟରେ ସର୍ବାଧିକ କର୍ମଚାରୀ ପ୍ରାୟ ୪. ୭୨ଲକ୍ଷ କେବଳ ଜୁନ ମାସରେ ପଞ୍ଜୀକୃତ ହୋଇଛନ୍ତି। ଅଧିକାଂଶ ପ୍ରଥମ ଥର ପାଇଁ ଚାକିରି କରୁଥିବା ବ୍ୟକ୍ତି ସଂଗଠିତ କ୍ଷେତ୍ର କର୍ମଚାରୀ ଭାବେ ଅଧିକ ସଂଖ୍ୟାରେ ଯୋଗ ଦେଉଥିବା ଜଣାପଡିଛି।

ରାଜ୍ୟୱାରୀ ପେରୋଲ ସଂଖ୍ୟା ତୁଳନା କଲେ ଜଣାପଡେ ଯେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା, ଗୁଜରାଟ ଓ ଦିଲ୍ଲୀରେ ସାମିଲ ସଂସ୍ଥାଗୁଡିକ ସର୍ବାଧିକ ପ୍ରାୟ ୧୨. ୬୧ ଲକ୍ଷ ସଭ୍ୟକୁ ସାମିଲ କରିଛନ୍ତି ଯାହାକି ଦେଶର ସବୁ ବୟସଙ୍କ ମୋଟ ପେରୋଲର ଶତକଡା ୬୮.୬୬ ଭାଗ।

ଲିଙ୍ଗଗତ ବିଶ୍ଳେଷଣରୁ ଜଣାଯାଏ ଯେ ମହିଳା ସଦସ୍ୟଙ୍କ ସଂଖ୍ୟା ଗତ ମାସରେ ୩.୪୩ ଲକ୍ଷ ଥିବାବେଳେ ଚଳିତମାସରେ ଏହା ୪.୦୬ଲକ୍ଷକୁ  ବୃଦ୍ଧି ପାଇଛି। ଏହା ଶତକଡା ୧୮.୩୭ଭାଗ ଅଧିକ ବୃଦ୍ଧି ପାଇଛି। ଗତ ୧୨ ମାସରେ ମହିଳା କର୍ମଚାରୀ ସଂଖ୍ୟା ସଂଗଠିତ କ୍ଷେତ୍ରରେ ସର୍ବାଧିକ ବୋଲି ଜଣାପଡିଛି। ସେହି ଅନୁସାରେ ମହିଳା ସଦସ୍ୟଙ୍କ ସଂଖ୍ୟା ମେ ୨୦୨୨ରେ ଶତକଡା ୨୦.୩୭ଭାଗ ଥିବାବେଳେ ଜୁନ ୨୦୨୨ତାହା ଶତକଡା ୨୨.୦୯ଭାଗକୁ ବୃଦ୍ଧି ପାଇଛି।

ଶିଳ୍ପ ୱାରୀ ପେରୋଲ ତଥ୍ୟରୁ ଜଣାପଡିଛି ଯେ ମୁଖ୍ୟତଃ ଦୁଇ ପ୍ରକାର ଶ୍ରେଣୀ ଉଦାହରଣ ସ୍ୱରୂପ “ଦକ୍ଷ ସେବା” (ମାନବସମ୍ବଳ ସଂସ୍ଥା, ଘରୋଇ ସୁରକ୍ଷା ସଂସ୍ଥା ଓ ଛୋଟ ଛୋଟ ଠିକାଦାରୀ ସଂସ୍ଥା) ଇତ୍ୟାଦି। ବ୍ୟବସାୟ ବାଣିଜ୍ୟିକ ସଂସ୍ଥାରୁ ଏହି ସମୟ ମଧ୍ୟରେ ଶତକଡା  ୪୭.୬୩ ଭାଗ ସଦସ୍ୟ ସାମିଲ ହୋଇଛନ୍ତି। ପୂର୍ବ ମାସ ସହ ଶିଳ୍ପୱାରୀ ତଥ୍ୟକୁ ତୁଳନା କଲେ ବିଦ୍ୟାଳୟ, ଗହଣା ତିଆରି, ଦକ୍ଷ ସେବା ଓ ବୟନ କ୍ଷେତ୍ରରେ ଅଧିକ ସାମିଲ ହୋଇଥିବା ପରିଲକ୍ଷିତ ହୋଇଛି। ତଥ୍ୟ ସଂଗ୍ରହ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ତଥା କର୍ମଚାରୀର ରେକର୍ଡ ମଧ୍ୟ ଏହି ପ୍ରକ୍ରିୟା ଦେଇ ଗତି କରୁଥିବାରୁ ପେ ରୋଲ ତଥ୍ୟ ମଧ୍ୟ କାମଚଳା ବା ଅସ୍ଥାୟୀ। ପୁରୁଣା ତଥା ପ୍ରତିମାସରେ ନବୀକରଣ ହେଉଥାଏ। ଏପ୍ରିଲ ୨୦୧୮ ମସିହାଠାରୁ ଇପିଏଫଓ ସେପ୍ଟେମ୍ବର ୨୦୧୭ ପରର ପେ ରୋଲ ତଥ୍ୟ ଦେବାରେ ଲାଗିଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ ବ୍ୟବସ୍ଥା ଆଇନ ୧୯୫୨ ଅଧୀନ ସଂଗଠିତ କ୍ଷେତ୍ରର ପ୍ରତିଷ୍ଠାନ ମାନଙ୍କର କର୍ମଚାରୀ ମାନେ ଇପିଏଫଓ ପେ ରୋଲର ଅଂଶବିଶେଷ। ଏହା ଏକ ସାମାଜିକ ସୁରକ୍ଷା ସଂଗଠନ ହୋଇଥିବାରୁ କର୍ମଚାରୀଙ୍କୁ ଭବିଷ୍ୟନିଧି ପାଣ୍ଠି, ଅବସରକାଳୀନ ସୁବିଧା ଏହାର ସଦସ୍ୟମାନଙ୍କୁ ଅବସର ପରେ ପ୍ରଦାନ କରିଥାଏ। ଏହାଛଡା କୌଣସି କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ପରିବାର ପେନସନ ଓ ବୀମା ସୁବିଧା ମଧ୍ୟ ପ୍ରଦାନ କରିଥାଏ। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

୭ ଲକ୍ଷ ଲାଭ ପାଉଛନ୍ତି PF ଆକାଉଣ୍ଟଧାରୀ!, ଆପଣ କିପରି ନେଇପାରିବେ ଏହାର ଫାଇଦା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ବିପୁଳ ଆର୍ଥିକ ସହାୟତା ଦେଇଥାଏ। ସାରା ଦେଶରେ ଏହାର କୋଟି କୋଟି ଆକାଉଣ୍ଟଧାରୀ ଅଛନ୍ତି, ଯେଉଁମାନେ ଆବଶ୍ୟକ ସମୟରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ୬୦ ବର୍ଷ ବୟସ ପୂରଣ କରିବା ପରେ, ଆପଣ ଆପଣଙ୍କର PF ଆକାଉଣ୍ଟରେ ଜମା ହୋଇଥିବା ସମସ୍ତ ଟଙ୍କା ପ୍ରତ୍ୟାହାର କରିପାରିବେ।

ଦେଶରେ ବଢୁଥିବା ଡିଜିଟାଇଜେସନ୍ ସହିତ ଇପିଏଫ୍ଓ ଏହାର ସମସ୍ତ ସୁବିଧାକୁ ଡିଜିଟାଇଜେସନ୍ କରିଛି। EPFO ଏହାର ଆକାଉଣ୍ଟଧାରୀମାନଙ୍କୁ ୭ ଲକ୍ଷ ଟଙ୍କା ପୂର୍ଣ୍ଣ ଲାଭ ଦେଇଥାଏ, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି।

ଆପଣ କିପରି ୭ ଲକ୍ଷ ଟଙ୍କା ଲାଭ ପାଇପାରିବେ?:

ଯଦି EPFO ​​ଆକାଉଣ୍ଟଧାରୀମାନେ ୭ ଲକ୍ଷ ଟଙ୍କା ଲାଭ ପାଇବାକୁ ଚାହାଁନ୍ତି, ତେବେ ଇ-ନୋମିନେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର୍ମଚାରୀଙ୍କ ଜମା ଲିଙ୍କ୍ ବୀମା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଆକାଉଣ୍ଟଧାରୀଙ୍କୁ ଇପିଏଫ୍ ୭ ଲକ୍ଷ ଟଙ୍କା ବୀମା କଭର ଦେଇଥାଏ। ଯଦି ଏକ ଆକାଉଣ୍ଟଧାରୀ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି, ତେବେ ଏପରି ପରିସ୍ଥିତିରେ ନୋମିନୀ (ଇପିଏଫ୍ ନାମାଙ୍କନ ପ୍ରକ୍ରିୟା) ୭ ଲକ୍ଷ ଟଙ୍କା ପୂର୍ଣ୍ଣ ଲାଭ ପାଇପାରିବ। ସେ ସହଜରେ EDLI ବୀମା ଯୋଜନା ଅଧୀନରେ ଏକ ଦାବି ନେଇପାରିବେ। ପ୍ରକାଶ ଥାଉ କି କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମ୍ (ଇପିଏଫ୍) ଏବଂ କର୍ମଚାରୀଙ୍କ ପେନ୍ସନ୍ ସ୍କିମ୍ (ଇପିଏସ୍) ଯୋଜନାର ହିତାଧିକାରୀମାନେ ସେମାନଙ୍କ ଆକାଉଣ୍ଟରେ ନୋମିନେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଜରୁରୀ।

ଏହି ବଡ ଲାଭ ଇ-ନୋମିନେସନରୁ ଆସିଥାଏ:

– ଇ-ନୋମିନେସନ ଦେବା ପରେ ଆପଣଙ୍କୁ EPFO ​​କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ।

– ଏହା ପରେ ଆପଣଙ୍କୁ EDLI ସ୍କିମ୍ ଦାବି କରିବାକୁ ଡକ୍ୟୁମେଣ୍ଟ୍ ଦରକାର ନାହିଁ।

– ଆପଣ ଏକ ସମୟରେ ଏକରୁ ଅଧିକ ବ୍ୟକ୍ତିଙ୍କୁ ନୋମିନ କରିପାରିବେ।

– ଆବଶ୍ୟକତା ଅନୁଯାୟୀ ନୋମିନକୁ ପରିବର୍ତ୍ତନ କରାଯାଇପାରିବ।

– ନୋମିନ ଖାତାଧାରକଙ୍କ ମୃତ୍ୟୁ ପରେ, ଆପଣ ଅନଲାଇନରେ ବୀମା ଟଙ୍କା ଦାବି କରିପାରିବେ।

EPFO ଇ-ନୋମିନ ଅନଲାଇନ୍ ପ୍ରକ୍ରିୟା:

– EPFO ଇ-ନୋମିନ ପାଇଁ, ଇ-ସେବା ପୋର୍ଟାଲ www.unifiedportal-mem-epfindia.gov.in ପରିଦର୍ଶନ କରନ୍ତୁ।

– UAN ଏବଂ ପାସୱାର୍ଡ ପ୍ରବେଶ କରି ଲଗଇନ୍ କରନ୍ତୁ।

– ତା’ପରେ ଭ୍ୟୁ ପ୍ରୋଫାଇଲ୍ ଅପ୍ସନ୍ ରେ ପାସପୋର୍ଟ ସାଇଜ୍ ଫଟୋ ଅପଲୋଡ୍ କରନ୍ତୁ।

– ପରବର୍ତ୍ତୀ ପରିଚାଳନା ବିଭାଗରେ କ୍ଲିକ୍ କରି ଇ-ନୋମିନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।

– ତା’ପରେ ତୁମର ନୋମିନର ନାମ, ଜନ୍ମ ତାରିଖ, ଆଧାର ନମ୍ବର, ବ୍ୟାଙ୍କ ବିବରଣୀ ଇତ୍ୟାଦି ପୁରଣ କରନ୍ତୁ।

– ତା’ପରେ ଆଧାର ସହିତ ଲିଙ୍କ୍ ହୋଇଥିବା ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ଆସିବ, ଯାହାକୁ ପ୍ରବେଶ କରାନ୍ତୁ।

– OTP ପ୍ରବେଶ ହେବା ମାତ୍ରେ EPFO ​​ଇ-ନୋମିନ ପ୍ରକ୍ରିୟା ସମାପ୍ତ ହେବ।

Categories
ଆଜିର ଖବର ବ୍ୟବସାୟ

ଏପ୍ରିଲ-ଜୁନ୍ ମଧ୍ୟରେ ଇପିଏଫଓ ଦ୍ୱାରା ୭୩.୫୮ ଲକ୍ଷ ସଦସ୍ୟଙ୍କ କେୱାଇସି ଅପ୍‌ଡେଟ

ନୂଆଦିଲ୍ଲୀ, କୋଭିଡ୍ ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନଙ୍କୁ ଅନ୍‌ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଚଳିତବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ ନୋ ୟୋର କଷ୍ଟମର୍ସ ବା କେୱାଇସି ଡେଟାକୁ ଅପ୍‌ଡେଟ କରିଛି। ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି । ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ (ୟୁଏଏନ୍‌ଆର) ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି । କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ ।

ଆହୁରି ମଧ୍ୟ କେୱାଇସି ସିଡିଂକୁ ବ୍ୟାପକ କରିବା ପାଇଁ ଇପିଏଫ୍‌ଓ ବଡ ଧରଣର କସରତ ଆରମ୍ଭ କରିଛି । ଲକ୍‌ଡାଉନ ସମୟରେ ମଧ୍ୟ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ଜନସାଂକ୍ଷିକ ବିବରଣୀକୁ ସଂଶୋଧନ କରିଛି । ଏହାଫଳରେ ୯.୭୩ ଲକ୍ଷ ଲୋକଙ୍କ ନାମ ସଂଶୋଧିତ ହୋଇଛି ଓ ୪.୧୮ ଲକ୍ଷ ସଦସ୍ୟଙ୍କ ଜନ୍ମ ତାରିଖରେ ସଂଶୋଧନ ମଧ୍ୟ କରାଯାଇଛି । ସେହିଭଳି ଏହି ପ୍ରକ୍ରିୟାରେ ଏପ୍ରିଲ-ଜୁନ ମଧ୍ୟରେ ୭.୧୬ ଲକ୍ଷ ସଦସ୍ୟଙ୍କ ଆଧାର ନମ୍ବରରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ପେନସନଭୋଗୀଙ୍କୁ 764 କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ

ନୂଆଦିଲ୍ଲୀ : ଦେଶରେ ଇପିଏଫଓ ଅଧୀନରେ ମୋଟ 65 ଲକ୍ଷ ପେନସନଭୋଗୀ ରହିଛନ୍ତି । କୋଭିଡ-19 ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଏପ୍ରିଲ ମାସରେ ଇପିଏଫଓର ସମସ୍ତ 135ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଅଗ୍ରୀମ ପେନସନ ପ୍ରଦାନ କରିଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ପେନସନ ପ୍ରଦାନ କରୁଥିବା ଦେଶର ସମସ୍ତ ନୋଡାଲ ବ୍ୟାଙ୍କ ଜରିଆରେ 764 କୋଟି ଟଙ୍କା ପ୍ରଦାନ କରିଛନ୍ତି ।  ପେନସନଭୋଗୀଙ୍କ ବ୍ୟାକ ଖାତାକୁ ସଠିକ ସମୟରେ ପେନସନ ରାଶି ପ୍ରଦାନ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ-19 ମହାମାରୀ ସମୟରେ ପେନସନଭୋଗୀଙ୍କ ସୁବିଧାକୁ ଅଗ୍ରାଧିକାର ଦେଇ ଇପିଏଫଓ ତାହାର ନିରନ୍ତର ସେବା ଜାରି ରଖିଛି ।