Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ସର୍ଭେର ଷଷ୍ଠ ଦିନ, ଇଷ୍ଟ ଇଣ୍ଡିଆ କମ୍ପାନୀର ମାନଚିତ୍ର ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ

ବାରାଣାସୀ: ଜ୍ଞାନବାପି କ୍ୟାମ୍ପସରେ ଚାଲିଥିବା ଏଏସଆଇର ସର୍ଭେର ଆଜି ଷଷ୍ଠ ଦିନ। ଗତକାଲି ପଞ୍ଚମ ଦିନରେ ବେସମେଣ୍ଟରୁ ପ୍ରମାଣ ସଂଗ୍ରହ କରାଯାଇଛି। ଏହି ସର୍ଭେ ପାଇଁ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର (ଜିପିଆର) ସମେତ ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଡିଜିପିଏସ୍) ଏବଂ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏନ୍ଏସ୍)କୁ ବ୍ୟବହାର କରାଯାଇଥିଲା। ଏଥିରେ ବେସମେଣ୍ଟ ଏବଂ ଏହା ତଳେ ଥିବା ଢାଞ୍ଚା ବିଷୟରେ ସୂଚନା ମିଳିଛି।

ବିଲ୍ଡିଂର ଇତିହାସ

ଗୁମ୍ବୁଜ ନିର୍ମାଣର ଅବଧି ଓ ଏହା ତଳେ ଥିବା ମୁଖ୍ୟ ହଲ୍ ଏବଂ ଏଥିରେ ବ୍ୟବହୃତ ସାମଗ୍ରୀ ଜାଣିବା ପାଇଁ ଏଏସ୍ ଆଇ ବିଶେଷଜ୍ଞମାନେ ମଙ୍ଗଳବାର ଅବଶିଷ୍ଟ ତଦନ୍ତ ଶେଷ କରିଛନ୍ତି। କାନ୍ଥ ଏବଂ ଗୁମ୍ବୁଜ ନିର୍ମାଣ ଯାଞ୍ଚ କରିବାକୁ ଏକ ଡାଏଲ ଟେଷ୍ଟ ଇଣ୍ଡିକେଟର ଲଗାଯାଇଥିଲା। ଏହା ମାଧ୍ୟମରେ ନିର୍ମାଣର ସମାନତା ଏବଂ ପୃଷ୍ଠକୁ ମେଳଖାଯାଇଥିଲା। ଗୁମ୍ବୁଜ ଭିତରେ ଏବଂ ପଶ୍ଚିମ କାନ୍ଥରେ ନିର୍ମିତ କଳାକୃତି, ଧାର୍ମିକ ପ୍ରତୀକ ଏବଂ ଗଠନଯାଞ୍ଚ କରିବା ପାଇଁ କମ୍ବିନେସନ୍ ସେଣ୍ଟ ଭର୍ନିୟର ପ୍ରୋଜେକ୍ଟର ମେସିନ୍ ବ୍ୟବହାର କରାଯାଇଥିଲା। ଏଥିରୁ ମିଳିଥିବା ତଥ୍ୟକୁ ଟୋପୋଗ୍ରାଫି ସିଟରେ ରଖାଯାଇଥିଲା। ଭୂପୃଷ୍ଠର ଉପର ପୃଷ୍ଠର ଅନୁସନ୍ଧାନ ସରିବା ପରେ ଏବେ କୋଠାର ମୂଳଦୁଆର ଇତିହାସ ଅନୁସନ୍ଧାନ କରାଯିବ।

ଜ୍ଞାନବାପିକୁ ନେଇ ପ୍ରଚାର ହେଉଛି ଗୁଜବ!

ଜ୍ଞାନବାପି ମସଜିଦ ପରିଚାଳନା କରୁଥିବା ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ (ଏଆଇଏମ୍) କମିଟି ବାରଣାସୀ ଜିଲ୍ଲା ଅଦାଲତରେ ଏକ ଆବେଦନ ଦାଖଲ କରି ମସଜିଦର ଚାଲିଥିବା ବୈଜ୍ଞାନିକ ସର୍ବେକ୍ଷଣ ସମ୍ବନ୍ଧୀୟ ମିଥ୍ୟା ଓ ଭୁଲ ଖବର ପ୍ରକାଶ ଓ ପ୍ରସାରଣ ଉପରେ ଗଣମାଧ୍ୟମକୁ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି।

କମିଟି ତାଙ୍କ ପିଟିସନରେ ଅଭିଯୋଗ କରିଛି ଯେ ଗଣମାଧ୍ୟମ ମସଜିଦର କିଛି ଅଂଶ ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସାରଣ ହେଉଛି, ଯାହାର ଏପର୍ଯ୍ୟନ୍ତ ସର୍ବେକ୍ଷଣ ହୋଇନାହିଁ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକ୍ରିୟା ଚାଲିଛି ଏବଂ ଏଏସଆଇର କୌଣସି ଅଧିକାରୀ ଏପର୍ଯ୍ୟନ୍ତ କୌଣସି ବୟାନ ଦେଇନାହାନ୍ତି ବୋଲି ପିଟିସନରେ ଦର୍ଶାଯାଇଛି।

୧୮୩୨ ମାନଚିତ୍ରରେ ବିଶ୍ୱେଶ୍ୱର ମନ୍ଦିରର ସର୍ବେକ୍ଷଣ

ଇଷ୍ଟ ଇଣ୍ଡିଆ କମ୍ପାନି ଅଧିକାରୀ ଜେମ୍ସ ପ୍ରିନ୍ସେପଙ୍କ ଦ୍ୱାରା ୧୮୩୨ ମସିହାରେ ପ୍ରସ୍ତୁତ ଆଦି ବିଶ୍ୱେଶ୍ୱର ମନ୍ଦିରର ମାନଚିତ୍ରକୁ ଆଧାର କରି ଏଏସଆଇର ସର୍ଭେ ଟିମ୍ ତିନୋଟି ଗୁମ୍ବୁଜ ଏବଂ ଏହାର ତଳେ ଥିବା ମୁଖ୍ୟ ହଲର ସର୍ଭେ କରୁଛନ୍ତି।

Categories
ବିଶେଷ ଖବର

ବାଣପୁର ପଞ୍ଚୁଆ ଫତୁରି ଓ ଭାରତୀୟ ଇଂରାଜୀ ଉପନ୍ୟାସର ଉନ୍ମେଷ

ଡକ୍ଟର ସତ୍ୟ ଷଡ଼ଙ୍ଗୀ

୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ବାଣପୁରଠାରେ ଯେଉଁ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ, ଇଂରେଜ ପଲଟଣ ତାହାକୁ ଦମନ କଲେ। କିନ୍ତୁ ୧୮୩୬ ମସିହାରେ ପୁଣି ଏଠାରେ ମୁଣ୍ଡ ଟେକିଲା ଆଉ ଏକ ମୁକ୍ତି ସଂଗ୍ରାମ – ଯାହା ଇତିହାସରେ ‘ପଞ୍ଚୁଆ ଫତୁରି’ ନାମରେ ଜଣାଶୁଣା। ଆଶ୍ଚର୍ଯ୍ୟ ଜନକ ଭାବରେ ଏହି ଘଟଣା ସହ ଭାରତୀୟ ଇଂରାଜୀ କଥା ସାହିତ୍ୟର ଯୋଗସୂତ୍ର ରହିଛି।

ପଞ୍ଚୁଆ ଫତୁରିର ମୁଖ୍ୟ ନାୟକ ଥିଲେ ଅରାଙ୍ଗ ଦଳବେହେରା କୃତ୍ତିବାସ ପାଟ୍ଟଶାଣୀ। ତାଙ୍କ ସଂଗ୍ରାମ ଏତେ ପ୍ରଭାବଶାଳୀ ଥିଲା ଯେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକୃତ ଭାରତର ରାଜଧାନୀ କଲିକତାରେ ଅବସ୍ଥାପିତ ଜଣେ ବଙ୍ଗୀୟ ବୁଦ୍ଧିଜୀବୀ ତଥା ଲେଖକ ଶଶୀ ଚନ୍ଦ୍ର ଦତ୍ତ ଗୋଟିଏ ସଂକ୍ଷିପ୍ତ ଉପନ୍ୟାସ ବା Novelette ରଚନା ନିମନ୍ତେ ତହିଁରୁ ପ୍ରେରଣା ଲାଭ କରିଥିଲେ। ପ୍ରସିଦ୍ଧ ‘ଆନନ୍ଦ ମଠ’ (୧୮୮୨) ଉପନ୍ୟାସ ପାଇଁ ବଙ୍କିମ ଚନ୍ଦ୍ର ସନ୍ନ୍ୟାସୀ ବିଦ୍ରୋହ ଦ୍ୱାରା ଅନୁପ୍ରେରିତ ହେଲା ଭଳି ତାହାର ଯଥେଷ୍ଟ ପୂର୍ବରୁ ୧୮୪୫ ମସିହାରେ ପ୍ରକାଶ ପାଇଥିବା ଏହି ରଚନା ପାଇଁ ଶଶୀ ଚନ୍ଦ୍ର ଦତ୍ତ ବାଣପୁର ମୁକ୍ତି ସଂଗ୍ରାମରୁ ପ୍ରେରଣା ପାଇଥିଲେ। କଥାକାର Novelette ର ନାମ ରଖିଥିଲେ – The Republic of Orissa।

ସାଧାରଣତଃ ଯେଉଁ ରାଜ୍ୟର ମୁଖ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି, ସେହି ରାଜ୍ୟକୁ ରିପବ୍ଲିକ୍ କୁହାଯାଏ। ଆଦର୍ଶ ରାଷ୍ଟ୍ରକୁ ମଧ୍ୟ ରିପବ୍ଲିକ୍ କୁହାଯାଏ। ପ୍ଲାଟୋଙ୍କ ରାଷ୍ଟ୍ର ନୀତିଶାସ୍ତ୍ର ଗ୍ରନ୍ଥର ନାମ ରିପବ୍ଲିକ୍। ଆଜି ଭାରତ ମଧ୍ୟ ଗୋଟିଏ ରିପବ୍ଲିକ୍। ପଞ୍ଚୁଆ ଫତୁରିରେ ତାହା ହିଁ ଘଟିଥିଲା।

ସଂଗ୍ରାମର ନେତା ବୀର କୃତ୍ତିବାସଙ୍କ ଆହ୍ୱାନରେ ଅରାଙ୍ଗ ଠାରେ ୧୮୩୬ ଜୁନ୍ ପହିଲାରେ ପାଞ୍ଚଶହ କନ୍ଧ ଓ ପାଇକଙ୍କ ବୈଠକ ବସିଥିଲା। ସେଥିରେ ରୋଡଙ୍ଗରୁ ଆସିଥିବା ପଞ୍ଚାନନ ନାୟକଙ୍କୁ ରାଜା ଘୋଷଣା କରାଗଲା। ଲୋକମତରେ ପଞ୍ଚାନନ ଜଣେ ବଳଦ ବେପାରୀ। ତାଙ୍କର ନୂଆ ନାମ ହେଲା ରାଜା ଶରଣ ସିଂହ। କୃତ୍ତିବାସ ହେଲେ ସେନାପତି ଓ ମନ୍ତ୍ରୀ। ସେହିଦିନ ରାଜା ଶରଣ ସିଂହ ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ।

ଓଡିଶାର ଏହି ଅଭିନବ ଘଟଣା ଜାତୀୟତାବାଦୀ ଶିକ୍ଷିତ ଶଶୀ ଚନ୍ଦ୍ର ଦତ୍ତଙ୍କୁ ସ୍ପର୍ଶ କରିଥିଲା।
The Saturday Evening Harkaru ପତ୍ରିକାରେ ପ୍ରକାଶିତ ଉପରୋକ୍ତ କ୍ଷୁଦ୍ର କାହାଣୀଟିକୁ ଓଡିଆରେ ଅନୁବାଦ କରି ଡ. ସୋମା ଚାନ୍ଦ ତାଙ୍କ ‘ଭିନ୍ନ ଦୃଷ୍ଟିରେ ଓଡିଶା’ ପୁସ୍ତକରେ ସ୍ଥାନୀତ କରିଛନ୍ତି। ତାଙ୍କ ମତରେ, “ଓଡ଼ିଆଙ୍କ ସ୍ୱାଧୀନ ଚେତନା, ବିଦ୍ରୋହାତ୍ମକ ଆଭିମୁଖ୍ୟ ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେଣୁ ତାଙ୍କର ଜାତୀୟତାବୋଧ ଭିତ୍ତିକ ଏହି କଳ୍ପିତ କାହାଣୀରେ ଓଡିଶାକୁ ଅଗ୍ରଗଣ୍ୟ ଭୂମିକା ଦେବାରେ କାର୍ପଣ୍ୟ କରିନାହାନ୍ତି।” ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ଗୌରବ ଦାୟକ।

ଭାରତୀୟ ଇଂରାଜୀ କଥା ସାହିତ୍ୟ ଧାରାରେ ଲେଖକ ଶଶୀ ଚନ୍ଦ୍ର ଦତ୍ତଙ୍କ ଉପରୋକ୍ତ କାହାଣୀର କ୍ରମ ହେଉଛି ୨ୟ। ସେ ମହାଶୟଙ୍କର ଅନ୍ୟ ଗୋଟିଏ ଦୀର୍ଘକାୟ ଉପନ୍ୟାସ ମଧ୍ୟ ଅଛି। ତାହାର ଶୀର୍ଷକ ହେଉଛି – The Young Zamindar। ୧୮୮୫ ରେ ବହିଟି ପ୍ରକାଶ ପାଇଥିଲା। ବିସ୍ମୟକର ଭାବରେ ଏହାର ଷଷ୍ଠ ଅଧ୍ୟାୟରେ ବାଣପୁରର ଭୌଗୋଳିକ ବିବରଣୀ, ଅରାଙ୍ଗ ଗଡ଼ର ବର୍ଣ୍ଣନା ସହିତ କୃତ୍ତିବାସ ପାଟ୍ଟଶାଣୀଙ୍କ ସଂଗ୍ରାମର ଗୋଟିଏ ଝଲକ ଦେଖିବାକୁ ମିଳେ।

୧୮୩୬ ଜୁନ୍ ମାସ ୬ ତାରିଖରେ କୃତ୍ତିବାସ ଚିଲିକା ଉପକଣ୍ଠ ବଡକୂଳ ଆକ୍ରମଣ କରିଥିଲେ। ଲେଖକ କାହାଣୀ ଛଳରେ ସେହି ଦୃଶ୍ୟ ପରିବେଷଣ କରି ବାଣପୁର ପଞ୍ଚୁଆ ଫତୁରି ତଥା ଏହାର ନାୟକ ଯୋଦ୍ଧା କୃତ୍ତିବାସଙ୍କୁ ସ୍ୱୀକୃତି ଦେବା ସହ ଅମର କରିଦେଇଛନ୍ତି। (Odisha Review, ଅଗଷ୍ଟ ୨୦୧୭ ସଂଖ୍ୟାରେ ଲେଖକଙ୍କ ପ୍ରକାଶିତ ଲେଖା ଦ୍ରଷ୍ଟବ୍ୟ) The Young Zamindar ଉପନ୍ୟାସରେ କୃତ୍ତିବାସଙ୍କ ଚାକ୍ଷୁସ ବର୍ଣ୍ଣନା ପ୍ରଦାନ କରାଯାଇଥିବା ହେତୁ ଏହା ବଳିଷ୍ଠ ଭାବେ ପ୍ରମାଣିତ ହୁଏ ଯେ The Republic of Orissa ରଚନା ପଛରେ ମଧ୍ୟ କୃତ୍ତିବାସଙ୍କ ପ୍ରେରଣା ବିଦ୍ୟମାନ। ‘ଆଜାଦୀ କୀ ଅମୃତ ମହୋତ୍ସବ’ ପାଳନର ଉଲ୍ଲାସରେ ଏହି ତଥ୍ୟ ଆମମାନଙ୍କ ମନରେ ନୂଆ ଉନ୍ମାଦନା ଭରିଦେଉ।

ଡକ୍ଟର ସତ୍ୟ ଷଡ଼ଙ୍ଗୀ (ଅବସର ପ୍ରାପ୍ତ ଅଧ୍ୟାପକ, ବାଣପୁର), ଯୋଗାଯୋଗ ନଂ- ୯୪୩-୮୩୬-୦୫୧୬