Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ କେମିକାଲ୍ସ ଏବଂ ପେଟ୍ରେକେମିକାଲ୍ସ କ୍ଷେତ୍ରକୁ ମଜଭୂତ୍ କରିବା ପାଇଁ ତିନୋଟି ଏମଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ବୈଠକରେ ଓଡ଼ିଶା ସରକାର ଏବଂ ଉର୍ଜା କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ବୁଝାମଣା ଦ୍ୱାରା ଓଡ଼ିଶା ବିଶ୍ୱ ପାଇଁ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପାରାଦୀପ ଠାରେ ୫୮,୦୪୨ କୋଟି ଟଙ୍କାର ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ  ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଯାଜପୁର ଚଣ୍ଡିଖୋଲ ଠାରେ ୮,୭୪୩ କୋଟି ଟଙ୍କା ବ୍ୟୟରେ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ଏବଂ ଗୋପାଳପୁର ଠାରେ ୨୩୦୬ କୋଟି ଟଙ୍କା ବ୍ୟୟରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଟର୍ମିନାଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଇଣ୍ଡିଆନ ଅଏଲର ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ। ଏହାକୁ ବାଜପେୟୀଜୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ସେହି ସମୟରେ ଏଠାରେ ପେଟ୍ରୋଲିୟମ ଉତ୍ପାଦ ସହ ପେଟ୍ରୋକେମିକାଲ ଉତ୍ପାଦ ବାହାର କରିବା ପାଇଁ ଯୋଜନା ହୋଇଥିଲା। ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିରେ ଏକ ନୂଆ ଆଶା ଓ ଦିଗ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ସମ୍ଭାବନା ବିଷୟରେ ସ୍ପଷ୍ଟ ଭାବେ ଅବଗତ ଅଛନ୍ତି ଏବଂ ଏହି ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏକ ବହୁ-ଅଂଶୀଦାର ସମବାୟ ଆଭିମୁଖ୍ୟ ଓଡ଼ିଶାର ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ।

ଆଜିର ଏମଓୟୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି, ଯୋଜନା କରାଯାଇଥିବା ମେଗା ପୁଞ୍ଜିନିବେଶ ଓଡ଼ିଶାର ଅଭିବୃଦ୍ଧି ଯାତ୍ରାରେ ଏକ ନୂଆ ଯୁଗର ଶୁଭାରମ୍ଭ କରିବ। ଓଡ଼ିଶା ବିଶ୍ୱ ପାଇଁ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ। ଏହି ନୂତନ ପୁଞ୍ଜିନିବେଶ ରାଜ୍ୟର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବ ଏବଂ ଅଧିକରୁ ଅଧିକ ଓଡ଼ିଆ ଯୁବକ ଉଦ୍ୟୋଗୀ ହେବାରେ ସକ୍ଷମ ହେବେ। ଏସବୁ ପଦକ୍ଷେପ ଡବଲ ଇଞ୍ଜିନ ସରକାରର ଇସ୍ତାହାରର ଏକ ସ୍ପଷ୍ଟ ପ୍ରତିଫଳନ। ମେଗା ଡୁଆଲ ଫିଡ୍ କ୍ରାକର ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପେଟ୍ରୋକେମିକାଲ୍ସର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଭାରତର ପେଟ୍ରୋକେମିକାଲ୍ସ ଉଦ୍ୟୋଗକୁ ସୁଦୃଢ କରିବ।

ଏହି ପ୍ରକଳ୍ପ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ନିବେଶ କ୍ଷେତ୍ରର ପ୍ରଗତିକୁ ତ୍ୱରାନ୍ୱିତ କରିବ। ବର୍ତ୍ତମାନ ୫.୩୩ ଏମଏମଟି (ମିଲିୟନ ମେଟ୍ରିକ୍ ଟନ୍) କ୍ଷମତା ବିଶିଷ୍ଟ ଏସପିଆର ସହିତ ଆମେ ଭାରତର ୯.୫ ଦିନର ଅଶୋଧିତ ତୈଳ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ। ଚଣ୍ଡିଖୋଲ ଠାରେ ୪ ଏମଏମଟି ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ହେଲେ ଦେଶର ଅଶୋଧିତ ତୈଳ ଆବଶ୍ୟକତା ଅତିରିକ୍ତ ୭ ଦିନ ବୃଦ୍ଧି ପାଇବ। ଫଳରେ ଭାରତରେ ମୋଟ ପ୍ରାୟ ୧୭ ଦିନର କ୍ରୁଡ୍ ଅଏଲ୍ ଆବଶ୍ୟକତା ପୂରଣ କରିବ।  ସେହିପରି ବର୍ତମାନ ଭାରତରେ ୭ଟି କାର୍ଯ୍ୟକ୍ଷମ ଏଲଏନଜି ଟର୍ମିନାଲ ରହିଛି, ଯାହାର କାର୍ଯ୍ୟକ୍ଷମ ପୁନଃ ଗ୍ୟାସିଫିକେସନ୍ କ୍ଷମତା ପ୍ରାୟ ୪୭.୭ ଏମଏମଟିପିଏ ରହିଛି। ପୂର୍ବ ଉପକୂଳରେ ତାମିଲନାଡୁ ଏନ୍ନୋର ପରେ ଓଡ଼ିଶାର ଧାମରା ଏବଂ ଏବେ ଗୋପାଳପୁର ତୃତୀୟ ଏଲଏନଜି ଟର୍ମିନାଲ ହେବ। ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ସମଗ୍ର ପୂର୍ବ ଭାରତକୁ ଶକ୍ତି ଉପଲବ୍ଧତା ପାଇଁ ସେବା ଯୋଗାଇବ ଏବଂ ଶକ୍ତି ନିରାପତ୍ତା ବୃଦ୍ଧି କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୭ରେ  ତାଙ୍କ ହସ୍ତକ୍ଷେପ କାରଣରୁ ଓଡ଼ିଶା ସରକାର ନଭେମ୍ବର ୨୦୧୫ରୁ ଜୁଲାଇ ୨୦୧୭ ମଧ୍ୟରେ ଆଇଓସିଏଲ୍ ଠାରୁ ଭାଟ୍ ବା ବିକ୍ରୟ ଟିକସ ବାବଦରେ ପ୍ରାୟ ୩୦୦୦ କୋଟି ଟଙ୍କା ରାଜକୋଷକୁ ପାଇଛନ୍ତି। ତାଙ୍କର ଏହି ଉଦ୍ୟମ କାରଣରୁ ଆଇଓସିଏଲ ପାରାଦୀପ ରିଫାଇନାରୀ ପ୍ରତିବର୍ଷ କେବଳ ଓଡ଼ିଶାର ରାଜକୋଷକୁ ପ୍ରାୟ ୬,୦୦୦ କୋଟି ଟଙ୍କା ଏବଂ ଓଡ଼ିଶା ଓ ଭାରତ ସରକାରଙ୍କ ରାଜକୋଷକୁ ପ୍ରାୟ ୨୭,୦୦୦ କୋଟି ଟଙ୍କା ପ୍ରଦାନ କରୁଛି।  ଓଡ଼ିଶାରେ ଏଲପିଜି ସଂଯୋଗ ୨୦୧୪ ପୂର୍ବରୁ ୨୧ ଲକ୍ଷ ଥିବା ବେଳେ  ଏବେ ରାଜ୍ୟରେ ଏଲପିଜି ସଂଯୋଗ ବଢି ୧ କୋଟି ୪ ହଜାରରେ ପହଞ୍ଚିଛି ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୫୫ ଲକ୍ଷରେ ପହଞ୍ଚିଛି।

ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବା, ସମ୍ପତ୍ତି ସୃଷ୍ଟି, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାରେ ନୂତନ ପିଢ଼ିର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଆମର ପ୍ରାଥମିକତା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ଏବଂ ସିଏମ୍ ମୋହନ ମାଝୀଙ୍କ ନେତୃତ୍ୱ ସମସ୍ତ ନିବେଶକଙ୍କୁ ସମର୍ଥନ କରିବ। ଗତ ଦଶନ୍ଧିରେ ପେଟ୍ରୋଲିୟମ କ୍ଷେତ୍ରରେ ୨ ଲକ୍ଷ ୪ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ ସହ ଓଡ଼ିଶା ବିଶ୍ୱର ଶକ୍ତି ପରିବର୍ତ୍ତନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ସ୍ୱଚ୍ଛ ଭାରତ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ବାୟୋ ଗ୍ୟାସ ପଲିସି ଆଣିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମଗ୍ରିକ ବିକାଶ ପାଇଁ ଓମ୍ଫେଡ୍ ସହ ଏମଓୟୁ ସ୍ୱାକ୍ଷରିତ କଲା ଏନ୍ ଡି ଡି ବି

ଭୁବନେଶ୍ୱର: ପରିଚାଳକମାନଙ୍କ ତାଲିମ, କ୍ରୟ, ବିକ୍ରୟ ଏବଂ ପ୍ରକ୍ରିୟାକରଣ ସହିତ ଓମ୍ଫେଡର ସାମଗ୍ରିକ ବିକାଶ ପାଇଁ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ (ଏନ୍ ଡି ଡି ବି) ସହ ଏମଓୟୁ ସ୍ୱାକ୍ଷର କଲା ଓମ୍ଫେଡ୍। ଚାଷ ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଓମ୍ଫେଡକୁ ସଶକ୍ତ କରିବା ପାଇଁ ଜୋରଦାର୍ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

ଓମ୍ଫେଡକୁ ବ୍ୟାପକ କରିବାକୁ ଖୋଦ୍ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବେ ଉଦ୍ୟମ ଆରମ୍ଭ ହୋଇଛି। ଗୋ ପାଳନକୁ ଗୁରୁତ୍ୱ ଦେବା ସହ ଓମ୍ଫେଡ୍ କିପରି ନୂଆ ନୂଆ ଉତ୍ପାଦ ବଜାରକୁ ଆଣିବ ସେଥିପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଉତ୍ପାଦନ ବୃଦ୍ଧି କରିବା ସହ ତାର ବିକ୍ରି ପାଇଁ ମାର୍କେଟ ସୃଷ୍ଟି କରିବାକୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଉଛି।

ଏହି କ୍ରମରେ ଏବେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଆରମ୍ଭ ହୋଇଛି କ୍ଷୀରଧାରା କେନ୍ଦ୍ର। ଏଠାରେ କ୍ଷୀର ସଂଗ୍ରହ ହେବା ସହ ଓମ୍ଫେଡ୍ ଉତ୍ପାଦ ଯଥା-କ୍ଷୀର, ଖଟା ଓ ମିଠା ଦହି, ରାବିଡି, ଛେନାପୋଡ, ଗୁଆ ଘିଅ, ଓମ୍ଫେଡ୍ କ୍ଷୀର ପାଉଡର, ଫେଭର ମିଲ୍କ, ଲସି ଇତ୍ୟାଦି ବିକ୍ରି କରିବାର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ ଆହୁରି ଅନେକ ନୂତନ ଉତ୍ପାଦ ଯଥା-ପାଣି, ଚକଲେଟ ଆଦି ବଜାରକୁ ଆଣିବାକୁ ଯାଉଛି ଓମ୍ଫେଡ୍।

ତେବେ ଓମ୍ଫେଡକୁ କିପରି ଆହୁରି ସଶକ୍ତ କରାଯାଇ ପାରିବ, ସେ ସଂପର୍କରେ ଅଧିକ ତଥ୍ୟ ତଥା ଜ୍ଞାନ କୌଶଳ ସଂପର୍କରେ ଅବଗତ ହେବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗୁଜୁରାଟର ଆନନ୍ଦଠାରେ ଥିବା ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ (NDDB) ପରିଦର୍ଶନରେ ଯାଇଛନ୍ତି। ଏହି ଟିମରେ ଓମ୍ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଓମ୍ଫେଡ୍ ଓ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯାଇଛନ୍ତି।

ଓମ୍ଫେଡ୍ ଚାଷୀମାନଙ୍କର ଏକ ସମବାୟ ସଂସ୍ଥା। ଚାଷୀମାନେ କିପରି ଅଧିକରୁ ଅଧିକ ଲାଭ ପାଇପାରିବେ ସେଥିପାଇଁ ଓମ୍ଫେଡ୍ ଉଦ୍ୟମ ଜାରି ରଖିଛି। କେବଳ ସେତିକି ନୁହେଁ ଖାଉଟିମାନେ ଯେପରି ଉତ୍ତମମାନର ଦୁଗ୍ଧଜାତୀୟ ଖାଦ୍ୟ ପଦାର୍ଥ ପାଇପାରିବେ, ସେଥିପାଇଁ ମଧ୍ୟ ଗୁରୁତ୍ୱର ସହ କାମ କରୁଛି। ଓମ୍ଫେଡ୍ ଉତ୍ପାଦନର ଗୁଣବତ୍ତାରେ କୌଣସି ସାଲି କରାଯିବ ନାହିଁ। ଓମ୍ଫେଡର ଉତ୍ପାଦନ ଓ ବିକ୍ରି ବୃଦ୍ଧି ପାଇଲେ, ରାଜ୍ୟର ଆର୍ଥିକ ବିକାଶରେ ଏକ ପ୍ରମୁଖ ଯୋଗଦାନ ହେବ। କେବଳ ସେତିକି ନୁହେଁ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ।

ଦୁଇ ଦିନିଆ ଗସ୍ତରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳୀ ଆସନ୍ତା କାଲି ଭୁବନେଶ୍ୱରରେ ପହଞ୍ଚିବେ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି କାନପୁର, ଆଇଆଇଏସ କାନପୁର, ହାଲ୍ ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ଆଜି ନୂଆଦିଲ୍ଲୀ ଠାରେ ଆଇଆଇଏସ କାନପୁର ସହ ଆଇଆଇଟି କାନପୁର, ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ (ଡିଏଏସ୍ଆଇ) ସହିତ ୩ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଦକ୍ଷତା ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକତ୍ରିତ ହୋଇଛନ୍ତି।  ଆଇଆଇଟି କାନପୁର, ଆଇଆଇଏସ କାନପୁର, ହାଲ୍ ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ ମଧ୍ୟରେ ସହଯୋଗ ଦକ୍ଷତା ବିକାଶର ଭବିଷ୍ୟତର ରୂପରେଖକୁ ବଦଳାଇବା ତଥା ଭାରତର ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ।

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଉଦ୍ଦେଶ୍ୟକୁ ବାସ୍ତବର ରୂପ ଦେବା ତଥା ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ ତଥା ପ୍ରସ୍ତୁତ କରିବ। ବିଶେଷ ଭାବରେ ଉତ୍ତର ପ୍ରଦେଶର ପ୍ରତିରକ୍ଷା ଶିଳ୍ପ କରିଡରକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି। ଏହା ଉତ୍ତର ପ୍ରଦେଶର ଯୁବକମାନଙ୍କୁ ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଯୁଗର ପାଠ୍ୟକ୍ରମରେ ଗୁଣାତ୍ମକ ମଡ୍ୟୁଲ୍ ଉପଲବ୍ଧ କରାଇବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,  ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଇଆଇଏସ୍ କାନପୁରର ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା, ଦକ୍ଷତା ଏବଂ ଅଗ୍ରଣୀ ଶିଳ୍ପସଂସ୍ଥା ଗୁଡ଼ିକ ମଧ୍ୟରେ ସହଯୋଗ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସିଙ୍ଗାପୁରର ବୈଷୟିକ ଶିକ୍ଷା ଅନୁଷ୍ଠାନ ପରିଦର୍ଶନ ସମୟରେ ଏହି ଆଇଆଇଏସର କଳ୍ପନା କରିଥିଲେ । ବର୍ତ୍ତମାନର ଦକ୍ଷତା ଇକୋସିଷ୍ଟମରେ ପ୍ରଶିକ୍ଷଣ ମାନ ବୃଦ୍ଧି ପାଇଁ ଦେଶରେ ଆଇଆଇଏସ୍ ପ୍ରତିଷ୍ଠା କରାଯାଉଛି।

ଏହି ଏମଓୟୁ ଅଧୀନରେ ଭବିଷ୍ୟତ ଆଧାରିତ ପାଠ୍ୟକ୍ରମ କ୍ଷେତ୍ରରେ ଆମ ଦେଶର ଯୁବକ ଏବଂ ଶ୍ରମଶକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ଉପହାର। ଉତ୍ତରପ୍ରଦେଶର ପ୍ରତିରକ୍ଷା କରିଡରରୁ ଉଭା ହୋଇଥିବା ସୁଯୋଗର ଲାଭ ଉଠାଇବା ଏବଂ ଏରୋସ୍ପେସ୍, ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ ପଥ ପ୍ରଶସ୍ତ କରିବ। ଆଇଆଇଏସ୍ କାନପୁର ଆଇଆଇଟି କାନପୁର ସହିତ ଭାଗିଦାରୀତା ହୋଇ କାପାସିଟି ବିଲଡିଂ ଗଠନ କରିବା ସହ ଭାରତର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତ ଏବଂ ଆମେରିକା ମଧ୍ୟରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଏବଂ ନବସୃଜନ ଭାଗିଦାରୀ ଉପରେ ଏମଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ବାଣିଜ୍ୟିକ ଆଲୋଚନା ୨୦୨୩ ପରେ ଦୁଇ ଦେଶ ମଧ୍ୟରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଏବଂ ନବସୃଜନ ଭାଗିଦାରୀ ଉପରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିମନ୍ତ୍ରଣରେ ଆମେରିକାର ବାଣିଜ୍ୟ ସଚିବ ଶ୍ରୀମତୀ ଜିନା ରାଇମୋଣ୍ଡୋ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସୁଯୋଗକୁ ଖୋଲିବା ପାଇଁ ସହଯୋଗ ଉପରେ ଆଲୋଚନା ନିମନ୍ତେ ଆଜି ଭାରତ-ଆମେରିକାର ବାଣିଜ୍ୟିକ ଆଲୋଚନା ପୁନଃଆରମ୍ଭ କରାଯାଇଥିଲା।

ଆମେରିକାର ସିଏଚଆଇପିଏସ୍ ଏବଂ ସାଇନ୍ସ ଆକ୍ଟ ଓ ଭାରତର ସେମିକଣ୍ଡକ୍ଟର ମିଶନକୁ ଦୃଷ୍ଟିରେ ରଖି ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସ୍ଥିରତା ଏବଂ ବିବିଧକରଣ ଉପରେ ଦୁଇ ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଏମଓୟୁ ଚେଷ୍ଟା ଲକ୍ଷ୍ୟ ରଖିଛି।

ଏହା ଉଭୟ ଦେଶର ସହାୟକ ଶକ୍ତି ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ବିଭିନ୍ନ ଦିଗ ଉପରେ ଆଲୋଚନା ମାଧ୍ୟମରେ ବାଣିଜ୍ୟିକ ସୁଯୋଗ ଏବଂ ସେମିକଣ୍ଡକ୍ଟର ଇନୋଭେସନ୍ ଇକୋସିଷ୍ଟମର ବିକାଶକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି। ଏମଓୟୁ ପାରସ୍ପରିକ ଲାଭଦାୟକ ଗବେଷଣା ଓ ବିକାଶ, ପ୍ରତିଭା ଏବଂ ଦକ୍ଷତା ବିକାଶ ପାଇଁ ଯୋଜନା କରିଛି।