Categories
ଆଜିର ଖବର ରାଜ୍ୟ ଖବର

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍‍) ପ୍ରଥମ ମହଲା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଭାଗର  ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓକାକ୍‍ର ସିଇଓ ତଥା ଅତିରିକ୍ତ ଶାସନ ସଚିବ ମନୋଜ ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଓକାକ୍‍ର ମହାପ୍ରବନ୍ଧକ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ଆଦିତ୍ୟ ମହାପାତ୍ର, ଯୁଗ୍ମ ସଚିବ ଜୟନ୍ତୀ ଦେଈ ଏବଂ ବିଭାଗର ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।

ସର୍ବପ୍ରଥମେ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ପୁଷ୍ପ ଗୁଚ୍ଛ ଦେଇ ମାନ୍ୟବର ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ  ଜଣାଇଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ପର୍ଯ୍ୟାୟକ୍ରମେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସରକାରୀ ସେବାଗୁଡ଼ିକୁ ବୈଷୟିକ ରୂପାନ୍ତରୀକରଣ ମାଧ୍ୟମରେ ଜନସାଧାରଣଙ୍କ ପାଖକୁ ପହଁଚାଇବା କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଭୂମିକା ବିଷୟରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନରେ ପରିଚାଳିତ ନିର୍ଦ୍ଦେଶାଳୟ ଯଥା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍‍), ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଆଇଆଇଆଇଟି ଭୁବନେଶ୍ୱର ଏବଂ ଓକେସିଏଲ୍‍ର ଭୂମିକା ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିଷୟ ଯଥା ଓଡ଼ିଶା ଷ୍ଟେଟ ଡାଟା ସେଣ୍ଟର, ଓଡ଼ିଶା ଷ୍ଟେଟ ଓ୍ୱାଇଡ୍‍ ଏରିଆ ନେଟଓ୍ୱାର୍କ, ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର, ଓଡ଼ିଶା ସଚିବାଳୟ ଆଇଟି ସେଣ୍ଟର, ଭାରତ ନେଟ୍‍, ଓଡ଼ିଶା ଷ୍ଟେଟ ଓ୍ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ(ଓସ୍ୱାସ), ଓଡ଼ିଶା ଓ୍ୱାନ ପୋର୍ଟାଲ, ଇ-ଡେସପାଚ୍‍, ସିଏମ ଡ୍ୟାସବୋର୍ଡ, ସ୍ୟାମସ୍‍, ଇ-ଡିଷ୍ଟ୍ରିକ୍ଟ ଏବଂ ଆଧାର ଏନରୋଲମେଣ୍ଟ ଆଦି ଅନେକ ବୈଷୟିକ ଆପ୍ଲିକେସନ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ନୂତନ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଥିଲେ ଯେ, ରାଜ୍ୟ ସରକାର ନିଜ ସଂକଳ୍ପ ପତ୍ର ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟର ସମୃଦ୍ଧି ନିମନ୍ତେ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରିବେ। ଆମ ସରକାର ସାଧାରଣ ଲୋକଙ୍କ ସରକାର। ତେଣୁ, ସାଧାରଣ ଲୋକ କିପରି ଭାବେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସୁବିଧା ପାଇପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ପ୍ରାଧାନ୍ୟ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ତୃଣମୂଳସ୍ତରରେ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟରେ କିପରି ଭାବେ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଗଢ଼ି ଉଠିବ ଏବଂ ନିବେଶକମାନେ ଆମ ରାଜ୍ୟରେ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିବେ ତାହାକୁ ପ୍ରାଥମିକତା ଦେବାକୁ ପଡ଼ିବ। ଓଡ଼ିଆ ଭର୍ଚୁଆଲ ଏକାଡେମୀକୁ ଆହୁରି ଲୋକାଦୃତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ସହ ଅଧିକରୁ ଅଧିକ କର୍ମଶାଳା, ସମ୍ମିଳନୀ, ବୈଠକ ଏବଂ ଆଭାସୀ ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ଆଦିକୁ ପ୍ରାଧାନ୍ୟ ଦିଆଯିବ।

ଏହା ସହ ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ମୋବାଇଲ ନେଟଓ୍ୱାର୍କ ଏବଂ ଇଣ୍ଟରନେଟ୍‍ ସୁବିଧାକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ସର୍ବଶେଷରେ ମାନ୍ୟବର ମନ୍ତ୍ରୀମୁକେଶ ମହାଲିଙ୍ଗ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଇ-ଗଭର୍‍ନାନ୍ସ ମାଧ୍ୟମରେ ତୃଣମୂଳସ୍ତରରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ଜନସେବା ପ୍ରଦାନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓକାକ୍‌ ଡାଟା ସେଣ୍ଟର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ଓକାକ୍‌ ସ୍ଥିତ ଡାଟା ସେଣ୍ଟର ପରିଦର୍ଶନ କରି ସେଠାରେ ଉପଲବ୍ଧ ସମସ୍ତ ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଆଜିର ଡିଜିଟାଲ ଯୁଗରେ ବିଭିନ୍ନ ସରକାରୀ ବ୍ୟବସ୍ଥା କିଭଳି ଲୋକଙ୍କ କାର୍ଯ୍ୟରେ ଆସୁଛି ଏବଂ ସରକାରୀ ବିଭାଗର ବିଭିନ୍ନ ଡାଟା କିପରି ସୁରକ୍ଷିତ ଭାବେ ସରଂକ୍ଷିତ ହେଉଛି, ସେ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ଆଲୋଚନା କରିଛନ୍ତି ।

ସୂଚନା ଅନୁଯାୟୀ ବର୍ତ୍ତମାନ ୪୫ଟି ରେକ୍‌ ବିଶିଷ୍ଟ ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ସରକାରଙ୍କର ୪୬୦ରୁ ଊଦ୍ଧ୍ୱର୍ ଆପ୍ଲିକେସନର ଡାଟା ସରଂକ୍ଷିତ ହୋଇପାରୁଛି । ଆହୁରି ୮୮ ଗୋଟି ରେକ୍‌ର ପ୍ରସ୍ତୁତି ହେଉଛି, ଯାହାକି ଆଗାମୀ ଦିନରେ ଏହି ଡାଟା ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିପାରିବ ।

ବର୍ତ୍ତମାନ ଏହାର ଦୁଇଟି କେନ୍ଦ୍ର କୋରାପୁଟ ଏବଂ ସୁନ୍ଦରଗଡ଼ରେ ହେବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ରାଜ୍ୟବ୍ୟାପୀ ଏହି ବ୍ୟବସ୍ଥା କିଭଳି ଅଧିକ ସୁଦୃଢ ହୋଇପାରିବ ସେ ବିଷୟରେ ଶ୍ରୀ ପଟ୍ଟନାୟକ ବିସ୍ତୃତ ଆଲୋଚନା କରିବା ସହ ଏପରି ଯୁଗାନ୍ତକାରୀ ବ୍ୟବସ୍ଥା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ଗସ୍ତ ଅବସରରେ ଏନ୍‌ଆଇସି ଓ ଡାଟା ସେଣ୍ଟରର ଅପରେସନ୍‌ ବିଭାଗର ଅଧିକାରୀ ଏବଂ ଓକାକ୍‌ର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା: ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତନେଟ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ଅଧିନରେ ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ଆଜି ଓପିଟିସିଏଲ୍‌, ଭାରତ ସଂଚାର ନିଗମ ଲିମିଟେଡ୍‌ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓପିଟିସିଏଲର ନିର୍ଦ୍ଦେଶକ ବି.ବି ମେହେଟ୍ଟା ଏବଂ ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲ୍ଲାଇ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ତଥା ଓକାକ ସିଇଓ ମନୋଜ ପଟ୍ଟନାୟକ, ଜେନେରାଲ ମ୍ୟାନେଜର ଓକାକ୍‌ ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଏହି ଭାରତନେଟ୍‌-ଓଡିଶା ପ୍ରକଳ୍ପ ଦ୍ୱାରା କେବଳ ବ୍ଲକ ମୁଖ୍ୟାଳୟ ସ୍ତରରେ ନୁହେଁ ବରଂ ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ଗ୍ରାମପଞ୍ଚାୟତରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ। ଆଜିର ଯୁଗରେ ପ୍ରାୟ ସମସ୍ତ ସରକାରୀ ସେବାଗୁଡିକ ଇଣ୍ଟରନେଟ ଉପରେ ନିର୍ଭରଶୀଳ। ଲୋକମାନେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ସୁବିଧାରେ ପାଇ ପାରିବେ ସେଥି ନିମନ୍ତେ ସରକାର ଚେଷ୍ଟିତ ଅଛନ୍ତି। ରାଜ୍ୟ ସରକାର ୫-‘ଟି’ ଅଧିନରେ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟେକ ଗ୍ରାମରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେବ ଏବଂ ଲୋକମାନେ ସମସ୍ତ ସରକାରୀ ସୁବିଧାର ଲାଭ ପାଇପାରିବେ।

ଓପିଟିସିଏଲ୍‌ ଏବଂ ଓକାକ୍‌ ନିଜର କାର୍ଯ୍ୟ ପାରଦର୍ଶିତା ଦେଖାଇ ସଫଳ ଭାବରେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ନେଟ୍‌-୨ ପର୍ଯ୍ୟାୟର ପ୍ରକଳ୍ପକୁ ସଂପୂର୍ଣ୍ଣ କରିଥିବାରୁ ମନ୍ତ୍ରୀ ଏହି ଦୁଇ ସଂସ୍ଥାକୁ ଭୂୟସୀ ପ୍ରଶାଂସା କରିଥିଲେ। ଭାରତ ସଂଚାର ନିଗମ୍‌ ଲିମିଟେଡ୍‌ ମଧ୍ୟ ଏହି ଭିତ୍ତିଭୂମିର ଲାଭ ଉଠାଇ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ସୁଦୃଢ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶାବ୍ୟକ୍ତ କରିଥିଲେ।

ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲାଇ ପ୍ରକଳ୍ପ ବିଷୟରେ କହିଥିଲେ ଯେ ୫୪୫ କୋଟି ଟଙ୍କା ବିନିମୟରେ ୨୦,୦୦୦ କିଲୋମିଟର ଦୀର୍ଘ ଅପଫିକାଲ ଫାଇବର କେବଲିଂ ମାଧ୍ୟମରେ ୧୩୨ଟି ବ୍ଲକ ଅଧୀନରେ ଥିବା ୨୯୩୨ଟି ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଂଟରନେଟ୍‌ ସେବା ଯୋଗାଇଦିଆଯିବ। ଯାହାଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସହଜରେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ପାଇ ପାରିବେ।