ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଅପ୍ରେଲ ଏକ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଓଡ଼ିଆ ପକ୍ଷର ଆଜି ଯୁବ ଲେଖକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ ଓ ଅଧ୍ୟାପିକା ଝରଣା ନାଥ ଯୋଗଦେଇ ମହାବିଦ୍ୟାଳୟର ନବ ପ୍ରତିଭା ମାନଙ୍କୁ ନିରନ୍ତର ଲେଖନୀ ଚାଳନା କରିବାକୁ ଅନୁପ୍ରେରିତ କରିଥିଲେ। ଡକ୍ଟର ସନ୍ତୋଷ କୁମାର ରଥ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ସାରସ୍ୱତ ସୃଷ୍ଟିର ନିର୍ଯାସ ଉପସ୍ଥାପନା କରିଥିଲେ।
କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା। ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ଲଷ୍ମୀଧର ସୁବୁଦ୍ଧି ଶିକ୍ଷାର୍ଥୀମାନଙ୍କର ସର୍ଜନଶୀଳତା ବିକାଶ ପାଇଁ ପରାମର୍ଶ ଦେବା ସହ ଓଡ଼ିଆ ସାହିତ୍ୟିକମାନଙ୍କର ବିଭିନ୍ନ କାଳଜୟୀ ପଂକ୍ତି ଉପସ୍ଥାପନ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପକ ଲଷ୍ମୀପ୍ରସାଦ ମିଶ୍ର,ଡଃ ଲଷ୍ମୀଧର ସୁବୁଦ୍ଧି, ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, କୀର୍ତ୍ତିମୟୀ ବାରିକ, ବିମଳ କୁମାର ପଣ୍ଡା,ସ୍ନିଗ୍ଧା ରାଣୀ ମୁଦୁଲି,ସୋନାଲି କରଣ, ଗାୟତ୍ରୀ ମହାରଣା ପ୍ରମୁଖ ବହୁ ଛାତ୍ର ଛାତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।
ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା,ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପିକା ସ୍ନିଗ୍ଧା ରାଣୀ ମୁଦୁଲି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।