Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଓମାନରେ ଫସିଥିବା ୪ ଓଡ଼ିଆ ଶ୍ରମିକ ଓଡିଶା ଫେରିଲେ

ଭୁବନେଶ୍ବର: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍‍. ଜୟଶଙ୍କର ଏବଂ ଓମାନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓମାନରେ ଫସିଥିବା ଏହି ଓଡ଼ିଆ ଶ୍ରମିକମାନଙ୍କ ବିଷୟରେ ଇ-ମେଲ ଓ ବିଭିନ୍ନ ଓଡ଼ିଆ ଖବର କାଗଜରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଆବାସିକ କମିଶନର ବିଦେଶ ମନ୍ତ୍ରାଳୟ ଏବଂ ଓମାନରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଭାରତର ଦୂତାବାସ ପକ୍ଷରୁ ଏହି ଶ୍ରମିକ ମାନଙ୍କୁ ଓମାନର ସୋହର ନାମକ ସ୍ଥାନରେ ଥିବାର ସୂଚନା ମିଳିଥିଲା । ସେମାନଙ୍କ ସହିତ ଫୋନ ଯୋଗେ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଇଥିଲା । ଭାରତର ଦୂତାବାସ ପକ୍ଷରୁ ଏହି ଓଡ଼ିଆ ଶ୍ରମିକମାନଙ୍କ ଏକ ଗୁରୁଦ୍ୱାର ଠାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର

ଉପସାଗରୀୟ ଦେଶ ସହ ସୁଦୃଢ଼ ହେଉଛି ଭାରତର ସହଯୋଗ

ନୂଆଦିଲ୍ଲୀ: ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ସୁସମ୍ପର୍କ ଅଧିକ ସୁଦୃଢ଼ ହେଉଛି। ନିକଟରେ କତର ଅମୀର ତାଙ୍କର ଦ୍ୱିତୀୟ ସରକାରୀ ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କତର ଅମୀରଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ପରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ସ୍ତରକୁ ଉନ୍ନୀତ କରିବା ଲାଗି ଉଭୟ ନେତା ସହମତ ହୋଇଛନ୍ତି। ଏ ନେଇ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏବେ ୟୁଏଇ, ସାଉଦୀ ଆରବ, ଓମାନ, କୁଏତ ଏବଂ କତର ସହିତ ଭାରତର ରଣନୀତିକ ଭାଗିଦାରୀ ରହିଛି। ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ ଜିସିସି ଢାଞ୍ଚା ଅଧୀନରେ ସହଯୋଗ କରନ୍ତି।

ଜିସିସିର ସବୁ ଦେଶ ସହିତ ଭାରତର ଉତ୍କୃଷ୍ଟ ସମ୍ପର୍କ ରହିଛି। ଏହା ଭାରତ ଏବଂ ଉପସାଗରୀୟ ଦେଶମାନଙ୍କ ମଧ୍ୟରେ ନେତୃତ୍ୱ ତଥା ମନ୍ତ୍ରୀ ସ୍ତରରେ ନିୟମିତ ଉଚ୍ଚସ୍ତରୀୟ ଗସ୍ତ ବିନିମୟରେ ପ୍ରତିଫଳିତ ହୋଇଥାଏ। 2014 ମସିହା ମେ ମାସ ଠାରୁ ପ୍ରଧାନମନ୍ତ୍ରୀ ଉପସାଗରୀୟ ଦେଶଗୁଡ଼ିକୁ 14 ଥର ଗସ୍ତ କରିଛନ୍ତି। ଏଥିରେ ୟୁଏଇକୁ 7 ଥର ଗସ୍ତ ସାମିଲ ଥିବା ବେଳେ ସାଉଦୀ ଆରବ ଓ କତରକୁ 2 ଥର ଏବଂ ଓମାନ, ବାହାରିନ ଓ କୁଏତକୁ ଥରେ ଲେଖାଏଁ ଗସ୍ତ ଅନ୍ତର୍ଭୁକ୍ତ।

କତର ଆମୀର 17-18 ଫେବୃଆରୀ 2025 ଠାରୁ ତାଙ୍କର ଦ୍ୱିତୀୟ ଭାରତ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଡିସେମ୍ବର 2024ରେ କୁଏତ ଗସ୍ତ କରିଥିଲେ, ଯାହା 43 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କୁଏତ ଗସ୍ତ ଥିଲା। ଜାନୁଆରୀ 2024ରେ ୟୁଏଇର ରାଷ୍ଟ୍ରପତି ମହାମହିମ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ, ଡିସେମ୍ବର 2023ରେ ଓମାନର ସୁଲତାନ ମହାମହିମ ହାଇଥାମ ବିନ୍ ତାରିକ ଏବଂ ସେପ୍ଟେମ୍ବର 2023ରେ ସାଉଦୀ ଆରବର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହାମହିମ ମହମ୍ମଦ ବିନ୍ ସଲମାନଙ୍କ ସଦ୍ୟ ଭାରତ ଗସ୍ତରେ ଆସିଥିଲେ।

ରଣନୀତିକ ବାର୍ତ୍ତାଳାପ ପାଇଁ ପ୍ରଥମ ଭାରତ-ଜିସିସି ମନ୍ତ୍ରୀସ୍ତରୀୟ ବୈଠକ ସେପ୍ଟେମ୍ବର 2024ରେ ରିୟାଦରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯୋଗ ଦେଇଥିଲେ। ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସୁରକ୍ଷା, ଶକ୍ତି, ସ୍ୱାସ୍ଥ୍ୟ, କୃଷି ଏବଂ ଖାଦ୍ୟ ସୁରକ୍ଷା, ପରିବହନ, ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅନ୍ତର୍ଭୁକ୍ତ କରି ଏକ ଭାରତ-ଜିସିସି ମିଳିତ କାର୍ଯ୍ୟ ଯୋଜନା ଗ୍ରହଣ କରାଯାଇଥିଲା।

ଜିସିସି ଦେଶଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ଆର୍ଥିକ ବର୍ଷ 2023-24ରେ ପାଖାପାଖି 162 ବିଲିୟନ ଆମେରିକୀୟ ଡଲାର ଥିଲା, ଯାହା ଏହି ରାଷ୍ଟ୍ର ଗୋଷ୍ଠୀକୁ ଭାରତର ସର୍ବବୃହତ ଆଞ୍ଚଳିକ ବାଣିଜ୍ୟିକ ଅଂଶୀଦାରମାନଙ୍କ ମଧ୍ୟରୁ ଅନ୍ୟତମ କରିଥିଲା। ଆମଦାନୀ ପରିମାଣ 105.9 ବିଲିୟନ ଆମେରିକୀୟ ଡଲାର ଥିବାବେଳେ ରପ୍ତାନୀ ପରିମାଣ 56.3 ବିଲିୟନ ଆମେରିକୀୟ ଡଲାର ଥିଲା।

ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ ଉତ୍ପାଦ ହେଉଛି ଜିସିସି ଦେଶଗୁଡ଼ିକ ପାଇଁ ଭାରତକୁ ମୁଖ୍ୟ ରପ୍ତାନୀ ସାମଗ୍ରୀ। ଭାରତରୁ ରପ୍ତାନୀ ହେଉଥିବା ମୁଖ୍ୟ ସାମଗ୍ରୀ ମଧ୍ୟରେ ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ, ଅଳଙ୍କାର, ସିନ୍ଥେଟିକ୍ ଫାଇବର ଏବଂ ସୂତା, ବୟନଶିଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ। ବାଣିଜ୍ୟ ବାସ୍କେଟରେ ବିବିଧତା ଆଣିବା ଉପରେ ଅଧିକ ଧ୍ୟାନ ଦେଇ ଉଭୟ ପକ୍ଷର ବାଣିଜ୍ୟ ସମ୍ପର୍କ ସମ୍ପ୍ରସାରିତ ହେଉଛି। ଭାରତ-ୟୁଏଇ ବ୍ୟାପକ ଆର୍ଥିକ ଭାଗିଦାରୀ ରାଜିନାମା (ସିଇପିଏ) ଦୁଇ ଦେଶ ମଧ୍ୟରେ 18 ଫେବୃଆରୀ 2022 ରେ ସ୍ୱାକ୍ଷରିତ ହୋଇଥିଲା ଏବଂ 1ମେ 2022ରେ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହୋଇଥିଲା।

ଜିସିସି ଦେଶଗୁଡ଼ିକ ମଧ୍ୟ ବିଶେଷ କରି ସେମାନଙ୍କ ସାର୍ବଭୌମ ସମ୍ପଦ ପାଣ୍ଠି ମାଧ୍ୟମରେ ଭାରତରେ ଯଥେଷ୍ଟ ନିବେଶ କରିଛନ୍ତି।

ୟୁଏଇ ଏବଂ ସାଉଦୀ ଆରବ ମଧ୍ୟ ନୂତନ ଭାରତ-ମଧ୍ୟପ୍ରାଚ୍ୟ ଆର୍ଥିକ କରିଡର (ଆଇଏମଇଇସି)ର ବିକାଶ ପାଇଁ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି, ଯାହା ସେପ୍ଟେମ୍ବର 2023ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-20 ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଦୁଇଟି ପୃଥକ କରିଡର ରହିବ, ଯାହା ଭାରତକୁ ଉପସାଗର ସହିତ ସଂଯୋଗ କରୁଥିବା ପୂର୍ବ କରିଡର ଏବଂ ଉପସାଗରକୁ ୟୁରୋପ ସହିତ ସଂଯୋଗ କରୁଥିବା ଉତ୍ତର କରିଡର। ଏଥିରେ ଏପରି ଏକ ରେଳ ବ୍ୟବସ୍ଥା ସାମିଲ ହେବ, ଯାହା ଏକ ବିଶ୍ୱସନୀୟ ଏବଂ ବ୍ୟୟବହୁଳ ସୀମାପାର ଜାହାଜରୁ ରେଳ ପରିବହନ ନେଟୱାର୍କ ପ୍ରଦାନ କରିବ। ଏହା ବର୍ତ୍ତମାନର ସାମୁଦ୍ରିକ ଏବଂ ସଡ଼କ ପରିବହନ ମାର୍ଗକୁ ସହାୟକ ଏବଂ ଏହି ଦେଶଗୁଡ଼ିକ ମଧ୍ୟରେ ସାମଗ୍ରୀ ଏବଂ ସେବାଗୁଡ଼ିକର ପରିବହନକୁ ସକ୍ଷମ କରିବ।

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇଇସି)ର ପରିଚାଳନା ପାଇଁ ସହଯୋଗ ସଂକ୍ରାନ୍ତରେ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଏକ ଆନ୍ତଃସରକାରୀ ଫ୍ରେମୱାର୍କ ରାଜିନାମା (ଆଇଜିଏଫଏ) 13 ଫେବୃଆରୀ, 2024ରେ ସ୍ୱାକ୍ଷରିତ ହୋଇଥିଲା। ଏହି ଢାଞ୍ଚାର ମୁଖ୍ୟ ଉପାଦାନଗୁଡ଼ିକ ମଧ୍ୟରେ ଏକ ଡିଜିଟାଲ ଇକୋସିଷ୍ଟମ ସମେତ ଏକ ଲଜିଷ୍ଟିକ୍ସ ପ୍ଲାଟଫର୍ମର ବିକାଶ ଓ ପରିଚାଳନା ଏବଂ ଆଇଏମଇଇସିକୁ ସକ୍ଷମ କରିବା ପାଇଁ ସମସ୍ତ ପ୍ରକାରର ସାଧାରଣ କାର୍ଗୋ, ବୃହତ୍, କଣ୍ଟେନର ଏବଂ ତରଳ ବୃହତ୍ ପରିଚାଳନା ପାଇଁ ଯୋଗାଣ ଶୃଙ୍ଖଳା ସେବାର ବ୍ୟବସ୍ଥା ରହିଛି। ଆଇଏମଇଇସି ପଦକ୍ଷେପ ଅଧୀନରେ ଏହା ହେଉଛି ପ୍ରଥମ ରାଜିନାମା।

ଉପସାଗରୀୟ ଦେଶଗୁଡ଼ିକ ସହିତ ଭାରତର ଦୃଢ଼ ଇନ୍ଧନ ଭାଗିଦାରୀ ରହିଛି। ଆର୍ଥିକ ବର୍ଷ 2023-24ରେ ଜିସିସି ଦେଶଗୁଡ଼ିକ ସହିତ ମୋଟ ହାଇଡ୍ରୋକାର୍ବନ ବାଣିଜ୍ୟ 71 ବିଲିୟନ ଆମେରିକୀୟ ଡଲାର ଥିଲା। ଭାରତ ଓ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ଶକ୍ତି ଭାଗିଦାରୀକୁ କ୍ରେତା-ବିକ୍ରେତା ଠାରୁ ଅଧିକ ବ୍ୟାପକ ସମ୍ପର୍କକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛି। ଆମେ ସୌର ଏବଂ ସବୁଜ ହାଇଡ୍ରୋଜେନ ସମେତ ଅକ୍ଷୟ ଶକ୍ତି ଉପରେ ମଧ୍ୟ ଉପସାଗରୀୟ ଦେଶଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରୁଛୁ।

ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ସୁଦୃଢ଼ ଆପୋସ ସମ୍ପର୍କ ରହିଛି। ଉଚ୍ଚସ୍ତରୀୟ ଗସ୍ତ, ଦ୍ୱିପାକ୍ଷିକ ସମରାଭ୍ୟାସ, ଜାହାଜ ପରିଦର୍ଶନ, ତାଲିମ ଏବଂ ପ୍ରଦର୍ଶନୀରେ ଅଂଶଗ୍ରହଣ ସହିତ ଉପସାଗରୀୟ ଦେଶଗୁଡ଼ିକ ସହିତ ଭାରତର ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆତଙ୍କବାଦର ମୁକାବିଲା, ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ, ସାଇବର ସୁରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଛି। ବିଗତ ବର୍ଷଗୁଡ଼ିକରେ ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ପ୍ରତିରକ୍ଷା ଗସ୍ତ ହୋଇଛି।

ପ୍ରାୟ 9 ନିୟୁତ ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରନ୍ତି। ଜିସିସି ଦେଶଗୁଡ଼ିକରେ ପ୍ରବାସୀ ଭାରତୀୟମାନେ ଏହି ଅଞ୍ଚଳର ବିକାଶରେ ଏହାର ଅବଦାନ ପାଇଁ ସ୍ୱୀକୃତି ପାଇଛନ୍ତି ଏବଂ ଏହାର କଠିନ ପରିଶ୍ରମ, ଆଇନ ପାଳନ ଏବଂ ଶାନ୍ତିପୂର୍ଣ୍ଣ ପ୍ରକୃତି ପାଇଁ ମଧ୍ୟ ପ୍ରଶଂସିତ ହୋଇଛନ୍ତି।

ଉପସାଗର ଅଞ୍ଚଳକୁ ଭାରତ ନିଜର ‘‘ସମ୍ପ୍ରସାରିତ’’ ପଡ଼ୋଶୀ ବୋଲି ବିବେଚନା କରିଥାଏ। ଏହି କ୍ଷେତ୍ର କେବଳ ଆରବ ସାଗର ଦ୍ୱାରା ପୃଥକ ହୋଇଥାଏ। ଉପସାଗରୀୟ ଦେଶଗୁଡ଼ିକ (ଯଥା ବାହାରିନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇ) ଭାରତର ପ୍ରମୁଖ ବାଣିଜ୍ୟ ଏବଂ ନିବେଶ ଅଂଶୀଦାର ଭାବେ ଉଭା ହୋଇଛନ୍ତି। ଜିସିସି ଦେଶଗୁଡ଼ିକ ସାମୂହିକ ଭାବେ ପ୍ରାୟ 9 ନିୟୁତ ଭାରତୀୟ ନାଗରିକଙ୍କୁ ପ୍ରବାସୀ ଭାବେ ସ୍ୱୀକାର କରିଛନ୍ତି। ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ସାଂସ୍କୃତିକ ତଥା ନାଗରିକ ସମ୍ପର୍କ ଐତିହାସିକ ଭାବେ ଦ୍ୱିପାକ୍ଷିକ ସମ୍ପର୍କର ଆଧାର ହୋଇ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଓମାନରେ ଛାତ ଭୁଷୁଡି ଓଡିଆ ଶ୍ରମିକ ମୃତ; ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଛାତ ଭୁଷୁଡି ମୃତ ଓଡିଆ ଯୁବକ ବିପିନ ବିହାରୀ ସ୍ବାଇଁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ ଓମାନର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଡିସେମ୍ବର ୮ ତାରିଖରେ ଏକ ପ୍ରକଳ୍ପରେ କାମ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେହି କୋଠାର ଛାତ ଭୁଷୁଡି ମୃତ୍ୟୁ ବରଣ କରିଥିବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ।

ବିପିନଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ନିବେଦନ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ପରିବାର ପ୍ରତିପୋଷଣ ପାଇଁ ଚିଲିକାରୁ ଓମାନ ଯାଇଥିଲେ ତିନି ଶ୍ରମିକ: ଦୁର୍ଘଟଣାରେ ଚାଲିଗଲା ଜୀବନ

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ଶ୍ରମିକ ପରିବାର ପ୍ରତିପୋଷଣ ନିମିତ୍ତ ବାହାର ଦେଶକୁ ଯାଉଥିବା ବେଳେ ସେଠାରେ ବହୁ ସମସ୍ୟାକୁ ନେଇ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିଭଳି ବାଣପୁର ଥାନା ଅଧିନସ୍ଥ ମୁକ୍ତାଦେଇପୁର ଗ୍ରାମର ଵାଲା ମୁଦୁଲି (୫୦ ବର୍ଷ), ବାଲୁଗାଁ ଥାନା ଅଧିନସ୍ଥ ପ୍ରାଣଦେଇପୁର ଗ୍ରାମର ତପନ ବେହେରା (୪୬ବର୍ଷ), ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ରଘୁନାଥପୁର ଗ୍ରାମର ପଠାଣି ବେହେରା ଓମାନ ଦେଶର ଗୁଲଫର ଇଞ୍ଜିନିଅୟରି ଏଲଏଲସି କମ୍ପାନୀରେ କାର୍ଯ୍ୟରତ ଥିଲେ। ଫେବୃୟାରୀ ୧୭ ତାରିଖ ଦିନ ସମୁଦାୟ ୫୩ ଜଣ ଶ୍ରମିକ ବସ ମାଧ୍ୟମରେ ଆକାବା କଣ୍ଟାବରୁ ବୁଷ୍ଟାନ କବିର ରୋଡ଼ ଯାଉଥିଲେ। ଉକ୍ତ ବସଟି ଅନ୍ୟ ଏକ ଗାଡିକୁ ଅତିକ୍ରମ କରୁଥିବା ସମୟରେ ରୋଡରୁ ବହୁ ତଳକୁ ବସଟି ଖସି ପଡିଥିଲା।

ଓମାନ ପୋଲିସର ରିପୋର୍ଟ ମୁତାବକ ସେଠାରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ତିନିଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଥିଲା। ସେମାନଙ୍କ ମୃତ ଦେହ ଓଡିଶାକୁ ଆଣିବା ପାଇଁ ପରିବାର ଲୋକ ଚିନ୍ତାରେ ପଡିବା ସହ ରୋଜଗା କ୍ଷମ ଲୋକଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି।

ବାଣପୁର ଅଂଚଳର ଚମ୍ପାଦେଇପୁର ଗ୍ରାମର ସମାଜ ସେବୀ ତଥା ଭାରତୀୟ ଜୀବନବୀମା ନିଗମ ପୁରୀ ଶାଖାରେ କାର୍ଯ୍ୟରତ ବାବୁଲି କୁମାର ସାହୁ କମ୍ପାନୀର ମାନବ ସମ୍ବଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଇଭି ସାମଲ କୁମାର, ଭାରତୀୟ ଦୁତାବସର ଅଧିକାରୀ ରେଣୁ ଗୌତମଙ୍କ ସହ ଦୀର୍ଘ ପାଞ୍ଚ ଦିନ ଧରି ଯୋଗାଯୋଗ କରିବା ପରେ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇ ଶେଷରେ ୨୧ ତାରିଖରେ ମସ୍କଟରୁ ଦିଲ୍ଲୀ ଓ ୨୨ ତାରିଖରେ ଦିଲ୍ଲୀରୁ କୋଲକତା ଫ୍ଲାଇଟ ମାଧ୍ୟମରେ ମୃତ ଦେହ ପହଁଚିଥିଲା। ଏବଂ ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ତିନିଜଣଙ୍କ ମୃତ ଦେହ ନିଜ ଗ୍ରାମରେ ପହଂଚିବାର ବ୍ୟବସ୍ଥା ହୋଇଛି।

ଦୀର୍ଘ ଦଶ ବର୍ଷ ଧରି ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ କମ୍ପାନୀ ତରଫରୁ ସମସ୍ତ ପ୍ରକାର ବୀମା ଓ ବକେୟା ପ୍ରାପ୍ୟ ଯଥା ସମ୍ଭବ ପ୍ରଦାନ କରିବେ ବୋଲି ଓମାନ ଦେଶର ଶ୍ରମ ବିଭାଗ ପ୍ରତିଶୃତି ଦେଇଛି। ସେମାନଙ୍କର ମୃତ୍ୟୁ ଖବର ଶୁଣି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ଵକପ: ଭାରତୀୟ ଦଳରେ ସାମିଲ ହେବେ ମୁମ୍ବାଇ ଖେଳାଳି, ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ସନ୍ଦେହ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ ପରେ, ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ୍ ଆରମ୍ଭ ହେବ। ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିରୋଧ ମ୍ୟାଚ୍ ସହିତ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳରେ ସାମିଲ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ଆଜି ଟିମ୍ ହୋଟେଲରେ ପ୍ରବେଶ କରିବେ। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଲିଗ୍ ପର୍ଯ୍ୟାୟରୁ ବାହାର ହୋଇଛି। ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଦଳରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମ୍ରା ଏବଂ ରାହୁଲ ଚହର ଅନ୍ତର୍ଭୁକ୍ତ। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ସସପେନ୍ସ ଜାରି ରହିଛି।

ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ଏହି ଖେଳାଳିମାନେ ପ୍ଲେ ଅଫ୍ ରାଉଣ୍ଡରେ ପ୍ରବେଶ କରିପାରିନଥିଲେ, ସେମାନେ ବର୍ତ୍ତମାନ ଟି -୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବାକୁ ବ୍ୟାକୁଳ ଅଛନ୍ତି।

ଟିମ୍ ଇଣ୍ଡିଆ ସୂତ୍ର ଅନୁଯାୟୀ, “ହାର୍ଦ୍ଦିକ ପାଣ୍ଡ୍ୟା କେବଳ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବେ କି ନାହିଁ, ଏହି ନିଷ୍ପତ୍ତି ଦଳ ପରିଚାଳନା ତଥା ପରାମର୍ଶଦାତା ଏମଏସ ଧୋନି ଠିକ୍ ସମୟରେ ଗ୍ରହଣ କରିବେ। ଦଳ ପାଇଁ କ’ଣ ସର୍ବୋତ୍ତମ ହେବ, ତାହା ସେଠାରେ ସ୍ଥିର କରାଯିବ। ଭାରତର ମଧ୍ୟମ ସ୍ଥାନରେ ଖେଳାଳିଙ୍କ ଅଭିଜ୍ଞତାର ଅଭାବ ରହିଛି, ତେଣୁ ଏହି ସବୁକୁ ଦେଖି ନିଷ୍ପତ୍ତି ନେବାକୁ ପଡିବ।

ଉଲ୍ଲେଖ ଯୋଗ୍ୟ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ଆଇପିଏଲରେ ଗୋଟିଏ ବି ବଲ୍ ବୋଲିଂ କରିନାହାଁନ୍ତି। ତେବେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ଭାରତର ସୀମିତ ଓଭର ସିରିଜରେ ପାଣ୍ଡ୍ୟା ଛୋଟ ଛୋଟ ସ୍ପେଲରେ ବୋଲିଂ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ଵକପରେ ଭାରତକୁ ପରାସ୍ତ କରିବା କୌଣସି ଦଳ ପାଇଁ ସହଜ ହେବ ନାହିଁ: ଡାରେନ୍ ସାମି

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ଭାରତ ଦଳ ବହୁତ ଶକ୍ତିଶାଳୀ ଏବଂ ଏହାକୁ ପରାସ୍ତ କରିବା କୌଣସି ଦଳ ପାଇଁ ସହଜ ହେବ ନାହିଁ। ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ୍ ସାମି ଏଭଳି ମତାମତ ରଖିଛନ୍ତି। ୟୁଏଇ ଏବଂ ଓମାନରେ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ମଧ୍ୟରେ ଟି -୨୦ ବିଶ୍ୱକପ ଖେଳାଯିବ। ଅଲରାଉଣ୍ଡର ଡାରେନ୍ ସାମି କହିଛନ୍ତି ଯେ, ଯଦି କୌଣସି ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାସଲ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ପ୍ରଥମେ ଭାରତର ଶକ୍ତିଶାଳୀ ଦଳକୁ ପରାସ୍ତ କରିବାକୁ ପଡିବ। ଯାହା ଏତେ ସହଜ ନୁହେଁ।

ଆଇପିଏଲ୍ ତଥା ଘରୋଇ ଟୁର୍ଣ୍ଣାମେଣ୍ଟ ଯୋଗୁଁ ସେମାନଙ୍କ ଖେଳାଳିଙ୍କ ଟି -୨୦ କ୍ରିକେଟ୍ ର ଏକ ବଡ଼ ଅଭିଜ୍ଞତା ରହିଛି। ବିଶ୍ୱର ଅନେକ ବଡ ବଡ ଖେଳାଳି ଆଇପିଏଲରେ ଅଂଶ ଗ୍ରହଣ କରିଥାନ୍ତି। ଫଳରେ ଭାରତୀୟ ଦଳକୁ ଏହାର ଲାଭ ମିଳିଥାଏ। ୱେଷ୍ଟଇଣ୍ଡିଜ୍ ଅଧିନାୟକତ୍ୱରେ ଦୁଇଟି ଟି -୨୦ ବିଶ୍ୱକପ୍ ଜିତିଥିବା ସାମି କହିଛନ୍ତି, “ଦିନିକିଆ ବିଶ୍ୱକପ୍ ପରେ ଏହା ସବୁଠାରୁ କଷ୍ଟସାଧ୍ୟ ଟୁର୍ଣ୍ଣାମେଣ୍ଟ। ଏଠାରେ ଖେଳାଳିମାନେ କ୍ରମାଗତ ଚାପରେ ରହିବେ ଏବଂ ଏହି ଚାପରୁ ବାହାରିବା ପାଇଁ ଭାରତକୁ ପ୍ରତ୍ୟେକ ସୂତ୍ର ଜଣାଅଛି।”

ଡାରେନ୍ ସାମି କହିଛନ୍ତି, “୨୦୧୬ ମସିହାରେ ଟି -୨୦ ବିଶ୍ୱକପ ପୂର୍ବରୁ, ଆମ ପ୍ରଶିକ୍ଷକଙ୍କ ସମେତ ସମଗ୍ର ଦଳ ବିଶ୍ବାସ କରିଥିଲେ ଯେ, ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଭାରତକୁ ହରାଇବା

ସେ ଆହୁରି କହିଛନ୍ତି ଯେ, “ଯେକୌଣସି ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଭାରତକୁ ହରାଇବାକୁ ପଡିବ। ଗତ ଆଇସିସି ଟୁର୍ନାମେଣ୍ଟଗୁଡିକରେ ନଜର ପକାଇଲେ, ସ୍ପଷ୍ଟ ଜଣାପଡେ ଯେ, ଭାରତକୁ ପରାସ୍ତ ନକରି କୌଣସି ଦଳ ଟାଇଟଲ୍ ଜିତି ପାରିବେ ନାହିଁ।”

ଅକ୍ଟୋବର ୧୭ ତାରିଖରୁ ବିଶ୍ଵକପ ଟି-୨୦ର ଯୋଗ୍ୟତା ପର୍ଯ୍ୟାୟ:

ଉଭୟ ଗ୍ରୁପ୍-୧ ଏବଂ ଗ୍ରୁପ୍-୨ ସମେତ ମୋଟ ଆଠଟି ଦଳ ସୁପର-୧୨ ରେ ସ୍ଥାନ ପାଇ ସାରିଛନ୍ତି। ଏହି ଆଠଟି ଦଳକୁ ଦୁଇଟି ଗୃପ ଯଥା ଗ୍ରୁପ୍ ଏ ଏବଂ ଗ୍ରୁପ୍ ବିରେ ବିଭକ୍ତ କରାଯାଇଛି। ବର୍ତ୍ତମାନ ସୁପର-୧୨ ରେ ପ୍ରବେଶ କରିବାକୁ ପ୍ରଥମ ରାଉଣ୍ଡରେ ଆଠଟି ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ପଡିବ। ଏହି ୮ ଟି ଦଳରୁ ୪ ଦୁଇଟି ଗୃପର ଶ୍ରେଷ୍ଠ ୪ ଟି ଦଳ ସୁପର-୧୨ ପାଇଁ ଉନ୍ନୀତ ହେବେ।

ଅକ୍ଟୋବର ୧୭ ତାରିଖରେ ଆୟୋଜକ ଓମାନ ଏବଂ ପାପୁଆ ନ୍ୟୁ ଗିନି (ପିଏନଜି) ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ୍ ବି ର ପ୍ରଥମ ଯୋଗ୍ୟତା ମ୍ୟାଚ୍ ସହିତ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସେହି ଦିନ ଦ୍ୱିତୀୟ ମ୍ୟାଚ୍ ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଗ୍ରୁପ୍ ବିରେ, ଆୟର୍ଲାଣ୍ଡ-ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା-ନାମିବିଆ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୮ ତାରିଖ ରେ ଆବୁଧାବିରେ ଖେଳାଯିବ।

ବିସିସିଆଇ “ଟି -୨୦ ବିଶ୍ୱକପ୍ ର ଆୟୋଜକ ହେବ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମ ଏବଂ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ।

ଦ୍ୱିତୀୟ ରାଉଣ୍ଡ ସୁପର-୧୨:

ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ସହିତ ଭାରତ ଗ୍ରୁପ -୨ ରେ ସ୍ଥାନ ପାଇଛି। ଯୋଗ୍ୟତା ପର୍ଯ୍ୟାୟ ପରେ ଏଥିରେ ଗ୍ରୁପ୍ ବି ର ବିଜେତା ଦଳ ଏବଂ ଗ୍ରୁପ୍ ଏ ର ରନର୍ ଅପ୍ ଦଳ ଅନ୍ତର୍ଭୁକ୍ତ ହେବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଗ୍ରୁପ୍ -୧ ରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ପ୍ରଥମ ରାଉଣ୍ଡ ପରେ ଏଥିରେ ଗ୍ରୁପ୍ -ଏ ର ବିଜେତା ଦଳ ଏବଂ ଗ୍ରୁପ୍ -ବି ରନର୍ ଅପ୍ ଦଳ ଅନ୍ତର୍ଭୁକ୍ତ ହେବ।

ଅକ୍ଟୋବର-୨୩ ତାରିଖରୁ ସୁପର-୧୨ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍ -୧ ରେ ଅନ୍ତର୍ଭୁକ୍ତ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ସେହି ଦିନ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସଂଘର୍ଷ ହେବ।

ଭାରତ ଦଳର କାର୍ଯ୍ୟସୂଚୀ:

ଅକ୍ଟୋବର ୨୪ ତାରିଖ: ଭାରତ ବନାମ ପାକିସ୍ଥାନ
ଅକ୍ଟୋବର ୩୧ ତାରିଖ: ଭାରତ ବନାମ ନ୍ୟୁଜିଲାଣ୍ଡ
ନଭେମ୍ବର ୩ ତାରିଖ: ଭାରତ ବନାମ ଆଫଗାନିସ୍ତାନ
ନଭେମ୍ବର ୫ ତାରିଖ: ଭାରତ ବନାମ କ୍ୱାଲିଫାୟର୍ସ (ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ୍ ବି ର ବିଜେତା)
ନଭେମ୍ବର ୮ ତାରିଖ: ଯୋଗ୍ୟତା ବନାମ ଭାରତ (ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ୍ ଏରୁ ରନର୍ ଅପ୍ ଦଳ)

ସେମିଫାଇନାଲ ଏବଂ ଅନ୍ତିମ କାର୍ଯ୍ୟସୂଚୀ:

ନଭେମ୍ବର ୧୦ ତାରିଖ: ପ୍ରଥମ ସେମିଫାଇନାଲ
ନଭେମ୍ବର ୧୧ ତାରିଖ : ଦ୍ୱିତୀୟ ସେମିଫାଇନାଲ
ନଭେମ୍ବର ୧୪ ତାରିଖ: ଫାଇନାଲ୍
ନଭେମ୍ବର ୧୫ ତାରିଖ: ଫାଇନାଲ୍ ପାଇଁ ରିଜର୍ଭ ଦିନ

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଘୋଷଣା ହେଲା ଟି-୨୦ ବିଶ୍ଵକପର ତାରିଖ: ୟୁଏଇ ଏବଂ ଓମାନରେ ଖେଳାଯିବ ମ୍ୟାଚ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ହେବାକୁ ଥିବା ଚଳିତ ବର୍ଷ ଟି-୨୦ ବିଶ୍ଵକପ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରଣ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେବା ପରେ ଆଇସିସି ଏହାର ଖେଳ ସୂଚୀ ଜାରି କରିଛି। ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ଵକପ ଖେଳାଯିବ। ଏହା ୟୁଏଇ ଏବଂ ଓମାନରେ ଆୟୋଜନ କରାଯିବ।

ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଟି କ୍ଵାଲିଫାଇଂ ଟିମ ଭାଗ ନେବେ। ଏଥିରୁ ୪ ଟି ଟିମ ସୁପର-୧୨ କୁ ଉନ୍ନତି ହେବେ। କ୍ଵାଲିଫାଇଂ ଟିମ ଗୁଡିକ ହେଲେ- ବାଂଲାଦେଶ, ଶ୍ରୀଲଙ୍କା, ଆୟାରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିୟା, ଓମାନ ଏବଂ ପାପୁଆ ନ୍ୟୁ ଗିନୀ । ଏହି ୮ ଟିମ ମଧ୍ୟରୁ ୪ ଟି ଟିମ ଆଗାମୀ ପର୍ଯ୍ୟାୟ ତଥା ସୁପର-୧୨ରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଟି-୨୦ ବିଶ୍ଵକପର ଫାଇନାଲ ମ୍ୟାଚ ନଭେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ।