Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବୃଦ୍ଧି ପାଇଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର: ଆପଣମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା, ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଈଶ୍ୱରଙ୍କ ପରିକଳ୍ପନାରେ ମଣିଷ ହିଁ ଏଭଳି ଏକ ସୃଷ୍ଟି, ଯିଏ ସର୍ଜନା କରିପାରେ, ଭାବିପାରେ ଓ ନିର୍ମାଣ କରିପାରେ। ଗଢିବାର ପ୍ରକ୍ରୟା ଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ସିମେଣ୍ଟ, ବାଲି, ଗୋଡିକୁ ବ୍ୟବହାର କରି ଗଢି ପାରନ୍ତି ସୁନ୍ଦର ଅଟ୍ଟାଳିକା। ଲୁହା, ଇସ୍ପାତ, ଆଲୁମିନିୟମକୁ ବ୍ୟବହାର କରି ତିଆରି କରନ୍ତି କଳ କାରଖାନା।

ପିଚୁ, ଗୋଡି, ବଜୁରିକୁ ମିଶ୍ରଣ କରି ନିର୍ମାଣ କରନ୍ତି ସୁନ୍ଦର ରାସ୍ତା। ତେଣୁ ଯଥାର୍ଥରେ ସେମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାତା । ନିର୍ମାଣ କ୍ଷେତ୍ର କେବଳ ଆମ ଅର୍ଥନୀତିକୁ ସମୃଦ୍ଧ କରେ ନାହିଁ, ଏହା ମଧ୍ୟ ବ୍ୟାପକ କର୍ମସଂସ୍ଥାନ ଯୋଗାଇଥାଏ। ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳେ ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ବୈଷୟିକ ବିଦ୍ୟାର ସମିଶ୍ରଣ। ଭୁବନେଶ୍ୱରକୁ ଆଧୁନିକତାର ରୂପ ଦେବାର ବିନ୍ଧାଣୀ ହେଉଛନ୍ତି ଆମର ଏହି ଶ୍ରମିକ ଭାଇମାନେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଶ୍ରମିକ ଭାଇମାନଙ୍କ ଅଭାବ ଅସୁବିଧା ଓ ପ୍ରତିକୂଳତାକୁ ସରକାର ଗୁରୁତ୍ୱର ସହ ଦୃଷ୍ଟି ରଖିଛନ୍ତି। ସେମାନେ କିପରି ସୁରକ୍ଷିତ ରହିବେ, ସେମାନଙ୍କ ଅଭାବ, ଅସୁବିଧା ସମୟରେ, ସେବା ନିବୃତ ହେବା ପରେ କିମ୍ବା ଦୁର୍ଘଟଣା ଅଥବା ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରର ମଙ୍ଗଳକୁ ଦୃଷ୍ଟିରେ ରଖି ଗଢା ହୋଇଛି ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’।

ସେଥିପାଇଁ ସମସ୍ତେ ତାଙ୍କର ସାମାଜିକ ନିରାପତ୍ତା ପାଇବା ପାଇଁ ବୋର୍ଡରେ ନିଜ ନିଜର ନାମ ପଞ୍ଜିକୃତ କରିବା ଆବଶ୍ୟକ। ଅସୁବିଧା ସମୟରେ, ଏହି ସଂସ୍ଥା କେବଳ ଏକ ସରକାରୀ ସଂସ୍ଥା ନୁହେଁ, ବରଂ ଆପଣଙ୍କ ପ୍ରିୟ ବନ୍ଧୁ ଭାବେ ମଧ୍ୟ ସାବ୍ୟସ୍ତ ହେବ। ପ୍ରତି ଜିଲ୍ଲାରେ ଆପଣଙ୍କୁ ସାହଯ୍ୟ କରିବା ପାଇଁ ଶ୍ରମ ଅଧିକାରୀମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ‘ମୋ ସେବା’ ନାମରେ ଏକ ପୋର୍ଟାଲ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି।

ନିର୍ମାଣ ଶ୍ରମିକଙ୍କ ପରିବାରର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବୋର୍ଡ ପକ୍ଷରୁ ଏସବୁ ସୁବିଧା ସୁଯୋଗ କରାଯାଇଛି। ତେଣୁ ଆପଣମାନେ ସମସ୍ତେ ନିଜକୁ ଏହି ‘ଶ୍ରମିକ କଲ୍ୟାଣ ବୋର୍ଡ’ ରେ ସାମିଲ କରନ୍ତୁ ଓ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନିଅନ୍ତୁ। ଆମ ସରକାର ଆପଣମାନଙ୍କ ସହିତ ଅଛି ଓ ସବୁବେଳେ ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ କଲ୍ୟାଣାର୍ଥେ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ଏବଂ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ।

ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ମାଣ କାର୍ଯରେ ନିୟୋଜିତ ଶ୍ରମିକମାନଙ୍କ କଲ୍ୟାଣ ଓ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ପରିବାର ସଦସ୍ୟକୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଗାଇ ଦେବା।

ସେ କହିଥିଲେ ଯେ ଆଜି ଆମେ ଯାହା ବି ଆଧୁନିକତା ଦେଖୁଛୁ ନିର୍ମାଣ ଶ୍ରମିକଙ୍କ ଏଥିରେ ମହତ୍ୱପୂର୍ଣ୍ଣ ଶ୍ରମଦାନ ରହିଛି। ପାଖାପାଖି ୪୩ ଲକ୍ଷ ନିର୍ମାଣ ଶ୍ରମିକ ବୋର୍ଡ ଦ୍ୱାରା ପଞ୍ଜିକୃତ ହୋଇଛନ୍ତି। ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକମାନଙ୍କ ପାଖକୁ ଯାଇ ସେମାନଙ୍କୁ ସଚେତନ କରି ସେମାନଙ୍କ ନାମ ପଞ୍ଜିକରଣ କରୁଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ଦିଗରେ ଆମ ଶ୍ରମଜୀବୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବିକଶିତ ଓଡିଶା ଗଠନରେ ନିର୍ମାଣ ଶ୍ରମିକଙ୍କ ବହୁତ ବଡ ଯୋଗଦାନ ରହିବ। ଆପଣଙ୍କ ସୁରକ୍ଷା ଆମ ପାଇଁ ବହୁ ଗୁରୁତ୍ୱ ରଖେ ଏବଂ ଆପଣମାନେ ମନରେ ବଡ ବଡ ସ୍ୱପ୍ନ ରଖନ୍ତୁ । ଏହା ଦ୍ୱାରା ରାଜ୍ୟ ଏବଂ ଆପଣଙ୍କ ପରିବାରର ବିକାଶ ହେବ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରୁ ହିତାଧିକାରୀଙ୍କ ପରିବାରର ଏମ୍.ଟେକ୍ କରିଥିବା କାଦମ୍ବିନୀ ସାହୁ, ନିର୍ମାଣ ଶ୍ରମିକ କଲ୍ୟାଣ ଛାତ୍ରବୃତ୍ତି ସହାୟତା ଯୋଗୁ ଆଜି ଉଚ୍ଚ ଶିକ୍ଷା କରି ସେ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଖଲିକୋଟ ଅଞ୍ଚଳର କାଠ ମିସ୍ତ୍ରୀ ନିରାକାର ମହାରଣା ସରକାରୀ ଅଧିକାରୀ ତାଙ୍କ ପାଖକୁ ଯାଇ ନାମ ପଞ୍ଜିକରଣ କରି ପରିଚୟ ପତ୍ର ଦେଇଥିବାରୁ ଧନ୍ୟବାଦ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାର ପ୍ରଭାତି ନାୟକଙ୍କୁ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ଚେକ୍, ରେବତି ଦାସଙ୍କୁ ପ୍ରସୂତି କାଳୀନ ସହାୟତା ୧୦ ହଜାର ଟଙ୍କାର ଚେକ୍, ମଦନ ମହାଲିଙ୍ଗଙ୍କୁ ପୁଅର ଶିକ୍ଷାବୃତ୍ତି ପାଇଁ ୧୦ ହଜାର ଟଙ୍କାର ଚେକ୍, ମନମୋହନ ପ୍ରଧାନଙ୍କୁ ଝିଅର ଉଚ୍ଚ ଶିକ୍ଷା ପାଇଁ ୪୮ ହଜାର ଟଙ୍କାର ଚେକ୍ ଓ ସ୍ୱର୍ଗତ ନରେନ୍ଦ୍ର ବେହେରାଙ୍କ ପତ୍ନୀ ସୁଷମା ବେହେରାଙ୍କୁ ୨ ଲକ୍ଷ ୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

ସେହିପରି କଟକ ଜିଲ୍ଲାର ସୁଶିଳା ପ୍ରଧାନ ଓ ବିନୋଦିନୀ ଦେବତାଙ୍କୁ ସେମାନଙ୍କ ସ୍ୱାମୀଙ୍କ ସ୍ୱଭାବିକ ମୃତ୍ୟୁ ପାଇଁ ମୃତ୍ୟୁକାଳୀନ ସହାୟତା ବାବଦରେ ୨ ଲକ୍ଷ ୫ ହଜାର ଟଙ୍କା, ବାଲୋ ବିବି ଓ ହିରୋ ମଲିକଙ୍କୁ ବିବାହ ସହାୟତା ବାବଦକୁ ୫୦ ହଜାର ଟଙ୍କା ଏବଂ ଦିଲ୍ଲିପ ସାହୁଙ୍କ ଝିଅ ପାଇଁ ଶିକ୍ଷାବୃତ୍ତି ବାବଦକୁ ୪୮ ହଜାର ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ସ୍ୱାଗତ ଭାଷଣ ଦେଇଥିଲେ ଓ ଶ୍ରମ କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବହୁସଂଖ୍ୟକ ଶ୍ରମିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୫୯ ଜଣ ଶ୍ରମିକଙ୍କୁ ୧ କୋଟି ୧୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୭୨ ଜଣ ଶ୍ରମିକଙ୍କ ଉତ୍ତରାଧିକାରୀ ବା ମନୋନିତ ବ୍ୟକ୍ତିଙ୍କୁ ମୃତ୍ୟୁକାଳୀନ ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୭୫ ଲକ୍ଷ ୭୦ ହଜାର ଟଙ୍କା, ବିବାହକାଳୀନ ସହାୟତା ବାବଦରେ ୭୨ ଜଣଙ୍କୁ ୩୪ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୧୦୭ ଜଣଙ୍କୁ ୭ ଲକ୍ଷ ୬୭ ହଜାର ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୮ ଜଣଙ୍କୁ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ସର୍ବମୋଟ ୨୫୯ ଜଣଙ୍କୁ ୧ କୋଟି ୧୮ ଲକ୍ଷ ୬୭ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶେ୍ୱତାସ୍ନିଗ୍ଧା ମିଶ୍ର, ମୁଖ୍ୟ ଅତିଥି ଏବଂ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶାର ଶ୍ରମ ଆୟୁକ୍ତ ଡାକ୍ତର ଏନ .ତିରୁମାଲା ନାୟକ ଓ ଅତିରିକ୍ତ ଶ୍ରମ ଆୟୁକ୍ତ ନୀଳାମ୍ବର ମିଶାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୨୪୩ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା ।

ଏହି ଶିବିରକୁ ବିଭାଗିୟ ଶ୍ରମ ଆୟୁକ୍ତ ଭୁବନେଶ୍ୱର ଶ୍ରୀ ପ୍ରଣବ କୁମାର ପାତ୍ର ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀ ପ୍ରଭାକର ବିଶ୍ୱାଳ ସ୍କିମ ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ରଶ୍ମିତା କୁମାରୀ ପାତ୍ର, ବିକାଶ କୁମାର ନାୟକ ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଓ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ଶିବ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ପରିଶେଷରେ ପିପାସା ମହାପାତ୍ର, ସହକାରୀ ଶ୍ରମ ଅଧିକାରୀ, ଭୁବନେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ରାଜ୍ୟ ଶ୍ରମ କମିଶନରଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ

ଭୁବନେଶ୍ୱର : ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ରାଜ୍ୟ ଶ୍ରମ କମିଶନରଙ୍କୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୦୧.୦୫.୨୦୨୨ରିଖରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ସମସ୍ତ କାର୍ଯ୍ୟ ଯଥା ବାର୍ଷିକ ଦେୟ, ଶିକ୍ଷା, ବିବାହ, ମୃତ୍ୟୁକାଳୀନ ସହାୟତା ଓ ନୂତନ ଭାବେ ପଞ୍ଜିକରଣ କାର୍ଡ଼ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ ବୋଲି ଶ୍ରମ ଓ କର୍ମଚାରୀ ନିୟୋଜନ ମନ୍ତ୍ରୀଙ୍କ ଦ୍ୱାରା ଏକ ପୋର୍ଟାଲ ଜୟଦେବ ଭବନଠାରେ ଉନ୍ମୋଚନ କରାଯାଇଛି ।

ଓଡ଼ିଶାରେ ୨୦୦୯ ମସିହା ଠାରୁ ଏପର୍ଯ୍ୟନ୍ତ ସମସ୍ତ ପଞ୍ଜିକୃତ ୟୁନିୟନମାନେ ସରକାର ଗରିବ ନିର୍ମାଣ ଶ୍ରମିକ ଭାଇଭଉଣୀଙ୍କର କଲ୍ୟାଣ ପାଇଁ ୟୁନିୟନମାନଙ୍କ ସହାୟତା ନେଇ ଉକ୍ତ ବ୍ୟବସ୍ଥାର ଲୋକାଭିମୁଖୀ ହୋଇପାରିଛି । ପରନ୍ତୁ କୌଣସି ଆଲୋଚନା, ପର୍ଯ୍ୟାଲୋଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ୟୁନିୟନମାନଙ୍କ ସଚେତନତା ଶିବିର ନକରାଇ ହଠାତ୍ କାର୍ଯ୍ୟକ୍ରମ ଲଦି ଦେବା ଦ୍ୱାରା ୟୁନିୟନ ଓ ଶ୍ରମିକମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ଛିଡ଼ା କରାଇଛି । ଯାହାକି ଶ୍ରମିକମାନଙ୍କର ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ପୂର୍ବ ତ୍ରୁଟି ବିଚ୍ୟୁତିକୁ ସମାଧାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ୟୁନିୟନମାନଙ୍କୁ ନେଇ ଏକ କର୍ମଶାଳା ନିମନ୍ତେ ଦାବି କରାଯାଇଛି । ଅନଲାଇନ୍ ଓ ଅପଲାଇନ୍ ଦୁଇଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ, ପୂର୍ବରୁ ମଞ୍ଜୁର ହୋଇଥିବା ବ୍ୟାଙ୍କ/ଡ଼ାଟାଏଣ୍ଟ୍ରି ଅପରେଟରଙ୍କ ତ୍ରୁଟି ଯୋଗୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସଂଶୋଧନ କରି ବିବାହ, ମୃତ୍ୟୁକାଳୀନ, ଶିକ୍ଷା ଓ ଅନ୍ୟାନ୍ୟ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ, ବାର୍ଷିକ ଦେୟ ଅନଲାଇନ ଓ ଅଫଲାଇନ ଦୁଇଟି ବ୍ୟବସ୍ଥା ଚାଲୁ କରାଯାଉ, ଶିକ୍ଷା ସହାୟତା ପାଇଁ ଅନଲାଇନରେ ଦେଖା ଦେଇଥିବା ଅନେକ ଜଟିଳତାକୁ ଦୂର କରି ସରଳୀକରଣ କରାଯାଉ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ୟୁନିୟନର ପ୍ରାଧିକୃତ ପ୍ରତିନିଧିଙ୍କୁ ଆଇକାର୍ଡ଼ ଦେବାର ବ୍ୟବସ୍ଥା କରାଯାଉ, ସାରା ଓଡ଼ିଶାରେ ଏକ ପ୍ରକାର ନିର୍ମାଣ ଶ୍ରମିକ ଆଇନ୍ ପ୍ରଚଳନ କରାଯାଉ, ପ୍ରତି ଜିଲ୍ଲାରେ ୟୁନିୟନ ତରଫରୁ ଜଣେ ଲେଖାଏଁ ପ୍ରାଧିକୃତ ପ୍ରତିନିଧିଙ୍କୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଉ, ପୂର୍ବରୁ ପଡ଼ିରହିଥିବା ଆବେଦନ ଫର୍ମକୁ ତୁରନ୍ତ ପଞ୍ଜିକରଣ କରି କାର୍ଡ଼ ପ୍ରଦାନ କରିବା ଆଦି ୮ ଦଫା ସମ୍ବଳିତ ଦାବିପତ୍ର ଶ୍ରମ କମିଶନରଙ୍କୁ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଫେଡ଼େରେସନର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ, ସାଧାରଣ ସମ୍ପାଦକ ପଞ୍ଚାନନ ମହାରଣା, ଉପସଭାପତି ଭାଗିରଥୀ ସେନାପତି, ଯୁଗ୍ମ ସମ୍ପାଦକ ସୁନିଲ କୁମାର ଗୌଡ଼, ଇନ୍ଦ୍ରମଣି ଜେନା, ମାନସ ଦାସ, ମନୋରଞ୍ଜନ ସାହୁ, ସଞ୍ଜୀବ ମହାନ୍ତି, ପରମାନନ୍ଦ ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।