କୈଳାସ ଚନ୍ଦ୍ର ଦାଶ
ଊନବିଂଶ ଶତକର ଶେଷଭାଗରୁ ବିଂଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ ଓଡିଶାରେ ସମାଜ ସଂସ୍କୃତି କ୍ଷେତ୍ରରେ ଅବିସ୍ମରଣୀୟ ଆଲୋଡନରେ ନାରୀମାନଙ୍କର ଭୂମିକା ଉପରେ ଆବଶ୍ୟକ ଗୁରୁତ୍ୱ ଦିଆଯିବା ଉଚିତ। ଏହି କାଳରେ ନାରୀଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପତ୍ରପତ୍ରିକାମାନଙ୍କରେ ନାରୀମାନଙ୍କର ଲେଖା ତଥା ନାରୀ ସମସ୍ୟା ସମ୍ପର୍କରେ ବିସ୍ତାରିତ ଆଲୋଚନା ହୋଇଥିଲା। ୧୮୯୦ ବେଳକୁ ଆଶା ମାସିକ ପତ୍ର ଏକ ମହିଳା ପତ୍ରିକାରେ ପରିଣତ ହୋଇଥିଲା। ଏହି କାଳର ଶିକ୍ଷିତା ମହିଳାମାନଙ୍କ ମଧ୍ୟରେ ସୁଲକ୍ଷଣା ଦେବୀ, ରେବା ରାୟ, ବସନ୍ତକୁମାରୀ ଦେବୀଙ୍କ ପରି ଅନ୍ନପୂର୍ଣ୍ଣା ନାରୀ ଜାଗରଣ ପାଇଁ ପ୍ରବଳ ଉଦ୍ୟମ କରିଥିଲେ। ଫକୀରମୋହନ ସେନାପତି ଉକ୍ରଳବାସୀରେ ୧୯୦୮ ଡିସେମ୍ବର ୮ରେ ତାଙ୍କର ମୂଲ୍ୟାୟନ କରିଥିଲେ। ଚନ୍ଦ୍ରମୋହନ ମହାରଣା ପ୍ରଜାବନ୍ଧୁରେ ୧୯୦୫ ଫେବୃଆରୀ ୧୫ରେ ତାଙ୍କ ସମ୍ପର୍କରେ ଲେଖିଥିଲେ-ବନର ମାଳତୀ ଫୁଟି ବିଜନ ବନରେ/ମର୍ତ୍ତ୍ୟଲୀଳା ସାଂଗକରେ ବିଧିବିଧାନରେ //ମାନବ ମଧ୍ୟରେ ଥାଏ ବନର ମାଳତୀ/ଉକ୍ରଳ ଅରଣ୍ୟେ ଅନ୍ନପୂର୍ଣ୍ଣା ସରସ୍ୱତୀ// ଏପରି ମୂଲ୍ୟାୟନରୁ ଜଣାପଡେ ଯେ ସେତେବେଳର ଓଡିଆ ମାନସକୁ ଅନ୍ନପୂର୍ଣ୍ଣା ବେଶ୍ ପ୍ରଭାବିତ କରିପାରିଥିଲେ।
ଗଞ୍ଜାମର ଚିକିଟି ତାଲୁକରେ ଗୋବିନ୍ଦ ପଟ୍ଟନାୟକ ଓ ସୁଭଦ୍ରା ଦେବୀଙ୍କ କନ୍ୟା ଅନ୍ନପୂର୍ଣ୍ଣା। ଜନ୍ମ ୧୮୮୩ ଏବଂ ମୃତ୍ୟୁ ୧୯୪୮। ତାଙ୍କର ଶୈଶବ ମାନସର ପରିଗଠନରେ ଶିକ୍ଷାର ଭୂମିକା ଯେତେନୁହେଁ ତାଠାରୁ ଅଧିକ ଥିଲା ପରିବେଶର ପ୍ରଭାବ। ସେ ଗ୍ରାମ୍ୟ ଚାଟଶାଳୀର ଏରୁଣ୍ଡି ଡେଇଁ ବାହାରକୁ ଯାଇନାହାନ୍ତି। ଗାଁର ଚୌପାଢୀ ଓ ଅବଧାନୀ ଶିକ୍ଷା ମଧ୍ୟରେ ତାଙ୍କର ଅଧ୍ୟୟନ ସୀମିତ। ସେ ଆପଣା ଉଦ୍ୟମରେ ପିତାମାତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଚୀନ ଓଡିଆ ଗ୍ରନ୍ଥ ପାଠରୁ ଅନେକ ଶିକ୍ଷା ପାଇଥିଲେ। ମାତ୍ର ୧୭ ବର୍ଷ ବୟସରେ ଗଞ୍ଜାମ ପୁରୁଷୋତ୍ତମ ପୁର ଗ୍ରାମର ତରୁଣ ଶ୍ରୀରାମ ପଟ୍ଟନାୟକଙ୍କ ସହିତ ୧୯୦୦ ମସିହା ମେ ମାସରେ ବିବାହ ସମ୍ପନ୍ନ ହେଲା। ଶ୍ରୀରାମ ପଟ୍ଟନାୟକ ଥିଲେ ବଡଖେମୁଣ୍ଡି ରାଜାଙ୍କର ଜଣେ କର୍ମଚାରୀ। ତେଣୁ ବଡଖେମୁଣ୍ଡି ଥିଲା ତାଙ୍କ ଦାମ୍ପତ୍ୟ ଜୀବନର ଆଦ୍ୟନିକେତନ। କ୍ରମେ ଅନ୍ନପୂର୍ଣ୍ଣା ଲେଖା ଆରମ୍ଭ କଲେ ଏବଂ ୧୯୦୭ ବେଳକୁ ସମ୍ବଲପୁର ହିତୈଷିଣୀ ରେ ତାଙ୍କର ମୂଲ୍ୟାୟନ ହୋଇଥିଲା। ମାର୍ଚ୍ଚ ୩ ୧୯୦୭ର ହିତୈଷିଣୀରେ ତାଙ୍କ ସମ୍ପର୍କରେ ଲେଖାଯାଇଥିଲା- “ଆପଣମାନେ ଶ୍ରୀମତୀ ଅନ୍ନପୂର୍ଣ୍ଣାଙ୍କଠାରେ ଅପରିଚିତ ନୁହଁନ୍ତି। ଅବଶ୍ୟ ଉକ୍ରଳୀୟ ପତ୍ରିକାମାନଙ୍କ ସାହାଯ୍ୟରେ ତାହାଙ୍କ ପରିଚୟ ପାଇଥିବେ। ତାହାଙ୍କର କବିତା ରଚନାପ୍ରଣାଳୀ ଦେଖି କେବଳ ଉକ୍ରଳବାସୀ କାହିଁକି ସମ୍ମୁନ୍ନତ ବଙ୍ଗ ପ୍ରଦେଶର ପ୍ରତିଭାଶାଳୀ ଲେଖକ ଏବଂ ସମ୍ବାଦପତ୍ରିକାମାନଙ୍କର ସମ୍ପାଦକମାନେ ଏପରିକି ଶ୍ୱେତଦ୍ୱୀପବାସୀମାନେ ମଧ୍ୟ ଏକ ମୁଖରେ ତାଙ୍କର ପ୍ରଶଂସାଗୀତି ଗାୟନ କରିଛନ୍ତି। ତାଙ୍କର ପ୍ରତିଭା ବିଷୟରେ ଇଂରାଜୀ ପତ୍ରିକାମାନଙ୍କ ମଧ୍ୟରୁ “ମାଡ୍ରାସ୍ ମେଲ୍”, “ଇଷ୍ଟ୍ କୋଷ୍ଟ୍ ନିଉଜ୍”, “ଟେଲିଗ୍ରାଫ୍” ଏବଂ “ବ୍ୟାନର୍” ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଅଛି । “ଦି ବ୍ୟାନର୍” ପତ୍ରିକାର ସେପ୍ଟେମ୍ବର ଏବଂ ଅକ୍ଟୋବର ୧୯୦୪ ସଂଖ୍ୟାରେ ତାଙ୍କ ବିଷୟରେ ଇଂରାଜୀରେ ଲେଖାଯାଇଥିଲା। ୧୯୦୪, ୨୩ ନଭେମ୍ବର “ଦି ଟେଲିଗ୍ରାଫ୍”ରେ ସେ ବଡଖେମୁଣ୍ଡିର ଗୌରବ ବୋଲି ବର୍ଣ୍ଣିତ।
ବଡଖେମୁଣ୍ଡି ରାଜାଙ୍କ ସହିତ ମନମାଳିନ୍ୟ ହେବା ଯୋଗୁଁ ଅନ୍ନପୂର୍ଣ୍ଣା ସପରିବାର ବ୍ରହ୍ମପୁରର ପର୍ଶୁରାମ ପାତ୍ରଙ୍କ ପରାର୍ମଶ କ୍ରମେ ତାଙ୍କରି ଘରେ ଆଶ୍ରୟ ନେଇଥିଲେ। ୧୯୦୬ରୁ ୧୯୧୫ ମଧ୍ୟରେ ତାଙ୍କର ବ୍ରହ୍ମପୁର ଅବସ୍ଥାନ ତାଙ୍କ ସାରସ୍ୱତ ଜୀବନର ନୂତନ ସମ୍ଭାବନାର ଦିଗନ୍ତ ଉନ୍ମୋଚନ କରିଥିଲା। ପର୍ଶୁରାମଙ୍କ ଉଦ୍ୟମରୁ ତାଙ୍କ ସ୍ୱାମୀ ଶ୍ରୀରାମ ପଟ୍ଟନାୟକଙ୍କୁ ବ୍ରହ୍ମପୁର ତହସିଲଦାରଙ୍କ ଅଫିସରେ ମାସିକ ପନ୍ଦର ଟଙ୍କା ବେତନରେ ଗୋଟିଏ କିରାଣୀ ଚାକିରୀ ମିଳିଥିଲା। କବିଙ୍କର ପରିବାର ଏଥିପାଇଁ ଓକିଲ ପାତ୍ରଙ୍କ ପ୍ରତି ଅତ୍ୟନ୍ତ ଅନୁଗତ ଥିଲେ। ବ୍ରହ୍ମପୁରରେ ଥିବା ବେଳେ ଅନ୍ନପୂର୍ଣ୍ଣା ବହୁ ସାହିତ୍ୟିକ ଓ ସମାଜସେବୀଙ୍କର ସଂସ୍ପର୍ଶରେ ଆସିଥିଲେ। କେତେ ଉତ୍ସାହ ଓ ଉଦାର ପ୍ରେରଣା ଲାଭର ସୁଯୋଗ ମଧ୍ୟ ତାଙ୍କୁ ମିଳିଥିଲା। ବ୍ୟାସକବି ଫକୀରମୋହନ, ଭକ୍ତକବି ମଧୁସୂଦନ, ନୀଳମଣୀ ବିଦ୍ୟାରତ୍ନ, ଚନ୍ଦ୍ର ମୋହନ ମହାରଣା, ଚିନ୍ତାମଣି ମହାନ୍ତି, ଶ୍ରୀବତ୍ସ ପଣ୍ଡା ଓ ଲକ୍ଷ୍ମୀନାରାୟଣ ସାହୁ ପ୍ରଭୃତିଙ୍କ ସାହଚର୍ଯ୍ୟ ତାଙ୍କୁ ଲେଖାଲେଖି କ୍ଷେତ୍ରରେ ଉତ୍ସାହିତ କରିଥିଲା। ୧୯୧୫ରେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଗଜପତିଙ୍କର ଆହ୍ୱାନକ୍ରମେ ଶ୍ରୀରାମ ପଟ୍ଟନାୟକ ଓ ଅନ୍ନପୂର୍ଣ୍ଣା ଯାତ୍ର କରିଥିଲେ। ପାରଳାରେ ଅନ୍ନପୂର୍ଣ୍ଣା ପାଟରାଣୀ ମହୋଦୟାଙ୍କର ସାହିତ୍ୟ ଶିକ୍ଷୟତ୍ରୀରୂପେ ମାସିକ ୨୫ ଟଙ୍କା ବେତନରେ ନିଯୁକ୍ତ ହୋଇଥିଲେ ଏବଂ ଶ୍ରୀରାମ ପଟ୍ଟନାୟକ ମାସିକ ୨୦ ଟଙ୍କା ବେତନରେ ମହାରାଜାଙ୍କର ଛାପାଖାନାରେ ଯୋଗଦେଲେ।
କିଛିକାଳ ସେମାନଙ୍କର ଚଳଣି ଓ ଆର୍ଥିକ ଅବସ୍ଥାରେ କୌଣସି ଅଭାବ ପ୍ରବେଶ କରିନଥିଲା। ମାତ୍ର ସମୟକ୍ରମେ ଲୋକମାନଙ୍କର ଚକ୍ରାନ୍ତ ଯୋଗୁଁ ଅନ୍ନପୂର୍ଣ୍ଣା ରାଜଦମ୍ପତ୍ତିଙ୍କର ଆସ୍ଥା ହରାଇଲେ। ପାରଳାଖେମୁଣ୍ଡି ଅବସ୍ଥାନ ବେଳେ ଅନ୍ନପୂର୍ଣ୍ଣାଙ୍କର ଦୁଇଟି ସନ୍ତାନ ନଷ୍ଟ ହୋଇଯିବାରୁ ତାଙ୍କୁ ଅଲକ୍ଷଣୀ ବୋଲି ଅନ୍ତଃପୁରର ପରିଚାରୀଗଣ ପ୍ରଚାର କରି ପାଟରାଣୀଙ୍କର ସଂସର୍ଗରୁ ଏହାଙ୍କୁ ବଞ୍ôଚତ କରାଇବା ଲାଗି ଖୁବ୍ ଉଦ୍ୟମ କରିଥିଲେ। ଦୈବଯୋଗକୁ ରାଣୀଙ୍କର ଏକ ଗର୍ଭ ନଷ୍ଟ ହେଲା। ଏହା ଅନ୍ନପୂର୍ଣ୍ଣାଙ୍କ ସହ ରାଣୀଙ୍କର ମିଳାମିଶାର ପରିଣାମ ବୋଲି ସାଧାରଣରେ କୁହାଗଲା। କୁସଂସ୍କାରପୀଡିତ ସେବକସେବିକାଗଣ ରାଜାରାଣୀଙ୍କୁ ମଧ୍ୟ ଏପରି ଧରଣା ଦେଲେ ଯେ ସେମାନେ ଏହାକୁ ସତ ମଣିବାକୁ କୁଣ୍ଠିତ ହେଉଥିଲେ ସୁଦ୍ଧା ପାରଂପାରିକ ବିଶ୍ୱାସର ଅନ୍ଧବଶ୍ୟତାରେ କ୍ରମେ ମୋହାଚ୍ଛନ୍ନ ହୋଇପଡିଲେ । ଏହି ଘଟଣା ଓ ଅପପ୍ରଚାର କବି ଦମ୍ପତ୍ତିଙ୍କର ବିପର୍ଯ୍ୟୟର କାରଣ ହେଲା । ପାରଳାରୁ ୧୯୧୯ ନଭେମ୍ବରରେ ବିଦାୟ ନେଇ ସେମାନେ ବିଶାଖାପାଟଣା ଆଡେ ଚାଲିଗଲେ । ବିକ୍ରମଦେବ ବର୍ମା ବିଶାଖାପାଟଣାରେ ଅବସ୍ଥାନ କରୁଥିବାରୁ ସେ ମଧ୍ୟ କବି ଦମ୍ପତ୍ତିଙ୍କୁ ସାହାଯ୍ୟ କଲେ । ଏହି ସମୟରେ ଅନ୍ନପୂର୍ଣ୍ଣା କଟକରୁ ପ୍ରକାଶିତ ସହକାର ପତ୍ରିକାର ସମ୍ପାଦନ ଭାର ଲକ୍ଷ୍ମୀନାରାୟଣ ସାହୁଙ୍କ ତାଡନାରେ ଗ୍ରହଣ କଲେ । ତାଫଳରେ ତାଙ୍କ ସାରସ୍ୱତ ଜୀବନ ପ୍ରଦୀପ୍ତ ହେଲା । ୧୯୨୫ରୁ ୧୯୨୯ ମଧ୍ୟରେ ସେ ସହକାରର ସମ୍ପାଦିକା ହିସାବରେ କାର୍ଯ୍ୟ କରିଥିଲେ । ସହକାରର ପଞ୍ଚମ ଭାଗ ଦ୍ୱିତୀୟ ସଂଖ୍ୟାରେ ତାଙ୍କ କବିତା ସହିତ ତାଙ୍କ ସମ୍ପର୍କରେ ଏକ ଅଭିମତ ଉପସ୍ଥାପିତ । ସେଥିରେ କୁହାଯାଇଥିଲା-“ଉକ୍ରଳ ଲଳନାକୂଳର ଗୌରବମଣି ଅନ୍ନପୂର୍ଣ୍ଣା ନିରକ୍ଷରା ଥିଲେ । କିନ୍ତୁ କବିତାର ଉତ୍ସ ତାଙ୍କ ଜୀବନରେ ଯେତେବେଳେ ଫୁଟିଉଠିଲା ସେ ସେତେବେଳେ ବିଦ୍ୟାଶିକ୍ଷା କଲେ ଓ ଦୁଷ୍ଟ ସମାଜର ଅନ୍ଧବିଶ୍ୱାସ ସହ ତାଙ୍କୁ ମାନସିକ ଯୁଦ୍ଧ କରିବାକୁ ପଡିଲା । ସବୁ ସହି ସେ ଆଜି ନିଜକୁ ଓଡିଆ ସ୍ତ୍ରୀମଣ୍ଡଳରେ କବି ବୋଲି ପ୍ରମାଣ କରିଛନ୍ତି । ତାଙ୍କର କବିତା ଅମଳତରଳ, ଯେପରି ନଦୀର ସ୍ରୋତ ଓ ନିର୍ଝରର ଅବିରାମ ପ୍ରବାହ ।” ସହକାର ଷଷ୍ଠ ଭାଗରୁ ସମ୍ପାଦନା ଭାର ଗ୍ରହଣ କରି ସେ ପତ୍ରିକାର ରୂପରେଖ ବଦଳାଇଦେବା ଲାଗି ବହୁ ଉଦ୍ୟମ କରିଥିଲେ । ସମ୍ପାଦନାର ଦାୟିତ୍ୱବୋଧ ସମ୍ପର୍କରେ ସେ ଉନ୍ନତ ମତ ପ୍ରକାଶ କରିଥିଲେ ।
ତାଙ୍କର କବିତାଗୁଡିକ ସମ୍ବଲପୁର ହିତୈଷିଣୀ, ଉକ୍ରଳ ସେବକ, ମନୋରମା, ଗଡଜାତବାସିନୀ, ଗୁଣଦର୍ପଣ, ପ୍ରଜାବନ୍ଧୁ, ସହକାର, ଉକ୍ରଳବାସିନୀ, ଉକ୍ରଳବାର୍ତ୍ତା, ସମ୍ବାଦବାହିକା, ନବୀନ ପ୍ରଭୃତି ସମ୍ବାଦପତ୍ର ତଥା ପତ୍ରିକାମାନଙ୍କରେ ପ୍ରକାଶିତ । ୧୯୩୫ରେ ପ୍ରକାଶିତ ଆଶାହାଟ ତାଙ୍କ ମନ୍ମୟ କଳ୍ପନାର ଆଧାରରେ ରଚିତ ଏକ ଖଣ୍ଡକାବ୍ୟ । ଜୀବିତାବସ୍ଥାରେ ତାଙ୍କର ପଦ୍ୟମାଳା-ପ୍ରଥମ(୧୯୦୪), ପଦ୍ୟମାଳା-ଦ୍ୱିତୀୟ(୧୯୦୫), ପକ୍ଷୀଘର(୧୯୦୬) ଏବଂ ବିଚ୍ଛେଦମିଳନ(୧୯୪୧)ରେ ସର୍ବମୋଟ ୩୭ଟି କବିତା ସଂକଳିତ ହୋଇ ପ୍ରକାଶିତ । ଅନ୍ନପୂର୍ଣ୍ଣାଙ୍କ ସମ୍ପର୍କରେ ରାଧାଚରଣ ପଣ୍ଡା ୧୯୩୬ରେ ଏକ ପୁସ୍ତକ ପ୍ରକାଶ କରିଥିଲେ । ବାସ୍ତବରେ ଅନ୍ନପୂର୍ଣ୍ଣାଙ୍କ ଜୀବନରେ ସାହିତ୍ୟ ଥିଲା ଏକ ପ୍ରାଣସ୍ପୃର୍ତ୍ତି, ନିତ୍ୟବିଳାସର ଏକ ଅବଲମ୍ବନ । ସାରସ୍ୱତ ବିଳାସକୁ ଜୀବନର ବ୍ରତରୂପେ ବରଣ କରି ତାଙ୍କର ଆତ୍ମାପୁରୁଷ ଆନନ୍ଦମୟ ଅବସ୍ଥାର ଯେଉଁ ଅତିନ୍ଦ୍ରିୟ ରାଜ୍ୟରେ ଉପନୀତ ହୋଇଥିଲା ତାହା ତୁଳନାରେ ପାର୍ଥିବ ଆକର୍ଷଣ କିଛି ନୁହେଁ । ସାହିତ୍ୟ ପ୍ରତି ତାଙ୍କର ପ୍ରାଣାଧିକ ସମ୍ପର୍କ । କବିତା ଲେଖିବାର ଲାଳସା ଘେନି ସେ କବିତା ଲେଖିନଥିଲେ । ଜୀବନକୁ ଚିହ୍ନି ଚିହ୍ନେଇବାର ଅତୁଟ ଆଗ୍ରହ ତାଙ୍କର ଥିଲା । ନିଜ ଜୀବନର ଭିତ୍ତି ଯାହା ହେଉନା କାହିଁକି ସାର୍ବଜନୀନ ଜଗତର ଗତିଧାରାରୁ ଆପଣା ପାଇଁ ସେ ଯାହା ସଂଗ୍ରହ କରିଥିଲେ ତାହାର ଭାବମୂର୍ତ୍ତିହିଁ ସେ କାବ୍ୟାକାରରେ ଅଙ୍କନ କରିଥିଲେ । ବାସ୍ତବରେ ସେ ଥିଲେ ଅନନ୍ୟା କବି ।
(ଡ. କୈଳାସ ଚନ୍ଦ୍ର ଦାଶ ଓଡିଶାର ଜଣେ ଖ୍ୟାତନାମା ଐତିହାସିକ ଓ ପୂର୍ବତନ ଇତିହାସ ଅଧ୍ୟାପକ। )