Categories
ବିଶେଷ ଖବର ରାଜ୍ୟ ଖବର

ସାର, କୃଷି ଉପକରଣର ଠିକ ଯୋଗାଣ ହେଉ ନ ଥିଲେ ଚଢାଉ କର, ଜିଲ୍ଲାପାଳକୁ କୃଷି ବିଭାଗର ପତ୍ର

ଭୁବନେଶ୍ୱର: ଚଳିତ ଖରିଫରେ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ ସହ ଯାଞ୍ଚ କାର୍ଯ୍ୟକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

ଚଳିତ ଖରିଫରେ ସାରା ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ମାନର ସାର, ବିହନ, କୀଟନାଶକ, ବାୟୋଫର୍ଟିଲାଇଜର, ଜୈବିକ ସାର, ବାୟୋକୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାରା ରାଜ୍ୟରେ ଏହିସବୁ ଅତ୍ୟନ୍ତ ଦରକାରୀ କୃଷି ସାମଗ୍ରୀର ଉଚିତ ମୂଲ୍ୟରେ ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ପ୍ରତି ଅନୁକୋଣରେ ଆବଶ୍ୟକ ଯାଞ୍ଚ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ପୃଷ୍ଠଭୂମିରେ ବିଗତ ବର୍ଷ ପରି ପ୍ରତି ଜିଲ୍ଲାରେ ନିୟମିତ ଯାଞ୍ଚ କାର୍ଯ୍ୟ ନିମନ୍ତେ ଏଗ୍ରି-ଇନ୍‌ପୁଟ ଇନ୍ସପେକଫର, ଜଣେ ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ ଅଧିକାରୀଙ୍କୁ ନେଇ ଏକ କିମ୍ବା ଏକାଧିକ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ କରିବାର ଆବଶ୍ୟକତା ରହିଛି। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ୍‌ସ୍ତରରେ ଅଧିକାରୀଙ୍କୁ ବିଭିନ୍ନ ତଦାରଖ କାର୍ଯ୍ୟ ନିମନ୍ତେ ଅନୁରୂପ ସହାୟତା ଯୋଗାଇଦେବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି।

ଏଥି ସହିତ କୃଷି ସାମଗ୍ରୀର ସର୍ବୋଚ୍ଚ ଚାହିଦା ସମୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି ପ୍ରଭାବିତ ନ ହୁଅନ୍ତି ସେଥିପାଇଁ କୃଷି ସାମଗ୍ରୀର ଯୋଗାଣ ଓ ବଣ୍ଟନ ପ୍ରତି ସଜାଗ ଦୃଷ୍ଟି ରଖିବା ଓ କୌଣସି ପ୍ରକାରର ଅସାଧୁ କାରବାରକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କାର୍ଯ୍ୟର ନିୟମିତ ଭାବରେ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଏ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ନିୟମିତ ଅବଗତ କରିବା ପାଇଁ ପତ୍ରରେ ଅନୁରୋଧ କରାଯାଇଛି। ଏହିସବୁ କାର୍ଯ୍ୟ ପ୍ରତି ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଦୃଷ୍ଟି ଦେବା ପାଇଁ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଗତ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ଦେଶରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ମିଳିଲା ୨୫ ହଜାର ୫୫୨ କୋଟି ଟଙ୍କା

ନୂଆଦିଲ୍ଲୀ, ବିଶ୍ଵ ବାଣିଜ୍ୟ ସଂଗଠନର ଏକ ପରିସଂଖ୍ୟାନ ଅନୁସାରେ ଭାରତର କୃଷିଜାତ ସାମଗ୍ରୀ ରପ୍ତାନୀ ୨୦୧୭ରେ ୨.୨୭ ପ୍ରତିଶତ ଥିବା ବେଳେ ଆମଦାନୀ ୧.୯୦ ପ୍ରତିଶତ ଥିଲା। ଏପରିକି ବୈଶ୍ଵିକ ମହାମାରୀର ଲକଡାଉନ କାଳରେ ଏଥିରେ କୌଣସି ବ୍ୟତିକ୍ରମ ନଘଟି ଦେଶ ତାହାର ରପ୍ତାନୀ ଧାରା ଅବ୍ୟାହତ ରଖିଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ୨୫ ହଜାର ୫୫୨କୋଟି ୭0 ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ୨୦ ହଜାର ୭୩୪ କୋଟି ୮0 ଲକ୍ଷ ଟଙ୍କା ଆୟ ହୋଇଥିଲା। ସେଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷର ରପ୍ତାନୀରେ ୨୩.୨୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

୨୦୧୭-୧୮ ଆର୍ଥିକ ବର୍ଷରେ କୃଷି ରପ୍ତାନୀ ବାବଦରୁ ଭାରତର କୃଷି ଜିଡିପି ୯.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୯.୯କୁ ବୃଦ୍ଧି ପାଇଥିଲା। କୃଷିଜାତ ସାମଗ୍ରୀର ରପ୍ତାନୀ ଏହି ସମୟ ମଧ୍ୟରେ ୫.୭ ପ୍ରତିଶତରୁ ୪.୯ ପ୍ରତିଶତକୁ ହ୍ରାସ ପାଇଥିଲା। ଏଥିରୁ ରପ୍ତାନୀ ବାବଦ ଅଧିକ ଲାଭ ମିଳିଥିବା ବେଳେ କୃଷିଜାତ ଦ୍ରବ୍ୟର ଆମଦାନୀ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇଛି।

ସ୍ଵାଧୀନତା ପରଠାରୁ କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି । ୧୯୫୦-୫୧ ଭିତରେ ଦେଶର କୃଷିଜାତ ସାମଗ୍ରୀ ରପ୍ତାନୀରୁ ମାତ୍ର ୧୪୯ କୋଟି ଟଙ୍କା ମିଳିଥିବା ବେଳେ ୨୦୧୯-୨୦ରେ ଏହା ୨.୫୩ ଲକ୍ଷ୍ୟ କୋଟିକୁ ବୃଦ୍ଧି ପାଇଛି। ଗତ ୧୫ ବର୍ଷ ମଧ୍ୟରେ ସମସ୍ତ କୃଷିଜାତ ସାମଗ୍ରୀର ରପ୍ତାନୀରେ ଆଶାନୁରୂପ ପ୍ରଗତି ଘଟିଛି । କୃଷି ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ଦେଶ ହୋଇଥିଲେ ମଧ୍ୟ ଏହା ବିଶ୍ଵର କେତେକ ପ୍ରମୁଖ ଆମଦାନକାରୀଙ୍କ ତାଲିକାରେ ସ୍ଥାନ ପାଇପାରି ନାହିଁ। ଉଦାହରଣ ସ୍ୱରୂପ ଗହମ ଉତ୍ପାଦନରେ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହାର ସ୍ଥାନ ୩୪ରେ ରହିଛି।

ସେହିପରି ପନିପରିବା ଉତ୍ପାଦନରେ ଭାରତ ବିଶ୍ଵରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା ୧୪ତମ ସ୍ଥାନରେ ରହିଛି । ଫଳ ଉତ୍ପାଦନରେ ମଧ୍ୟ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା ୨୩ତମ ସ୍ଥାନରେ ରହିଛି । କୃଷିରେ ଅନ୍ୟାନ୍ୟ ଅଗ୍ରଣୀ ରାଷ୍ଟ୍ରଙ୍କ ସହ ସମକକ୍ଷ ହେବାକୁ ହେଲେ ଆମକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ପଡିବ।

ଏହାକୁ ଦୃଷ୍ଟିରେ ରଖି କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗ (ଡିଏସି ଏଣ୍ଡ ଏଫ ଡବ୍ଲୁ) ପକ୍ଷରୁ ଏକ ବିସ୍ତୃତ ଯୋଜନା କୃଷି ବିପଣନକୁ ପ୍ରୋତ୍ସାହନ ଦେବାପାଇଁ ପ୍ରସ୍ତୁତ କରାଯାଇଛି। ଏକ ଉତ୍ତମ ରଣନୀତି ପ୍ରସ୍ତୁତ ପାଇଁ ପ୍ରାକ ଉତ୍ପାଦନ, ଉତ୍ପାଦନ ଓ ଅମଳ ପରବର୍ତ୍ତୀ ସମସ୍ୟାଗୁଡ଼ିକର ଅନୁଧ୍ୟାନ କରାଯାଇଛି। ବର୍ତ୍ତମାନ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡିକର ସ୍ଥିତି, ରପ୍ତାନୀ ଏବଂ ଏଥିରେ ଥିବା ବାଧାବିଘ୍ନଗୁଡିକ ସମ୍ପର୍କରେ ବିଶ୍ଳେଷଣ ଜରାଯାଇଛି। ଏକ ଦ୍ଵେତନୀତି ସ୍ୱରୂପ କୃଷି ରପ୍ତାନୀ ବୃଦ୍ଧି ସହ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକର ବିକଳ୍ପ ସମ୍ପର୍କରେ ମଧ୍ୟ ଚିନ୍ତା କରାଯାଇଛି। ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର‌୍ୟ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀଗୁଡିକର ଗୁଣାତ୍ମକ ମାନ ଉପରେ ଗୁରୁତ୍ଵ ଦିଆଯାଇ ଏହା କିପରି ବିଦେଶ ବଜାରରେ ଆଦୃତ ହେବ ସେ ସମ୍ପର୍କରେ ଚିନ୍ତା କରାଯାଇଛି । ଉପସାଗରୀୟ ଦେଶଗୁଡିକରେ ବିପଣନ ବୃଦ୍ଧି ପାଇଁ ଅଧିକ ଗୁରୁତ୍ଵ ଦିଆଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ଉଦ୍ୟାନ କୃଷି ଏକ କ୍ରମବର୍ଦ୍ଧିଷ୍ଣୁ କ୍ଷେତ୍ର ରୂପେ ଉଭା ହୋଇଛି। ଭାରତ ଫଳ ଓ ପନିପରିବା ଉତ୍ପାଦନରେ ବିଶ୍ଵର ଦ୍ଵିତୀୟ ସ୍ଥାନରେ ଅଛି । ଭାରତ ବିଦେଶକୁ ବାର୍ଷିକ ୮.୨୩ ଲକ୍ଷ ଟନ ଅର୍ଥାତ ୫,୬୩୮ କୋଟି ଟଙ୍କାର ଫଳ ଏବଂ ୩୧.୯୨ ଲକ୍ଷ ଟନ ପନିପରିବା ଅର୍ଥାତ ୫,୬୭୯ କୋଟି ଟଙ୍କାର ପନିପରିବା ରପ୍ତାନୀ କରିଥାଏ।

ରପ୍ତାନୀ ସାମଗ୍ରୀ ମଧ୍ୟରେ ଅଙ୍ଗୁର ସବୁଠାରୁ ଆଗରେ ଥିବା ବେଳେ ତା’ପଛକୁ ଆମ୍ବ, ଡାଳିମ୍ବ, କଦଳୀ ଏବଂ କମଳାର ସ୍ଥାନ ରହିଛି । ତଟକା ପନିପରିବା ରପ୍ତାନୀ ସାମଗ୍ରୀ ମଧ୍ୟରେ ପିଆଜ, ମିଶ୍ରିତ ପନିପରିବା ଆଳୁ, ଟମାଟୋ ଓ କଞ୍ଚାଲଙ୍କା ମୁଖ୍ୟ ସ୍ଥାନ ଅଧିକାର କରିଥାଏ। ତେବେ ପୃଥିବୀ ବ୍ୟାପୀ ୨୦୮ ବିଲିୟନ ଆମେରିକୀୟ ଡଲାରର ଫଳ ଓ ପନିପରିବାର କାରବାର ହେଉଥିବା ବେଳେ ଭାରତର ସ୍ଥାନ ଏଥିରେ ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଦୃଷ୍ଟିରୁ ଫଳ ଓ ପନିପରିବା ରପ୍ତାନୀ ପାଇଁ ଦେଶର ପର୍ଯ୍ୟାପ୍ତ ସୁବିଧା ରହିଛି । ତଟକା ଫଳ ଓ ପନିପରିବା ବିଶେଷକରି ଅଙ୍ଗୁର, ଆମ୍ବ, ଡାଳିମ୍ବ, ପିଆଜ, ଆଳୁ ଓ କାକୁଡି ଇତ୍ୟାଦି ରପ୍ତାନୀ ନିମନ୍ତେ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି।

ବର୍ତ୍ତମାନର କୃଷି ଉପଯୋଗୀ ଅଞ୍ଚଳଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବା ସହ ଅଧିକ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଉତ୍ପାଦନ ପାଇଁ ଅଧିକ କ୍ଷେତ୍ର ପ୍ରସ୍ତୁତ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଖାଇବା ତେଲ, କାଜୁ, ଫଳ ଓ ମସଲା ଇତ୍ୟାଦି ରପ୍ତାନୀ ବନ୍ଦ କରି ଏହାର ବିକଳ୍ପ ଦେଶରେ ଖୋଜିବା ପାଇଁ ଯୋଜନା ପ୍ରସ୍ତୁତ ମଧ୍ୟ ହୋଇଛି।

କୃଷି ମନ୍ତ୍ରଣାଳୟ ଅଧିନସ୍ଥ କୃଷି ସହଯୋଗ ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ରପ୍ତାନୀ ବୃଦ୍ଧି ଫୋରମ ମାନ ସୃଷ୍ଟି କରାଯାଇଛି । ଏଗୁଡିକ କୃଷି ରପ୍ତାନୀ ବୃଦ୍ଧିରେ ସହାୟକ ହେବେ। ରପ୍ତାନୀ ବୃଦ୍ଧି ଫୋରମ ୮ଟି କୃଷି ଓ କୃଷିଜାତ ସାମଗ୍ରୀ ଯଥା ଅଙ୍ଗୁର, ଆମ୍ବ, କଦଳୀ, ପିଆଜ, ଚାଉଳ, ସୋୟାବିନ, ଡାଳିମ୍ବ ଏବଂ ଫୁଲ ଚାଷ ଇତ୍ୟାଦି ପାଇଁ ଏପିଇଡିଏ ଅଧୀନରେ ଏକ ଯୋଜନା ପ୍ରସ୍ତୁତ କରିଛି ।

ପ୍ରତ୍ୟେକ ରପ୍ତାନୀ ପ୍ରମୋଶନ ଫୋରମରେ ସେହି ସାମଗ୍ରୀର ରପ୍ତାନିକାରୀ ଏହାର ସଦସ୍ୟ ଭାବେ ରହିବା ବେଳେ ଏଥିରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ରହିବେ। ଏପିଇଡିଏର ଅଧ୍ୟକ୍ଷ ଏହି ଫୋରମଗୁଡିକର ଅଧ୍ୟକ୍ଷ ଭାବେ କାର୍ଯ୍ୟ ମଧ୍ୟ କରିବେ। ପ୍ରତି ଦୁଇ ମାସରେ ଠାରେ ଫୋରମର ବୈଠକମାନ ଅନୁଷ୍ଠିତ ହୋଇ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବୈଠକରେ ସୁପାରିଶ କରିପାରିବେ। ଏହି ଫୋରମଗୁଡିକ ନୀରବଚ୍ଛିନ୍ନ ଭାବେ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ପ୍ରଶାସନିକ ପଦକ୍ଷେପ ଉପରେ ନଜର ରଖିବେ। ସେମାନେ ଉତ୍ପାଦନକାରୀ, ରପ୍ତାନିକାରୀ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପ୍ରତି ମଧ୍ୟ ଦ୍ରୁଷ୍ଟି ଦେବେ।

ଫୋରମର ସୁପାରିଶଗୁଡିକ ଏପିଇଡିଏ କର୍ତ୍ତୃପକ୍ଷ କିମ୍ବା ଉତ୍ପାଦକ କମିଟି ସାମନାରେ ରଖାଯିବ। କୃଷି ମନ୍ତ୍ରଣାଳୟ ସମେତ ଏଥିସହ ସଂଶ୍ଳିଷ୍ଟ ଅନ୍ୟାନ୍ୟ ବିଭାଗଗୁଡିକ ସହ ଫୋରମ ପକ୍ଷରୁ ସମନ୍ଵୟ ରକ୍ଷା କରାଯିବ।