Categories
ଆଜିର ଖବର ଜାତୀୟ ଖବର

୨୦୨୫ ଋତୁ ପାଇଁ ଶୁଖିଲା ନଡ଼ିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ କରିବା ପାଇଁ ସମସ୍ତ ବାଧ୍ୟତାମୂଳକ ଫସଲର ଏମଏସପିକୁ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ସ୍ତରରେ ସ୍ଥିର କରାଯିବ ବୋଲି ସରକାର ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ । ତଦନୁଯାୟୀ, ୨୦୨୫ ଋତୁ ପାଇଁ ଉପଯୁକ୍ତ ହାରାହାରି ମାନର ମିଲିଂ କୋପ୍ରାର ଏମଏସପି କ୍ୱିଣ୍ଟାଲ ପିଛା ୧୧୫୮୨/- ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୧୨୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

୨୦୧୪ ବିପଣନ ଋତୁରେ ମିଲିଂ କୋପ୍ରା ଓ ବଲ୍ କୋପ୍ରାର ଏମଏସପି ଯଥାକ୍ରମେ କୁଇଣ୍ଟାଲ ପିଛା ୫୨୫୦ ଟଙ୍କା ଓ ୫୫୦୦ ଟଙ୍କା ଥିବା ବେଳେ ୨୦୨୫ ବିପଣନ ଋତୁରେ କେନ୍ଦ୍ର ସରକାର ଏହାକୁ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୧୧,୫୮୨ ଟଙ୍କା ଓ ୧୨,୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଥିରେ ଯଥାକ୍ରମେ ୧୨୧ ପ୍ରତିଶତ ଏବଂ ୧୨୦ ପ୍ରତିଶତ ବୃଦ୍ଧି ହୋଇଛି ।

ଉଚ୍ଚ ଏମଏସପି କେବଳ ନଡ଼ିଆ ଚାଷୀଙ୍କୁ ଉନ୍ନତ ପାରିଶ୍ରମିକ ସୁନିଶ୍ଚିତ କରିବ ନାହିଁ ବରଂ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ନଡ଼ିଆ ଉତ୍ପାଦର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ କୃଷକମାନଙ୍କୁ କୋପ୍ରା ଉତ୍ପାଦନ ବୃଦ୍ଧି କରିବାକୁ ଉତ୍ସାହିତ କରିବ ।

ମୂଲ୍ୟ ସମର୍ଥନ ଯୋଜନା (ପିଏସ୍ଏସ୍) ଅଧୀନରେ କୋପ୍ରା ଏବଂ ଚୋପାମୁକ୍ତ ନଡ଼ିଆ କ୍ରୟ ପାଇଁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍) ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) କେନ୍ଦ୍ରୀୟ ନୋଡାଲ ଏଜେନ୍ସି (ସିଏନ୍ଏ) ଭାବରେ କାର୍ଯ୍ୟ ଜାରି ରଖିବ।

Categories
ଆଜିର ଖବର ଜାତୀୟ ଖବର

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୨୧ରେ  ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବଜେଟ୍ ବିଶିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ)କୁ ଅନୁମୋଦନ କରିଥିଲା। ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ମୋଟ ୧୭୧ ଜଣ ଆବେଦନକାରୀ ପଞ୍ଜୀକୃତ ହୋଇଛନ୍ତି। ପିଏଲଆଇଏସଏଫପିଆଇର ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ଏକକାଳୀନ କାର୍ଯ୍ୟ ଭାବେ କରାଯାଇଥିଲା ଓ ତା’ପୂର୍ବରୁ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଅଂଶୀଦାର ସଂପର୍କ ଓ ବ୍ୟାପକ ପ୍ରଚାର ଅଭିଯାନ କରାଯାଇଥିଲା।

ଉତ୍ପାଦନ ପ୍ରକ୍ରିୟାରେ ସ୍ୱଦେଶୀ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ (ଆଡିଟିଭ୍, ଫ୍ଲେଭର୍ସ ଏବଂ ଖାଇବା ତେଲ ବ୍ୟତୀତ) ବ୍ୟବହାରକୁ ବାଧ୍ୟତାମୂଳକ କରି, ଏହି ଯୋଜନା ସ୍ଥାନୀୟ ସୁତ୍ରରୁ କଞ୍ଚାମାଲ କ୍ରୟକୁ ଯଥେଷ୍ଟ ବୃଦ୍ଧି କରିଛି ଓ ତଦ୍ବାରା ଗ୍ରାମୀଣ ଓ ଅନୁନ୍ନତ ଅଂଚଳଗୁଡ଼ିକୁ ଉପକୃତ କରିବା ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିଛି।

ଏହାବ୍ୟତୀତ, ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଉଦ୍ଦିଷ୍ଟ କଞ୍ଚାମାଲର ସ୍ଥାନୀୟ ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ଦ୍ୱାରା ଅତିରିକ୍ତ ଅଣ-କୃଷି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଯାହାକି ଗ୍ରାମୀଣ ଅଂଚଳର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।

ଏହି ସ୍କିମ ଘରୋଇ ଉତ୍ପାଦନ ବୃଦ୍ଧିକରି, ମୂଲ୍ୟ ସଂଯୁକ୍ତ କରି ଓ ଘରୋଇ କଞ୍ଚାମାଲର ଉତ୍ପାଦନ ବୃଦ୍ଧି ସମେତ ରୋଜଗାର ବୃଦ୍ଧି କରି ସାମଗ୍ରୀକ ଭାବେ ଦେଶର ଆର୍ଥିକ ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଯୋଗଦାନ ଦେଇଛି। ଏହି ଯୋଜନା ବଡ଼ କଂପାନି, ମିଲେଟ୍-ଭିତ୍ତିକ ଉତ୍ପାଦ, ଅଭିନବ ଏବଂ ଜୈବିକ ଉତ୍ପାଦ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସହାୟତା କରିବା ସହିତ ବିଶ୍ୱସ୍ତରରେ ଭାରତୀୟ ବ୍ରାଣ୍ଡଗୁଡ଼ିକୁ ପ୍ରୋତ୍ସାହିତ କରୁଛି। ଏହି ଯୋଜନାର ହିତାଧିକାରୀଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୧୩ଟି ସ୍ଥାନରେ ପ୍ରାୟ ୮୯୧୦ କୋଟି ଟଙ୍କା ନିବେଶ କରାଯାଇଛି। ୨୦୨୪ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୨.୮୯ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି।

ସରକାର ନିଜର ବିଭିନ୍ନ ସ୍କିମ ଯେପରିକି ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ), ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ) ଏବଂ ପ୍ରଧାନମନ୍ତ୍ରୀ ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା (ପିଏମଏଫଏମଇ) ମାଧ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏସଏମଇ)ଗୁଡ଼ିକୁ ସକ୍ରିୟଭାବେ ସହାୟତା କରୁଛନ୍ତି। ଏସବୁ ସ୍କିମ ଏସଏମଇଗୁଡ଼ିକୁ ଆର୍ଥିକ, ବୈଷୟିକ ଓ ବିପଣନ ସହାୟତା ଯୋଗାଉଛି ଓ କ୍ଷମତା ସଂପ୍ରସାରଣ, ଉଦ୍ଭାବନ ଓ ସଂଗଠିକରଣକୁ ପ୍ରେତ୍ସାହିତ କରୁଛି। ଏସଏମଇଗୁଡ଼ିକ ମଧ୍ୟ ପିଏମକେଏସଓ୍ବାଇ ସ୍କିମର ବିଭିନ୍ନ ଅଂଶ ଅଧିନରେ ବି ଲାଭ ପାଇପାରିବେ।

ପିଏମଏଫଏମଇ ଅଂସଗଠିତ ସଂସ୍ଥାଗୁଡ଼ିକର ସଂଗଠିକରଣ, ବ୍ୟାଙ୍କ  ଋଣ ସୁବିଧା, ଆଧୁନିକ ଭିତ୍ତିଭୂମି ଓ ବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ଉପରେ ଗୁରୁତ୍ବ ଦିଏ। ପିଏଲଆଇ ସ୍କିମ ଅଧିନରେ, ହିତାଧିକାରୀମାନଙ୍କ ଏକ ବଡ଼ ଅଂଶ ହେଉଛନ୍ତି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏମଏସଏମଇ), ଯେଉଁମାନଙ୍କ ମଧ୍ୟରୁ ୭୦ଟି ଏଏସଏମଉ ସିଧାସଳଖ ପଂଜୀକୃତ ହୋଇଥିବାବେଳେ ଅନ୍ୟ ୪୦ଟି ବୃହତ କମ୍ପାନିମାନଙ୍କ ଲାଗି ଠିକା ଉତ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସାମୂହିକ ଭାବରେ, ଏହି ପଦକ୍ଷେପଗୁଡିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି, ପ୍ରତିଯୋଗିତାରେ ଉନ୍ନତି ଆଣି, ବଜାର ପ୍ରବେଶକୁ ସମ୍ପ୍ରସାରଣ କରି, ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବ୍ୟାପକ ମୂଲ୍ୟ ଶୃଙ୍ଖଳାକୁ ସମର୍ଥନ କରି ଏସଏମଇଗୁଡ଼ିକୁ ସୁଦୃଢ଼ କରୁଛି।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ) ଅଧୀନରେ, ଭାରତ ସରକାର ବିଦେଶରେ ଭାରତୀୟ ଖାଦ୍ୟ ବ୍ରାଣ୍ଡଗୁଡିକର ପ୍ରସାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ଏବଂ ବିଶ୍ୱ ବଜାରରେ ଭାରତୀୟ ବ୍ରାଣ୍ଡର ଉପଭୋକ୍ତା ଖାଦ୍ୟ ଉତ୍ପାଦଗୁଡ଼ିକର ବ୍ରାଣ୍ଡିଂ ଏବଂ ମାର୍କେଟିଂ କାର୍ଯ୍ୟକୁ ସହାୟତା କରନ୍ତି। ହିତାଧିକାରୀଙ୍କୁ ବିଦେଶରେ ବ୍ରାଣ୍ଡିଂ ଏବଂ ମାର୍କେଟିଂ ବାବଦରେ ସେମାନଙ୍କ ଖର୍ଚ୍ଚର ୫୦ ପ୍ରତିଶତ ଫେରସ୍ତ କରାଯାଏ, ଯାହାକି ସେମାନଙ୍କ ବାର୍ଷିକ ଖାଦ୍ୟ ଉତ୍ପାଦ ବିକ୍ରିର ୩ ପ୍ରତିଶତ କିମ୍ବା ବାର୍ଷିକ ୫୦ କୋଟି ଟଙ୍କା, ଯେଉଁଟି କମ, ରେ ସୀମାବଦ୍ଧ। ଏଥି ନିମନ୍ତେ ଯୋଗ୍ୟତା ଅର୍ଜନ କରିବା ପାଇଁ ଆବେଦନକାରୀଙ୍କୁ ୫ ବର୍ଷରେ ସର୍ବନିମ୍ନ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବର୍ତ୍ତମାନ ପିଏଲ୍ଆଇ ଯୋଜନାରେ ୭୩ ଜଣ ହିତାଧିକାରୀ ଅଛନ୍ତି।

ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟ୍ଟୁ ଏହି ସୂଚନା ଦେଇଛନ୍ତି।

ପିଏଲଆଇ ଯୋଜନା ଅଧୀନରେ ପ୍ରଦତ୍ତ ସହାୟତାର ଢାଞ୍ଚା :

କ. ହିତାଧିକାରୀ ଏହି ଯୋଜନାର ବର୍ଗ-୧, ବର୍ଗ-୨ ଏବଂ ମିଲେଟ୍ ଭିତ୍ତିକ ଉତ୍ପାଦ ବର୍ଗ ଅଧୀନରେ ପ୍ରୋତ୍ସାହନ ଦାବି କରିବା ପାଇଁ ସର୍ବନିମ୍ନ ବାର୍ଷିକ ବିକ୍ରି ଅଭିବୃଦ୍ଧି ୧୦% ହାସଲ କରିବା ଆବଶ୍ୟକ। ବର୍ଗ-୧ ଅଧୀନରେ କମ୍ପାନିଗୁଡ଼ିକୁ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଅଙ୍ଗୀକୃତ  ପୁଞ୍ଜିନିବେଶ କରିବାକୁ ପଡ଼ିବ। ଯଦି କୌଣସି କମ୍ପାନୀ ୨୦୨୩-୨୪ ଶେଷ ସୁଦ୍ଧା ପୁଞ୍ଜିନିବେଶ ନ କରେ, ତେବେ ସେ ଏହି ଯୋଜନା ଅଧୀନରେ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ହେବ ନାହିଁ।

ଖ. ବର୍ଗ-୩, ଅର୍ଥାତ୍ ବ୍ରାଣ୍ଡିଂ ଏବଂ ମାର୍କେଟିଂ ଅଧୀନରେ, କୌଣସି କମ୍ପାନୀ ବିଦେଶରେ ବ୍ରାଣ୍ଡିଂ ଏବଂ ମାର୍କେଟିଂ ପାଇଁ ହୋଇଥିବା ଖର୍ଚ୍ଚର ୫୦% ହାରରେ ଆର୍ଥିକ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଅଟେ, ଯାହା କି ଖାଦ୍ୟ ଉତ୍ପାଦ ବିକ୍ରିର ସର୍ବାଧିକ ୩% କିମ୍ବା ବାର୍ଷିକ ୫୦ କୋଟି ଟଙ୍କା, ଯେଉଁଟି କମ ହୋଇଥିବ। ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ଖର୍ଚ୍ଚ ୫ କୋଟି ଟଙ୍କା ହେବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟିର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନ୍-ସ୍ପେସ୍ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଛି।

ଆର୍ଥିକ ପ୍ରଭାବ:

ପ୍ରସ୍ତାବିତ ୧ହଜାର କୋଟି ଟଙ୍କାର ଭେଞ୍ଚର୍‌ କ୍ୟାପିଟାଲ ପାଣ୍ଠି କାର୍ଯ୍ୟକାରୀ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ଏହାକୁ ବିନିଯୋଗ କରିବା ଲାଗି ଯୋଜନା କରାଯାଇଛି। ନିବେଶ ସୁଯୋଗ ଏବଂ ପାଣ୍ଠି ଆବଶ୍ୟକତାକୁ ଆଧାର କରି ପ୍ରତି ବର୍ଷ ହାରାହାରୀ ୧୫୦-୨୫୦ କୋଟି ଟଙ୍କା ବିନିଯୋଗ କରାଯିବ।

କମ୍ପାନିର ସ୍ଥିତି, ଏହାର ଅଭିବୃଦ୍ଧି ପଥ ଏବଂ ଜାତୀୟ ମହାକାଶ ସାମର୍ଥ୍ୟ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ଉପରେ ନିର୍ଭର କରି ୧୦-୬୦ କୋଟି ଟଙ୍କାର ପୁଞ୍ଜିନିବେଶର ସୂଚକ ସୀମା ଧାର୍ଯ୍ୟ କରାଯାଇଛି। ସୂଚକ ଇକ୍ୱିଟି ନିବେଶ ସୀମା ନିମ୍ନମତେ ହୋଇପାରେ:

ବିକାଶ ସ୍ଥିତି: ୧୦ କୋଟି ଟଙ୍କା-୩୦ କୋଟି ଟଙ୍କା

ବିଳମ୍ବିତ ବିକାଶ ସ୍ଥିତି: ୩୦ କୋଟି ଟଙ୍କାରୁ ୬୦ କୋଟି ଟଙ୍କା

ଉପରୋକ୍ତ ନିବେଶ ସୀମାକୁ ଆଧାର କରି ଏହି ପାଣ୍ଠି ଦ୍ୱାରା ଆନୁମାନିକ ୪୦ ଷ୍ଟାର୍ଟଅପ୍‌କୁ ସମର୍ଥନ ଯୋଗାଇ ଦେବାକୁ ଆଶା କରାଯାଉଛି।

ବିବରଣୀ:

ନିମ୍ନୋକ୍ତ କାର୍ଯ୍ୟକ୍ରମ ଜରିଆରେ ନୂତନ ଉଦ୍ଭାବନ ଓ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜାତୀୟ ପ୍ରାଥମିକତା ଅନୁରୂପ ଭାରତର ମହାକାଶ କ୍ଷେତ୍ରକୁ ଆଗେଇ ନେବା ଲାଗି ଏହି ପାଣ୍ଠିକୁ ରଣନୀତିକ ଭାବେ ଡିଜାଇନ କରାଯାଇଛି:

୧- ପୁଞ୍ଜି ପ୍ରବାହ

୨- ଭାରତରେ କମ୍ପାନୀଗୁଡ଼ିକୁ ଅଟକାଇ ରଖିବା

୩- ମହାକାଶ ଅର୍ଥବ୍ୟବସ୍ଥାକୁ ଆଗେଇ ନେବା

୪- ମହାକାଶ ପ୍ରଯୁକ୍ତି ବିକାଶକୁ ତ୍ୱରାନ୍ୱିତ କରିବା

୫- ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହନ ଦେବା

୬- ଆତ୍ମନିର୍ଭର ଭାରତକୁ ସମର୍ଥନ

୭- ଏକ ସକ୍ରିୟ ନୂତନ ଉଦ୍ଭାବନ ପରିବେଶ ସୃଷ୍ଟି

୮- ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗକୁ ଆଗେଇ ନେବା

୯- ଲମ୍ବା ଅବଧିର ଦୀର୍ଘସ୍ଥାୟିତ୍ୱ ସୁନିଶ୍ଚିତ କରିବା

ଉପରୋକ୍ତ ଦିଗଗୁଡ଼ିକର ସମାଧାନ କରିବା ଦ୍ୱାରା, ଏହି ପାଣ୍ଠି ରଣନୀତିକୁ ଦୃଷ୍ଟିରୁ ଭାରତକୁ ଅନ୍ୟତମ ମହାକାଶ ଅର୍ଥବ୍ୟବସ୍ଥା ରୂପେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି।

ଲାଭ:

୧- ପରବର୍ତ୍ତୀ ପର୍ଯ୍ୟାୟ ବିକାଶ ପାଇଁ ଅତିରିକ୍ତ ପାଣ୍ଠି ଆକୃଷ୍ଟ କରି ଏକ ଗୁଣାତ୍ମକ ପ୍ରଭାବ ସୃଷ୍ଟି କରିବା ନିମନ୍ତେ ପୁଞ୍ଜି ନିବେଶ ଘରୋଇ ନିବେଶକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ

୨- ମହାକାଶ କଂପାନିଗୁଡ଼ିକୁ ଭାରତ ଭିତରେ ଅଟକାଇ ରଖିବା ଏବଂ ବିଦେଶରେ ରହୁଥିବା ଭାରତୀୟ କଂପାନିଗୁଡ଼ିକର ଧାରାକୁ ମୁକାବିଲା କରାଯାଇପାରିବ।

ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତୀୟ ମହାକାଶ ଅର୍ଥବ୍ୟବସ୍ଥାକୁ ପାଞ୍ଚ ଗୁଣା ସମ୍ପ୍ରସାରଣ ଲକ୍ଷ୍ୟ ପୂରଣ କରିବା ପାଇଁ ଘରୋଇ ମହାକାଶ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବ।

୧- ମହାକାଶ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆଣିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ମାଧ୍ୟମରେ ଭାରତର ନେତୃତ୍ୱକୁ ସୁଦୃଢ଼ କରିବା।

୨- ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବଢ଼ାଇବା।

୩- ଆତ୍ମନିର୍ଭର ଭାରତକୁ ସମର୍ଥନ କରିବା।

ରୋଜଗାର ସୃଷ୍ଟି ସମ୍ଭାବନା ସମେତ ପ୍ରଭାବ:

ଏହି ପ୍ରସ୍ତାବିତ ପାଣ୍ଠି ସମଗ୍ର ମହାକାଶ ଯୋଗାଣ ଶୃଙ୍ଖଳା – ଅପଷ୍ଟ୍ରିମ୍, ମିଡ୍‌ ଷ୍ଟ୍ରିମ୍ ଏବଂ ଡାଉନଷ୍ଟ୍ରିମରେ ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ କରି ଭାରତୀୟ ମହାକାଶ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହା ବ୍ୟବସାୟୀମାନଙ୍କୁ ନିଜ ପରିସରକୁ ବ୍ୟାପକ କରିବା, ଗବେଷଣା ଓ ବିକାଶରେ ନିବେଶ କରିବା ଏବଂ ସେମାନଙ୍କର କାର୍ଯ୍ୟବଳଙ୍କୁ ବିସ୍ତାର କରିବାରେ ସାହାଯ୍ୟ କରିବ। ପ୍ରତ୍ୟେକ ନିବେଶ ଇଞ୍ଜିନିୟରିଂ, ସଫ୍ଟୱେର ବିକାଶ, ଡାଟା ବିଶ୍ଳେଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଶତାଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବା ସହିତ ଯୋଗାଣ ଶୃଙ୍ଖଳା, ଲଜିଷ୍ଟିକ୍ସ ଏବଂ ବୃତ୍ତିଗତ ସେବାରେ ହଜାର ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିବ। ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରି ଏହି ପାଣ୍ଠି କେବଳ ନିଯୁକ୍ତି ସୃଷ୍ଟି କରିବ ନାହିଁ ବରଂ ଏକ ଦକ୍ଷ କାର୍ଯ୍ୟ ବଳର ବିକାଶ କରିବ, ଉଦ୍ଭାବନକୁ ପ୍ରୋତ୍ସାହିତ କରିବ ଏବଂ ମହାକାଶ ବଜାରରେ ଭାରତର ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବ।

ପୃଷ୍ଠଭୂମି

ସୂଚନାଯୋଗ୍ୟ, ଭାରତ ସରକାର ମହାକାଶ କ୍ଷେତ୍ର ସଂସ୍କାର ୨୦୨୦ର ଏକ ଅଂଶ ଭାବରେ ମହାକାଶ କାର୍ଯ୍ୟକଳାପରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ଏବଂ ତଦାରଖ କରିବା ପାଇଁ ଇନ୍‌-ସ୍ପେସ୍‌ ପ୍ରତିଷ୍ଠା କରିଥିଲେ । ଇନ୍‌-ସ୍ପେସ୍‌ ଭାରତର ମହାକାଶ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ୧୦୦୦ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ ପାଣ୍ଠି ପ୍ରସ୍ତାବ ଦେଇଛି। ଭାରତରେ ମହାକାଶ ଅର୍ଥବ୍ୟବସ୍ଥାର ମୂଲ୍ୟ ବର୍ତ୍ତମାନ ୮.୪ ବିଲିୟନ ଡଲାର ରହିଛି ଏବଂ ୨୦୩୩ ସୁଦ୍ଧା ଏହାକୁ ୪୪ ବିଲିୟନ ଡଲାରରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ପାରମ୍ପରିକ ଋଣଦାତାମାନେ ଏହି ହାଇଟେକ୍ କ୍ଷେତ୍ରରେ ଷ୍ଟାର୍ଟଅପ୍ ଗୁଡ଼ିକୁ ପାଣ୍ଠି ଯୋଗାଇବାକୁ କୁଣ୍ଠାବୋଧ କରୁଥିବାରୁ ବିପଦ ପୁଞ୍ଜିର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବା ଏହି ପାଣ୍ଠିର ଲକ୍ଷ୍ୟ। ମୂଲ୍ୟ ଶୃଙ୍ଖଳାରେ ପାଖାପାଖି ୨୫୦ଟି ମହାକାଶ ଷ୍ଟାର୍ଟଅପ୍ ଉଭା ହୋଇଥିବାରୁ ସେମାନଙ୍କ ଅଭିବୃଦ୍ଧି ସୁନିଶ୍ଚିତ କରିବା ଏବଂ ବିଦେଶକୁ ଚାଲି ଯାଉଥିବା ପ୍ରତିଭାଙ୍କୁ ରୋକିବା ପାଇଁ ଠିକ୍ ସମୟରେ ଆର୍ଥିକ ସହାୟତା ଜରୁରୀ ଅଟେ।

ପ୍ରସ୍ତାବିତ ସରକାରୀ ସମର୍ଥିତ ପାଣ୍ଠି ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ାଇବ, ଘରୋଇ ପୁଞ୍ଜିକୁ ଆକୃଷ୍ଟ କରିବ ଏବଂ ମହାକାଶ ସଂସ୍କାରକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସଙ୍କେତ ଦେବ। ଏହା ସେବି ନିୟମାବଳୀ ଅନୁଯାୟୀ ଏକ ବିକଳ୍ପ ନିବେଶ ପାଣ୍ଠି ଭାବରେ କାର୍ଯ୍ୟ କରିବ, ଯାହା ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରାରମ୍ଭିକ ପର୍ଯ୍ୟାୟ ଇକ୍ୱିଟି ପ୍ରଦାନ କରିବ ଏବଂ ସେମାନଙ୍କୁ ଅଧିକ ଘରୋଇ ଇକ୍ୱିଟି ନିବେଶ ପାଇଁ ବିସ୍ତାରିତ କରିବାକୁ ସକ୍ଷମ କରିବ।

Categories
ଆଜିର ଖବର ଜାତୀୟ ଖବର

ପୋଷଣଯୁକ୍ତ ଚାଉଳ: ସୂକ୍ଷ୍ମ ପୋଷକ ତତ୍ତ୍ୱ ଅଭାବ ଦୂର କରିବା ପାଇଁ କେନ୍ଦ୍ରର ମହତ୍ୱାକାଂକ୍ଷୀ ପଦକ୍ଷେପ

ନୂଆଦିଲ୍ଲୀ: ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ସମେତ ସରକାରଙ୍କ ସମସ୍ତ ଯୋଜନା ଅଧୀନରେ ଫର୍ଟିଫାଏଡ୍ ବା ପୋଷଣଯୁକ୍ତ ଚାଉଳ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ସହିତ ଦେଶରେ ପୋଷକ ତତ୍ତ୍ୱ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବକୁ ଦୂର କରିବା ପାଇଁ ଏକ ପରିପୂରକ ରଣନୀତି ଭାବରେ କେନ୍ଦ୍ର ସରକାର ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ ଜାରି ରଖିଛନ୍ତି।

ଏଠାରେ କହିବା ବାହୁଲ୍ୟ ଯେ, ପୋଷଣଯୁକ୍ତ ଚାଉଳ ସେବନ ସମସ୍ତଙ୍କ ପାଇଁ ସୁରକ୍ଷିତ ଅଟେ। ଥାଲାସେମିଆ ଏବଂ ସିକେଲ ସେଲ୍ ଆନିମିଆ ଭଳି ହେମୋଗ୍ଲୋବିନୋପାଥିରେ ପୀଡ଼ିତ ବ୍ୟକ୍ତି ମଧ୍ୟ ଏହାକୁ ଖାଇପାରିବେ ଯାକି ବୈଜ୍ଞାନିକ ପ୍ରମାଣ ଦ୍ୱାରା ସିଦ୍ଧ ହୋଇଛି।

ଖାଦ୍ୟ ନିରାପତ୍ତା ଏବଂ ମାନକ (ଫର୍ଟିଫିକେସନ୍ ଅଫ୍ ଫୁଡ୍ସ) ନିୟମାବଳୀ, ୨୦୧୮ ଅନୁଯାୟୀ ଭାରତରେ ପୋଷଣଯୁକ୍ତ ଚାଉଳ ପ୍ୟାକେଟରେ ପୂର୍ବରୁ ଥାଲାସେମିଆ ଏବଂ ସିକଲ୍ ସେଲ୍ ଆନିମିଆରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଉଲ୍ଲେଖ କରିବା ଆବଶ୍ୟକ ଥିଲା। ଏହି ପରାମର୍ଶର ଆବଶ୍ୟକତା ଉପରେ ଏକ ବୈଜ୍ଞାନିକ କମିଟି ପ୍ରଶ୍ନ ଉଠାଇ କହିଛି ଯେ ପ୍ୟାକେଜିଂ ଉପରେ ଅନ୍ୟ କୌଣସି ଦେଶ ଏଭଳି ମାର୍ଗଦର୍ଶିକା ଲେବଲ୍କୁ ବାଧ୍ୟତାମୂଳକ କରିନାହାନ୍ତି। ଏହାର ଜବାବରେ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ୨୦୨୩ ମସିହାରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଏହି ହିମୋଗ୍ଲୋବିନୋପାଥୀ ରୋଗ ଥିବା ଲୋକଙ୍କ ପାଇଁ ଲୌହ ସାରଯୁକ୍ତ ଫର୍ଟିଫାଇଡ୍ ଚାଉଳର ନିରାପତ୍ତା ଆକଳନ କରିଥିଲା।

କାର୍ଯ୍ୟକାରୀ ଗୋଷ୍ଠୀର ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନର ପ୍ରମାଣ ଏଭଳି ବ୍ୟକ୍ତିବିଶେଷଙ୍କ ପାଇଁ କୌଣସି ସୁରକ୍ଷା ଚିନ୍ତାକୁ ସମର୍ଥନ କରେ ନାହିଁ। ଥାଲାସେମିଆ ରୋଗୀଙ୍କ ରକ୍ତ ସଞ୍ଚାଳନ ସମୟରେ ଶୋଷିତ ଲୌହସାର ତୁଳନାରେ ପୋଷଣଯୁକ୍ତ ଚାଉଳରୁ ମିଳୁଥିବା ଲୌହସାର ସର୍ବନିମ୍ନ ଅଟେ ଏବଂ ଅତିରିକ୍ତ ଲୌହସାର ପ୍ରଭାବ ବା ଆଇରନ୍‌ ଓଭରଲୋଡ୍‌ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ କେଲେଶନ ଦ୍ୱାରା ଚିକିତ୍ସା କରାଯାଏ। ଏହାବ୍ୟତୀତ, ସିକଲ୍ ସେଲ୍ ଆନିମିଆରେ ପୀଡ଼ିତ ବ୍ୟକ୍ତିଙ୍କ ଠାରେ ସ୍ୱାଭାବିକ ରୂପେ ହେପସିଡିନ ନାମକ ହର୍ମୋନ ସ୍ତର ବଢ଼ିଥିବା ଥିବା କାରଣରୁ ଅତିରିକ୍ତ ଲୌହସାରକୁ ଅବଶୋଷିତ କରିବାର କ୍ଷମତା ରହିନଥାଏ। ହେପସିଡିନ୍‌ ଏପରି ଏକ ହର୍ମୋନ ଯାହା ଲୌହସାର ଅବଶୋଷଣକୁ ନିୟନ୍ତ୍ରିତ କରିଥାଏ।

ଏହି ଆକଳନ ପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ବ୍ୟାପକ ସମୀକ୍ଷା କରାଯାଇଥିଲା। ହେମାଟୋଲୋଜି, ପୋଷଣ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି କମିଟି ଲୌହସାର ମେଟାବୋଲିଜିମ୍, ଫର୍ଟିଫାଇଡ୍ ଚାଉଳରୁ ଆଇରନ୍ ଡୋଜ୍ ର ନିରାପତ୍ତା ଏବଂ ବିଶ୍ୱସ୍ତରୀୟ ଲେବଲିଂ ଉପରେ ଏକ ଗଭୀର ବିଷୟଗତ ସମୀକ୍ଷା କରିଥିଲେ।

ଏହି ବିଶ୍ୱସ୍ତରୀୟ ବୈଜ୍ଞାନିକ ସମୀକ୍ଷା ଆଧାରରେ କମିଟି କୌଣସି ପ୍ରମାଣ ପାଇନାହିଁ ଯେ ଲୌହସାର ଥିବା ପୋଷଣଯୁକ୍ତ ଚାଉଳ ଏହି ହିମୋଗ୍ଲୋବିନୋପାଥି ଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ଆଦିବାସୀ ଅଞ୍ଚଳର ୮,୦୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଭାରତରେ ହୋଇଥିବା ଏକ ବୃହତ ଗୋଷ୍ଠୀ ଅଧ୍ୟୟନରୁ ଜଣାପଡିଛି ଯେ ସିକଲ ସେଲ ରୋଗରେ ପୀଡ଼ିତ ପ୍ରାୟ ଦୁଇ ତୃତୀୟାଂଶ ରୋଗୀ ଆଇରନ୍ ଅଭାବ ଅନୁଭବ କରନ୍ତି। ସିକଲ୍ ସେଲ୍ ଆନିମିଆ ବା ଥାଲାସେମିଆ ପାଇଁ ଫର୍ଟିଫାଇଡ୍ ଚାଉଳ ଖାଇବା ଦ୍ୱାରା କ୍ଷତି ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଉପଲବ୍ଧ ନାହିଁ।

ସୂଚନାଯୋଗ୍ୟ ଯେ ଡବ୍ଲ୍ୟୁଏଚଓ ଏବଂ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଭଳି ସଂସ୍ଥା ମଧ୍ୟ ପ୍ୟାକେଜିଂ ଉପରେ ଏଭଳି ମାର୍ଗଦର୍ଶିକାକୁ ବାଧ୍ୟତାମୂଳକ କରନ୍ତି ନାହିଁ।

ଭାରତରେ, ଯେଉଁଠି ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ୨,୬୪,୦୦୦ରୁ ଅଧିକ ହିତାଧିକାରୀ ଅଛନ୍ତି, ସେଠାରେ ବିପୁଳ ପରିମାଣରେ ଫର୍ଟିଫାଇଡ୍ ଚାଉଳ ବଣ୍ଟନ ହୋଇସାରିଛି, ସେଠାରେ ଲୌହସାର ଓଭରଲୋଡ୍ ସମ୍ବନ୍ଧୀୟ କୌଣସି ପ୍ରତିକୂଳ ସ୍ୱାସ୍ଥ୍ୟ ଫଳାଫଳ ସମ୍ପର୍କରେ ଅଭିଯୋଗ ଆସିନାହିଁ। ମାର୍ଗଦର୍ଶିକାକୁ ବାଦ୍ ଦେବା ପାଇଁ କମିଟିର ସୁପାରିସକୁ ଏହା ଆହୁରି ପ୍ରମାଣିତ କରୁଛି।

ମାର୍ଗଦର୍ଶିକାକୁ ହଟାଇ ଦେବା ଲାଗି କମିଟି ସୁପାରିସ କରିଛି ଯାହାକୁ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ସ୍ୱୀକାର କରି ନେଇଛି। ଖାଦ୍ୟ ପ୍ରାଧିକରଣର ୪୪ତମ ବୈଠକରେ ଅନୁମୋଦନ ମିଳିବା ପରେ ଜୁଲାଇ ୨୦୨୪ରେ ଏହି ମାର୍ଗଦର୍ଶିକାକୁ ଆନୁଷ୍ଠାନିକ ଭାବେ ହଟାଇ ଦିଆଯାଇଥିଲା।

୨୦୧୯ ମସିହାରେ ଭାରତର ଚାଉଳ ଫୋର୍ଟିଫିକେସନ୍‌ କାର୍ଯ୍ୟକ୍ରମକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇ ପରେ ଏହାକୁ ୩ଟି ପର୍ଯ୍ୟାୟରେ ବୃଦ୍ଧି ପାଇଥିଲା। ଫୋର୍ଟିଫିକେସନ୍ ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଅଭ୍ୟାସ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହିତ ସଂଯୁକ୍ତ ମାର୍ଗଦର୍ଶିକାକୁ ଭାରତ ଅନୁସରଣ କରେ। ଡବ୍ଲ୍ୟୁଏଚ୍ଓର ୨୦୧୮ ସୁପାରିସ ଅନୁଯାୟୀ, ଯେଉଁ ଦେଶରେ ଭାତ ଏକ ମୁଖ୍ୟ ଖାଦ୍ୟ ଅଟେ ସେଠାରେ ଲୌହସାର ସହିତ ଚାଉଳ ଫର୍ଟିଫିକେସନ୍ ଜରୁରୀ ଅଟେ। ଭାରତରେ ୬୫% ଲୋକ ଦୈନିକ ଚାଉଳ ଖାଉଥିବା ବେଳେ ଲୌହସାର ଯୁକ୍ତ ଚାଉଳ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ବାର୍ଷିକ ୫୨୦ ଲକ୍ଷ ମେଟ୍ରିକ୍ ଟନ୍ ଫର୍ଟିଫାଏଡ୍ ଚାଉଳ କିଣାଯିବ। ବର୍ତ୍ତମାନ ସମଗ୍ର ଦେଶରେ ୧,୦୨୩ ଏଫଆରକେ ଉତ୍ପାଦନକାରୀ ଅଛନ୍ତି, ଯେଉଁମାନଙ୍କର ବାର୍ଷିକ ଉତ୍ପାଦନ କ୍ଷମତା ୧୧୧ ଏଲଏମଟି ରହିଛି, ଯାହା କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ୫.୨୦ ଏଲଏମଟି ଠାରୁ ଯଥେଷ୍ଟ ଅଧିକ। ଏହାବ୍ୟତୀତ ବାର୍ଷିକ ୭୫ ଏଲଏମଟି କ୍ଷମତା ବିଶିଷ୍ଟ ୨୩୨ ଜଣ ପ୍ରିମିକ୍ସ ଯୋଗାଣକାରୀ ଅଛନ୍ତି, ଯାହା କି ଆବଶ୍ୟକତା ଠାରୁ ୦.୧୦୪ ଏଲଏମଟି ଠାରୁ ଅଧିକ।

ଭାରତରେ ଚାଉଳ ଫର୍ଟିଫିକେସନ୍ ବା ପୋଷକ ତତ୍ତ୍ୱ ମିଶ୍ରଣ ପାଇଁ ଇକୋସିଷ୍ଟମ ଯଥେଷ୍ଟ ବିସ୍ତାରିତ ହୋଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ୩୦,୦୦୦ ରାଇସ୍ ମିଲ୍ ମଧ୍ୟରୁ ୨୧,୦୦୦ରୁ ଅଧିକ ମିଶ୍ରଣ ପାଇଁ ଉପକରଣ ସ୍ଥାପନ କରିଛନ୍ତି, ଯେଉଁଥିରେ ମାସକୁ ମୋଟ ୨୨୩ ଏଲଏମଟି ଫର୍ଟିଫାଇଡ୍ ଚାଉଳ ପ୍ରସ୍ତୁତ ହୋଇପାରିବ। ପରୀକ୍ଷଣ ଭିତ୍ତିଭୂମି ମଧ୍ୟ ବୃଦ୍ଧି ପାଇଛି, ସମଗ୍ର ଭାରତରେ ଅନେକ ଏନଏବିଏଲ୍ ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାର ଫର୍ଟିଫାଇଡ୍ ଚାଉଳର ଗୁଣବତ୍ତା ଭଲ ଭାବେ ଯାଞ୍ଚ କରୁଛନ୍ତି।

ଚାଉଳ ଫର୍ଟିଫିକେସନ୍ ହେଉଛି ଏକ ସୁପ୍ରତିଷ୍ଠିତ ବୈଶ୍ୱିକ ପ୍ରଥା। ଗ୍ଲୋବାଲ ଫୋର୍ଟିଫିକେସନ୍ ଡାଟା ଏକ୍ସଚେଞ୍ଜ ଅନୁଯାୟୀ, ୧୮ଟି ଦେଶ ସକ୍ରିୟ ଭାବେ ଚାଉଳ ଫର୍ଟିଫିକେସନ୍, ୧୪୭ଟି ଲୁଣ ଫର୍ଟିଫିକେସନ୍, ୧୦୫ଟି ଗହମ ଅଟା ଫର୍ଟିଫିକେସନ୍, ୪୩ଟି ତୈଳ ଫର୍ଟିଫିକେସନ୍ ଏବଂ ୨୧ଟି ମକା ଅଟାର ଫର୍ଟିଫିକେସନକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ଦେଶମାନଙ୍କରେ ଥାଲାସେମିଆ କିମ୍ବା ସିକଲ୍ ସେଲ୍ ଆନିମିଆ ଥିବା ବ୍ୟକ୍ତିଙ୍କ ପାଇଁ ପ୍ୟାକେଟ୍‌ରେ କୌଣସି ମାର୍ଗଦର୍ଶିକା ଲେବଲ୍ ଲଗାଇବା ଆବଶ୍ୟକ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବରେ ସାମିଲ ହେବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ଲେଟର ଅଫ୍ ଇଣ୍ଟେଣ୍ଟ’ ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ଯାହା ଦ୍ୱାରା ଭାରତ ‘ଶକ୍ତି ଦକ୍ଷତା ହବ୍‍’ରେ ସାମିଲ ହୋଇପାରିବ।

ବିଶ୍ୱବ୍ୟାପୀ ସହଯୋଗ କୁ ପ୍ରୋତ୍ସାହିତ କରିବା ଏବଂ ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବ୍ ରେ ଭାରତ ଯୋଗ ଦେବ । ଏହି ପଦକ୍ଷେପ ନିରନ୍ତର ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିବା ସହ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବାର ପ୍ରୟାସ ସହ ଯୋଡ଼ି ହୋଇଛି।

ଶକ୍ତି ଦକ୍ଷତା ସହଯୋଗ ପାଇଁ ଆନ୍ତର୍ଜାତିକ ଭାଗିଦାରୀ (ଆଇପିଇଇସି)ର ଉତ୍ତରାଧିକାରୀ ଭାବରେ ୨୦୨୦ରେ ସ୍ଥାପିତ ଏହି ହବ୍ ସରକାର, ଅନ୍ତର୍ଜାତୀୟ ସଂଗଠନ ଏବଂ ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଜ୍ଞାନ, ସର୍ବୋତ୍ତମ ଅଭ୍ୟାସ ଏବଂ ଅଭିନବ ସମାଧାନ ବାଣ୍ଟିବା ପାଇଁ ଏକାଠି କରିଛି। ହବ୍ ରେ ସାମିଲ ହେବା ଦ୍ୱାରା ଭାରତ ବିଶେଷଜ୍ଞ ଏବଂ ସମ୍ବଳର ଏକ ବିଶାଳ ନେଟୱାର୍କରେ ପ୍ରବେଶ କରିବ ଏବଂ ଘରୋଇ ଶକ୍ତି ଦକ୍ଷତା ପଦକ୍ଷେପକୁ ବୃଦ୍ଧି କରିବାରେ ସକ୍ଷମ ହେବ । ଜୁଲାଇ, ୨୦୨୪ ସୁଦ୍ଧା ୧୬ଟି ଦେଶ (ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍‍, ଡେନମାର୍କ, ୟୁରୋପୀୟ କମିଶନ, ଫ୍ରାନ୍ସ, ଜର୍ମାନୀ, ଜାପାନ, କୋରିଆ, ଲକ୍ଜମବର୍ଗ, ରୁଷିଆ, ସାଉଦି ଆରବ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ) ହବ୍ ରେ ସାମିଲ ହୋଇଛନ୍ତି।

ହବ୍ ର ସଦସ୍ୟ ଭାବରେ, ଭାରତ ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ସହଯୋଗ, ନିଜର ଦକ୍ଷତା ସେୟାର କରିବା ଏବଂ ଅନ୍ତର୍ଜାତୀୟ ଶ୍ରେଷ୍ଠ ଅଭ୍ୟାସରୁ ଶିଖିବାର ସୁଯୋଗରୁ ଉପକୃତ ହେବ । ଶକ୍ତି-ଦକ୍ଷ ଜ୍ଞାନକୌଶଳ ଏବଂ ଅଭ୍ୟାସକୁ ପ୍ରୋତ୍ସାହିତ କରି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ପ୍ରୟାସରେ ମଧ୍ୟ ଏହି ଦେଶ ଯୋଗଦାନ କରିବ ।

ବୈଧାନିକ ସଂସ୍ଥା ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ)କୁ ଭାରତ ତରଫରୁ ହବ୍ ର କାର୍ଯ୍ୟକାରୀ ଏଜେନ୍ସି ଭାବେ ମନୋନୀତ କରାଯାଇଛି। ହବ୍ ର କାର୍ଯ୍ୟକଳାପରେ ଭାରତର ଅଂଶଗ୍ରହଣକୁ ସୁଗମ କରିବା ଏବଂ ଭାରତର ଅବଦାନକୁ ଏହାର ଜାତୀୟ ଶକ୍ତି ଦକ୍ଷତା ଲକ୍ଷ୍ୟ ସହିତ ଯୋଡ଼ିବା ସୁନିଶ୍ଚିତ କରିବାରେ ବିଇଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ହବ୍ ରେ ସାମିଲ ହୋଇ ଭାରତ ଅଧିକ ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ଏହି ବୈଶ୍ୱିକ ପ୍ଲାଟଫର୍ମରେ ଦେଶର ଅଂଶଗ୍ରହଣ କାର୍ବନ ହ୍ରାସ ଅର୍ଥନୀତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଏବଂ ଶକ୍ତି ନିରାପତ୍ତା ରେ ଉନ୍ନତି ଆଣିବାରେ ସହାୟକ ହେବ ।

Categories
ଆଜିର ଖବର ଜାତୀୟ ଖବର

ଖାଇବା ତେଲ – ତୈଳବୀଜ ଉପରେ ଜାତୀୟ ମିଶନକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ତୈଳବୀଜ ଉତ୍ପାଦନ ବୃଦ୍ଧି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭର ଭାରତ) ହାସଲ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଖାଇବା ତେଲ – ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ) କୁ ଅନୁମୋଦନ କରାଯାଇଛି। ୨୦୨୪-୨୫ରୁ ୨୦୩୦-୩୧ ପର୍ଯ୍ୟନ୍ତ ୭ ବର୍ଷ ମଧ୍ୟରେ ୧୦,୧୦୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହ ଏହି ମିଶନ କାର୍ଯ୍ୟକାରୀ ହେବ।

ନୂତନ ଭାବେ ଅନୁମୋଦିତ ଏନଏମଇଓ-ତୈଳବୀଜ ମୁଖ୍ୟ ପ୍ରାଥମିକ ତୈଳବୀଜ ଫସଲ ଯଥା ରେପସିଡ୍-ସୋରିଷ, ଚିନାବାଦାମ, ସୋୟାବିନ୍, ସୂର୍ଯ୍ୟମୁଖୀ ଏବଂ ରାଶିର ଉତ୍ପାଦନ ବୃଦ୍ଧି କରିବା ସହିତ କପା ମଞ୍ଜି, କୁଣ୍ଡା ଏବଂ ଉଦ୍ଭିଦ ବାହିତ ତୈଳ ଭଳି ଦ୍ବିତୀୟ ଉତ୍ସରୁ ତୈଳ ସଂଗ୍ରହ ଏବଂ ଉତ୍ତୋଳନ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେବ। ଏହି ଅଭିଯାନରେ ପ୍ରାଥମିକ ତୈଳବୀଜ ଉତ୍ପାଦନ ୩୯ ନିୟୁତ ଟନ୍ (୨୦୨୨-୨୩)ରୁ ୨୦୩୦-୩୧ ସୁଦ୍ଧା ୬୯.୭ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନଏମଇଓ-ଓପି (ଅଏଲ ପାମ) ସହିତ ମିଶି ଏହି ମିଶନ ୨୦୩୦-୩୧ ସୁଦ୍ଧା ଘରୋଇ ଖାଇବା ତେଲ ଉତ୍ପାଦନକୁ ୨୫.୪୫ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଅଧିକ ଉତ୍ପାଦନକାରୀ ଅଧିକ ତୈଳ ଯୁକ୍ତ ବିହନ ପ୍ରଜାତି ଗ୍ରହଣ କୁ ପ୍ରୋତ୍ସାହିତ କରିବା, ଧାନ ଫସଲ ଅଞ୍ଚଳରେ ଚାଷକୁ ବିସ୍ତାର କରିବା ଏବଂ ଆନ୍ତଃଫସଲକୁ ପ୍ରୋତ୍ସାହିତ କରିବା ଦ୍ୱାରା ଏହା ହାସଲ କରାଯିବ। ଏହି ମିଶନ ଜିନୋମ ଏଡିଟିଂ ଭଳି ଅତ୍ୟାଧୁନିକ ବୈଶ୍ୱିକ ଜ୍ଞାନକୌଶଳ ବ୍ୟବହାର କରି ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବିହନର ସାମ୍ପ୍ରତିକ ବିକାଶକୁ ଉପଯୋଗ କରିବ।

ଉନ୍ନତ ମାନର ବିହନ ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ଏହି ମିଶନ ବିହନ ପ୍ରମାଣୀକରଣ ସିଦ୍ଧତା ଏବଂ ସାମଗ୍ରିକ ଉଦ୍ଭାବାନ ବା ‘ସିଡ୍‌ ଅଥେଣ୍ଟିକେସନ ଟ୍ରେସେବିଲିଟି ଆଣ୍ଡ ହୋଲିଷ୍ଟିକ୍ ଇନଭେଣ୍ଟରି (ସାଥୀ)’ ପୋର୍ଟାଲ ମାଧ୍ୟମରେ ଏକ ଅନଲାଇନ୍ ୫ ବର୍ଷ ଧରି କାର୍ଯ୍ୟକାରୀ ହେବାକୁ ଥିବା ବିହନ ଯୋଜନା ଆରମ୍ଭ କରିବ। ଏହାଦ୍ୱାରା ସମବାୟ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ସରକାରୀ କିମ୍ବା ବେସରକାରୀ ବିହନ ନିଗମ ସମେତ ବିହନ ଉତ୍ପାଦନକାରୀ ଏଜେନ୍ସିମାନଙ୍କ ସହିତ ରାଜ୍ୟଗୁଡ଼ିକ ଆଗୁଆ ଚୁକ୍ତି ସ୍ଥାପନ କରିପାରିବେ। ବିହନ ଉତ୍ପାଦନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରୀ କ୍ଷେତ୍ରରେ ୬୫ଟି ନୂତନ ବିହନ କେନ୍ଦ୍ର ଏବଂ ୫୦ଟି ବିହନ ଷ୍ଟୋରେଜ୍ ୟୁନିଟ୍ ପ୍ରତିଷ୍ଠା କରାଯିବ।

ଏହାବ୍ୟତୀତ ବାର୍ଷିକ ୧୦ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଅନ୍ତର୍ଭୁକ୍ତ କରି ୩୪୭ଟି ଅଭିନବ ଜିଲ୍ଲାରେ ୬୦୦ରୁ ଅଧିକ ମୂଲ୍ୟ ଶୃଙ୍ଖଳା ଶଙ୍କୁଳ ବିକଶିତ କରାଯିବ। ଏଫପିଓ, ସମବାୟ ଏବଂ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଭଳି ମୂଲ୍ୟ ଶୃଙ୍ଖଳା ଅଂଶୀଦାରମାନେ ଏହି ଶଙ୍କୁଳଗୁଡିକ ପରିଚାଳନା କରିବେ। ଏହି ଶଙ୍କୁଳର ଚାଷୀମାନେ ଉନ୍ନତ ମାନର ବିହନ, ଉତ୍ତମ କୃଷି ପ୍ରଣାଳୀ (ଜିଏପି) ଉପରେ ପ୍ରଶିକ୍ଷଣ ଏବଂ ପାଣିପାଗ ଓ କୀଟ ପରିଚାଳନା ଉପରେ ପରାମର୍ଶ ସେବା ପାଇପାରିବେ।

ଧାନ ଓ ଆଳୁ ଫସଲ ଜମିକୁ ଆଧାର କରି, ଆନ୍ତଃଫସଲକୁ ପ୍ରୋତ୍ସାହନ ଦେବା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହନ ଦେଇ ତୈଳବୀଜ ଚାଷକୁ ଅତିରିକ୍ତ ୪୦ ଲକ୍ଷ ହେକ୍ଟର ବୃଦ୍ଧି କରିବାକୁ ଏହି ମିଶନ ଲକ୍ଷ୍ୟ ରଖିଛି।

କପାବୀଜ, କୁଣ୍ଡା, ମକା ତେଲ ଏବଂ ଟ୍ରି-ବର୍ଣ୍ଣ ଅଏଲ୍ (ଟିବିଓ) ଭଳି ଉତ୍ସରୁ ତୈଳ ସଂଗ୍ରହ ବୃଦ୍ଧି ପାଇଁ ଫସଲ ଅମଳ ପରବର୍ତ୍ତୀ ୟୁନିଟ୍ ପ୍ରତିଷ୍ଠା କିମ୍ବା ଉନ୍ନତିକରଣ ଲାଗି ଏଫପିଓ, ସମବାୟ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ କରାଯିବ।

ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଅଭିଯାନ ଜରିଆରେ ଖାଇବା ତେଲ ପାଇଁ ସୁପାରିସ କରାଯାଇଥିବା ଖାଦ୍ୟ ମାର୍ଗଦର୍ଶିକା ସମ୍ପର୍କରେ ଏହି ମିଶନ ସଚେତନତା ସୃଷ୍ଟି କରିବ ।

ଘରୋଇ ତୈଳବୀଜ ଉତ୍ପାଦନକୁ ଯଥେଷ୍ଟ ବୃଦ୍ଧି କରିବା, ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭରଶୀଳତା)ର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଏବଂ ଏହା ମାଧ୍ୟମରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ତଥା ମୂଲ୍ୟବାନ ବୈଦେଶିକ ମୁଦ୍ରା ସଞ୍ଚୟ ସହିତ କୃଷକଙ୍କ ଆୟ ବୃଦ୍ଧି କରିବା ଏହି ମିଶନର ଲକ୍ଷ୍ୟ । ଏହି ଅଭିଯାନ ଜରିଆରେ କମ୍ ଜଳ ବ୍ୟବହାର ଓ ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉର୍ବରତା ବୃଦ୍ଧି ପାଇଁ ଫସଲ ଅମଳ ହେଉନଥିବା ଅଞ୍ଚଳର ଉତ୍ପାଦନଶୀଳ ବ୍ୟବହାର ଆକାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବେଶ ଲାଭ ମିଳିପାରିବ ।

ପୃଷ୍ଠଭୂମି

ଦେଶ ଖାଇବା ତେଲର ୫୭% ଘରୋଇ ଚାହିଦା ମେଣ୍ଟାଇବା ପାଇଁ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ। ଏହି ନିର୍ଭରଶୀଳତାକୁ ଦୂର କରିବା ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ୨୦୨୧ ରେ ଦେଶରେ ତାଳ ତେଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ୧୧,୦୪୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଖାଦ୍ୟ ତୈଳ ମିଶନ – ଅଏଲ ପାମ (ଏନଏମଇଓ-ଓପି) ଆରମ୍ଭ କରିବା ସହିତ ଖାଇବା ତେଲର ଘରୋଇ ଉତ୍ପାଦନ ବୃଦ୍ଧି ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହାବ୍ୟତୀତ ତୈଳବୀଜ ଚାଷୀଙ୍କୁ ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ବାଧ୍ୟତାମୂଳକ ରୂପେ ଖାଇବା ତୈଳବୀଜ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଯଥେଷ୍ଟ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) ଜାରି ରଖିବା ଦ୍ୱାରା ତୈଳବୀଜ ଚାଷୀମାନେ ମୂଲ୍ୟ ସହାୟକ ଯୋଜନା ଏବଂ ମୂଲ୍ୟ ଅଭାବ ପରିଶୋଧ ଯୋଜନା ମାଧ୍ୟମରେ ଏମଏସପି ପାଇପାରିବେ। ଏହାବ୍ୟତୀତ  ଘରୋଇ ଉତ୍ପାଦକମାନଙ୍କୁ ଶସ୍ତା ଆମଦାନୀ ସମସ୍ୟାରୁ ରକ୍ଷା କରିବା ଏବଂ ସ୍ଥାନୀୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଖାଇବା ତେଲ ଉପରେ ୨୦% ଆମଦାନୀ ଶୁଳ୍କ ଲାଗୁ କରାଯାଇଛି।

**********

P.S.

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ: ୨୦୨୮ରେ ପ୍ରଥମ ମଡ୍ୟୁଲ୍‌ ଉତକ୍ଷେପଣ ସହିତ ପ୍ରତିଷ୍ଠା ହେବ ନିଜସ୍ୱ ମହାକାଶ କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗଗନଯାନ କାର୍ଯ୍ୟକ୍ରମର ପରିସରକୁ ବିସ୍ତାର କରି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ୟୁନିଟ୍ ନିର୍ମାଣ କୁ ମଞ୍ଜୁରୀ ମିଳିଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (ବିଏଏସ-୧)ର ପ୍ରଥମ ମଡ୍ୟୁଲର ବିକାଶ ଏବଂ ବିଏଏସ ନିର୍ମାଣ ଓ ପରିଚାଳନା ପାଇଁ ବିଭିନ୍ନ ଜ୍ଞାନକୌଶଳ ପ୍ରଦର୍ଶନ ଓ ପ୍ରମାଣିତ କରିବା ପାଇଁ ମିଶନ ହାତକୁ ନେବା ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି। ଗଗନଯାନ କାର୍ଯ୍ୟକ୍ରମର ପରିସର ଓ ପାଣ୍ଠି ବିନିଯୋଗରେ ସଂଶୋଧନ କରି ବିଏଏସ୍ ଓ ପୂର୍ବଅଭିଯାନ ଅଭିଯାନ ନିମନ୍ତେ ନୂତନ ବିକାଶ ଏବଂ ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମ ପୂରଣ ପାଇଁ ଅତିରିକ୍ତ ଆବଶ୍ୟକତା ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି।

ବିଏଏସ୍ ପାଇଁ ବିକାଶ ଓ ପୂର୍ବ ଅଭିଯାନର ପରିସରଭୁକ୍ତ କରିବା, ଏକ ଅତିରିକ୍ତ ମାନବବିହୀନ ମିଶନ କାର୍ଯ୍ୟକାରୀ କରିବା ଏବଂ ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମର ବିକାଶ ପାଇଁ ଅତିରିକ୍ତ ହାର୍ଡୱେର ଆବଶ୍ୟକତାକୁ ପୂରଣ କରିବା ଲାଗି ଗଗନଯାନ କାର୍ଯ୍ୟକ୍ରମରେ ସଂଶୋଧନ କରାଯାଇଛି । ବର୍ତ୍ତମାନ ପ୍ରଯୁକ୍ତି ବିକାଶ ଓ ପ୍ରଦର୍ଶନର ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଆଠଟି ମିଶନ ମାଧ୍ୟମରେ ଡିସେମ୍ବର ୨୦୨୮ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର (ବିଏଏସ୍‌-୧)ର ପ୍ରଥମ ୟୁନିଟ୍‌ ଆରମ୍ଭ କରି ସମ୍ପୂର୍ଣ୍ଣ କରାଯିବ।

ଡିସେମ୍ବର ୨୦୧୮ରେ ଅନୁମୋଦନ କରାଯାଇଥିବା ଗଗନଯାନ କାର୍ଯ୍ୟକ୍ରମରେ ମାନବ ମହାକାଶ ଯାନକୁ ପୃଥିବୀର ନିମ୍ନ କକ୍ଷପଥ ବା ଲୋ ଆର୍ଥ ଅର୍ବିଟ୍ (ଏଲ୍ଇଓ)କୁ ନେବା ଏବଂ ଦୀର୍ଘକାଳୀନ ଭାବେ ଭାରତୀୟ ମାନବ ମହାକାଶ ଅନୁସନ୍ଧାନ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଜ୍ଞାନକୌଶଳର ମୂଳଦୁଆ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଅମୃତ କାଳରେ ମହାକାଶ ପାଇଁ ଅନ୍ୟାନ୍ୟ ଜିନିଷ, ୨୦୩୫ ସୁଦ୍ଧା କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରିକ୍ଷ ଷ୍ଟେସନ ଏବଂ ୨୦୪୦ ସୁଦ୍ଧା ଭାରତୀୟ କ୍ରୁଡ ଲୁନାର ମିଶନ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦୀର୍ଘ କାଳୀନ ମାନବ ମହାକାଶ ଅଭିଯାନ ଏବଂ ଚନ୍ଦ୍ର ଏବଂ ଏହା ବାହାରେ ଅଧିକ ଅନୁସନ୍ଧାନ ପାଇଁ ଆବଶ୍ୟକ ଦକ୍ଷତା ବିକାଶ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଅଗ୍ରଣୀ ମହାକାଶ ପ୍ରେମୀ ରାଷ୍ଟ୍ର ଯଥେଷ୍ଟ ପ୍ରୟାସ ଏବଂ ପୁଞ୍ଜିନିବେଶ କରୁଛନ୍ତି । ଅମୃତକାଳରେ ମହାକାଶ ପାଇଁ ଅନ୍ୟାନ୍ୟ ଲକ୍ଷ୍ୟ ବ୍ୟତୀତ ୨୦୩୫ ସୁଦ୍ଧା କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଏବଂ ୨୦୪୦ ସୁଦ୍ଧା ଭାରତୀୟଙ୍କୁ ଚନ୍ଦ୍ରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଦୀର୍ଘ କାଳୀନ ମାନବ ମହାକାଶ ଅଭିଯାନ ଏବଂ ଚନ୍ଦ୍ର ଓ ଏହା ଠାରୁ ଊର୍ଦ୍ଧ୍ବରେ ଅଧିକ ଅନୁସନ୍ଧାନ ପାଇଁ ଆବଶ୍ୟକ ସାମର୍ଥ୍ୟ ବିକାଶ ଏବଂ କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ଅଗ୍ରଣୀ ମହାକାଶ ପ୍ରେମୀ ରାଷ୍ଟ୍ର ଯଥେଷ୍ଟ ପ୍ରୟାସ ଓ ଏ ଦିଗରେ ପୁଞ୍ଜିନିବେଶ କରୁଛନ୍ତି ।

ଗଗନଯାନ କାର୍ଯ୍ୟକ୍ରମ ଇସ୍ରୋ ଦ୍ୱାରା ପରିଚାଳିତ ଏକ ଜାତୀୟ ପ୍ରୟାସ ହେବ, ଯେଉଁଥିରେ ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟନ୍ୟ ଜାତୀୟ ସଂସ୍ଥା ଅଂଶୀଦାର ଭାବରେ ସହଯୋଗ କରିବେ । ଇସ୍ରୋ ଭିତରେ ସ୍ଥାପିତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ଜରିଆରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ। ଦୀର୍ଘମିଆଦୀ ମାନବ ମହାକାଶ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳ ର ବିକାଶ ଏବଂ ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଇସ୍ରୋ ୨୦୨୬ ସୁଦ୍ଧା ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମ ଅଧୀନରେ ୪ଟି ଅଭିଯାନ ଆରମ୍ଭ କରିବ ଏବଂ ଡିସେମ୍ବର, ୨୦୨୮ ସୁଦ୍ଧା ବିଏଏସ ପାଇଁ ବିଭିନ୍ନ ଜ୍ଞାନକୌଶଳର ପ୍ରଦର୍ଶନ ଓ ପ୍ରମାଣିକରଣ ନିମନ୍ତେ ବିଏଏସର ପ୍ରଥମ ମଡ୍ୟୁଲ ତଥା ଚାରିଟି ଅଭିଯାନ ଆରମ୍ଭ କରିବ ।

ପୃଥିବୀର ନିମ୍ନ କକ୍ଷପଥକୁ ମାନବ ମହାକାଶ ଅଭିଯାନ ପାଇଁ ଦେଶ ଅତ୍ୟାବଶ୍ୟକ ବୈଷୟିକ କ୍ଷମତା ହାସଲ କରିବ। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଭଳି ଜାତୀୟ ମହାକାଶ ଭିତ୍ତିକ କେନ୍ଦ୍ର ମାଇକ୍ରୋଗ୍ରାଭିଟି ଭିତ୍ତିକ ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ । ଏହା ଦ୍ୱାରା ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ପାଇବ ଏବଂ ଗବେଷଣା ଓ ବିକାଶର ପ୍ରମୁଖ କ୍ଷେତ୍ରରେ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ। ମାନବ ମହାକାଶ କାର୍ଯ୍ୟକ୍ରମରେ ଉଦ୍ୟୋଗ କ୍ଷେତ୍ରର ଅଂଶଗ୍ରହଣ ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଫଳରେ ବିଶେଷକରି ମହାକାଶ ଓ ଆନୁସଙ୍ଗିକ ଦିଗ ଉପରେ ଆଧାରିତ ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବୃଦ୍ଧି ପାଇବ।

ପୂର୍ବରୁ ଅନୁମୋଦିତ କାର୍ଯ୍ୟକ୍ରମରେ ୧୧,୧୭୦ କୋଟି ଟଙ୍କାର ନିଟ୍ ଅତିରିକ୍ତ ପାଣ୍ଠି ସହିତ, ସଂଶୋଧିତ ପରିସରକୁ ନେଇ ଗଗନଯାନ କାର୍ଯ୍ୟକ୍ରମ ପାଇଁ ସମୁଦାୟ ପାଣ୍ଠିକୁ ୨୦,୧୯୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ବିଶେଷ କରି ଦେଶର ଯୁବପିଢ଼ିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବା ସହ ମାଇକ୍ରୋଗ୍ରାଭିଟି ଭିତ୍ତିକ ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ବିକାଶ କାର୍ଯ୍ୟରେ ସୁଯୋଗ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଫଳସ୍ୱରୂପ ଉଦ୍ଭାବନ ଏବଂ ବୈଷୟିକ ପରିବର୍ତ୍ତନ ସମାଜକୁ ବ୍ୟାପକ ଭାବେ ଉପକୃତ କରିବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ କୁ କ୍ୟାବିନେଟ୍ ଅନୁମୋଦନ: ବ୍ୟୟ ଅଟକଳ ୭୦,୧୨୫ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର “୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ (ପିଏମଜିଏସୱାଇ-୪)ର କାର୍ଯ୍ୟକାରିତା” ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଯୋଗ୍ୟ ୨୫,୦୦୦ ସଂଯୋଗ ବିହୀନ ଜନବସତିକୁ ନୂତନ ସଂଯୋଗ ପ୍ରଦାନ ଏବଂ ନୂତନ ସଂଯୋଗୀକରଣ ରାସ୍ତାରେ ପୋଲ ନିର୍ମାଣ/ଉନ୍ନତିକରଣ ପାଇଁ ୬୨,୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ମୋଟ ବ୍ୟୟ ଅଟକଳ ୭୦,୧୨୫ କୋଟି ଟଙ୍କା ହେବ।

ଯୋଜନାର ବିବରଣୀ:

କ୍ୟାବିନେଟ ଦ୍ୱାରା ଦିଆଯାଇଥିବା ଅନୁମୋଦନର ବିବରଣୀ ନିମ୍ନଲିଖିତ ଅଟେ:

୧. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ ୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପାଇଁ ଆରମ୍ଭ ହୋଇଛି । ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ ୭୦,୧୨୫ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ ୪୯,୦୮୭.୫୦ କୋଟି ଟଙ୍କା ଏବଂ ରାଜ୍ୟର ଅଂଶ ୨୧,୦୩୭.୫୦ କୋଟି ଟଙ୍କା)।

ଏହି ଯୋଜନା ଅଧୀନରେ ୦୧୧ ଜନଗଣନା ଆଧାରରେ ସମତଳ ଅଞ୍ଚଳରେ ୫୦୦+ ଜନସଂଖ୍ୟା, ଉତ୍ତର ପୂର୍ବ ଏବଂ ପାହାଡ଼ିଆ କେନ୍ଦ୍ରଶାସିତ ଅଞ୍ଚଳରେ ୫୦+, ସ୍ୱତନ୍ତ୍ର ବର୍ଗ ଅଞ୍ଚଳ (ଆଦିବାସୀ ଅନୁସୂଚୀ ପଞ୍ଚମ, ଆକାଂକ୍ଷୀ ଜିଲ୍ଲା/ବ୍ଲକ, ମରୁଭୂମି ଅଞ୍ଚଳ) ଏବଂ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲାମାନଙ୍କରେ ୧୦୦+ ଜନସଂଖ୍ୟା ଆକାରର ୫,୦୦୦ ସଂଯୋଗ ବିହୀନ ଜନବସତିକୁ ଅନ୍ତର୍ଭୁକ୍ତ କରାଯିବ।

ଏହି ଯୋଜନା ଅଧୀନରେ ସଂଯୋଗ ବିହୀନ ଜନବସତିଗୁଡ଼ିକୁ ୬୨,୫୦୦ କିଲୋମିଟର ସବୁଦିନିଆ ରାସ୍ତା ଯୋଗାଇ ଦିଆଯିବ । ସବୁଦିନିଆ ରାସ୍ତାର ସଂଯୋଗ ପାଇଁ ଆବଶ୍ୟକ ପୋଲ ନିର୍ମାଣ ର ବ୍ୟବସ୍ଥା ମଧ୍ୟ କରାଯିବ ।

ଲାଭ:

ସଂଯୋଗ ବିହୀନ ୨୫,୦୦୦ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ।

ଦୁର୍ଗମ ଗ୍ରାମାଞ୍ଚଳର ଆବଶ୍ୟକ ସାମାଜିକ-ଅର୍ଥନୈତିକ ବିକାଶ ଓ ପରିବର୍ତନ ପାଇଁ ଏହି ସବୁଦିନିଆ ରାସ୍ତା ଉତପ୍ରେରକ ଭୂମିକା ଗ୍ରହଣ କରିବ। ଜନବସତିଗୁଡ଼ିକୁ ସଂଯୋଗ କରିବା ସମୟରେ ନିକଟସ୍ଥ ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ବଜାର, ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକୁ ଯଥାସମ୍ଭବ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ସବୁଦିନିଆ ରାସ୍ତା ସହିତ ସଂଯୋଗ କରାଯିବ।

ପିଏମଜିଏସୱାଇ -୪ ରେ ସଡକ ନିର୍ମାଣ ଅଧୀନରେ ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ସର୍ବୋତ୍ତମ ଅଭ୍ୟାସ ଯଥା କୋଲ୍ଡ ମିକ୍ସ ଟେକ୍ନୋଲୋଜି ଏବଂ ୱେଷ୍ଟ ପ୍ଲାଷ୍ଟିକ, ପ୍ୟାନେଲେଡ୍ ସିମେଣ୍ଟ କଂକ୍ରିଟ, ସେଲ ଭର୍ତ୍ତି କଂକ୍ରିଟ, ଫୁଲ ଡେପଥ ରିକ୍ଲାମେସନ, ନିର୍ମାଣ ବର୍ଜ୍ୟବସ୍ତୁ ଏବଂ ଫ୍ଲାଇ ଆଶ୍, ଷ୍ଟିଲ ସ୍ଲାଗ୍ ଇତ୍ୟାଦିର ବ୍ୟବହାର ଅନ୍ତର୍ଭୁକ୍ତ ହେବ ।

ପିଏମଜିଏସୱାଇ -୪ ସଡ଼କ ନିର୍ମାଣ ଯୋଜନା ପିଏମ ଗତି ଶକ୍ତି ପୋର୍ଟାଲ ମାଧ୍ୟମରେ କରାଯିବ । ପିଏମ ଗତି ଶକ୍ତି ପୋର୍ଟାଲରେ ଯୋଜନା ଉପକରଣ ମଧ୍ୟ ଡିପିଆର ପ୍ରସ୍ତୁତିରେ ସାହାଯ୍ୟ କରିବ ।

Categories
ଜାତୀୟ ଖବର ବିଶେଷ ଖବର

ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି।

ଡିଜିଟାଲ କୃଷି ମିଶନ: ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଢାଞ୍ଚା ଉପରେ ଆଧାରିତ, ଡିଜିଟାଲ କୃଷି ମିଶନ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବ। ଏହି ମିଶନ ପାଇଁ ମୋଟ ୨,୮୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦୁଇଟି ମୂଳଦୁଆ ଉପରେ ଆଧାରିତ

-କୃଷି ଷ୍ଟାକ୍‌

-ଚାଷୀ ରେଜିଷ୍ଟ୍ରୀ

-ଗାଁ ଜମି ମାନଚିତ୍ର ରେଜିଷ୍ଟ୍ରୀ

-ଫସଲ ବୁଣା ରେଜିଷ୍ଟ୍ରୀ

-କୃଷି ନିର୍ଣ୍ଣୟ ସହାୟତା ପ୍ରଣାଳୀ

-ଭୂସ୍ଥାନିକ ତଥ୍ୟ

-ମରୁଡ଼ି/ବନ୍ୟା ନିରୀକ୍ଷଣ

-ପାଣିପାଗ/ଉପଗ୍ରହ ତଥ୍ୟ

-ଭୂତଳ ଜଳ/ଜଳ ଉପଲବ୍ଧତା ତଥ୍ୟ

-ଫସଲ ଉତ୍ପାଦନ ଏବଂ ବୀମା ପାଇଁ ମଡେଲିଂ

ଏହି ମିଶନରେ ନିମ୍ନ ବ୍ୟବସ୍ଥା ରହିଛି

-ମୃତ୍ତିକା ପ୍ରୋଫାଇଲ୍

-ଡିଜିଟାଲ ଫସଲ ଆକଳନ

-ଡିଜିଟାଲ ଅମଳ ମଡେଲିଂ

-ଫସଲ ଋଣ ପାଇଁ ଯୋଗାଯୋଗ

-ଏଆଇ ଏବଂ ବିଗ୍ ଡାଟା ଭଳି ଆଧୁନିକ ଜ୍ଞାନକୌଶଳ

-କ୍ରେତାଙ୍କ ସହ ଯୋଗାଯୋଗ

-ମୋବାଇଲ ଫୋନରେ ନୂଆ ଜ୍ଞାନ

ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଫସଲ ବିଜ୍ଞାନ: ମୋଟ ୩,୯୭୯ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ପଦକ୍ଷେପ କୃଷକମାନଙ୍କୁ ଜଳବାୟୁ ମୁକାବିଲା ପାଇଁ ପ୍ରସ୍ତୁତ କରିବ ଏବଂ ୨୦୪୭ ସୁଦ୍ଧା ଖାଦ୍ୟ ନିରାପତ୍ତା ପ୍ରଦାନ କରିବ । ଏହାର ସାତଟି ସ୍ତମ୍ଭ ରହିଛି ଯଥା:

-ଗବେଷଣା ଓ ଶିକ୍ଷା

-ଉଦ୍ଭିଦ ଆନୁବଂଶିକ ସମ୍ବଳ ପରିଚାଳନା

ଖାଦ୍ୟ ଏବଂ ଗୋଖାଦ୍ୟ ଫସଲ ପାଇଁ ଆନୁବଂଶିକ ସୁଧାର

-ଡାଲି ଓ ତୈଳବୀଜ ଫସଲ ଉନ୍ନତି

-ବାଣିଜ୍ୟିକ ଫସଲରେ ସୁଧାର

-କୀଟପତଙ୍ଗ, ଜୀବାଣୁ, ପରାଗୀକରଣ ଇତ୍ୟାଦି ଉପରେ ଗବେଷଣା।

କୃଷି ଶିକ୍ଷାପରିଚାଳନା ଏବଂ ସାମାଜିକ ବିଜ୍ଞାନ ସୁଦୃଢ଼ୀକରଣ: ମୋଟ ୨,୨୯୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପଦକ୍ଷେପ କୃଷି ଛାତ୍ର ଏବଂ ଗବେଷକମାନଙ୍କୁ ସାମ୍ପ୍ରତିକ ଆହ୍ୱାନ ପାଇଁ ପ୍ରସ୍ତୁତ କରିବ ଏବଂ ଏଥିରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ

-ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନରେ

-କୃଷି ଗବେଷଣା ଓ ଶିକ୍ଷାର ଆଧୁନିକୀକରଣ

ନୂତନ ଶିକ୍ଷା ନୀତି ୨୦୨୦ର ଅନୁସରଣ

-ଅତ୍ୟାଧୁନିକ ଜ୍ଞାନକୌଶଳ… ଡିଜିଟାଲ ଡିପିଆଇ, ଏଆଇ, ବିଗ୍ ଡାଟା, ରିମୋଟ୍ ଇତ୍ୟାଦିର ବ୍ୟବହାର

-ପ୍ରାକୃତିକ ଚାଷ ଏବଂ ଜଳବାୟୁ ସହନଶୀଳତା ସାମିଲ କରିବା

ଦୀର୍ଘସ୍ଥାୟୀ ଗୃହପାଳିତ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦନ : ମୋଟ ୧୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ନିମ୍ନଲିଖିତ ରହିଛି

-ପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନା ଓ ପ୍ରାଣୀ ଚିକିତ୍ସା ଶିକ୍ଷା

-ଦୁଗ୍ଧ ଉତ୍ପାଦନ ଓ ବୈଷୟିକ ଜ୍ଞାନକୌଶଳ ବିକାଶ

ପ୍ରାଣୀ ଆନୁବଂଶିକ ସମ୍ବଳ ପରିଚାଳନା, ଉତ୍ପାଦନ ଓ ଉନ୍ନତି

-ପ୍ରାଣୀ ପୋଷଣ ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ଓ ବିକାଶ

ଉଦ୍ୟାନ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ: ମୋଟ ୮୬୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଏହି ପଦକ୍ଷେପ ଉଦ୍ୟାନ କୃଷି ଉଦ୍ଭିଦରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ନିମ୍ନଲିଖିତ ବିଷୟକୁ ନେଇ ଗଠିତ

-ଗ୍ରୀଷ୍ମମଣ୍ଡଳୀୟ, ଉପ-ଗ୍ରୀଷ୍ମମଣ୍ଡଳୀୟ ଏବଂ ସମଶୀତୋଷ୍ଣ ଉଦ୍ୟାନ କୃଷି ଫସଲ

-ମୂଳ, କନ୍ଦ, କନ୍ଦ ଜାତୀୟ ଓ ଶୁଷ୍କ ଫସଲ

ପନିପରିବା, ଫୁଲ ଓ ଛତୁ ଜାତୀୟ ଫସଲ

-ବଗିଚା, ମସଲା, ଔଷଧୀୟ ଏବଂ ସୁଗନ୍ଧିତ ଉଦ୍ଭିଦ

୧୨୦୨ କୋଟି ଟଙ୍କାର ବ୍ୟୟବରାଦ ସହିତ କୃଷି ବିଜ୍ଞାନ କେନ୍ଦ୍ରର ସୁଦୃଢ଼ିକରଣ

୧,୧୧୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ସହିତ ପ୍ରାକୃତିକ ସମ୍ବଳ ପରିଚାଳନା

Categories
ଆଜିର ଖବର ଜାତୀୟ ଖବର

ଆଇଏସଏମ ଅଧୀନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍‌କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାଏନ୍ସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବ। ଏହି ୟୁନିଟରେ ଦୈନିକ ୬୦ ଲକ୍ଷ ଚିପ୍ସ ନିର୍ମାଣ କରାଯିବ।

ଏଠାରେ ଉତ୍ପାଦିତ ଚିପ୍ ଗୁଡ଼ିକ ଶିଳ୍ପ, ଅଟୋମୋଟିଭ୍, ବିଦ୍ୟୁତ ଚାଳିତ ଯାନ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଦୂରସଞ୍ଚାର, ମୋବାଇଲ୍ ଫୋନ୍ ଇତ୍ୟାଦି ବିଭାଗ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ପ୍ରୟୋଗ କରାଯିବ।

ଭାରତରେ ସେମିକଣ୍ଡକ୍ଟରଏବଂ ଡିସପ୍ଲେ ମ୍ୟାନୁଫାକ୍ଚରିଂ ଇକୋସିଷ୍ଟମର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ୨୧.୧୨.୨୦୨୧ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ମୋଟ ୭୬,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା।

ଜୁନ୍ ୨୦୨୩ରେ କେନ୍ଦ୍ର କ୍ୟାବିନେଟ୍ ଗୁଜରାଟର ସାନନ୍ଦରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ ପ୍ରଥମ ପ୍ରସ୍ତାବକୁ ଅନୁମୋଦନ କରିଥିଲା।

୨୦୨୪ ଫେବ୍ରୁଆରିରେ ଆଉ ୩ଟି ସେମିକଣ୍ଡକ୍ଟର ୟୁନିଟ୍ କୁ ମଞ୍ଜୁରୀ ମିଳିଥିଲା। ଟାଟା ଇଲେକ୍ଟ୍ରୋନିକ୍ସ ଗୁଜରାଟର ଧୋଲେରାରେ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଆସାମର ମୋରିଗାଓଁରେ ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଛି। ଗୁଜରାଟର ସାନନ୍ଦଠାରେ ସିଜି ପାୱାର ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଅଛନ୍ତି।

ସମସ୍ତ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ର ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ୟୁନିଟ୍ ଗୁଡ଼ିକ ନିକଟରେ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଉଭା ହେଉଛି। ଏହି ୪ଟି ୟୁନିଟ୍ ରେ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ୟୁନିଟ୍ ଗୁଡ଼ିକର ସମୁଦାୟ କ୍ଷମତା କାର୍ଯ୍ୟକ୍ଷମ ହେଲେ ଦୈନିକ ପ୍ରାୟ ୭ କୋଟି ଚିପ୍ସ ନିର୍ମାଣ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ବାୟୋ -ଇଥ୍ରୀ ନୀତିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନ ବା ବାୟୋ-ମ୍ୟାନୁଫାକ୍ଚରିଂକୁ ପ୍ରୋତ୍ସାହନ ଦେବା ଲାଗି ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ନିଯୁକ୍ତି ପାଇଁ ବାୟୋଟେକ୍ନୋଲୋଜି) ନୀତି ପାଇଁ ବାୟୋଟେକ୍ନୋଲୋଜି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବାୟୋ-ଇଥ୍ରୀ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ଏବଂ ବିଷୟଗତ କ୍ଷେତ୍ରରେ ଉଦ୍ୟୋଗ ପାଇଁ ଉଦ୍ଭାବନ-ପରିଚାଳିତ ସମର୍ଥନ ଅନ୍ତର୍ଭୁକ୍ତ। ଏହା ଜୈବ ଉତ୍ପାଦନ ଓ ବାୟୋ-ଏଆଇ ହବ୍ ଏବଂ ବାୟୋ-ଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତି ବିଦ୍ୟା ବିକାଶ ଓ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ। ସବୁଜ ଅଭିବୃଦ୍ଧିର ବାୟୋଇକୋନୋମି ବା ଜୈବ ଅର୍ଥବ୍ୟବସ୍ଥା ମଡେଲକୁ ପ୍ରାଥମିକତା ଦେବା ସହିତ ଏହି ନୀତି ଭାରତର କୁଶଳୀ ଶ୍ରମଶକ୍ତିର ସମ୍ପ୍ରସାରଣ ଏବଂ ନିଯୁକ୍ତି ସୃଷ୍ଟିକୁ ସହଜ କରିବ।

ମୋଟାମୋଟି ଭାବେ ଏହି ନୀତି ‘ନେଟ୍ ଜିରୋ କାର୍ବନ ଇକୋନୋମି’ ବା ଅଙ୍ଗାରକାମ୍ଳମୁକ୍ତ ଅର୍ଥବ୍ୟବସ୍ଥା ଏବଂ ‘ଲାଇଫ୍ ଷ୍ଟାଇଲ୍ ଫର୍ ଏନଭାଇରନମେଣ୍ଟ୍’ ବା ପରିବେଶ ପାଇଁ ଜୀବନଶୈଳୀ ଭଳି ସରକାରଙ୍କ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ। ଏଥିସହିତ ‘ସର୍କୁଲାର ବାୟୋଇକୋନୋମି’ ବା ଚକ୍ରାକାର ଜୈବଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ଭାରତକୁ ‘ସବୁଜ ଅଭିବୃଦ୍ଧି’ ପଥରେ ଅଗ୍ରସର ହେବାକୁ ତ୍ୱରାନ୍ୱିତ କରିବ। ବାୟୋ-ଇଥ୍ରୀ ନୀତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବ ଏବଂ ଆଗକୁ ବଢ଼ାଇବ, ଯାହା ବିଶ୍ୱସ୍ତରୀୟ ଆହ୍ୱାନର ଅଧିକ ସ୍ଥାୟୀ, ଅଭିନବ ଏବଂ ଉତ୍ତରଦାୟୀ ପ୍ରତିକ୍ରିୟା ସହ ଜଡିତ। ଏହି ନୀତି ଭାରତ ପାଇଁ ବିକଶିତ ଜୈବ ଦୃଷ୍ଟିକୋଣ ନିର୍ଦ୍ଧାରଣ କରେ।

ଜଳବାୟୁ ପରିବର୍ତ୍ତନ ପ୍ରଶମନ, ଖାଦ୍ୟ ନିରାପତ୍ତା ଏବଂ ମାନବ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଓ ଚକ୍ରୀୟ ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଜୈବ ବିଜ୍ଞାନର ଶିଳ୍ପାୟନରେ ନିବେଶ କରିବା ନିମନ୍ତେ ଆମର ବର୍ତ୍ତମାନର ଯୁଗ ଏକ ଉପଯୁକ୍ତ ସମୟ। ଜୈବ ଭିତ୍ତିକ ଉତ୍ପାଦର ବିକାଶ ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପାଇଁ ଆମ ଦେଶରେ ଏକ ଶକ୍ତିଶାଳୀ ଜୈବ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରିବା ଜରୁରୀ।

ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସୁରକ୍ଷା ଆହ୍ୱାନର ସମାଧାନ କରିବା ଏବଂ ଉନ୍ନତ ଜୈବ ପ୍ରଯୁକ୍ତି ପ୍ରକ୍ରିୟାର ଏକୀକରଣ ମାଧ୍ୟମରେ ଜୈବ ଆଧାରିତ ଉତ୍ପାଦର ଉତ୍ପାଦନକୁ ପ୍ରୋତ୍ସାହନ ଦେବାର କ୍ଷମତା ଉଚ୍ଚ ପ୍ରଦର୍ଶନକାରୀ ଜୈବ ଉତ୍ପାଦନରେ ରହିଛି। ଜାତୀୟ ପ୍ରାଥମିକତା ଅନୁଯାୟୀ, ବାୟୋ-ଇଥ୍ରୀ ନୀତି ନିମ୍ନଲିଖିତ ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ବ୍ୟାପକ ଭାବରେ ଧ୍ୟାନ ଦେବ, ଯଥା : ଉଚ୍ଚ ମୂଲ୍ୟର ଜୈବ-ଭିତ୍ତିକ ରାସାୟନିକ ପଦାର୍ଥ, ବାୟୋପଲିମର୍ସ ଏବଂ ଏନଜାଇମ; ସ୍ମାର୍ଟ ପ୍ରୋଟିନ୍ ଏବଂ ଫଙ୍କସନାଲ ଫୁଡ୍‌; ନିର୍ଦ୍ଦିଷ୍ଟ ବାୟୋମେଡିସିନ୍; ଜଳବାୟୁ ସହନଶୀଳ କୃଷି; କାର୍ବନ ସ୍ତର ହ୍ରାସ ଏବଂ ଏହାର ଉପଯୋଗ; ସାମୁଦ୍ରିକ ଓ ମହାକାଶ ଗବେଷଣା।

Categories
ଜାତୀୟ ଖବର ବିଶେଷ ଖବର

ଓଡ଼ିଶାର ୬ ପ୍ରକଳ୍ପ ସମେତ ଦେଶରେ ୮ଟି ନୂଆ ରେଳମାର୍ଗ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମୋଟ ୨୪,୬୫୭ କୋଟି ଟଙ୍କା (ପାଖାପାଖି) ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟର ୮ଟି ନୂଆ ରେଳ ମାର୍ଗ ପ୍ରକଳ୍ପକୁ ଅନୁମୋଦନ କରିଛି। ଏସବୁ ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ୬ଟି ରେଳ ପ୍ରକଳ୍ପ ସାମିଲ ରହିଛି। ଏସବୁ ପ୍ରକଳ୍ପ ହେଲା, ଗୁଣପୁର-ଥେରୁବାଲି (ନୂଆ ଲାଇନ), ଜୁନାଗଡ଼-ନବରଙ୍ଗପୁର, ବାଦାମପାହାଡ଼-କେନ୍ଦୁଝରଗଡ଼, ବାଙ୍ଗିରିପୋଷୀ-ଗୋରୁମହିଷାଣୀ, ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍‌ (ଭାୟା ଭଦ୍ରାଚଳମ୍‌) ଏବଂ ବୁଢ଼ାମରା-ଚକୁଳିଆ।

ପ୍ରସ୍ତାବିତ ନୂତନ ରେଳମାର୍ଗ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗମନାଗମନରେ ସୁଧାର ଆଣିବ, ଭାରତୀୟ ରେଳବାଇ ପାଇଁ ଦକ୍ଷତା ଓ ସେବା ବିଶ୍ୱସନୀୟତା ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ପରିକଳ୍ପନା ଅନୁରୂପ ହୋଇଥିବାରୁ ଏହି ଅଞ୍ଚଳର ଲୋକଙ୍କୁ ବ୍ୟାପକ କ୍ଷେତ୍ରୀୟ ବିକାଶ ମାଧ୍ୟମରେ ‘‘ଆତ୍ମନିର୍ଭରଶୀଳ’’ କରିବ ଯାହା ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ବହୁମୁଖୀ ଯୋଗାଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଅଟେ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି। ଏସବୁ ପ୍ରକଳ୍ପ ସାଧାରଣ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।

ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲଙ୍ଗାନା ଓ ପଶ୍ଚିମବଙ୍ଗର ୧୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ୮ଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ୯୦୦ କିଲୋମିଟର ବୃଦ୍ଧି କରିବ।

ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୬୪ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ, ଯାହା ୬ ଆକାଂକ୍ଷୀ ଜିଲ୍ଲା (ପୂର୍ବ ସିଂହବୁମ, ଭଦାଦ୍ରି କୋଠଗୁଡେମ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା)ର ପାଖାପାଖି ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟା ପାଇଁ ଗମନାଗମନରେ ସୁଧାର ଆଣିବ।

ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ଅଜନ୍ତା ଗୁମ୍ଫାକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରାଯିବ।

କୃଷି ଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ବକ୍ସାଇଟ୍, ଚୂନପଥର, ଆଲୁମିନିୟମ ପାଉଡର, ଗ୍ରାନାଇଟ୍, ବାଲି, କଣ୍ଟେନର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୧୪୩ ଏମଟିପିଏ (ବାର୍ଷିକ ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ କୁ ହ୍ରାସ ହୋଇପାରିବ। ଏହା ତୈଳ ଆମଦାନୀ (୩୨.୨୦ କୋଟି ଲିଟର) ହ୍ରାସ କରିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ (0.87 ନିୟୁତ ଟନ୍) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା କି ୩.୫ କୋଟି ବୃକ୍ଷରୋପଣ ସହିତ ସମାନ।

Categories
ଆଜିର ଖବର ଜାତୀୟ ଖବର

ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ପାଇଁ ଭିଜିଏଫ ଯୋଜନାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୭୪୫୩ କୋଟି ଟଙ୍କା ବ୍ୟୟଅଟକଳରେ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଯୋଜନାକୁ ଅନୁମୋଦନ ମିଳିଛି, ଯେଉଁଥିରେ ୧ ଗିଗାୱାଟ୍ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ (ଗୁଜୁରାଟ ଏବଂ ତାମିଲନାଡୁ ଉପକୂଳରେ ୫୦୦ ମେଗାୱାଟ୍ ଲେଖାଏଁ) ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ୬୮୫୩ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏବଂ ଉପକୂଳ ପବନ ଶକ୍ତି ପ୍ରକଳ୍ପ ପାଇଁ ଲଜିଷ୍ଟିକ୍ ଆବଶ୍ୟକତା ପୂରଣ କରିବା ପାଇଁ ଦୁଇଟି ବନ୍ଦରର ଉନ୍ନତିକରଣ ପାଇଁ ୬୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ।

ଭିଜିଏଫ ଯୋଜନା ହେଉଛି ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଥିବା ବିଶାଳ ଉପକୂଳ ପବନ ଶକ୍ତି ସମ୍ଭାବନାକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୦୧୫ ରେ ବିଜ୍ଞପ୍ତି ପ୍ରକାଶିତ ଜାତୀୟ ଉପକୂଳବର୍ତ୍ତୀ ପବନ ଶକ୍ତି ନୀତିକାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସରକାରଙ୍କ ଠାରୁ ଭିଜିଏଫ ସହାୟତା ଉପକୂଳବର୍ତ୍ତୀ ପବନ ପ୍ରକଳ୍ପଗୁଡିକରୁ ବିଦ୍ୟୁତ  ଖର୍ଚ୍ଚ ହ୍ରାସ କରିବ ଏବଂ ଏହାକୁ ଡିସ୍କୋମ୍ ଦ୍ୱାରା କ୍ରୟ ପାଇଁ ଉପଯୋଗୀ କରିବ।

ସ୍ୱଚ୍ଛ ନିଲାମ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଥିବା ଘରୋଇ ଡେଭଲପର୍ମାନେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ କରିବେ, କିନ୍ତୁ ଉପକୂଳବର୍ତ୍ତୀ ସବ ଷ୍ଟେସନ ଗୁଡିକ ସମେତ ବିଦ୍ୟୁତ ଖନନ ଭିତ୍ତିଭୂମି ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପିଜିସିଆଇଏଲ୍) ଦ୍ୱାରା ନିର୍ମାଣ କରାଯିବ। ନୋଡାଲ ମନ୍ତ୍ରଣାଳୟ ଭାବରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏହି ଯୋଜନାର ସଫଳ ରୂପାୟନ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ ସହିତ ସମନ୍ୱୟ ରକ୍ଷା କରିବ।

ସମୁଦ୍ର କୂଳରେ ପବନ ଶକ୍ତି ପ୍ରକଳ୍ପ ନିର୍ମାଣ ଏବଂ ଏହାର କାର୍ଯ୍ୟପାଇଁ ନିର୍ଦ୍ଦିଷ୍ଟ ବନ୍ଦର ଭିତ୍ତିଭୂମି ର ଆବଶ୍ୟକତା ରହିଛି, ଯାହା ଭାରୀ ଏବଂ ବୃହତ ଆକାରର ଉପକରଣର ସଂରକ୍ଷଣ ଏବଂ ପରିବହନ ପରିଚାଳନା କରିପାରିବ। ଏହି ଯୋଜନା ଅଧୀନରେ ଦେଶର ଦୁଇଟି ବନ୍ଦରକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଉପକୂଳ ପବନ ବିକାଶର ଆବଶ୍ୟକତା ପୂରଣ କରିବା ପାଇଁ ସହାୟତା ପ୍ରଦାନ କରାଯିବ।

ଉପକୂଳ ପବନ ହେଉଛି ଅକ୍ଷୟ ଶକ୍ତିର ଏକ ଉତ୍ସ ଯାହା ଉପକୂଳ ପବନ ଏବଂ ସୌର ପ୍ରକଳ୍ପ ଅପେକ୍ଷା ଅନେକ ଲାଭ ପ୍ରଦାନ କରେ, ଯେପରିକି ଅଧିକ ପର୍ଯ୍ୟାପ୍ତତା ଏବଂ ବିଶ୍ୱସନୀୟତା, କମ୍ ଷ୍ଟୋରେଜ୍ ଆବଶ୍ୟକତା ଏବଂ ଅଧିକ ନିଯୁକ୍ତି ସମ୍ଭାବନା। ବିଦେଶୀ ପବନ କ୍ଷେତ୍ରର ବିକାଶ ଦ୍ୱାରା ପୁଞ୍ଜିନିବେଶ ଆକୃଷ୍ଟ କରିବା, ସ୍ୱଦେଶୀ ଉତ୍ପାଦନ କ୍ଷମତାର ବିକାଶ, ମୂଲ୍ୟ ଶୃଙ୍ଖଳାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦେଶରେ ଉପକୂଳ ପବନ ପାଇଁ ପ୍ରଯୁକ୍ତି ବିଦ୍ୟା ବିକାଶ ଦ୍ୱାରା ଅର୍ଥନୀତିବ୍ୟାପୀ ଲାଭ ହେବ। ଏହା ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ।

୧ ଗିଗାୱାଟ୍ ଅଫ୍ ସୋର୍ ପବନ ପ୍ରକଳ୍ପର ସଫଳ କାର୍ଯ୍ୟକ୍ଷମ ହେବା ଦ୍ୱାରା ବାର୍ଷିକ ପ୍ରାୟ ୩.୭୨ ବିଲିୟନ ୟୁନିଟ୍ ଅକ୍ଷୟ ବିଦ୍ୟୁତ୍ ଉତ୍ପାଦନ ହେବ, ଯାହା ଫଳରେ ୨୫ ବର୍ଷ ପାଇଁ ବାର୍ଷିକ ୨.୯୮ ନିୟୁତ ଟନ୍ ସିଓ ସମାନ ନିର୍ଗମନ ହ୍ରାସ ପାଇବ। ଏହାବ୍ୟତୀତ, ଏହି ଯୋଜନା କେବଳ ଭାରତରେ ଉପକୂଳବର୍ତ୍ତୀ ପବନ ଶକ୍ତି ବିକାଶକୁ ଆରମ୍ଭ କରିବ ନାହିଁ ବରଂ ଏହାର ସମୁଦ୍ର ଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପକୁ ପୂରଣ କରିବା ପାଇଁ ଦେଶରେ ଆବଶ୍ୟକ ଇକୋସିଷ୍ଟମ ସୃଷ୍ଟି କରିବ। ଏହି ଇକୋସିଷ୍ଟମ ପ୍ରାୟ ୪,୫୦,୦ କୋଟି ଟଙ୍କା ବିନିଯୋଗରେ ପ୍ରାରମ୍ଭିକ ୩୭ ଗିଗାୱାଟ ଅଫସୋର ପବନ ଶକ୍ତିର ବିକାଶରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘‘ଜାତୀୟ ଫରେନସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା’’ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ମୋଟ ୨୨୫୪.୪୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘‘ଜାତୀୟ ଫରେନ୍ସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା (ଏନଏଫ୍ଆଇଇଏସ୍) ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।। କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଆର୍ଥିକ ବ୍ୟୟବରାଦ ଗୃହ ମନ୍ତ୍ରଣାଳୟ ନିଜସ୍ୱ ବଜେଟରୁ ପ୍ରଦାନ କରିବ।

ଏହି ଯୋଜନା ଅଧୀନରେ ନିମ୍ନଲିଖିତ ଉପାଦାନଗୁଡ଼ିକୁ କ୍ୟାବିନେଟ୍ ଅନୁମୋଦନ କରିଛି:

ଦେଶରେ ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ)ର କ୍ୟାମ୍ପସ ପ୍ରତିଷ୍ଠା।

ଦେଶରେ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର ପ୍ରତିଷ୍ଠା।

ଏନଏଫଏସୟୁର ଦିଲ୍ଲୀ କ୍ୟାମ୍ପସର ବର୍ତ୍ତମାନା ଭିତ୍ତିଭୂମିରେ ଉନ୍ନତି।

ଭାରତ ସରକାର ପ୍ରମାଣର ବୈଜ୍ଞାନିକ ଏବଂ ଠିକ୍ ସମୟରେ ଫରେନସିକ୍ ଯାଞ୍ଚ ଆଧାରରେ ଏକ ପ୍ରଭାବଶାଳୀ ଏବଂ ଦକ୍ଷ ଅପରାଧିକ ନ୍ୟାୟ ବ୍ୟବସ୍ଥା ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଏବଂ ଅପରାଧର ବିକଶିତ ସ୍ୱରୂପ ଓ ପଦ୍ଧତିକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ଏକ ଦକ୍ଷ ଅପରାଧିକ ନ୍ୟାୟ ପ୍ରକ୍ରିୟା ପାଇଁ ପ୍ରମାଣର ଠିକ୍ ସମୟରେ ଓ ବୈଜ୍ଞାନିକ ପଦ୍ଧତିରେ ତଥା ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ତାଲିମପ୍ରାପ୍ତ ଫରେନସିକ୍ ପେସାଦାରଙ୍କ ଜରିଆରେ ପରୀକ୍ଷା ଓ ଯାଞ୍ଚ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି।

୭ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ଭୋଗୁଥିବା ଅପରାଧ ପାଇଁ ଫରେନସିକ୍ ତଦନ୍ତ ବାଧ୍ୟତାମୂଳକ ହୋଇଥିବା ନୂଆ ଅପରାଧ ଆଇନ ପ୍ରଣୟନ ହେବା ପରେ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାରଗୁଡ଼ିକର କାର୍ଯ୍ୟଭାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଦେଶରେ ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ରେ ପ୍ରଶିକ୍ଷିତ ଫରେନ୍ସିକ୍ ମାନବ ସମ୍ବଳର ଯଥେଷ୍ଟ ଅଭାବ ରହିଛି।

ଏହି ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜାତୀୟ ଫରେନସିକ୍ ଭିତ୍ତିଭୂମିରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଏବଂ ବୃଦ୍ଧି ଜରୁରୀ। ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ ନୂତନ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର(ସିଏଫଏସଏଲ)ର ଅତିରିକ୍ତ ଅଫ୍ କ୍ୟାମ୍ପସ ପ୍ରତିଷ୍ଠା ଦ୍ୱାରା ପ୍ରଶିକ୍ଷିତ ଫରେନସିକ୍ ମାନବ ସମ୍ବଳର ଅଭାବ ଦୂର ହେବ। ଫରେନସିକ ପରୀକ୍ଷାଗାରଗୁଡ଼ିକର ମାମଲା ବୋଝ / ବିଳମ୍ବ ସମସ୍ୟା ହ୍ରାସ ପାଇବ ଏବଂ ୯୦% ରୁ ଅଧିକ ଉଚ୍ଚ ଦୋଷୀ ସାବ୍ୟସ୍ତ ହାର ହାସଲ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ସହିତ ସମନ୍ୱିତ ଢଙ୍ଗରେ ପୂରଣ ହେବ।

Categories
ଆଜିର ଖବର ଜାତୀୟ ଖବର

ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ ପାଇଁ ଭାରତ ଏବଂ ୟୁଏସ୍‌ଏଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୩୦ ସୁଦ୍ଧା ମିଶନ ନେଟ୍ ଜିରୋ କାର୍ବନ ଏମିସନ (ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ) ହାସଲ କରିବା ପାଇଁ ଭାରତୀୟ ରେଳବାଇକୁ ସହାୟତା କରିବା ନିମନ୍ତେ ଜୁନ୍ ୧୪, ୨୦୨୩ରେ ଭାରତ ଏବଂ ୟୁନାଇଟେଡ୍ ଷ୍ଟେଟ୍ସ ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ଆନ୍ତର୍ଜାତିକ ବିକାଶ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା) /ଭାରତ (ୟୁଏସ୍‌ଏଆଇଡି/ଭାରତ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ବିଷୟରେ ଅବଗତ କରାଯାଇଥିଲା ଏବଂ ଏହା ଅନୁମୋଦନ ଲାଭ କରିଥିଲା ।

ଏହି ବୁଝାମଣାପତ୍ର ଭାରତୀୟ ରେଳବାଇକୁ ରେଳ କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ଏବଂ ଜ୍ଞାନ ଆଦାନ ପ୍ରଦାନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ବୁଝାମଣାପତ୍ରରେ ଜ୍ଞାନ ଆଦାନ ପ୍ରଦାନ ପାଇଁ ନବୀକରଣ ଯୋଗ୍ୟ ଶକ୍ତି , ଶକ୍ତି ଦକ୍ଷତା ଏବଂ ଅନ୍ୟାନ୍ୟ ଆଦାନପ୍ରଦାନ କ୍ଷେତ୍ରରେ ଉପଯୋଗିତାର ଆଧୁନିକୀକରଣ, ଉନ୍ନତ ଶକ୍ତି ସମାଧାନ ଏବଂ ବ୍ୟବସ୍ଥା, ଆଞ୍ଚଳିକ ଶକ୍ତି ଏବଂ ବଜାର ଏକୀକରଣ ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏବଂ ଯୋଗଦାନ, ପ୍ରଶିକ୍ଷଣ ଏବଂ ସେମିନାର / କର୍ମଶାଳାକୁ ସୁଗମ କରାଯାଇଛି ।

ଏହା ପୂର୍ବରୁ ୟୁଏସ୍‌ଏଆଇଡି /ଭାରତ ମଧ୍ୟ ରେଳ ପ୍ଲାଟଫର୍ମରେ ରୁଫ୍ ଟପ୍ ସୋଲାର ( ଛାତ ଉପରେ ସୌର ଶକ୍ତି) ବ୍ୟବହାର ଉପରେ ଗୁରୁତ୍ୱ ଦେଇ ଆଇଆର ସହିତ କାମ କରିଥିଲା ।

ଯୁକ୍ତରାଷ୍ଟ୍ର ଆମେରିକାର ଆନ୍ତର୍ଜାତିକ ବିକାଶ ଏଜେନ୍ସି /ଭାରତ ସହ ଭାରତୀୟ ରେଳବାଇ ଦ୍ୱାରା ସ୍ୱାକ୍ଷରିତ ବୁଝାମଣାପତ୍ର ନିମ୍ନଲିଖିତ ବୁଝାମଣା ସହିତ ଶକ୍ତି ଆତ୍ମନିର୍ଭରଶୀଳତାକୁ ସକ୍ଷମ କରିବା ପାଇଁ ଅଟେ :

୧. ଉଭୟ ଅଂଶଗ୍ରହଣକାରୀ ମିଳିତ ଭାବରେ ନିମ୍ନଲିଖିତ ପ୍ରମୁଖ କାର୍ଯ୍ୟକଳାପ କ୍ଷେତ୍ର ଗୁଡିକ ଉପରେ ବ୍ୟାପକ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଏବଂ  ବିବରଣୀ ପୃଥକ ଭାବରେ ସହମତି ପ୍ରାପ୍ତ ହେବ:

କ. ଭାରତୀୟ ରେଳବାଇ ପାଇଁ ସ୍ୱଚ୍ଛ ଶକ୍ତି ସମେତ ଦୀର୍ଘମିଆଦୀ ଶକ୍ତି ଯୋଜନା ।

ଖ. ଭାରତୀୟ ରେଳ ଭବନ ପାଇଁ ଏକ ଶକ୍ତି ଦକ୍ଷତା ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ।

ଗ. ଭାରତୀୟ ରେଳବାଇର ନେଟ୍ – ଜିରୋ ଭିଜନ (ଶୂନ୍ୟ ଲକ୍ଷ୍ୟ) ହାସଲ ପାଇଁ ସ୍ୱଚ୍ଛ ଶକ୍ତି କ୍ରୟ ପାଇଁ ଯୋଜନା ।

ଘ. ନିୟାମକ ଏବଂ କାର୍ଯ୍ୟାନ୍ୱୟନ ପ୍ରତିବନ୍ଧକ ଗୁଡିକର ସମାଧାନ ପାଇଁ ବୈଷୟିକ ସହାୟତା ।

ଙ. ବ୍ୟବସ୍ଥା – ଅନୁକୂଳ, ବୃହତ ପରିମାଣର ନବୀକରଣଯୋଗ୍ୟ କ୍ରୟ ପାଇଁ ବିଡ୍ ପ୍ରସ୍ତୁତ କରିବା ଏବଂ ବିଡ୍ ପରିଚାଳନା ସହାୟତା ।

ଚ. ଇ – ମୋବିଲିଟିକୁ ପ୍ରୋତ୍ସାହିତ କରିବାରେ ଭାରତୀୟ ରେଳବାଇକୁ ସମର୍ଥନ କରିବା ।

ଛ. ଉପରୋକ୍ତ ଚିହ୍ନଟ ହୋଇଥିବା କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟକ୍ରମ, ସମ୍ମିଳନୀ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ।

୨ . ଏହି ବୁଝାମଣାପତ୍ରର ସମସ୍ତ କିମ୍ବା କୌଣସି ଅଂଶରେ ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ପାଇଁ ଅଂଶଗ୍ରହଣକାରୀ ଲିଖିତ ଭାବେ ଅନୁରୋଧ କରିପାରିବେ । ଅଂଶଗ୍ରହଣକାରୀଙ୍କ ଦ୍ୱାରା ଅନୁମୋଦିତ କୌଣସି ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ଏହି ସଂଶୋଧିତ ବୁଝାମଣାପତ୍ରର ଏକ ଅଂଶ ହେବ । ଏଭଳି ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ଅଂଶଗ୍ରହଣକାରୀ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖରେ କାର୍ଯ୍ୟକାରୀ ହେବ ।

୩  .  ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ତାରିଖ ଠାରୁ କାର୍ଯ୍ୟକାରୀ ହେବ ଏବଂ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ଦକ୍ଷିଣ ଏସିଆ ଆଞ୍ଚଳିକ ଶକ୍ତି ଭାଗିଦାରୀ (ଏସ୍‌ଏଆର୍‌ଇପି) ର ପ୍ରଭାବଶାଳୀ ରହିବା ପର୍ଯ୍ୟନ୍ତ , ଉଭୟ ମଧ୍ୟରୁ ଯେଉଁ ଅବଧି କମ୍ ରହିବ ସେପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ।

ପ୍ରଭାବ:

୨୦୩୦ ସୁଦ୍ଧା ମିଶନ ନେଟ୍ ଜିରୋ କାର୍ବନ ଏମିସନ (ଏନଜେଡ୍‌ସିଇ) ହାସଲ କରିବାରେ ଭାରତୀୟ ରେଳବାଇକୁ ସହାୟତା କରିବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଭାରତୀୟ ରେଳବାଇକୁ ଆମଦାନୀ ଇନ୍ଧନ ଯେପରିକି ଡିଜେଲ, କୋଇଲା ଇତ୍ୟାଦି ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ । ନବୀକରଣ ଯୋଗ୍ୟ ଶକ୍ତି (ଆରଇ) ପ୍ଲାଣ୍ଟର ନିୟୋଜନ ଦେଶରେ ଆରଇ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବ । ଏହା ସ୍ଥାନୀୟ ପାରିବେଶିକ ବ୍ୟବସ୍ଥାର ବିକାଶରେ ସହାୟକ ହେବ ଯାହା ପରବର୍ତ୍ତୀ ସମୟରେ ସ୍ଥାନୀୟ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବ ।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ:

ଏହି ବୁଝାମଣାପତ୍ର ଅଧୀନରେ ସେବା ଗୁଡିକ ପାଇଁ ବୈଷୟିକ ସହାୟତା ୟୁଏସ୍‌ଏଆଇଡି ଦ୍ୱାରା ଏସ୍‌ଏଆର୍‌ଇପି ପଦକ୍ଷେପ ଅଧୀନରେ ପ୍ରଦାନ କରାଯିବାର ଉଦ୍ଦେଶ୍ୟ ରହିଛି । ଏହି ବୁଝାମଣାପତ୍ର ପାଣ୍ଠିର ପ୍ରତିଶ୍ରୁତିବଦ୍ଧତା ନୁହେଁ କିମ୍ବା କୌଣସି ପ୍ରକାରର ପ୍ରତିଶ୍ରୁତି ନୁହେଁ, ଏବଂ ଏହା ଅଣ- ବାଧ୍ୟତାମୂଳକ ଅଟେ । ଏଥିରେ ଭାରତୀୟ ରେଳବାଇର କୌଣସି ଆର୍ଥିକ ପ୍ରତିବଦ୍ଧତା ଅନ୍ତର୍ଭୁକ୍ତ ନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଇସ୍ରୋ ଏବଂ ଏମ୍ଆରଆଇସି ମଧ୍ୟରେ ମିଳିତ କ୍ଷୁଦ୍ର ଉପଗ୍ରହ ବିକାଶ ସହଯୋଗ ସମ୍ପର୍କିତ ବୁଝାମଣାପତ୍ରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମରିସସ୍ ଗଣତନ୍ତ୍ରର ସୂଚନା ପ୍ରଯୁକ୍ତି, ଯୋଗାଯୋଗ ଏବଂ ଉଦ୍ଭାବନ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ମରିସସ୍ ଗବେଷଣା ଓ ଉଦ୍ଭାବନ ପରିଷଦ (ଏମଆରଆଇସି) ମଧ୍ୟରେ ନଭେମ୍ବର ୧, ୨୦୨୩ରେ ଏକ ଯୁଗ୍ମ କ୍ଷୁଦ୍ର ଉପଗ୍ରହ ର ବିକାଶ ପାଇଁ ସହଯୋଗ ସମ୍ପର୍କରେ ମରିସସର ପୋର୍ଟ ଲୁଇସ୍ ଠାରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା ।

ପ୍ରଭାବ:

ଏହି ବୁଝାମଣାପତ୍ର ଇସ୍ରୋ ଏବଂ ଏମଆରଆଇସି ମଧ୍ୟରେ ମିଳିତ ଉପଗ୍ରହର ବିକାଶ ତଥା ଏମଆରଆଇସିର ଗ୍ରାଉଣ୍ଡ ଷ୍ଟେସନର ବ୍ୟବହାର ଉପରେ ସହଯୋଗ ପାଇଁ ଏକ ଢାଞ୍ଚା ସ୍ଥାପନ କରିବାରେ ସହାୟକ ହେବ।  ମିଳିତ ଉପଗ୍ରହ ପାଇଁ କେତେକ ଉପବ୍ୟବସ୍ଥା ଭାରତୀୟ ଶିଳ୍ପର ଅଂଶଗ୍ରହଣ ମାଧ୍ୟମରେ ଗ୍ରହଣ କରାଯିବ ଏବଂ ଶିଳ୍ପପାଇଁ ଲାଭଦାୟକ ହେବ।

ଉପଗ୍ରହର ଏହି ମିଳିତ ବିକାଶ ମାଧ୍ୟମରେ ସହଯୋଗ ମରିସସରେ ଭାରତୀୟ ଗ୍ରାଉଣ୍ଡ ଷ୍ଟେସନ ପାଇଁ ମରିସସ୍ ସରକାରଙ୍କ ନିରନ୍ତର ସମର୍ଥନକୁ ଆହୁରି ସୁନିଶ୍ଚିତ କରିବାରେ ସହାୟକ ହେବ, ଯାହା କି ଇସ୍ରୋ/ଭାରତର ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାବ୍ୟତୀତ ଏହି ମିଳିତ ଉପଗ୍ରହ ନିର୍ମାଣ ଭବିଷ୍ୟତରେ ଇସ୍ରୋର କ୍ଷୁଦ୍ର ଉପଗ୍ରହ ଅଭିଯାନ ପାଇଁ ସେମାନଙ୍କ ଗ୍ରାଉଣ୍ଡ ଷ୍ଟେସନରୁ ଏମଆରଆଇସି ସହାୟତା ସୁନିଶ୍ଚିତ କରିବାରେ ମଧ୍ୟ ସାହାଯ୍ୟ କରିବ । ମିଳିତ ଉପଗ୍ରହ ପାଇଁ କେତେକ ଉପବ୍ୟବସ୍ଥା ଭାରତୀୟ ଶିଳ୍ପର ଅଂଶଗ୍ରହଣ ମାଧ୍ୟମରେ ହାତକୁ ନିଆଯିବ ଏବଂ ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହୋଇପାରେ ।

କାର୍ଯ୍ୟକାରିତା ସୂଚୀ:

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଇସ୍ରୋ ଏବଂ ଏମଆରଆଇସି ମଧ୍ୟରେ କ୍ଷୁଦ୍ର ଉପଗ୍ରହ ମିଳିତ ଭାବରେ ଉପଲବ୍ଧ ହେବ। ୧୫ ମାସ ମଧ୍ୟରେ ଏହି ଉପଗ୍ରହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତାବ ରହିଛି।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ:

ଏହି ମିଳିତ ଉପଗ୍ରହକୁ ହାସଲ କରିବା ପାଇଁ ଆନୁମାନିକ ଖର୍ଚ୍ଚ ୨୦ କୋଟି ଟଙ୍କା, ଯାହା ଭାରତ ସରକାର ବହନ କରିବେ। ଏହି ବୁଝାମଣା ପତ୍ରରେ ଉଭୟ ପକ୍ଷ ମଧ୍ୟରେ ଅନ୍ୟ କୌଣସି ପାଣ୍ଠି ବିନିମୟ ଅନ୍ତର୍ଭୁକ୍ତ ନୁହେଁ ।

ପୃଷ୍ଠଭୂମି:

ଭାରତ ଓ ମରିସସ୍ ମଧ୍ୟରେ ମହାକାଶ ସହଯୋଗ ୧୯୮୦ ଦଶକର ଶେଷ ଭାଗରେ ଥିଲା ଯେତେବେଳେ ଇସ୍ରୋ ଏହାର ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଅଭିଯାନ ପାଇଁ ଟ୍ରାକିଂ ଏବଂ ଟେଲିମେଟ୍ରି ସହାୟତା ପାଇଁ ମରିସସରେ ଏକ ଗ୍ରାଉଣ୍ଡ ଷ୍ଟେସନ ପ୍ରତିଷ୍ଠା କରିଥିଲା, ୧୯୮୬ ରେ ସ୍ୱାକ୍ଷରିତ ଏକ ଦେଶସ୍ତରୀୟ ଚୁକ୍ତି ଅନୁଯାୟୀ ଏହାକୁ କରାଯାଇଥିଲା। ବର୍ତ୍ତମାନର ମହାକାଶ ସହଯୋଗ ୨୯.୭.୨୦୦୯ରେ ସ୍ୱାକ୍ଷରିତ ଦେଶସ୍ତରୀୟ ଚୁକ୍ତି ଦ୍ୱାରା ପରିଚାଳିତ ହେଉଛି, ଯାହା ଉପରୋକ୍ତ ୧୯୮୬ ଚୁକ୍ତିକୁ ଉଚ୍ଛେଦ କରିଥିଲା ।

ମିଳିତ ଭାବେ ମରିସସ୍ ପାଇଁ ଏକ କ୍ଷୁଦ୍ର ଉପଗ୍ରହ ନିର୍ମାଣ ପାଇଁ ଏମଆରଆଇସି ର ଆଗ୍ରହ କୁ ଆଧାର କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ଇସ୍ରୋକୁ ଭାରତ-ମରିସସ୍ ମିଳିତ ଉପଗ୍ରହକୁ ବାସ୍ତବ ରୂପ ଦେବା ପାଇଁ ଏମଆରଆଇସି ସହ ଆଲୋଚନା ଆରମ୍ଭ କରିବା ପାଇଁ ଅନୁରୋଧ କରିଛି। ନଭେମ୍ବର ୧, ୨୦୨୩ରେ ମରିସସର ପୋର୍ଟ ଲୁଇସଠାରେ ‘ଅପ୍ରବାସୀ ଦିବସ’ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରମନ୍ତ୍ରୀଙ୍କ ମରିସସ ଗସ୍ତ ସମୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଆଇଟି ହାର୍ଡୱେୟାର ପାଇଁ ପିଏଲଆଇ ସ୍କିମ୍ – ୨.୦ ଅଧୀନରେ ୨୭ ଜଣ ନିର୍ମାତାଙ୍କୁ ଅନୁମୋଦନ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ)ର ସଫଳତାକୁ ଭିତ୍ତି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ୧୭ ମେ ୨୦୨୩ରେ ଆଇଟି ହାର୍ଡୱେୟାର ପାଇଁ ପିଏଲଆଇ ଯୋଜନା – ୨.୦କୁ ଅନୁମୋଦନ କରିଥିଲେ। ଏହି ସ୍କିମ୍ ରେ ଲାପଟପ୍, ଟ୍ୟାବଲେଟ୍, ଅଲ୍-ଇନ୍-ୱାନ୍ ପିସି, ସର୍ଭର ଏବଂ ଅଲ୍ଟ୍ରା ସ୍ମଲ୍ ଫର୍ମ ଫ୍ୟାକ୍ଟର ଡିଭାଇସ୍ ଅନ୍ତର୍ଭୁକ୍ତ।

ଆଜି ୨୭ଟି ଆଇଟି ହାର୍ଡୱେୟାର ନିର୍ମାତାଙ୍କ ଆବେଦନକୁ ଅନୁମୋଦନ ମିଳିଛି। ଆସର, ଆସୁସ, ଡେଲ୍, ଏଚ୍ ପି, ଲେନୋଭୋ ଆଦି ଜଣାଶୁଣା ବ୍ରାଣ୍ଡ୍ ର ଆଇଟି ହାର୍ଡୱେୟାର ଭାରତରେ ଉତ୍ପାଦନ କରାଯିବ। ଯୋଜନାର କାର୍ଯ୍ୟକାଳ ମଧ୍ୟରେ ଏହି ଅନୁମୋଦନର ଆଶାନୁରୂପ ଫଳାଫଳ ହେଉଛ :

ନିଯୁକ୍ତି : ସମୁଦାୟ ପ୍ରାୟ ୨ ଲକ୍ଷ

ପାଖାପାଖି ୫୦,୦୦୦ (ପ୍ରତ୍ୟକ୍ଷ) ଏବଂ ପ୍ରାୟ ଦେଢ଼ ଲକ୍ଷ (ପରୋକ୍ଷ)

ଆଇଟି ହାର୍ଡୱେୟାର ଉତ୍ପାଦନର ମୂଲ୍ୟ : ୩ ଲକ୍ଷ ୫୦ ହଜାର କୋଟି ଟଙ୍କା (୪୨ ବିଲିୟନ ଆମେରିକୀୟ ଡଲାର)

କଂପାନିଗୁଡ଼ିକ ଦ୍ୱାରା ନିବେଶ : ୩,୦୦୦ କୋଟି ଟଙ୍କା (୩୬୦ ନିୟୁତ ଆମେରିକୀୟ ଡଲାର)

ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଅନୁମୋଦିତ ୨୭ ଆବେଦନକାରୀଙ୍କ ମଧ୍ୟରୁ ୨୩ ଜଣ ସଙ୍ଗେ ସଙ୍ଗେ (day zero) ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଫସଫେଟ ଏବଂ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ହାରକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବର୍ଷ କେଜି ପିଛା ଟଙ୍କା
ରବି, ୨୦୨୩-୨୪

(୦୧.୧୦.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ)

ଏନ ପି କେ ଏସ
୪୭.୦୨ ୨୦.୮୨ ୨.୩୮ ୧.୮୯

ଆଗାମୀ ୨୦୨୩-୨୪ ରବି ଋତୁରେ ଏନବିଏସ ଉପରେ ୨୨,୩୦୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି।

ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସହଜରେ ଉପଲବ୍ଧ କରାଇବା ପାଇଁ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।

ଲାଭ

୧- ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ।

୨- ସାର ଏବଂ କୃଷି ଉପକରଣର ଅନ୍ତର୍ଜାତୀୟ ମୂଲ୍ୟବୃଦ୍ଧିର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଆଣ୍ଡକେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଦେଶକୁ ସକ୍ରିୟ କରିବା ପାଇଁ ବିଇଏସ୍‌ଏସ୍ ଯୋଜନା ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସ୍ଏସ୍)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ବା ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ନାମକ ଯୋଜନାକୁ ଅନୁମୋଦନ ମିଳିଛି। ଅନୁମୋଦିତ ଯୋଜନାରେ ୨୦୩୦-୩୧ ସୁଦ୍ଧା ୪,୦୦୦ ମେଗାଓ୍ଵାଟ୍-ଘଣ୍ଟା ବିଇଏସ୍ଏସ୍ ପ୍ରକଳ୍ପର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ପୁଞ୍ଜି ବ୍ୟୟର ୪୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ) ଆକାରରେ ବଜେଟ୍ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର  ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଅନେକ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।ଏହି ପଦକ୍ଷେପ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି।

ସୌର ଏବଂ ପବନ ଶକ୍ତି ପରି ଅକ୍ଷୟ ଶକ୍ତି ଉତ୍ସଗୁଡିକର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସ୍ୱଚ୍ଛ, ଭରସାଯୋଗ୍ୟ ଏବଂ ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଇ ଦେବା। ବିଇଏସ୍‌ଏସ୍ ଯୋଜନାର ବିକାଶ ପାଇଁ ଭିଜିଏଫ ନିମନ୍ତେ  ୯,୪୦୦ କୋଟି ଟଙ୍କାର ପ୍ରାରମ୍ଭିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ୩,୭୬୦ କୋଟି ଟଙ୍କାର ବଜେଟ୍ ସହାୟତା ରହିଛି। ଏହାର ନିରନ୍ତର ବିଦ୍ୟୁତ ଶକ୍ତି ସମାଧାନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭିଜିଏଫ ସମର୍ଥନ ପ୍ରଦାନ କରି, ଏହି ଯୋଜନା କିଲୋୱାଟ୍ ଘଣ୍ଟା ପିଛା ୫.୫୦-୬.୬୦ ଟଙ୍କା (କିଲୋୱାଟ୍-ଘଣ୍ଟା) ପର୍ଯ୍ୟନ୍ତ ଗୋଟିଏ ସ୍ତରର ଷ୍ଟୋରେଜ୍‌ ଖର୍ଚ୍ଚ (ଏଲସିଓଏସ୍) ହାସଲ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସମଗ୍ର ଦେଶରେ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ପରିଚାଳନା ପାଇଁ ସଂରକ୍ଷିତ ଅକ୍ଷୟ ଶକ୍ତିକୁ ଏକ ଉପଯୋଗୀ ବିକଳ୍ପରେ ପରିଣତ କରିବ। ବିଇଏସ୍ଏସ୍ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟକୁ ଆଧାର କରି ପାଞ୍ଚଟି କିସ୍ତିରେ ଭିଜିଏଫ୍ ବଣ୍ଟନ କରାଯିବ।

ଯୋଜନାର ଲାଭ ଯେପରି ଉପଭୋକ୍ତାଙ୍କ ପାଖରେ ପହଞ୍ଚି ପାରିବ ତାହା ସୁନିଶ୍ଚିତ କରିବା ପାଇଁ ବିଇଏସଏସ ପ୍ରକଳ୍ପ କ୍ଷମତାର ସର୍ବନିମ୍ନ ୮୫% ବିତରଣ କମ୍ପାନୀ (ଡିସକମ୍) ପାଇଁ ଉପଲବ୍ଧ କରାଯିବ। ଏହା ଦ୍ୱାରା କେବଳ ବିଦ୍ୟୁତ ଗ୍ରିଡରେ ଅକ୍ଷୟ ଶକ୍ତିର ଏକୀକରଣ ବୃଦ୍ଧି ପାଇବ ନାହିଁ ବରଂ ଟ୍ରାନ୍ସମିସନ୍ ନେଟୱର୍କର ଉପଯୋଗ ସୁଦୃଢ଼ ହେବା ସହିତ ଅପଚୟ ମଧ୍ୟ ହ୍ରାସ ପାଇବ। ଫଳରେ ବ୍ୟୟବହୁଳ ଭିତ୍ତିଭୂମି ଉନ୍ନତୀକରଣର ଆବଶ୍ୟକତା ହ୍ରାସ ପାଇବ।

ଭିଜିଏଫ ଅନୁଦାନ ପାଇଁ ବିଇଏସ୍‌ଏସ୍ ଡେଭଲପର୍ ଚୟନ ଏକ ସ୍ୱଚ୍ଛ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟା ମାଧ୍ୟମରେ କରାଯିବ, ଯାହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ସଂସ୍ଥାଗୁଡିକ ପାଇଁ ଏକ ସମାନ ସୁଯୋଗକୁ ପ୍ରୋତ୍ସାହିତ କରିବ। ଏହି ଆଭିମୁଖ୍ୟ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ ଏବଂ ବିଇଏସଏସ ପାଇଁ ଏକ ସୁଦୃଢ଼ ଇକୋସିଷ୍ଟମର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଏଥିସହିତ ଯଥେଷ୍ଟ ପୁଞ୍ଜିନିବେଶ ଆକୃଷ୍ଟ କରିବ ଏବଂ ଆନୁଷଙ୍ଗିକ ଶିଳ୍ପ ପାଇଁ ସୁଯୋଗ ସୃଷ୍ଟି କରିବ।

ସ୍ୱଚ୍ଛ ଓ ସବୁଜ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ବିଇଏସଏସ ଯୋଜନା ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅକ୍ଷୟ ଶକ୍ତିର ଉପଯୋଗ କରିବା ଏବଂ ବ୍ୟାଟେରୀ ଷ୍ଟୋରେଜ୍ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରି ସରକାର ସମସ୍ତ ନାଗରିକଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ସବୁଜ ଭବିଷ୍ୟତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘କୋଇଲା ଓ ଲିଗ୍ନାଇଟ ଅନ୍ବେଷଣ ଯୋଜନା’ କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି 2980 କୋଟି ଟଙ୍କାର ଆନୁମାନିକ ବ୍ୟୟ ସହିତ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା, ‘କୋଇଲା ଏବଂ ଲିଗ୍ନାଇଟ୍ ଅନ୍ବେଷଣ ଯୋଜନା’ କୁ 2021-22 ରୁ 2025-26 ପର୍ଯ୍ୟନ୍ତ ଅର୍ଥାତ୍ 15 ତମ ଅର୍ଥ ଆୟୋଗ ଚକ୍ର ସହିତ ସହ-ସମାପ୍ତି ପର୍ଯ୍ୟନ୍ତ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।
ଏହି ଯୋଜନା ଅଧୀନରେ କୋଇଲା ଏବଂ ଲିଗ୍ନାଇଟ୍ ପାଇଁ ଅନ୍ବେଷଣ ଦୁଇଟି ବ୍ୟାପକ ପର୍ଯ୍ୟାୟରେ କରାଯାଏ: (i) ପ୍ରମୋସନାଲ୍ (ଆଞ୍ଚଳିକ) ଅନ୍ବେଷଣ ଏବଂ (ii) ଅଣ କୋଲ ଇଣ୍ଡିଆ ଲିମିଟେଡ୍ ବ୍ଲକରେ ବିସ୍ତୃତ ଅନ୍ବେଷଣ।
ଏହି ମଞ୍ଜୁରି ଅଣ-ସିଆଇଏଲ୍‌ କ୍ଷେତ୍ରରେ ପ୍ରଚାର ସମ୍ବନ୍ଧୀୟ (କ୍ଷେତ୍ରୀୟ) ଅନ୍ବେଷଣ ପାଇଁ 1650 କୋଟି ଟଙ୍କା ଓ ବିସ୍ତୃତ ଡ୍ରିଲିଂ ପାଇଁ 1330 କୋଟି ଟଙ୍କାର ବ୍ୟୟ ପ୍ରଦାନ କରିବ। କ୍ଷେତ୍ରୀୟ ଅନ୍ବେଷଣ ଅନ୍ତର୍ଗତ ପ୍ରାୟ 1300 ବର୍ଗ କିମି କ୍ଷେତ୍ର ଏବଂ ବିସ୍ତୃତ ଅନ୍ବେଷଣ ଅନ୍ତର୍ଗତ ପ୍ରାୟ 650 ବର୍ଗ କିମି କ୍ଷେତ୍ରକୁ କଭର କରାଯିବ।
କୋଇଲା ଏବଂ ଲିଗ୍ନାଇଟ୍ ପାଇଁ ଅନ୍ବେଷଣ ଦେଶରେ ଉପଲବ୍ଧ କୋଇଲା ସମ୍ବଳକୁ ପ୍ରମାଣିତ କରିବା ଏବଂ ଆକଳନ କରିବା ଆବଶ୍ୟକ ଯାହାକି କୋଇଲା ଖଣି ଆରମ୍ଭ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଏହି ଅନ୍ବେଷଣ ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଭୂତତ୍ତ୍ବିକ ରିପୋର୍ଟଗୁଡିକ ନୂତନ କୋଇଲା ବ୍ଲକଗୁଡିକର ନିଲାମ ପାଇଁ ବ୍ୟବହୃତ ହୁଏ ଏବଂ ପରବର୍ତ୍ତୀ ସମୟରେ ସଫଳ ଆବଣ୍ଟନକାରୀଙ୍କ ଠାରୁ ଏହି ମୂଲ୍ୟ ରିକଭର କରାଯାଇଥାଏ।
Categories
ବିଶେଷ ଖବର

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ ୪% କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କୁ ଯଥାକ୍ରମେ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ ୪% ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ଲାଭ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜୁନ ୨୦୨୨ରେ ଶେଷ ହେଉଥିବା ଅବଧିରେ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ୧୨ ମାସିଆ ହାରାହାରୀ ବୃଦ୍ଧି ପ୍ରତିଶତକୁ ଆଧାର କରି ଡିଏ ଏବଂ ଡିଆରରେ ଏହି ବୃଦ୍ଧି କରାଯାଇଛି।

୧ ଜୁଲାଇ, ୨୦୨୨ ଠାରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଯଥାକ୍ରମେ ଅଧିକ ପରିମାଣର ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ପାଇବା ଲାଗି ହକଦାର ହେବେ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬,୫୯୧ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ  ସରକାର ୪,୩୯୪ କୋଟି ଟଙ୍କା ରାଜକୋଷରୁ ବ୍ୟୟ କରିବେ।

ଅନ୍ୟପକ୍ଷରେ ପେନସନଭୋଗୀଙ୍କ ମହଙ୍ଗା ସହାୟତା ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬ହଜାର ୨୬୧ କୋଟି ୨୦ ଲକ୍ଷ ଟଙ୍କା ବୋଝ ପଡ଼ିବ ବୋଲି ଅନୁମାନ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ସରକାର ଏଥିପାଇଁ ରାଜକୋଷରୁ ୪,୧୭୪.୧୨ କୋଟି ଟଙ୍କା ବ୍ୟୟ କରିବେ।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାକୁ ମିଶାଇଲେ ସରକାରଙ୍କୁ ପ୍ରତିବର୍ଷ ରାଜକୋଷରୁ ୧୨,୮୫୨.୫୬ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ ରାଜକୋଷ ଉପରେ ୮ହଜାର ୫୬୮.୩୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ।