Categories
ଆଜିର ଖବର ରାଜ୍ୟ ଖବର

ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଖାଦ୍ୟଯୋଗାଣ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କ ସହ ସେ ଆଲୋଚନା କରିଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ବ୍ୟବସାୟୀ ସଂଘକୁ ପରାମର୍ଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ମନ୍ତ୍ରୀ ବ୍ୟବସାୟୀ ସଂଘକୁ ଅନୁରୋଧ କରିଛନ୍ତି। ଅନାବଶ୍ୟକ ଭାବେ ଆବଶ୍ୟକତାଠାରୁ ଅଧିକ ଦାମ୍‌ରେ ସାମଗ୍ରୀ ବିକ୍ରୟ କରୁଥିବା ଅସାଧୁ ବ୍ୟକ୍ତି ଏବଂ କଳାବଜାରୀ କରୁଥିବା ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ବୈଠକରେ ବ୍ୟବସାୟୀ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଏହାକୁ ଦୂର କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉଭୟ ବ୍ୟବସାୟୀ ଏବଂ ଖାଉଟିମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟ କ୍ରମେ ବିଭିନ୍ନ ଦାବି ପୂରଣ କରିବା ଉପରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏତଦ୍‌ବ୍ୟତୀତ ସମ୍ଭାବ୍ୟ ବାତ୍ୟାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ନେଇ ଖାଉଟିମାନଙ୍କ ବିଭିନ୍ନ ଅଭିଯୋଗକୁ ବିଚାରକୁ ନେଇ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ମଧୁସୂଦନ ବେହେରା, ନା୍ଫେଡ ଓଡିଶା ରାଜ୍ୟ ମୁଖ୍ୟ ଅନିନ୍ଦିତା ଗୁହା, ବିଭାଗୀୟ ଉପ ନିର୍ଦ୍ଦେଶକ ଦୀପକ ଶତପଥୀ, ଓଡିଶା ବ୍ୟବସାୟୀ ସଙ୍ଘ ମହାସଚିବ ସୁଧାକର ପଣ୍ଡା, ରାଜ୍ୟ କଞ୍ଚା ପନିପରିବା ମହାଜନ ମହାସଂଘ ସଭାପତି କବିରାଜ ସ୍ୱାଇଁ, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲା କରିବା ପାଇଁ ଅଧିକାରୀମାନେ ଅଫିସରେ ରହିବାକୁ ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ଜନସାଧାରଣଙ୍କ ଅତ୍ୟାବଶ୍ରକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ସଦ୍ୟତମ ସ୍ଥିତି ଏବଂ ରବିଧାନ ସଂଗ୍ରହ ବିଷୟରେ ସମୀକ୍ଷା କରିବା ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିର ମୁକାବିଲା କରିବା ପାଇଁ କହିଛନ୍ତି ।

ସମ୍ବେଦନଶୀଳ ଅଞ୍ଚଳ ଏବଂ ବାତ୍ୟା ଦ୍ୱାରା ବିଚ୍ଛିନ୍ନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଖାଉଟିମାନଙ୍କ ନିକଟରେ ରାସନ ସାମଗ୍ରୀ ଯେପରି ଠିକଣା ଭାବରେ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି । ମଇ ଓ ଜୁନ ମାସର ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକୁ କାଲି ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ସମୟରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଚୁଡ଼ା ଓ ଗୁଡ଼ ଗଚ୍ଛିତ ରଖିବା ସହିତ ଯେପରି ଆବଶ୍ୟକ ପରିମାଣର ଡିଜେଲ, ପେଟ୍ରୋଲ, କିରୋସିନି ଏବଂ ଏଲ୍‌ପିଜି ଗ୍ୟାସ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ପ୍ରେଟ୍ରୋଲ ପମ୍ପ ଏବଂ ଡିଲରମାନଙ୍କ ସହିତ ଯୋଗାଯୋଗ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ଆଶଙ୍କା ଦୃଷ୍ଟିରୁ କିଛି ଲୋକ ଆବଶ୍ୟକତାଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯଥା-ଚାଉଳ, ଅଟା, ଡାଲି, ଖାଇବା ତେଲ, ଆଳୁ, ପିଆଜ ଇତ୍ୟାଦି କ୍ରୟ କରିବାର ସମ୍ଭାବନା ଥିବାରୁ ଖାଉଟିମାନଙ୍କୁ ଅଧିକ ସାମଗ୍ରୀ ନକିଣିବା ପାଇଁ ସଚେତନ କରିବା ପାଇଁ କହିଛନ୍ତି । ଏଥି ସହିତ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି କରିବାର ଆଶଙ୍କା ଦୃଷ୍ଟିରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରି ଖିଲାପୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ସମୟରେ କୌଣସି ଅଧିକାରୀ ଏବଂ କର୍ମଚାରୀ ସଦର ମହକୁମା ଛାଡ଼ି ନଯିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସଂପ୍ରତି ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କଠାରୁ ରବିଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବାତ୍ୟାର ସ୍ଥିତିକୁ ବିଚାରକୁ ନେଇ ନିହାତି ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଳ୍ପ ସମୟ ପାଇଁ ସ୍ଥଗିତ ରଖିବା ଦିଗରେ ନିଷ୍ପତ୍ତି ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସଂଗୃହୀତ ହୋଇଥିବା ଧାନକୁ ତୁରନ୍ତ ମିଲରମାନେ ଉଠାଇ ନେବା ସହିତ ମଣ୍ଡିରେ ତାରପୋଲିନ୍‌ ଦ୍ୱାରା ଧାନକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ତାର୍‌ପୋଲିନ୍‌ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଲେ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ବିଭାଗ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆବଶ୍ୟକ ପରିମାଣରେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ(ଧାନ ସଂଗ୍ରହ) ଏବଂ ଅତିରିକ୍ତ ସଚିବ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌), ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ନିବନ୍ଧକ, ସମବାୟ ସମିତି ସମୂହ, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଓସାମ୍‌ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଉପକୂଳ ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ ପ୍ରମୁଖ ଯୋଗଦେଇଥିଲେ ।