ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅର୍ନ୍ତଗତ ଜାହାଡା ନିକଟସ୍ଥ ଖାରିଗୁମ୍ମାରେ ଦୁଇ ଜଣ ବ୍ୟକ୍ତି ଲୁଲୁ ନାହାକ ଓ ବାବୁଲା ନାହାକଙ୍କୁ କିଛି ବ୍ୟକ୍ତି ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, ନିଜ ଝିଅକୁ ଯୌତୁକଜନିତ ୩ ଟି ଗୋରୁ ଦେବା ପାଇଁ ଗାଁ ଦାଣ୍ଡରେ ଯାଉଥିବା ବେଳେ କିଛି ଯୁବକ ଦୁଇ ଜଣଙ୍କୁ ଅଟକାଇ ଗୋଚାଲାଣ ନାମରେ ଚାନ୍ଦା ମାଗିଥିଲେ। ସେମାନେ ଚାନ୍ଦା ଦେବାପାଇଁ ରାଜି ନହେବାରୁ ପ୍ରାୟ ୭/୮ ଜଣ ଯୁବକ ମିଶି ନିର୍ଦ୍ଧୁମ ମାଡ ମାରି ନିକଟସ୍ଥ ସେଲୁନ୍ ରେ ଲଣ୍ଡା କରି କିଛି ରାସ୍ତା ଚଲାଇବା ପରେ ଜାହାଡା ଗ୍ରାମରେ ଆଣ୍ଠେଇ ଚଲାଇ ଥିଲେ।
ଏହିଭଳି ପରିସ୍ଥିତିରେ ନିଜକୁ ମୁକୁଳେଇ ଦୁଇ ଯୁବକ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଗ୍ରହଣ କରି ପୋଲିସ ଦୁଇ ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ପୋଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।