Categories
ଆଜିର ଖବର ଜାତୀୟ ଖବର

ଆଜି ସ୍ଵାମୀତ୍ୱ ଯୋଜନାରେ ଗୋଟିଏ ଦିନରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅପରାହ୍ନ ୧୨ଟା ୩୦ରେ ସ୍ଵାମୀତ୍ୱ ସମ୍ପତ୍ତି କାର୍ଡର ଇ-ବିତରଣରେ ଅଧ୍ୟକ୍ଷତା କରିବେ ଯାହା ଭାରତର ଗ୍ରାମୀଣ ସଶକ୍ତୀକରଣ ଏବଂ ଶାସନ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି କାର୍ଯ୍ୟକ୍ରମରେ ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖର ୫୦ହଜାରରୁ ଅଧିକ ଗାଁରେ ପ୍ରାୟ ୬୫ ଲକ୍ଷ ସ୍ଵାମୀତ୍ୱ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ। ଏହି ଅବସରରେ ସ୍ଵାମୀତ୍ୱ ଯୋଜନାରେ ପାଖାପାଖି ୨କୋଟି ୨୫ଲକ୍ଷ ସମ୍ପତ୍ତି କାର୍ଡ ପ୍ରସ୍ତୁତି ଓ ବଣ୍ଟନ ଏବଂ ଗୋଟିଏ ଦିନରେ ପ୍ରାୟ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ ଦିଗରେ ଏକ ବଡ଼ ମାଇଲଖୁଣ୍ଟ ହାସଲ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ପଞ୍ଚାୟତିରାଜ ମନ୍ତ୍ରଣାଳୟ (ଏମ୍ଓପିଆର), ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ ରାଷ୍ଟ୍ରମନ୍ତ୍ରୀ ବିବେକ ଭରଦ୍ୱାଜଙ୍କ ଉପସ୍ଥିତିରେ ବଛାବଛା ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଦେଶବ୍ୟାପୀ ଅଭିଭାଷଣ ଦେବେ। ଏହି ସମାରୋହରେ ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଏବଂ ଦେଶର ପ୍ରମୁଖ ଅଂଶୀଦାରମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେବେ। ଏହି ଅବସରରେ ୨୩୦ରୁ ଅଧିକ ଜିଲ୍ଲାରେ ସଂଗଠିତ ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ନାଗରିକ ସମ୍ପତ୍ତି କାର୍ଡର ଭୌତିକ ବଣ୍ଟନରେ ଅଂଶଗ୍ରହଣ କରିବେ। ସମ୍ପତ୍ତି କାର୍ଡର ଆଞ୍ଚଳିକ ବଣ୍ଟନ ସମାରୋହର ତଦାରଖ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୩ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସ୍ଵାମୀତ୍ୱ ଯୋଜନା ଅଧୀନରେ ପ୍ରମୁଖ ଉପଲବ୍ଧି

ସମଗ୍ର ଭାରତରେ ୩ କୋଟି ୧୭ ଲକ୍ଷ ଗ୍ରାମରେ ଡ୍ରୋନ୍ ସର୍ଭେ ସମ୍ପୂର୍ଣ୍ଣ ହେବା ସହିତ ସ୍ଵାମୀତ୍ୱ ଯୋଜନା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏଥିରେ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ, ଲଦାଖ, ଦିଲ୍ଲୀ, ଦାଦ୍ରା ଓ ନଗର ହାଭେଲି ଏବଂ ଡାମନ ଓ ଡିଉ ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସାମିଲ ରହିଛି। ଏହାବ୍ୟତୀତ ହରିୟାଣା, ଉତ୍ତରାଖଣ୍ଡ, ପୁଡୁଚେରୀ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଗୋଆର ସମସ୍ତ ଜନବସତି ଗ୍ରାମ ପାଇଁ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି।

ଜାତୀୟ ସ୍ତରରେ ସମୁଦାୟ ୩ଲକ୍ଷ ୪୬ହଜାର ୧୮୭ଟି ଗାଁକୁ ଏହି ଯୋଜନାରେ ବିଜ୍ଞପ୍ତି ଦିଆଯାଇଥିବା ବେଳେ ୩ଲକ୍ଷ ୧୭ହଜାର ୭୧୫ ଟି ଗାଁରେ ଡ୍ରୋନ୍ ଉଡ଼ାଣ ଶେଷ ହୋଇଛି, ଯାହା କି ୯୨% ସଫଳତା। ରାଜ୍ୟ ତଦନ୍ତ ପାଇଁ ମାନଚିତ୍ର ହସ୍ତାନ୍ତର କରାଯାଇଛି ଏବଂ ୧ଲକ୍ଷ ୫୩ ହଜାର ୭୨୬ ଟି ଗାଁ ପାଇଁ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ପାଖାପାଖି ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟ ୧୦୦% ଡ୍ରୋନ୍ ସର୍ଭେ ହାସଲ କରିଛନ୍ତି, ଯେଉଁଥିରେ ସମ୍ପତ୍ତି କାର୍ଡ ପ୍ରସ୍ତୁତିରେ ଯଥାକ୍ରମେ ୭୩.୫୭% ଏବଂ ୬୮.୯୩% ଅଗ୍ରଗତି ହୋଇଛି। ଉଭୟ ଡ୍ରୋନ୍ ସର୍ଭେ ଏବଂ ସମ୍ପତ୍ତି କାର୍ଡ ପ୍ରସ୍ତୁତିରେ ହରିୟାଣା ଏବଂ ଉତ୍ତରାଖଣ୍ଡ ୧୦୦% ଶେଷ କରିଛନ୍ତି। ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ରାଜସ୍ଥାନ ଡ୍ରୋନ୍ ସର୍ଭେରେ ପ୍ରଶଂସନୀୟ ଅଗ୍ରଗତି କରିଥିବା ବେଳେ ମହାରାଷ୍ଟ୍ର ଏବଂ ଗୁଜରାଟ ୯୮% ରୁ ଅଧିକ ହାସଲ କରିଛନ୍ତି, ଯଦିଓ ସମ୍ପତ୍ତି କାର୍ଡ ପ୍ରସ୍ତୁତିରେ ଅଧିକ ତ୍ୱରାନ୍ୱିତ ହେବା ଆବଶ୍ୟକ। ଗ୍ରାମୀଣ ଆବାଦୀ ଜମିର ମୋଟ ୬୭,୦୦୦ ବର୍ଗ କିମି ସର୍ଭେ କରାଯାଇଛି, ଯାହାର ମୂଲ୍ୟ ୧୩୨ ଲକ୍ଷ କୋଟି ଟଙ୍କା ଏବଂ ଏହି ପଦକ୍ଷେପର ଅର୍ଥନୈତିକ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଭାରତର ଭୂମି ଶାସନ ମଡେଲ ପ୍ରଦର୍ଶିତ କରିବାକୁ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ

ଆଗକୁ ମନ୍ତ୍ରଣାଳୟ ସ୍ଵାମୀତ୍ୱ ଯୋଜନାର ସଫଳତାକୁ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ପ୍ରଦର୍ଶିତ କରିବାକୁ ଯୋଜନା କରିଛି। ମାର୍ଚ୍ଚ ୨୦୨୫ରେ, ଏମଓପିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ଭାରତରେ ଭୂମି ଶାସନ ଉପରେ ଏକ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରିବାକୁ ଯୋଜନା କରିଛି, ଯେଉଁଥିରେ ଆଫ୍ରିକା, ଲାଟିନ ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ପାଖାପାଖି ୪୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିବେ। ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ସର୍ବୋତ୍ତମ ଅଭ୍ୟାସ ଏବଂ ଉନ୍ନତ ଡ୍ରୋନ୍ ତଥା ଜିଆଇଏସ୍ ଜ୍ଞାନକୌଶଳ ବାଣ୍ଟିବା, ଯାହା ବିଶ୍ୱବ୍ୟାପୀ ସମାନ ପଦକ୍ଷେପ ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବ । ମେ ୨୦୨୫ରେ ମନ୍ତ୍ରଣାଳୟ ୱାଶିଂଟନରେ ବିଶ୍ୱ ବ୍ୟାଙ୍କ ଲ୍ୟାଣ୍ଡ ଗଭର୍ଣ୍ଣାନ୍ସ ସମ୍ମିଳନୀରେ ଅଂଶଗ୍ରହଣ କରି ଭାରତର ସଫଳତା ଉପରେ ଆଲୋକପାତ କରିବା ଏବଂ ଏହି ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛି।

ସ୍ଵାମୀତ୍ୱ: ଗ୍ରାମୀଣ ଭାରତ ପାଇଁ ଏକ ଗେମ୍ଚେଞ୍ଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୪ ଏପ୍ରିଲ ୨୦୨୦ (ଜାତୀୟ ପଞ୍ଚାୟତିରାଜ ଦିବସ)ରେ ଶୁଭାରମ୍ଭ କରାଯାଇଥିବା ସ୍ଵାମୀତ୍ୱ ଯୋଜନାର ଲକ୍ଷ୍ୟ ହେଉଛି ଡ୍ରୋନ ଏବଂ ଜିଆଇଏସ ଜ୍ଞାନକୌଶଳ ବ୍ୟବହାର କରି ଗ୍ରାମୀଣ ଆବାଦି ଅଞ୍ଚଳର ସମ୍ପତ୍ତି ମାଲିକମାନଙ୍କୁ “ରେକର୍ଡ ଅଫ୍ ରାଇଟ୍ସ” ପ୍ରଦାନ କରିବା । କୋଭିଡ୍-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆହ୍ୱାନ ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବର ୨୦୨୦ରେ ପ୍ରଥମ ସମ୍ପତ୍ତି କାର୍ଡ ବଣ୍ଟନ କରିଥିଲେ, ଯାହା ଏହି ପରିବର୍ତ୍ତନମୂଳକ ପଦକ୍ଷେପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥିଲା । ସ୍ଵାମୀତ୍ୱ ଯୋଜନା ଭୂମି ଶାସନକୁ ସୁଦୃଢ଼ କରିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ସମୁଦାୟ ବିକାଶକୁ ପ୍ରୋତ୍ସାହିତ କରି ଗ୍ରାମୀଣ ଭାରତରେ ଏକ ପରିବର୍ତନମୂଳକ ପ୍ରଭାବ ପକାଇଛି। ଏହା ଦ୍ୱାରା ବ୍ୟାଙ୍କ ଋଣ ସହଜରେ ମିଳିପାରିବ, ଦୀର୍ଘଦିନ ଧରି ଚାଲିଆସୁଥିବା ଜମି ବିବାଦର ସମାଧାନ ହୋଇପାରିବ ଏବଂ ମହିଳାମାନଙ୍କୁ ସେମାନଙ୍କ ସମ୍ପତ୍ତି ଅଧିକାର ସୁରକ୍ଷିତ କରାଯାଇ ସଶକ୍ତ କରାଯାଇଛି, ଯାହା ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଗ୍ରାମୀଣ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ପାଇଁ ଆନ୍ତଃବିଭାଗୀୟ ସମନ୍ୱୟକୁ ପ୍ରୋତ୍ସାହିତ କରି ସ୍ଵାମୀତ୍ୱ ଯୋଜନା ସମଗ୍ର ସରକାରୀ ଆଭିମୁଖ୍ୟର ଉଦାହରଣ ଅଟେ। ଏହା କେବଳ ସମ୍ପତ୍ତି ମାଲିକମାନଙ୍କୁ ସଶକ୍ତ କରିନାହିଁ ବରଂ ଗ୍ରାମୀଣ ଭାରତରେ ଉନ୍ନତ ଭିତ୍ତିଭୂମି ଯୋଜନା, ଆର୍ଥିକ ସ୍ଥିରତା ଏବଂ ସ୍ଥାୟୀ ବିକାଶକୁ ସକ୍ଷମ କରିଛି।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମୀଣ ଭାରତର ସଶକ୍ତୀକରଣ: ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ନାବାର୍ଡ ସର୍ଭେ

ନୂଆଦିଲ୍ଲୀ: ନାବାର୍ଡ ୨୦୨୧-୨୨ ପାଇଁ ଏହାର ଦ୍ୱିତୀୟ ସର୍ବଭାରତୀୟ ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ବେକ୍ଷଣ (ଏନ୍ଏଏଫ୍ଆଇଏସ୍)ରୁ ଏହି ତଥ୍ୟ ପ୍ରକାଶ କରିଛି, ଯେଉଁଥିରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ ଅର୍ଥନୈତିକ ଏବଂ ଆର୍ଥିକ ସୂଚକାଙ୍କକୁ ଅନ୍ତର୍ଭୁକ୍ତ କରି ୧ ଲକ୍ଷ ଗ୍ରାମୀଣ ପରିବାରର ସର୍ବେକ୍ଷଣ ଆଧାରରେ ପ୍ରାଥମିକ ତଥ୍ୟ ପ୍ରଦାନ କରାଯାଇଛି। ଅର୍ଥନୈତିକ ବିକାଶ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ନାବାର୍ଡ କୃଷି ବର୍ଷ (ଜୁଲାଇ-ଜୁନ୍) ୨୦୧୬-୧୭ ପାଇଁ ଉଦଘାଟନୀ ସର୍ବେକ୍ଷଣ କରିଥିଲା, ଯାହାର ଫଳାଫଳ ଅଗଷ୍ଟ ୨୦୧୮ରେ ପ୍ରକାଶ ପାଇଥିଲା। ସେବେ ଠାରୁ ଅର୍ଥନୀତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି ଏବଂ କୃଷିକୁ ସମର୍ଥନ କରିବା ଏବଂ ଗ୍ରାମୀଣ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ନୀତି କାର୍ଯ୍ୟକାରୀ ହୋଇଛି। ଏନଏଏଫଆଇଏସ୍ ୨୦୨୧-୨୨ ଫଳାଫଳ ୨୦୧୬-୧୭ ପର ଠାରୁ ଗ୍ରାମୀଣ ଅର୍ଥନୈତିକ ଏବଂ ଆର୍ଥିକ ବିକାଶ ସୂଚକାଙ୍କ କିପରି ବିକଶିତ ହୋଇଛି ତାହା ଉପରେ ଆଲୋକପାତ କରିବାରେ ସାହାଯ୍ୟ କରିପାରେ। ଏହି ସର୍ଭେରେ ସମସ୍ତ ୨୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ଗ୍ରାମୀଣ ଜନସଂଖ୍ୟାକୁ ସୁଦୃଢ଼ କରିବା: ଏନଏଏଫଆଇଏସ ୨୦୨୧-୨୨ ରୁ ସୂଚନା

ହାରାହାରି ମାସିକ ଆୟରେ ବୃଦ୍ଧି: ପାଞ୍ଚ ବର୍ଷ ମଧ୍ୟରେ ପରିବାରର ହାରାହାରି ମାସିକ ଆୟ ୫୭.୬% ବୃଦ୍ଧି ପାଇଛି, ଯାହା ୨୦୧୬-୧୭ରେ ୮,୦୫୯ ଟଙ୍କାଥିବା ବେଳେ ୨୦୨୧-୨୨ରେ ଏହା ୧୨,୬୯୮ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଯୌଗିକ ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) ୯.୫% କୁ ସୂଚିତ କରେ। ସମାନ ସମୟ ମଧ୍ୟରେ ବାର୍ଷିକ ହାରାହାରି ନୋମିନାଲ ଜିଡିପି ଅଭିବୃଦ୍ଧି (ଆର୍ଥିକ ବର୍ଷ ଆଧାରରେ) ୯% ଥିଲା। ସମସ୍ତ ପରିବାରକୁ ମିଶାଇଲେ ହାରାହାରି ମାସିକ ଆୟ ୧୨,୬୯୮ ଟଙ୍କା ଥିଲା, ଯେଉଁଥିରେ ଅଣକୃଷି ପରିବାରଙ୍କ ପାଇଁ ୧୧,୪୩୮ ଟଙ୍କା ତୁଳନାରେ କୃଷି ପରିବାରମାନେ ସାମାନ୍ୟ ଅଧିକ ୧୩,୬୬୧ ଟଙ୍କା ରୋଜଗାର କରନ୍ତି। ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ବେତନଭୋଗୀ ନିଯୁକ୍ତି ସମସ୍ତ ପରିବାର ପାଇଁ ସବୁଠାରୁ ବଡ଼ ଆୟ ଉତ୍ସ ଥିଲା, ଯାହା ସେମାନଙ୍କ ମୋଟ ଆୟର ପ୍ରାୟ ୩୭% ଅଟେ। କୃଷି ପରିବାରମାନଙ୍କ ପାଇଁ ଚାଷ ହେଉଛି ମୁଖ୍ୟ ଆୟ ଉତ୍ସ, ଯାହା ସେମାନଙ୍କ ମାସିକ ରୋଜଗାରର ପ୍ରାୟ ଏକ ତୃତୀୟାଂଶ ଅଟେ, ଏହା ପରେ ସରକାରୀ କିମ୍ବା ବେସରକାରୀ ସେବା ଏକ ଚତୁର୍ଥାଂଶ ଅଂଶ, ମଜୁରି ଶ୍ରମିକ (୧୬%) ଏବଂ ଅନ୍ୟାନ୍ୟ ଉଦ୍ୟୋଗ (୧୫%) ଯୋଗଦାନ କରନ୍ତି। ଅଣକୃଷି କ୍ଷେତ୍ରରେ ସରକାରୀ ଓ ବେସରକାରୀ ସେବା ହିଁ ମୋଟ ପରିବାର ଆୟର ୫୭% ଯୋଗଦାନ ଦେଉଥିବା ବେଳେ ମଜୁରୀ ଶ୍ରମିକ ହିଁ ମୋଟ ଆୟର ପ୍ରାୟ ୨୬% ଥିଲା।

ହାରାହାରି ମାସିକ ଖର୍ଚ୍ଚରେ ବୃଦ୍ଧି: ଗ୍ରାମୀଣ ପରିବାରର ହାରାହାରି ମାସିକ ଖର୍ଚ୍ଚ ୨୦୧୬-୧୭ ରେ ୬,୬୪୬ ଟଙ୍କା ଥିବା ବେଳେ ୨୦୨୧-୨୨ ରେ ଏହା ୧୧,୨୬୨ ଟଙ୍କାକୁ ବୃଦ୍ଧି ପାଇଛି। ଅଣକୃଷି ପରିବାର ପାଇଁ ୧୦,୬୭୫ ଟଙ୍କା ତୁଳନାରେ କୃଷି ପରିବାର ଗୁଡ଼ିକ ଅପେକ୍ଷାକୃତ ଅଧିକ ଖର୍ଚ୍ଚ ୧୧,୭୧୦ ଟଙ୍କା ଦର୍ଶାଇଛନ୍ତି। ଗୋଆ ଏବଂ ଜମ୍ମୁ-କଶ୍ମୀର ଭଳି ରାଜ୍ୟରେ ମାସିକ ପରିବାର ଖର୍ଚ୍ଚ ୧୭,୦୦୦ ଟଙ୍କାରୁ ଅଧିକ ରହିଛି। ମୋଟାମୋଟି ଭାବେ ଅଣକୃଷି ପରିବାର ତୁଳନାରେ କୃଷି ପରିବାରମାନେ ଅଧିକ ଆୟ ଓ ବ୍ୟୟ ହାର ପ୍ରଦର୍ଶନ କରିଛନ୍ତି।

ଆର୍ଥିକ ସଞ୍ଚୟରେ ବୃଦ୍ଧି: ୨୦୧୬-୧୭ରେ ପରିବାରର ବାର୍ଷିକ ହାରାହାରି ଆର୍ଥିକ ସଞ୍ଚୟ ୯,୧୦୪ ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୧୩,୨୦୯ ଟଙ୍କାକୁ ବୃଦ୍ଧି ପାଇଛି। ମୋଟାମୋଟି ଭାବେ ୨୦୧୬-୧୭ ରେ ୫୦.୬ ପ୍ରତିଶତ ପରିବାର ଟଙ୍କା ସଞ୍ଚୟ କରିଥିବା ବେଳେ ୨୦୨୧-୨୨ରେ ୬୬ ପ୍ରତିଶତ ପରିବାର ଅର୍ଥ ସଞ୍ଚୟ କରିଥିବା ଜଣାପଡ଼ିଛି। ସଞ୍ଚୟ କ୍ଷେତ୍ରରେ କୃଷି ପରିବାର ଅଣ-କୃଷି କ୍ଷେତ୍ରକୁ ପଛରେ ପକାଇ ଦେଇଛନ୍ତି, ଯେଉଁଥିରେ ଅଣ-କୃଷି ପରିବାରର ୫୮% ତୁଳନାରେ ୭୧% କୃଷି ପରିବାର ରେଫରେନ୍ସ ଅବଧି ମଧ୍ୟରେ ସଞ୍ଚୟ ରିପୋର୍ଟ କରିଛନ୍ତି। ୧୧ଟି ରାଜ୍ୟରେ ୭୦% କିମ୍ବା ତା’ଠାରୁ ଅଧିକ ପରିବାର ଅର୍ଥ ସଞ୍ଚୟ କରିଥିବା ବେଳେ ଉତ୍ତରାଖଣ୍ଡ (୯୩%), ଉତ୍ତରପ୍ରଦେଶ (୮୪%) ଏବଂ ଝାଡ଼ଖଣ୍ଡ (୮୩%) ଆଗରେ ରହିଛି। ଅପରପକ୍ଷରେ ଗୋଆ (୨୯%), କେରଳ (୩୫%), ମିଜୋରାମ (୩୫%), ଗୁଜରାଟ (୩୭%), ମହାରାଷ୍ଟ୍ର (୪୦%) ଏବଂ ତ୍ରିପୁରା (୪୬%) ଭଳି ରାଜ୍ୟରେ ଅଧାରୁ କମ୍ ପରିବାର ସଞ୍ଚୟ ରିପୋର୍ଟ କରିଛନ୍ତି।

କିଷାନ କ୍ରେଡିଟ୍ କାର୍ଡ (କେସିସି): ଗ୍ରାମୀଣ କୃଷି କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହନ ଦେବା ପାଇଁ କିଷାନ କ୍ରେଡିଟ୍ କାର୍ଡ (କେସିସି) ଏକ ପ୍ରମୁଖ ଉପକରଣ ଭାବେ ଉଭା ହୋଇଛି। ସମୁଦାୟ ୪୪% କୃଷି ପରିବାର ପାଖରେ ବୈଧ କିଷାନ କ୍ରେଡିଟ୍ କାର୍ଡ (କେସିସି) ଥିବା ଜଣା ପଡ଼ିଥିଲା। ଯେଉଁମାନେ ୦.୪ ହେକ୍ଟରରୁ ଅଧିକ ଜମି ରଖିଛନ୍ତି କିମ୍ବା ଯେଉଁମାନେ ଗତ ବର୍ଷ ବ୍ୟାଙ୍କରୁ କୌଣସି କୃଷି ଋଣ ନେଇଛନ୍ତି ସେମାନଙ୍କ ମଧ୍ୟରୁ ୭୭% ବୈଧ କେସିସି ଥିବା ରିପୋର୍ଟ କରିଛନ୍ତି।

ବୀମା କଭରେଜ୍: ଯେକୌଣସି ପ୍ରକାର ବୀମାରେ ଅତି କମରେ ଜଣେ ସଦସ୍ୟ ଥିବା ପରିବାରର ପ୍ରତିଶତ ୨୦୧୬-୧୭ରେ ୨୫.୫% ଥିବାବେଳେ ୨୦୨୧-୨୨ରେ ଏହା ୮୦.୩% କୁ ଯଥେଷ୍ଟ ବୃଦ୍ଧି ପାଇଛି। ଅର୍ଥାତ୍ ପ୍ରତି ୫ଟି ପରିବାର ମଧ୍ୟରୁ ୪ଟି ପରିବାରରେ ଅତି କମରେ ଜଣେ ବୀମାଭୁକ୍ତ ସଦସ୍ୟ ଥିଲେ। କୃଷି ପରିବାରମାନେ ସେମାନଙ୍କ ଅଣକୃଷି ସମକକ୍ଷଙ୍କୁ ପାଖାପାଖି ୧୩ ପ୍ରତିଶତ ପଏଣ୍ଟ ବ୍ୟବଧାନରେ ପଛରେ ପକାଇ ଦେଇଛନ୍ତି। ବିଭିନ୍ନ ପ୍ରକାର ବୀମା ମଧ୍ୟରେ ଗାଡି ବୀମା ସବୁଠାରୁ ଅଧିକ ପ୍ରଚଳିତ ଥିଲା, ଯେଉଁଥିରେ ୫୫% ପରିବାର ଅନ୍ତର୍ଭୁକ୍ତ ଥିଲେ । ଜୀବନ ବୀମା କଭରେଜ୍ ୨୪% ପରିବାରକୁ ବିସ୍ତାରିତ କରାଯାଇଛି, ଯେଉଁଥିରେ ଅଣ-କୃଷି ପରିବାର (୨୦%) ତୁଳନାରେ କୃଷି ପରିବାର ସାମାନ୍ୟ ଅଧିକ (୨୬%) ଦର୍ଶାଇଛନ୍ତି।

ପେନସନ୍ କଭରେଜ୍: ପେନସନ୍ ଆର୍ଥିକ ସହାୟତା ପ୍ରଦାନ କରି ଏବଂ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରି ପ୍ରାପ୍ତକାରୀଙ୍କ ଜୀବନର ଗୁଣବତ୍ତାକୁ ଯଥେଷ୍ଟ ବୃଦ୍ଧି କରିଥାଏ, ଯାହା ଦ୍ୱାରା ସେମାନଙ୍କର ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। କୌଣସି ପ୍ରକାର ପେନସନ୍ (ଯେପରିକି ବାର୍ଦ୍ଧକ୍ୟ, ପରିବାର, ଅବସର କିମ୍ବା ଭିନ୍ନକ୍ଷମ) ପାଇଥିବା ପରିବାରର ପ୍ରତିଶତ ୨୦୧୬-୧୭ରେ ୧୮.୯% ଥିବା ବେଳେ ୨୦୨୧-୨୨ରେ ଏହା ୨୩.୫% କୁ ବୃଦ୍ଧି ପାଇଛି। ମୋଟାମୋଟି ଭାବେ ୬୦ ବର୍ଷରୁ ଅଧିକ ବୟସ୍କ ଅତି କମରେ ଜଣେ ସଦସ୍ୟ ଥିବା ୫୪% ପରିବାର ଏହାକୁ ଗ୍ରହଣ କରିଛନ୍ତି, ଯାହା ସମାଜର ବୟସ୍କ ସଦସ୍ୟମାନଙ୍କୁ ସାହାଯ୍ୟ କରିବାରେ ପେନସନର ଗୁରୁତ୍ୱ ଉପରେ ଆଲୋକପାତ କରିଛି।

ଆର୍ଥିକ ସାକ୍ଷରତା: ଉତ୍ତମ ଆର୍ଥିକ ସାକ୍ଷରତା ପ୍ରଦର୍ଶନ କରୁଥିବା ଉତ୍ତରଦାତାଙ୍କ ପ୍ରତିଶତ ୧୭ ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୧୬-୧୭ରେ ୩୩.୯% ଥିବାବେଳେ ୨୦୨୧-୨୨ରେ ୫୧.୩% କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଅର୍ଥକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା, ସୁଚିନ୍ତିତ ଆର୍ଥିକ ନିଷ୍ପତ୍ତି ନେବା, ଖର୍ଚ୍ଚ ଟ୍ରାକିଂ କରିବା ଏବଂ ଠିକ୍ ସମୟରେ ବିଲ୍ ପୈଠ କରିବା ଭଳି ଆର୍ଥିକ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ଅନୁପାତ ମଧ୍ୟ ୫୬.୪% ରୁ ୭୨.୮% କୁ ବୃଦ୍ଧି ପାଇଛି। ଆର୍ଥିକ ଜ୍ଞାନ ଉପରେ ଆକଳନ କରାଗଲେ ଗ୍ରାମାଞ୍ଚଳର ୫୮% ଏବଂ ଅର୍ଦ୍ଧ-ସହରାଞ୍ଚଳର ୬୬% ଉତ୍ତରଦାତା ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ।
ସିଦ୍ଧାନ୍ତ

ଏନଏଏଫଆଇଏସ ୨୦୨୧-୨୨ ଫଳାଫଳ ୨୦୧୬-୧୭ ରେ ଶେଷ ସର୍ବେକ୍ଷଣ ପର ଠାରୁ ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ଆଲୋକପାତ କରିଛି। ଗ୍ରାମୀଣ ପରିବାର ଗୁଡ଼ିକ ଆୟ, ସଞ୍ଚୟ, ବୀମା କଭରେଜ୍ ଏବଂ ଆର୍ଥିକ ସାକ୍ଷରତାରେ ଉଲ୍ଲେଖନୀୟ ଉନ୍ନତି ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା), ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି), ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ), ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ ଏନଆରଏଲଏମ), ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁ-ଜିକେୱାଇ) ପରି ସରକାରୀ କଲ୍ୟାଣକାରୀ ଯୋଜନା ଗ୍ରାମୀଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ଆର୍ଥିକ ସେବାର ଉପଲବ୍ଧତା ବୃଦ୍ଧି ପାଉଥିବାରୁ ଏହି ପରିବାରଗୁଡ଼ିକର ଅର୍ଥନୈତିକ ସଶକ୍ତୀକରଣ ପାଇଁ ଏକ ଉଜ୍ଜ୍ୱଳ ଦୃଷ୍ଟିକୋଣ ସୃଷ୍ଟି ହୋଇଛି।

ଏହି ସର୍ବେକ୍ଷଣ ଗ୍ରାମୀଣ ବିକାଶରେ ଜାରି ରହିଥିବା ସମର୍ଥନ ଏବଂ ପୁଞ୍ଜିନିବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଛି, ଯାହା ଭାରତର ଗ୍ରାମୀଣ ଜନସଂଖ୍ୟା ପାଇଁ ଅଧିକ ସମୃଦ୍ଧ ଏବଂ ଆର୍ଥିକ ସୁରକ୍ଷିତ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ।