Categories
ଆଜିର ଖବର ରାଜ୍ୟ ଖବର

‘ଚିନ୍ତନ ଶିବିର’କୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ 

ଭୁବନେଶ୍ଵର: ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆରଇ) ପକ୍ଷରୁ ଆୟୋଜିତ ଦୁଇଦିନିଆ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ‘ଚିନ୍ତନ ଶିବିର’କୁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଦ୍ ଘାଟନ କରିଛନ୍ତି। ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କର ଏହି ସମାବେଶ ୨୦୩୦ ସୁଦ୍ଧା ଭାରତର ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ବିକଶିତ କରିବାକୁ ଲକ୍ଷ୍ୟ ରଖିଛି।

ଉଦଘାଟନୀ ଭାଷଣରେ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ଏହାକୁ ହାସଲ କରିବା ପାଇଁ ଏକ ଆହ୍ୱାନ। ସେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରି କହିଥିଲେ ଯେ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ଦେଶ ୨୧୨ ଗିଗାୱାଟ ହାସଲ କରିସାରିଛି ଏବଂ ୨୦୩୦ ମସିହା ଲକ୍ଷ୍ୟ ଅତିକ୍ରମ କରିବା ପଥରେ ରହିଛି। ଆହ୍ୱାନର ମୁକାବିଲା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱିତ ଓ ସହଯୋଗୀ ପ୍ରୟାସ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଜମି ଅଧିଗ୍ରହଣ, ଟ୍ରାନ୍ସମିସନ ଭିତ୍ତିଭୂମି, ବିଦ୍ୟୁତ କ୍ରୟ ଚୁକ୍ତି, ଶକ୍ତି ସଂରକ୍ଷଣ ଏବଂ ଏହି କ୍ଷେତ୍ରକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାରକ ସହିତ ଅଂଶୀଦାରମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଶ୍ରୀ ଯୋଶୀ ଆଲୋକପାତ କରିଥିଲେ। ମନ୍ତ୍ରୀ ଯୋଶୀ କହିଛନ୍ତି, ଚିନ୍ତନ ଶିବିର ସମସ୍ତ ସମସ୍ୟାର ଏକ ବ୍ୟାପକ ସମାଧାନରେ ପହଞ୍ଚିବା ଉଚିତ ଏବଂ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଲକ୍ଷ୍ୟ ହାସଲ କରିବା ପାଇଁ ଏହାର ସାମୂହିକ ଅଭିଜ୍ଞତା ଏବଂ ଜ୍ଞାନ ସହିତ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉଚିତ।

ସରକାରଙ୍କ ଜାରି ରହିଥିବା ପ୍ରୟାସକୁ ସମ୍ବୋଧିତ କରି ଶ୍ରୀ ଯୋଶୀ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏହାର ସ୍ଥିରତା ଏବଂ ସମ୍ଭାବନା ପାଇଁ ବିଶ୍ୱସ୍ତରୀୟ ବିଶ୍ୱାସ ଅର୍ଜନ କରିଛି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଦେଶକୁ ସୁଯୋଗର ଦେଶ ଭାବରେ ସ୍ଥାନିତ କରିଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯାଜନା ଏବଂ ପିଏମ କୁସୁମ ଭଳି ସରକାରୀ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ, ଯାହା କେବଳ ଦେଶର ଅକ୍ଷୟ ଶକ୍ତି ଅଭିଳାଷରେ ଯୋଗଦାନ କରେ ନାହିଁ ବରଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରେ । ୫୦୦ ଗିଗାଓ୍ଵାଟ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଅଂଶୀଦାରଙ୍କ ପ୍ରୟାସକୁ ସମନ୍ୱିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ସହ ପରାମର୍ଶ କରି ଏକ ଟାସ୍କଫୋର୍ସ ଗଠନ କରିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

୩୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ୫୪୦ ଗିଗାୱାଟ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଆରଇ-ଇନଭେଷ୍ଟ ଶିଖର ସମ୍ମିଳନୀରେ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ମଧ୍ୟ ଶ୍ରୀ ଯୋଶୀ ଆଶାବାଦୀ ଥିଲେ । ଶିଳ୍ପ ସଂସ୍ଥା, ସରକାରୀ ସଂସ୍ଥା ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ମିଳିତ ସହଯୋଗ ମାଧ୍ୟମରେ ଏହି ପ୍ରତିଶ୍ରୁତିଗୁଡ଼ିକୁ ବାସ୍ତବରେ ରୂପାନ୍ତରିତ କରାଯାଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ତଥା ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ତାଙ୍କ ବକ୍ତବ୍ୟରେ ୨୦୪୭ ସୁଦ୍ଧା ଭାରତର ଶକ୍ତି ଆତ୍ମନିର୍ଭରଶୀଳତା ଅଭିମୁଖେ ଯାତ୍ରାରେ ଅକ୍ଷୟ ଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବୈଷୟିକ ଉନ୍ନତି ଏବଂ ଉଦ୍ଭାବନକୁ ଭାରତ ସରକାର ସମର୍ଥନ ଜାରି ରଖିବେ ବୋଲି ସେ ଆଶ୍ୱାସନା ଦେଇଥିଲେ ।

ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସୌର, ପବନ, ବ୍ୟାଟେରୀ ଷ୍ଟୋରେଜ୍ ଏବଂ ପମ୍ପ ଷ୍ଟୋରେଜ୍ ପ୍ରକଳ୍ପରେ ରାଜ୍ୟର ଯଥେଷ୍ଟ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଓଡ଼ିଶାର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ।

ଶକ୍ତି ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲ ଏହି କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ଵାନ, ବିଶେଷକରି ଟ୍ରାନ୍ସମିସନ ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଆଲୋଚନା କରିଥିଲେ । ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ବ୍ୟବହାରିକ ସମାଧାନ ଚିହ୍ନଟ ଉପରେ ଧ୍ୟାନ ଦେବାକୁ ସେ ଚିନ୍ତନ ଶିବିରରେ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ।

ଏମଏନଆରଇର ସଚିବ ପ୍ରଶାନ୍ତ କୁମାର ସିଂ ଅକ୍ଷୟ ଶକ୍ତି କ୍ଷେତ୍ରର ଆହ୍ୱାନଗୁଡ଼ିକୁ ବୁଝିବା ଏବଂ ଏହାର ମୁକାବିଲା କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଚିନ୍ତନ ଶିବିର ଆୟୋଜନ କରିବା କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରଥମ ପ୍ରାଥମିକତା ମଧ୍ୟରୁ ଗୋଟିଏ, ଯାହା ସହଜ, ସ୍ପଷ୍ଟ ଏବଂ କାର୍ଯ୍ୟକାରୀ ଯୋଗ୍ୟ ନୀତିର ବିକାଶ ସୁନିଶ୍ଚିତ କରିବା ପାଇଁ ରି-ଇନଭେଷ୍ଟ ପଦକ୍ଷେପ ସହିତ ଥିଲା।

ଏମ୍ଏନ୍ଆରଇର ଅତିରିକ୍ତ ସଚିବ ସୁଦୀପ ଜୈନ ଚିନ୍ତନ ଶିବିରର ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଚିନ୍ତନ ଶିବିର ଶିଳ୍ପନେତା, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କୁ ବିଷୟଗତ ଅଧିବେଶନ ଏବଂ ସହଯୋଗୀ ଆଲୋଚନା ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଉଦୀୟମାନ ଆହ୍ୱାନ ଏବଂ ସୁଯୋଗ ଉପରେ ବିଚାର ବିମର୍ଶ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ।

ଚିନ୍ତନ ଶିବିର ଅକ୍ଷୟ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଦୀର୍ଘମିଆଦୀ ଶକ୍ତି ସ୍ଥାୟୀତା ଲକ୍ଷ୍ୟ ହାସଲ କରିବା ପାଇଁ ଭାରତର ଜାରି ରହିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ‘ଚିନ୍ତନ ଶିବିର’ ଆୟୋଜନ କରିବ ଏମ୍ଏନ୍ଆରଇ

ଭୁବନେଶ୍ଵର: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଆଜିଠାରୁ ଭୁବନେଶ୍ବରସ୍ଥିତ ଆଇଟିସିଠାରେ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ ହାସଲ କରିବା ଏବଂ ୨୦୪୭ ସୁଦ୍ଧା ୧୮୦୦ ଗିଗାଓ୍ଵାଟ୍ ର ପରବର୍ତ୍ତୀ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯିବ।

ନଭେମ୍ବର ୧୪ ତାରିଖ ସକାଳ ୯ ଟାରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ; ଓଡ଼ିଶାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ; ଏବଂ ଏମଏନଆରଇ ସଚିବ ପ୍ରଶାନ୍ତ କୁମାର ସିଂ ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।

ଚିନ୍ତନ ଶିବିରର ଲକ୍ଷ୍ୟ ହେଉଛି ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଭାବେ ଗ୍ରହଣ କରୁଥିବା ଅଗ୍ରଣୀ ନିଷ୍ପତ୍ତି ଗ୍ରହଣକାରୀ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କୁ ଏକାଠି କରିବା। ଅଂଶଗ୍ରହଣକାରୀମାନେ ବିଭିନ୍ନ ବିଷୟଗତ ଅଧିବେଶନ ମାଧ୍ୟମରେ ଏହି କ୍ଷେତ୍ରର ପ୍ରମୁଖ ଏବଂ ଉଦୀୟମାନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବେ।

ପ୍ରମୁଖ ଅଧିବେଶନଗୁଡ଼ିକ ମଧ୍ୟରେ ରହିବ:

ପ୍ରଥମ ଦିନ: ୧୪ ନଭେମ୍ବର ୨୦୨୪

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା: ୧ କୋଟି ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା

ଭାରତରେ ସୌର ଶକ୍ତି ଆନୁଷଙ୍ଗିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା

ଜମି ଏବଂ ଉଚ୍ଛେଦ – ଭାରତୀୟ ୟୁଟିଲିଟି ସ୍କେଲ ପ୍ଲାଣ୍ଟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ସୁବିଧା

ଖଣିରୁ ମଡ୍ୟୁଲ ପର୍ଯ୍ୟନ୍ତ: ବିଶ୍ୱ ସୌର ଉତ୍ପାଦନରେ ଭାରତ

ପବନ ଶକ୍ତି ଉତ୍ପାଦନ ହବ୍‍ ଭାରତ

ଆଗାମୀ ଆରଇ କ୍ଷମତା ଏବଂ ଟ୍ରାନ୍ସମିସନ ପ୍ରସ୍ତୁତି ମଧ୍ୟରେ ଅସମାନତା

କୃଷି କ୍ଷେତ୍ରରେ ସୌର ଶକ୍ତି – ସୌର ପମ୍ପ, ଫିଡରଗୁଡିକର ସୌରୀକରଣ, ଏବଂ ଆଗ୍ରିଭୋଲଟାଇକ୍ସର ଏକୀକରଣ

ଭାରତର ସମୁଦ୍ର କୂଳ ପବନ – ଗ୍ରିଡ୍ ଏକୀକରଣ ପାଇଁ ଆଗକୁ ଯିବାର ବାଟ

ଦ୍ୱିତୀୟ ଦିନ: ୧୫ ନଭେମ୍ବର ୨୦୨୪

– ଡିସ୍କମ୍ ଦ୍ୱାରା ଅକ୍ଷୟ ଶକ୍ତିର ଉତ୍ତୋଳନ ସୁନିଶ୍ଚିତ କରିବା ପାଇଁ ରଣନୀତି – ପ୍ରତିବନ୍ଧକ, ସମ୍ଭାବନା ଏବଂ ଭବିଷ୍ୟତର ମାର୍ଗ

– ଜାତୀୟ ଜୈବିକ ଶକ୍ତି କାର୍ଯ୍ୟକ୍ରମ – ଭାରତୀୟ ଶକ୍ତି କ୍ଷେତ୍ରରେ ବାୟୋଗ୍ୟାସର ଉଦୀୟମାନ ଭୂମିକା

– ଭାରତରେ ଶକ୍ତି ସଂରକ୍ଷଣର ଉଦୀୟମାନ ଭୂମିକା – ବ୍ୟାଟେରୀ ଶକ୍ତି ଷ୍ଟୋରେଜ୍ ଏବଂ ପମ୍ପେଡ୍ ଷ୍ଟୋରେଜ୍ ଟେକ୍ନୋଲୋଜି ଉପରେ ଧ୍ୟାନ

– ଭାରତରେ କ୍ଷୁଦ୍ର ଜଳ ବିଦ୍ୟୁତ କେନ୍ଦ୍ର ପାଇଁ ଏକ ସମନ୍ବିତ ରଣନୀତି ପ୍ରସ୍ତୁତ କରିବା

– ସବୁଜ ହାଇଡ୍ରୋଜେନ ସୀମା – ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଇକୋସିଷ୍ଟମକୁ ପୋଷଣ କରିବା ଏବଂ ଅଫଟେକ ରୋଡମ୍ୟାପ୍ ପାଇଁ ରଣନୀତି

– ଭାରତର ଡିକାର୍ବନାଇଜେସନ୍ ଯାତ୍ରାରେ ସୌର ତାପଜର ଭୂମିକା – ଆବାସିକ, ଷ୍ଟୋରେଜ୍ ଏବଂ ଶିଳ୍ପ ବ୍ୟବହାର

– ଉତ୍ତର-ପୂର୍ବ ରାଜ୍ୟ, ପାହାଡ଼ିଆ ରାଜ୍ୟ ଏବଂ ଦ୍ୱୀପପୁଞ୍ଜରେ ଅକ୍ଷୟ ଶକ୍ତି ଏକୀକରଣ

– ଫାଇନାନ୍ସ ଏବଂ ବିଜନେସ ମଡେଲରେ ଅଭିନବତା

– ଭାରତର ଶକ୍ତି ପରିବର୍ତ୍ତନକୁ ବଳ ଯୋଗାଇବା ପାଇଁ ମାନବ ସମ୍ବଳର ବିକାଶ ।

୧୫ ନଭେମ୍ବର ୨୦୨୪ ଅପରାହ୍ନ ୪ଟାରେ ଶିବିର ସମାପନ ହେବ, ଯେଉଁଠାରେ ପ୍ରତ୍ୟେକ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆଗାମୀ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯିବ।

Categories
ବିଶେଷ ଖବର

ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧ଠ-୨ଠ୨୨) ଆଭାସୀ ମାଧ୍ୟମରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସେମ୍ବାଧିତ କରିଛନ୍ତି।

ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୂଜା ଋତୁରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉତ୍ତମ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ। ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ଏକ ଦୃଷ୍ଟାନ୍ତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସମ୍ବିଧାନ ଅନୁସାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଅଧୀନ ହେଲେ ମଧ୍ୟ ସେଗୁଡ଼ିକର ଦେଶର ଏକତା ଓ ସଂହତି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି।

“ପ୍ରତ୍ୟେକ ରାଜ୍ୟ ଜଣେ ଆଉ ଜଣଙ୍କ ଠାରୁ ଶିଖିବା ଦରକାର। ପ୍ରେରଣା ନେବା ଦରକାର। ଦେଶର ଉନ୍ନତି ପାଇଁ କାମ କରିବା ଦରକାର ଓ ତାହା ହିଁ ସାମ୍ବିଧାନିକ ପ୍ରେରଣା ଓ ଏହା ଆମ ଦେଶବାସୀଙ୍କ ପ୍ରତି ଆମର ଦାୟିତ୍ୱ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଚାଲିଥିବା ଅମୃତ କାଳ ଉପରେ ଆଲୋକପାତ କରି କହିଥିଲେ ଯେ ଗୋଟିଏ ଅମ୍ରିତ ପିଢ଼ି ପଞ୍ଚପ୍ରାଣର ସାରାସତ୍ୱ ନେଇ ନିଶ୍ଚୟ ବାହାରିବ। “ଉତ୍ତମ ପ୍ରଶାସନ ନିମନ୍ତେ ପଞ୍ଚପ୍ରାଣ ଏକ ମାର୍ଗଦର୍ଶନ ନିଶ୍ଚିତ ଭାବେ ହେବ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଦେଶର ଶକ୍ତି ବୃଦ୍ଧି ପାଏ, ତା’ହେଲେ ଯାଇ ପ୍ରତ୍ୟେକ ନାଗରିକ ଓ ପରିବାର ପ୍ରୋତ୍ସାହିତ ହୋଇଥାଏ। ସେ କହିଥିଲେ ଯେ, ସୁଶାସନ କାଳରେ ପ୍ରତ୍ୟେକ ରାଜ୍ୟର ଧାଡ଼ିରେ ଠିଆ ହୋଇଥିବା ଶେଷ ମଣିଷ ନିକଟରେ ଏହା ସୁଫଳ ପହଂଚିଥାଏ। ପ୍ରଧାନମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ଓ ବିକାଶ ମଧ୍ୟରେ ଥିବା ସଂଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। “ସମଗ୍ର ଆଇନ ଓ ଶଙ୍ଖଳା ପଦ୍ଧତି ନିର୍ଭରଯୋଗ୍ୟ ହେବା ଗୁରୁତ୍ୱପୂର୍ଣ୍ଣ । ଜନସାଧାରଣଙ୍କ ଏହା ଉପରେ ଆସ୍ଥା ଓ ଧାରଣା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ” ବୋଲି ସେ କହିଥିଲେ। ସେ ପ୍ରାକୃତିକ ବିପର୍ଯ୍ୟୟ କାଳରେ ଏନଡିଆରଏଫ ଓ ଏସଡିଆରଏପ୍ ପରିଚୟ ବୃଦ୍ଧି ପ୍ରସଙ୍ଗ ଉତଥାପନ କରିଥିଲେ। ସେହିପରି ଅପରାଧ ଘଟିଥିବା ସ୍ଥାନରେ ପୁଲିସ ପହଂଚିବା ହେଉଛି ଘଟଣାସ୍ଥଳକୁ ସରକାରଙ୍କୁ ଆଗମନ ଓ ପୁଲିସର ସୁନାମ କରୋନା କାଳରେ ମଧ୍ୟ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ। ପୁଲିସ ସହ ଅଙ୍ଗୀକାରବଦ୍ଧତାର କୌଣସି କମ ନାହିଁ ଓ ପୁଲିସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବାକୁ ପଡ଼ିବ। ସେମାନଙ୍କୁ ମାର୍ଗଦର୍ଶନ ଦେବା ଆମର ବର୍ତ୍ତମାନର ପଦକ୍ଷେପ ହେବା ଉଚିତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅପରାଧ ଆଉ ଏକ ନିର୍ଦ୍ଦିଷ୍ଟ ଅଂଚଳ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ। ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ସେଥିପାଇଁ ପରସ୍ପର ସହଯୋଗ, ରାଜ୍ୟ ଓ କେନ୍ଦ୍ର ସଂସ୍ଥା ମଧ୍ୟରେ ସମନ୍ୱୟ ଆଜି ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି। ସେ କହିଥିଲେ ଯେ ଏହା ସାଇବର ଅପରାଧ ହେଉ ବା ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ପାଇଁ ଡ୍ରୋନର ଉପଯୋଗ, ଏଭଳି ଆତଙ୍କର ମୁକାବିଲା କରିବା ନିମନ୍ତେ ସରକାରଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଆଇନଶୃଙ୍ଖଳା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କହିଥିଲେ। ୫-ଜିର ସୁବିଧା ଯୋଗୁ ଆଗୁଆ ସତର୍କତା ମିଳିପାରିବ, ଆର୍ଥିକ ସ୍ଥିତି ସତେତ୍ୱ ସାଧାରଣ ନାଗରିକଙ୍କ ମନରେ ସୁରକ୍ଷାର ଚିନ୍ତା ମଜବୁତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ଅଗ୍ରାଧିକାର ଦେବା ଉପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରଯୁକ୍ତି ମିଶନ ପ୍ରସଙ୍ଗ ଉତଥାପନ କରି ବିଭିନ୍ନ ରାଜ୍ୟର ପ୍ରଯୁକ୍ତି କ୍ଷେତ୍ରରେ ଏକ ମିଳିତ ମଞ୍ଚରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ, “ଆମକୁ ସମଗ୍ର ଭାରତୀୟ ଭାବନା ଦେଇ କାର୍ଯ୍ୟ କରିବା ଉଚିତ। ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ଶ୍ରେଣୀରେ ଏକ ସଂଯୋଗ ରଖିବା ଦରକାର” ବୋଲି ସେ କହିଥିଲେ । ସେ ରାଜ୍ୟ ସଂସ୍ଥାଗୁଡ଼ିକୁ ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି କରିବା ସହ ଗାନ୍ଧୀ ନଗରସ୍ଥିତ ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ପରାମର୍ଶ ଦେଇଥିଲେ।

ସଂସ୍କାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆଇନ ଶୃଙ୍ଖଳା ପଦ୍ଧତିକୁ ଶକ୍ତିଶାଳୀ କରିବା ପାଇଁ ଅନେକ ସଂସ୍କାର ଅଣାଯାଇଛି ଓ ଏହା ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବା ଦିଗରେ ସାହାହ୍ୟ କରୁଛି। ସେ କହିଥିଲେ ଯେ “ଆଇନଶୃଙ୍ଖଳା ରକ୍ଷା ଏକ ୨୪ ଗୁଣନ ୭ କାର୍ଯ୍ୟ”। ଏଥିରେ ଜଡ଼ିତ ପ୍ରକ୍ରିୟାରେ ନିରନ୍ତତା ଓ ଉନ୍ନତିର ଆବଶ୍ୟକତା ରହିଛି। କମ୍ପାନୀ ଆଇନରେ ଅନେକ ଅପରାଧୀକରଣ ବିଷୟ ବାଦ ଦେବା ଏ ଦିଗରେ ଏକ ପଦକ୍ଷେପ। ସେ ରାଜ୍ୟଗୁଡ଼ିକୁ ମୂଲ୍ୟାୟନ କରି ଅନେକ ଅବ୍ୟବହୃତ ଆଇନ ଓ ନିୟମଗୁଡ଼ିକରୁ ମୁକ୍ତ ହେବାକୁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଆଇନ ଦୁର୍ନୀତି, ଆତଙ୍କବାଦ ଓ ହାଓଲା ଇତ୍ୟାଦିର ମୁକାବିଲା ନେଇ ଖୁବ୍ ସ୍ପଷ୍ଟ। “ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ସଂଗ୍ରାମ ପାଇଁ ୟୁଏପିଏ ସରକାରୀ ବ୍ୟବସ୍ଥାକୁ ଶକ୍ତି ଦେଇଛି” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଉପସ୍ଥିତି ବ୍ୟକ୍ତି ବିଶେଷଙ୍କୁ ସମଗ୍ର ଦେଶ ପାଇଁ ଗୋଟିଏ ପ୍ରକାର ପୁଲିସ ପୋଷାକ ପ୍ରବର୍ତ୍ତନ ନିମନ୍ତେ କହିଥିଲେ। ଏହା କେବଳ ଗୁଣାତ୍ମକ ସାମଗ୍ରୀ ମାନ ବଜାୟ ରଖିବ ନାହିଁ, ବରଂ ସେମାନଙ୍କୁ ଏକକ ପରିଚୟ ପ୍ରଦାନ କରିବ। ଦେଶର ନାଗରିକମାନେ ଯେକୌଣସି ରାଜ୍ୟ ନିର୍ବିଶେଷରେେ ସେମାନଙ୍କୁ ପୁଲିସର ବୋଲି ଜାଣିବେ। ରାଜ୍ୟଗୁଡ଼ିକ ସେମାନଙ୍କ ନମ୍ବର ଓ ପରଚିପତ୍ର ଚିହ୍ନ ରଖିପାରିବେ। ‘ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ’ ମୁଁ କେବଳ ଏହି ଚିନ୍ତାଧାରା ଆପଣଙ୍କ ବିଚାର ପାଇଁ ରଖୁଛି” ବୋଲି ସେ କହିଥିଲେ। ସେହିପରି ସେ ପର୍ଯ୍ୟଟନ ସଂକ୍ରାନ୍ତ ପୁଲିସର ଅବସ୍ଥା ନେଇ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପର୍ଯ୍ୟଟକଗଣ ଯେକୌଣସି ସ୍ଥାନର ଖାତି ସବୁଠାରୁ ବଡ଼ ଓ ଦ୍ରୁତ ଗତିର ରାଷ୍ଟ୍ରଦୂତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ବେଦନଶୀଳତାର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଆରୋପ କରିବା ସହ ବ୍ୟକ୍ତିଗତ ସମ୍ପର୍କ ଆବଶ୍ୟକତା ଉପରେ କହିଥିଲେ। ବିଶେଷ କରି ବରିଷ୍ଠ ନାଗରିକଗଣ ବୈଶ୍ୱିକ ମହାମାରୀ କାଳରେ ପୁଲିସକୁ ଡାକିବା ବିଷୟ ସେ ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମାନବୀୟ ମେଧା ସହ ବୈଷୟିକ ମେଧାର ପ୍ରୟୋଗ ନେଇ କହିଥିଲେ। ଭାରତର ପ୍ରତିପତ୍ତି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନୂତନ ଆହ୍ୱାନଗୁଡ଼ିକ ନେଇ ସତର୍କ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଥିଲେ।

ସାମାଜିକ ଗଣମାଧ୍ୟମର ସମ୍ଭାବନାକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ କହିଥିଲେ ଯେ ଏହାକୁ କେବଳ ତଥ୍ୟର ଉତ୍ସ ଭାବେ ବିବେଚନା କରିବା ଅନୁଚିତ। ଏକ ମିଛ ଖବର ମଧ୍ୟ ଦେଶରେ ହଇଚଇ ସୃଷ୍ଟି କରି ଦେଇପାରେ। ଅତୀତରେ ମିଥ୍ୟା ଖବର ଯୋଗୁ ଚାକିରି ସଂରକ୍ଷଣ ନେଇ ହୋଇଥିବା ଘଟଣାର ଶ୍ରୀ ମୋଦୀ ସମାଲୋଚନା କରିଥିଲେ। ଜଣେ ଅନ୍ୟଜଣକ ନିକଟକୁ କୌଣସି ଖବର ପଠାଇବା ପୂର୍ବରୁ ତାକୁ ଟିକିନିଖି ବିଶ୍ଲେଷଣ କରି ପଠାଇବା ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । “ଆମକୁ ପ୍ରଯୁକ୍ତିଗତ ଜ୍ଞାନ ସାହାଯ୍ୟରେ ମିଛ ଖବର ପ୍ରଚାରିତ ହେବା ରୋକିବାକୁ ହେବ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ବେସାମରିକ ପ୍ରତିରକ୍ଷା ଉପରେ ମଧ୍ୟ ଆଲୋକପାତ କରିବା ସହ ନିଅାଁ ଲିଭାଳି ଦଳ ଓ ପୁଲିସ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଡ୍ରିଲମାନ ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।

ଭୂମିଗତ ଆତଙ୍କବାଦ ସମୂଳେ ନଷ୍ଟ କରିବାର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ସରକାର ନିଜର ସାମର୍ଥ୍ୟ ଓ ବୁଝିବା ଉପରେ କିଛି କିଛି କରୁଛନ୍ତି । ତେଣୁ ସମସ୍ତେ ଏକାଠି ହୋଇ ପରିସ୍ଥିତିକୁ ସୁଧାରିବାକୁ ହେବ । ସେ କହିଥିଲେ, “ସେ ବନ୍ଧୁକ ହେଉ ବା କଲମ ମୂନ ପ୍ରତ୍ୟେକ ପ୍ରକାର ନକ୍ସଲବାଦର ମୂଳୋତ୍ପାଟନ ଆବଶ୍ୟକ । କାରଣ ସେମାନଙ୍କୁ ଦେଶର ଯୁବ ସମାଜକୁ ଖରାପ ରାସ୍ତାକୁ ନେବାରୁ ରୋକିବାକୁ ପଡ଼ିବ” । ସେମାନେ ନିଜର ମେଧାର ଉପଯୋଗ କରି ଆଗାମୀ ପିଢ଼ିର ମନକୁ କଳୁଷିତ କରୁଥିବା ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ଦେଶର ଏକତା ଓ ଅଖଣ୍ଡତା ତଥା ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଯୋଗୁ ଆମେ ଏହିଭଳି ଗୋଷ୍ଠୀକୁ କେବେ ମଧ୍ୟ ମୁଣ୍ଡ ଟେକିବାକୁ ଅନୁମତି ଦେବା ନାହିଁ । ଏହି ଗୋଷ୍ଠୀ ଆନ୍ତର୍ଜାତିକ ସାହାଯ୍ୟ ପାଉଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକର ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । “ସେ ଜମ୍ମୁ ଓ କଶ୍ମୀର ହେଉ ବା ଉତ୍ତର-ପୂର୍ବାଂଚଳ, ଆମେ ସ୍ଥାୟୀ ଶାନ୍ତି ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛୁୂ । ଆମେ ଏହି ସବୁ ଅଞ୍ଚଳରେ ଭିତ୍ତିଭୂମି ସହ ଦ୍ରୁତ ଉନ୍ନୟନ ଦିଗରେ ଆଲୋକପାତ କରିବୁ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଜଣାଇଥିଲେ ଯେ କେନ୍ଦ୍ର ସରକାର ସୀମା ଓ ଉପକୂଳ ଅଞ୍ଚଳର ଏକ ଅଭିଯାନ ସ୍ୱରୂପ ବିକାଶ କାର୍ଯ୍ୟ ହାତକୁ ନେଉଛନ୍ତି, ଯାହା ଫଳରେ ସେଠାକୁ ଅନ୍ୟତ୍ର ଯାଇଥିବା ଲୋକେ ପୁଣି ସେଠାକୁ ଫେରି ଆସିବେ । ଏହି ସବୁ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ଚୋରା ଚାଲାଣ ରୋକିବାକୁ ଅନେକ ଦିନ ଲାଗୁଥିବାରୁ ଥିବାରୁ ସୀମା ଓ ଉପକୂଳରେ ଥିବା ରାଜ୍ୟ ସହ ଯୋଜନା କାର୍ଯ୍ୟକାରୀ କରିବାକୁ ସମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ବାହାରିଥିବା ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ୱର ସହ ଅନେକ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ନୂତନ ବର୍ଜ୍ୟ ବସ୍ତୁ ପରିହାର ନୀତି ପରିପ୍ରେକ୍ଷୀରେ ସେମାନଙ୍କ ଯାନବାହନ ସମ୍ପର୍କରେ ସମୀକ୍ଷା କରିବାକୁ କହିଥିଲେ । “ପୁଲିସ ଯାନବାହନ ଏହାର ସାମର୍ଥ୍ୟର ଆବଶ୍ୟକତା ଦୃଷ୍ଟିରୁ କେବେ ବି ପୁରୁଣା ହେବା ଅନୁଚିତ” ବୋଲି ସେ କହିଥିଲେ ।

ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଆମେ ଜାତୀୟ ପରିପ୍ରେକ୍ଷୀରେ ବିଚାର କରୁ ତାହାଲେ ପ୍ରତ୍ୟେକ ଆହ୍ୱାନ ଆମକୁ ଛୋଟ ଲାଗିବ । “ଏହି ‘ଚିନ୍ତନ ଶିବିର’ରେ ଆହୁରି ଉନ୍ନତ ପ୍ରସ୍ତାବ ସହ ରୋଡମ୍ୟାପ ସାମ୍ନାକୁ ଆସିବ । ମୁଁ ଆପଣମାନଙ୍କ ଶୁଭେଚ୍ଛା କାମନା କରୁଛି” କହି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ସମାପନ କରିଥିଲେ ।

ପୃଷ୍ଠଭୂମି:

ଅକ୍ଟୋବର ୨୭, ୨୮ ଦୁଇଦିନ ଧରି ହରିୟାନାର ସୂରଜକୁଣ୍ଡ ଠାରେ ‘ଚିନ୍ତନ ଶିବିର’ ଅନୁଷ୍ଠିତ ହେଉଛି । ରାଜ୍ୟର ଗୃହ ସଚିବ ଓ ପୁଲିସ ମହାନିର୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓଏସ) ମଧ୍ୟ ଏହି ଚିନ୍ତନ ଶିବିରରେ ଭାଗ ନେବେ ।

ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ବିଷୟ ନେଇ ଜାତୀୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସରେ ଘୋଷିତ ପଞ୍ଚପ୍ରାଣ ନୀତି ଭିତ୍ତିରେ ନୀତି ନିର୍ଦ୍ଧାରଣ ପାଇଁ ଗୃହ ମନ୍ତ୍ରୀମାନଙ୍କ ଏହି ‘ଚିନ୍ତନ ଶିବିର’ ଅନୁଷ୍ଠିତ ହେଉଛି । ସମନ୍ୱୟ ସଂଘୀୟତନ୍ତ୍ର ଆଦର୍ଶକୁ ଭିତ୍ତିକରି ଏହି ଶିବିର ଯୋଗୁ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଯୋଜନା ଓ ସମନ୍ୱୟ ନେଇ ଅଧିକ ତାଳମେଳ ରହିବ ।

ଏହି ଶିବିରରେ ପୁଲିସ ବଳର ଆଧୁନିକୀକରଣ, ସାଇବର ଅପରାଧ ପରିଚାଳନା, ଅପରାଧିକ ନ୍ୟାୟ ମାମଲାରେ ଅଧିକ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଭୂମି, ସୀମା ପାଇଥିବା ଉପକୂଳ ସୁରକ୍ଷା, ମହିଳା ସୁରକ୍ଷା ଓ ମାଦକ ଦ୍ରବ୍ୟ ଚୋରା ଚାଲାଣ ଇତ୍ୟାଦି ବିଷୟରେ ମୁଖ୍ୟତଃ ଆଲୋଚନା ହେବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ‘ଚିନ୍ତନ ଶିବିର’ କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ‘ଚିନ୍ତନ ଶିବିର’ ର ପ୍ରଥମ ଦିନକୁ ସମ୍ବୋଧିତ କରିଛନ୍ତି। ଏହି ଚିନ୍ତନ ଶିବିରରେ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଂଚଳର ଲ୍ୟୁଟନାଂଟ ଗଭର୍ଣ୍ଣର ଏବଂ ପ୍ରଶାସକମାନେ ଅଂଶ ଗ୍ରହଣ କରିଛନ୍ତି।

ନିଜ ସମ୍ବୋଧନରେ ଅମିତ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରେରଣା ନେଇ ଆୟୋଜନ କରାଯାଉଥିବା ଏହି ଚିନ୍ତନ ଶିବିର ସାଇବର ଅପରାଧ, ନିଶା କାରବାର ଏବଂ ସୀମାପାର ଆତଙ୍କବାଦ ଭଳି ଦେଶ ସମ୍ମୁଖରେ ରହିଥିବା ସମସ୍ତ ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାକୁ ଏକ ମଂଚ ପ୍ରଦାନ କରିବ। ସେ କହିଥିଲେ ଯେ, ଆଜି ଅପରାଧ ଗୁଡିକର ସ୍ୱଭାବ ବଦଳିବାରେ ଲାଗିଛି ଏବଂ ସେଗୁଡିକର କୌଣସି ସୀମା ରହୁନାହିଁ, ସେଥିପାଇଁ ସମସ୍ତ ରାଜ୍ୟ ଗୁଡିକୁ ମିଳିତ ଭାବେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରି ଏହା ବିରୁଦ୍ଧରେ ଲଢ଼େଇ କରିବାକୁ ପଡ଼ିବ। ଏହି ସାଧାରଣ ରଣନୀତିକୁ ପ୍ରସ୍ତୁତ କରିବା ପାଇଁ ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ‘ସହକାରୀ ସଂଘବାଦ, ‘ସମ୍ପୂର୍ଣ୍ଣ ସରକାର’ (ହୋଲ୍ ଅଫ୍ ଗଭର୍ଣ୍ଣମେଂଟ) ଏବଂ ‘ଟିମ୍ ଇଣ୍ଡିଆ’ ଆଭିମୁଖ୍ୟ ଅଧୀନରେ ୩ସି (ଇଂରାଜୀ ଅକ୍ଷର ସି) , ଯଥା – ଅର୍ଥାତ୍ ସହଯୋଗ, ସମନ୍ୱୟ, ସହଭାଗୀତାକୁ ପ୍ରୋତ୍ସାହିତ କରୁଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଂଚଳ ଗୁଡିକ, ଯଥା : ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଂଚଳ, ଯାହା ପୂର୍ବରୁ ଏକଦା ହିଂସା ପ୍ରବଣ ଅଂଚଳ ଥିଲା ଏବଂ ଅଶାନ୍ତି ପ୍ରଭାବିତ ସ୍ଥାନ ପାଲଟିଥିଲା, ତାହା ବର୍ତ୍ତମାନ ବିକାଶର ଅଂଚଳରେ ପରିବର୍ତ୍ତିତ ହେଉଛି । ସେ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ଉତ୍ତର ପୂବାଂଚର୍ଳର ସୁରକ୍ଷା ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି ଏବଂ ୨୦୧୪ ମସିହା ପର ଠାରୁ ଉଗ୍ରବାଦ ଘଟଣା ଗୁଡିକରେ ୭୪ ପ୍ରତିଶତ ହ୍ରାସ ଘଟିଛି, ସୁରକ୍ଷା ବାହିନୀ ମାନଙ୍କର ମୃତାହତ ସଂଖ୍ୟାରେ ୬୦ ପ୍ରତିଶତ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁରେ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି। ଏହା ବ୍ୟତୀତ ଏନ୍ଏଲ୍ଏଫ୍ଟି, ବୋଡୋ, ବ୍ରୁ, କାର୍ବି ଓଙ୍ଗଲୋଙ୍ଗ ଚୁକ୍ତିନାମା ସ୍ୱାକ୍ଷର କରି ଏହି ଅଂଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରା ଯାଇଛି ଯେଉଁଥିରେ ୯,୦୦୦ ରୁ ଅଧିକ ଉଗ୍ରବାଦୀ ଆତ୍ମସମର୍ପଣ କରି ସାରିଛନ୍ତି। ସେ କହିଥିଲେ ଯେ, ଉତ୍ତର ପୂବାଂଚଳରେ ଶାନ୍ତି ପୁନଃସ୍ଥାପନ ସହିତ ୬୦ ପ୍ରତିଶତରୁ ଅଧିକ ଅଂଚଳରୁ ଏଏଫ୍ଏସ୍ପିଏ ପ୍ରତ୍ୟାହାର କରା ଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳ ଗୁଡିକରେ ସ୍ଥିତିର ଉନ୍ନତି ଉପରେ ଆଲୋକପାତ କରି ଶ୍ରୀ ଶାହା କହିଥିଲେ ଯେ , ଏହି ଅଂଚଳ ଗୁଡିକରେ ଘଟୁଥିବା ହିଂସା ଘଟଣା ଗୁଡିକରେ ୭୭% ହ୍ରାସ ଦେଖା ଦେଇଛି ଏବଂ ଏହି ଘଟଣା ଗୁଡିକରେ ମୃତ୍ୟୁ ସଂଖ୍ୟା ୮୫% ରୁ ଅଧିକ ହ୍ରାସ ପାଇଛି। ଅଗଷ୍ଟ ୫, ୨୦୧୯ ରେ ଜାମ୍ମୁ କାଶ୍ମୀରରେ ପ୍ରଚଳିତ ଧାରା ୩୭୦ ରଦ୍ଦ ହେବା ପରେ ସେଠାରେ ଶାନ୍ତି ଏବଂ ପ୍ରଗତିର ଏକ ନୂତନ ଯୁଗ ଆରମ୍ଭ ହୋଇଛି ବୋଲି ଶ୍ରୀ ଶାହା କହିଥିଲେ।

ସେ ଉଲ୍ଲେଖ କରିଥିଲେ ଯେ , ଅଗଷ୍ଟ ୫, ୨୦୧୯ ପୂର୍ବର ୩୭ ମାସ ଗୁଡିକ ସହିତ ଏହା ପରର ୩୭ ମାସ ଗୁଡିକ ମଧ୍ୟରେ ଯଦି ତୁଳନା କରାଯାଏ ତେବେ ଆତଙ୍କବାଦ ଘଟଣା ଗୁଡିକରେ ୩୪ ପ୍ରତିଶତ ହ୍ରାସ ଘଟିଛି ଏବଂ ୫ ଅଗଷ୍ଟ ୨୦୧୯ ପରେ ୩୭ ମାସ ମଧ୍ୟରେ ସୁରକ୍ଷା ବାହିନୀର ମୃତ୍ୟୁ ସଂଖ୍ୟାରେ ୫୪ ପ୍ରତିଶତ ହ୍ରାସ ଘଟିଛି । ସେ କହିଥିଲେ ଯେ ଶ୍ରୀ ମୋଦୀ ଜୀ’ ଙ୍କ ନେତୃତ୍ୱାଧୀନ ସରକାର ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରିଛନ୍ତି ଏବଂ ଏହା ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିବାକୁ ଏନଆଇଏ ଏବଂ ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକୁ ମଜବୁତ କରା ଯାଉଛି। ଶ୍ରୀ ଶାହା ସୂଚନା ଦେଇଥିଲେ ଯେ ୨୦୨୪ ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା ସ୍ଥାପନ କରି ଆତଙ୍କବାଦ ବିରୋଧୀ ନେଟୱାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ କରା ଯାଉଛି। ଶ୍ରୀ ଶାହା କହିଥିଲେ ଯେ ଆତଙ୍କବାଦ ବିରୋଧରେ ଲଢ଼େଇରେ ଏକ ନିର୍ଣ୍ଣାୟକ ବିଜୟ ହାସଲ କରିବା ପାଇଁ ଆଇନଗତ ସରଂଚନାକୁ ମଜଭୁତ କରା ଯାଉଛି , ଯେଉଁଥିରେ ଏନଆଇଏ ଏବଂ ୟୁଏପିଏ ଆଇନ ଗୁଡିକରେ ସଂଶୋଧନ କରି ବ୍ୟକ୍ତିଗତ ଆତଙ୍କବାଦୀ ଘୋଷଣା କରିବାକୁ ବ୍ୟବସ୍ଥା କରା ଯାଇଛି।

ସେ କହିଥିଲେ ଯେ, ଏନଆଇଏକୁ ଅତିରିକ୍ତ ଆଂଚଳିକ ଅଧିକାର ଦିଆ ଯାଇଛି ଏବଂ ଏହା ସହିତ ଆତଙ୍କବାଦ ଦ୍ୱାରା ଅର୍ଜନ କରା ଯାଇଥିବା / ଏହା ସମ୍ବନ୍ଧିତ ସମ୍ପତ୍ତି ଜବତ କରିବାର ଅଧିକାର ମଧ୍ୟ ଏଜେନ୍ସିକୁ ପ୍ରଦାନ କରା ଯାଇଛି। ଶ୍ରୀ ଶାହା କହିଥିଲେ ଯେ , ୨୦୨୪ ମସିହା ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ସମନ୍ୱୟ ରହିବା କାରଣରୁ ଆଜି ଦେଶର ଅଧିକାଂଶ ସୁରକ୍ଷା ହଟସ୍ପଟ୍ ଦେଶ ବିରୋଧୀ କାର୍ଯ୍ୟକଳାପରୁ ପ୍ରାୟ ମୁକ୍ତ ହୋଇ ପାରିଛି। ଶ୍ରୀ ଶାହା ଉଲ୍ଲେଖ କରିଥିଲେ ଯେ, ନିଶା କାରବାର ବିରୁଦ୍ଧରେ ଭାରତ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଭଲ ପରିଣାମ ପ୍ରଦର୍ଶନ କରୁଛି ଏବଂ ଗତ ୮ ବର୍ଷ ମଧ୍ୟରେ ଏହାକୁ ନେଇ ୩୦୦୦ ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୨୦୦୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ (ଡ୍ରଗ୍ସ) ଜବତ କରା ଯାଇଛି।

ଅମିତ ଶାହା କହିଥିଲେ ଯେ, ସାଇବର ଅପରାଧ ଆଜି ଦେଶ ତଥା ବିଶ୍ୱ ସମ୍ମୁଖରେ ଏକ ବଡ ବିପଦ ହୋଇ ମୁଣ୍ଡ ଟେକିଛି ଏବଂ ଗୃହ ମନ୍ତ୍ରଣାଳୟ ଏହା ବିରୋଧରେ ଳଢ଼ିବାକୁ ପ୍ରସ୍ତୁତ ଅଛି। ସେ ସୂଚିତ କରିଥିଲେ ଯେ ଗୃହ ମନ୍ତ୍ରଣାଳୟ ସିଆର୍ପିସି, ଆଇପିସି ଏବଂ ଏଫ୍ସିଆର୍ଏର ସଂସ୍କାର ଗୁଡିକ ଉପରେ କ୍ରମାଗତ ଭାବେ କାର୍ଯ୍ୟ କରୁଛି ଏବଂ ଖୁବ୍ ଶୀଘ୍ର ସେଗୁଡିକର ସଂଶୋଧିତ ବ୍ଲୁ ପ୍ରିଂଟ୍ ସଂସଦରେ ଉପସ୍ଥାପିତ ହେବ। ଦୋଷୀ ସାବ୍ୟସ୍ତ କରାଇବା ହାର ବୃଦ୍ଧି କରିବା ନିମନ୍ତେ ସମସ୍ତ ରାଜ୍ୟ ସେମାନଙ୍କର ଫୋରେନସିକ୍ ବିଜ୍ଞାନକୁ ଅଧିକରୁ ଅଧିକ ବ୍ୟବହାର କରିବା ଉଚିତ୍, ଭାରତ ସରକାର ଏନ୍ଏଫ୍ଏସ୍ୟୁ ଗଠନ କରି ସମସ୍ତ ସମ୍ଭାବ୍ୟ ସହାୟତା ଉପଲବ୍ଧ କରାଇଛନ୍ତି। ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ସୀମା ସୁରକ୍ଷା ଏବଂ ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକୁ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ସହ ଏବଂ ସୁରକ୍ଷା ବାହିନୀ ସହିତ ଅଧିକ ସମନ୍ୱିତ ଉଦ୍ୟମ କରିବାକୁ ପଡ଼ିବ। ଶ୍ରୀ ଶାହା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଏହି ପଦକ୍ଷେପ ଗୁଡିକର କାର୍ଯ୍ୟକାରିତା ଉପରେ ବ୍ୟକ୍ତିଗତ ଭାବେ ନଜର ରଖିବାକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ସେ ଅନୁରୋଧ କରିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଦେଶ ସମ୍ମୁଖରେ ରହିଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ ଉପଲବ୍ଧ ଆଭ୍ୟନ୍ତରୀଣ ନିରାପତ୍ତାର ସମସ୍ତ ସମ୍ବଳ ଗୁଡିକର ଉପଯୁକ୍ତ ଉପଯୋଗ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଉତ୍ସ ଗୁଡିକର ବୃଦ୍ଧି୍, ଉତ୍ସ ଗୁଡିକର ଯୁକ୍ତିଯୁକ୍ତ ଉପଯୋଗ ଏବଂ ସମ୍ବଳର ଏକୀକରଣ ହେବା ଆବଶ୍ୟକ, ଯାହା ରାଜ୍ୟ ମଧ୍ୟରେ ସମନ୍ୱୟକୁ ଆହୁରି ଉନ୍ନତ କରିବ ବୋଲି ସେ କହିଥିଲେ। ଶ୍ରୀ ଶାହା କହିଥିଲେ ଯେ ସରକାର “ଗୋଟିଏ ତଥ୍ୟ, ଗୋଟିଏ ପ୍ରବେଶ’ (ଏକ ଡାଟା – ଏକ ଏଂଟ୍ରି) ସିଦ୍ଧାନ୍ତରେ କାର୍ଯ୍ୟ କରୁଛନ୍ତି ଏବଂ ଏହା ଅଧୀନରେ ଏନଆଇଏକୁ ଆତଙ୍କବାଦୀ ମାମଲା ସହ ଜଡିତ ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଏନ୍ସିବିକୁ ନିଶା କାରବାର ମାମଲା ସମ୍ବନ୍ଧୀୟ ଏକ ଜାତୀୟ ଡାଟାବେସ. ଇଡିକୁ ଅର୍ଥନୈତିକ ଅପରାଧ ସହ ଜଡିତ ଏକ ଡାଟାବେସ୍ ଏବଂ ଏନ୍ସିଆର୍ବିକୁ ଫିଙ୍ଗର ପ୍ରିଂଟ୍ ଡାଟାବେସ୍ – ଏନ୍ଏଏଫ୍ଆଇଏସ୍ ଏବଂ ସେକ୍ସ ଅପରାଧୀ ମାନଙ୍କର ଜାତୀୟ ଡାଟାବେସ୍ (ଏନ୍ଡିଏସ୍ଓ) ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆ ଯାଇଛି। ସେ କହିଥିଲେ ଯେ ନିୟାମକ ସଂସ୍କାର ଗୁଡିକ ଅଧୀନରେ ୧୪ସି ଅର୍ଥାତ୍ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର ଗଠନ କରା ଯାଇଛି, ସାଇବର କ୍ରାଇମ ପୋର୍ଟାଲ ସୃଷ୍ଟି ହୋଇଛି, ନେଟଗ୍ରିଡ ସଂଯୋଗ ପ୍ରଣାଳୀ ସ୍ଥାପିତ କରା ଯାଇଛି, ଘରୋଇ ସୁରକ୍ଷା ଏଜେନ୍ସି ଲାଇସେନ୍ସ ପୋର୍ଟାଲ ପ୍ରସ୍ତୁତ ହୋଇଛି ଏବଂ ଏଫସିଆର୍ଏରେ ସଂସ୍କାର ଅଣା ଯାଇଛି। ଶ୍ରୀ ଶାହା କହିଥିଲେ ଯେ ଏଫ୍ସିଆର୍ଏରେ ସଂସ୍କାରମୂଳକ କାର୍ଯ୍ୟ ଅଧୀନରେ ଦେଶ ବିରୋଧୀ କାର୍ଯ୍ୟକଳାପ, ଧର୍ମାନ୍ତରୀକରଣ, ବିକାଶ ପ୍ରକଳ୍ପ ଗୁଡିକର ରାଜନୈତିକ ବିରୋଧ କିମ୍ବା ସରକାରଙ୍କ ନୀତି ବିରୁଦ୍ଧରେ ପ୍ରଚାରରେ ଜଡିତ କିଛି ସଂଗଠନ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ବିଦେଶୀ ଅର୍ଥର ଅପବ୍ୟବହାରକୁ ରୋକିବା ପାଇଁ ୨୦୨୦ ରେ କରାଯାଇଥିବା ସଂଶୋଧନ ଅନୁଯାୟୀ, ପ୍ରଭାବଶାଳୀ ଯାଂଚ ସମ୍ଭବ ହୋଇ ପାରିଛି।

ଅମିତ ଶାହା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ ସମୟ ସୀମା ରଣନୀତିରେ ତିନୋଟି ପ୍ରମୁଖ ଆହ୍ୱାନ ଉପରେ କାର୍ଯ୍ୟ କରୁଛନ୍ତି। ପ୍ରଥମଟି ହେଉଛି, ସ୍ୱାସ୍ଥ୍ୟ ସେବା ଗୁଡିକ ପାଇଁ ସମ୍ପୂର୍ଣ୍ଣ ଯୋଜନା। ଯେଉଁଥିରେ ଆୟୁଷ୍ମାନ ସିଏପିଏଫ୍ ଯୋଜନା ଆରମ୍ଭ କରା ଯାଇଥିଲା ଏବଂ ପ୍ରାୟ ୩୫ ଲକ୍ଷ ସ୍ୱାସ୍ଥ୍ୟ କାର୍ଡ ବଂନନ କରାଯାଇ ସାରିଛି ଏବଂ ପ୍ରାୟ ୨୦ କୋଟି ଟଙ୍କା ପ୍ରଦାନ କରା ଯାଇଛି। ଦ୍ୱିତୀୟରେ, ଗୃହ ସନ୍ତୋଷ ଅନୁପାତ ବୃଦ୍ଧି। ୨୦୧୪ ମସିହାରେ ଆବାସିକ ସନ୍ତୋଷର ସ୍ତର ପ୍ରାୟ ୩୭ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୪୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ, ସିଏପିଏଫ୍ – ଆୱାସ୍ ୱେବ୍ ପୋର୍ଟାଲ୍ ସୃଷ୍ଟି ସହିତ ଏହି ସ୍ତରକୁ ବୃଦ୍ଧି କରି ୬୦ ପ୍ରତିଶତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ତୃତୀୟତଃ ଏଜ୍ ଅଫ୍ ପୁଲିସିଂ ଯେଉଁଥିରେ ୧୦୦ ଦିନ ଛୁଟିର ବ୍ୟବସ୍ଥା , ଅବସର ବୟସ ୫୭ ରୁ ୬୦ ବର୍ଷକୁ ବୃଦ୍ଧି କରିବା ଏବଂ ୬୪,୬୪୦ ପ୍ରାର୍ଥୀ ନିଯୁକ୍ତି କରା ଯିବାର ପ୍ରାବଧାନ ରହିଛି। ସେ କହିଥିଲେ ଯେ ଆମକୁ ଆଂଚଳିକ ଆଭିମୁଖ୍ୟକୁ ପୁଲିସିଂରେ ବିଷୟବସ୍ତୁ ସମ୍ବଳିତ ଆଭିମୁଖ୍ୟ ଆଡକୁ ଯିବାକୁ ପଡିବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଦେଶର ବିକାଶ, ସ୍ଥିରତା ଏବଂ ଉତ୍ତମ ଶାସନ ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଆମ ସମସ୍ତଙ୍କର ସାଧାରଣ ଦାୟିତ୍ୱ ଅଟେ । ରାଷ୍ଟ୍ର ନିର୍ମାଣରେ କେନ୍ଦ୍ର ଏବଂ ରାଜ୍ୟ ଗୁଡ଼ିକର ସମାନ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ । ସମସ୍ତ ଏଜେନ୍ସି ଗୁଡିକ ମଧ୍ୟରେ ଘନିଷ୍ଠ ସହଯୋଗ ରହିଲେ ହିଁ ଏକ ଦେଶ ଅଗ୍ରଗତି କରି ପାରିବ। ଶ୍ରୀ ଶାହା ଅହୁରି ମଧ୍ୟ କହିଥିଲେ ଯେ , ଅମୃତ କାଳ ସମୟରେ ସହଯୋଗୀ ସଂଘବାଦର ଭାବନା ଆମର ପ୍ରେରକ ଶକ୍ତି ହେବା ଉଚିତ୍ ଏବଂ ଏହି ଚିନ୍ତନ ଶିବିର ଆଂଚଳିକ ସହଯୋଗକୁ ଆହୁରି ବ୍ୟାପକ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।