ଭୁବନେଶ୍ଵର: ଶାକ୍ତ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ଦେବୀପୀଠରେ ଚୈତର ବାସନ୍ତିକ ପର୍ବ ଆଜିଠୁ ଆରମ୍ଭ ହୋଇଯାଇଛି। ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ସମେତ କୋଶଳେଶ୍ୱରୀ, ଚରଦେଇ, ରାମଚଣ୍ଡୀ ଓ ମା’ମେଟାକାନୀ ପରି ଦେବୀ ମନ୍ଦିର ଗୁଡିକରେ ମଙ୍ଗଳବାର ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ଚୈତର ପ୍ରଥମ ମଙ୍ଗଳବାରରେ ଦେବୀଙ୍କ ଦିବ୍ୟସ୍ନାନ ସହ ନୈବେଦ୍ୟ, ଆଳତୀ ଓ ବାସନ୍ତିକ ଭୋଗ ଅର୍ପଣ ହୋଇଛି। ଅନେକ ଦେବୀପୀଠରେ ଚଣ୍ଡୀପାଠ ଓ ହୋମଯଜ୍ଞ ଆୟୋଜିତ ହୋଇଥିବାବେଳେ ପ୍ରଥମ ମଙ୍ଗଳବାର ସନ୍ଧ୍ୟାର ସପ୍ତ ମହାଆଳତୀ ପାଇଁ ପ୍ରସ୍ତୁତି ସରିଛି।
ଜଗନ୍ନାଥ ସଂସ୍କୃତି ଓ ଚେତନାର ବିସ୍ତାର ଲକ୍ଷ୍ୟରେ ସୁବର୍ଣ୍ଣପୁରର ତ୍ରିବେଣୀ ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗର ରାମେଶ୍ୱର ପୀଠରେ ଆଜିଠାରୁ ୨୫ ତାରିଖ ଯାଏଁ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ। ୭ଦିନ ଧରି ଆୟୋଜିତ ଜଗନ୍ନାଥ ମହୋତ୍ସବରେ ଜଗନ୍ନାଥଙ୍କ ୩୨ବେଶ, ପଞ୍ଚକୁଣ୍ଡିୟ ଘୃତଯଜ୍ଞ, ଚବିଶ ପ୍ରହରୀ ନାମଯଜ୍ଞ,ଶ୍ରୀଜଗନ୍ନାଥଙ୍କ କଥାମୃତକୁ ନେଇ ବିଶିଷ୍ଟ ପ୍ରବାଚକଙ୍କ ପ୍ରବଚନ,ଭଜନ ପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଛି। ଏପରିକି, ପ୍ରୟାଗରାଜ ମହାକୁମ୍ଭ ମେଳାର କେତେଜଣ ପ୍ରଥିତଯଶା ସାଧୁସନ୍ଥ ଓ ମାତା ଚଞ୍ଚଳ ନାଥ ମହୋତ୍ସବରେ ସାମିଲ ହେବେବୋଲି ଜଗନ୍ନାଥ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ଗଦାଧର ବାରିକ, ଶ୍ୟାମାଓଁ ମିଶ୍ର ଓ ଶ୍ରୀବତ୍ସ ମଲ୍ଲିକ ସୂଚନା ଦେଇଛନ୍ତି।