Categories
ଆଜିର ଖବର ଜାତୀୟ ଖବର

ସିଏଏର ବୈଧତାକୁ ନେଇ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)ର ବୈଧତାକୁ ନେଇ ଆଜି ସୁପ୍ରିମ୍‌କୋର୍ଟରେ 144ଟି ଯାଚିକାର ଶୁଣାଣି ହେବ। ଅଧିକାଂଶ ଯାଚିକାରେ ସିଏଏକୁ ବିରୋଧ କରାଯାଇଛି। ଡିସେମ୍ବର 17ରେ ହୋଇଥିବା ଶୁଣାଣିରେ ଆଇନରେ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମନା କରିଥିଲେ। ତେବେ ଅଦାଲତ ସରକାରଙ୍କୁ ଯାଚିକା ଉପରେ ଉତ୍ତର ମାଗିବା ସହିତ ଏହି ମାମଲାର ବିସ୍ତାର ଶୁଣାଣି ପାଇଁ ଆଦେଶ ଦେଇଥିଲେ।

ଆଜି ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବେଡ୍‌, ଏସ୍‌ ଅବଦୁଲ୍‌ ନଜୀର ଓ ସଂଜୀବ ଖାନ୍ନାଙ୍କ ଅଧନୀରେ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସିଏଏ ବିରୋଧରେ ଦାଖଲ ହୋଇଥିବା ଯାଚିକାଗୁଡ଼ିକ ମଧ୍ୟରେ ଆସାମ ପ୍ରଦେଶ କଂଗ୍ରେସ, ସିପିଏମ୍‌, କଂଗ୍ରେସ ନେତା ଜୟରାମ ରେମଶ, ଏଆଇଏମ୍‌ଆଇଏମ୍‌ ସାଂସଦ ଓଓ୍ବେସି, ଟିଏମ୍‌ସି ନେତା ମହୁଆ ମୋଇତ୍ରା, ଆରଜେଡି ନେତା ମନୋଜ ଝା, ଇଣ୍ଡିଆନ ୟୁନିଅନ ମୁସଲିମ୍‌ ଲିଗ୍‌, ଜମିଅତ୍‌ ଉଲେମା ଏ ହିନ୍ଦଙ୍କ ଯାଚିକା ସାମିଲ୍‌ ରହିଛି ।

ଏହି ସମସ୍ତ ଯାଚିକାରେ ସଂସଦରେ ପାସ୍‌ ହୋଇଥିବା ଏହି ନୂତନ ନାଗରିକତା ସଂଶୋଧନ ଆଇନକୁ ସମ୍ବିଧାନର ବିରୁଦ୍ଧ ବୋଲି ଦର୍ଶାଯାଇଛି। ଏଥିରେ ଧାରା 14 ଅନ୍ତର୍ଗତ ବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଂଘନ କରାଯାଇଛି। ଏତଦ୍‌ବତୀତ ଏହି ଯାଚିକାରେ ଏନ୍‌ପିଆର ଓ ଏନ୍‌ଆରସି ପ୍ରସଙ୍ଗକୁ ମଧ୍ୟ ଉଠଯାଇଛି ।(ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଦୋଳନର ଚେତାବନୀ ଦେଲେ ଜମିହରା କୃଷକ ସଂଘ: ଆସନ୍ତା ୭ ତାରିଖରେ ହେବ ବିଶାଳ ସମାବେଶ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ, ୩/୧: ଆସନ୍ତା ୭ ତାରିଖରେ ତୈଳବିଶାୋଧନାଗାର ପ୍ରକଳ୍ପର ୧ ନମ୍ବର ଫାଟକ ସମ୍ମୁଖରେ ଜମିହରା କୃଷକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ପାରାଦୀପ ତୈଳବିଶୋଧାନାଗାର ପ୍ରକଳ୍ପରେ ଜମି ହରାଇଥିବା କୁଜଙ୍ଗ ତହସିଲ ଅଧୀନ ବିଭିନ୍ନ ଗ୍ରାମର ୧୭୫୨ ପରିବାର  ବିଶୋଧାନାଗାର ପ୍ରକଳ୍ପରେ କର୍ମନିଯୁକ୍ତି ପ୍ରଦାନ ଦାବୀରେ ଏହି ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ ବିଶୋଧାନାଗର ପ୍ରକଳ୍ପର କର୍ତ୍ତୃପକ୍ଷଙ୍କୁ ଦାବୀପତ୍ର ପ୍ରଦାନ କରାଯିବ। ତେବେ ଏହାର ଏକ ସପ୍ତାହ ମଧ୍ୟରେ ଦାବୀ ପୂରଣ କରାନଗଲେ ଜମିହରା କୃଷକ ସଙ୍ଘ ପକ୍ଷରୁ ବିଶୋଧନାଗାର ପ୍ରକଳ୍ପ ସମ୍ମୁଖରେ ଜମିହରା ଚାଷୀମାନେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ସଙ୍ଘ ପକ୍ଷରୁ ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ତୈଳ ବିଶୋଧନାଗାର ପ୍ରକଳ୍ପ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଗତବର୍ଷ ଜାନୁଆରୀ ମାସରେ ଏହି ସଙ୍ଗଠନର ଆନ୍ଦୋଳନ ଫଳରେ ସଙ୍ଘକୁ ଏକ ଲିଖିତଭାବେ ପ୍ରତିଶୃତି ପ୍ରଦାନ କରିଥିଲେ ବୋଲି ସଂଘର ସଭାପତି ତଥା ଚାଷୀନେତା ପ୍ରଶାନ୍ତ ବିଶ୍ବାଳ ସୂଚନା ଦେଇଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ, ଏହି ପ୍ରକଳ୍ପରେ ଜମିହରାମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ। ସେହିପରିଭାବେ ପିପି ପ୍ରୋଜେକ୍ଟ ଏବଂ ବ୍ୟାଗି ପ୍ଳଂଟରେ କୁଶଳୀ ଏବଂ ଅର୍ଦ୍ଧକୁଶଳୀ ଶ୍ରମିକ ନିଯୁକ୍ତି କ୍ଷେତ୍ରରେ ଜମିହରାମାନଙ୍କୁ ପ୍ରାଥମିକତା ଦିଆଯିବ। ସେହିପରିଭାବେ ଏଥିରେ ନିଯୁକ୍ତିପ୍ରାପ୍ତ କମ୍ପାନୀ ଏବଂ ଠିକାଦାର ମାନେ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଜମିହରାମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ। ତେବେ ପିପି ପ୍ରୋଜେକ୍ଟ, ବ୍ୟାଗି ପ୍ଳାଂଟ ଓ ଏଲ ଆଣ୍ଡ ଟି କମ୍ପାନୀରେ ହଜାର ହଜାର ସଂଖ୍ୟାରେ  ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ ଏକ୍ଷେତ୍ରରେ ଜମିହରା ମାନଙ୍କୁ ଅଣଦେଖା କରାଯାଇଛି  ଫଳରେ ପ୍ରକଳ୍ପ ପାଇଁ ଜମି ହରାଇଥିବା ଜମିହରାମାନେ ନିଯୁକ୍ତି ବିନା ଘୋର ଦାରିଦ୍ୟ ମଧ୍ୟରେ କାଳତିପାତ କରୁଛନ୍ତି।  ଜମିହରାମାନେ ଆସନ୍ତା ୭ ତାରିଖରେ ଏନେଇ ସମାବେଶ କରିବା ସହିତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି।