Categories
ଆଞ୍ଚଳିକ

ବାଣପୁର: ବିପୁଳ ପରିମାଣରେ ଜିଞ୍ଜର ବୋତଲ ଜବତ, ଅଭିଯୁକ୍ତ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ନୂତନ ଖୋର୍ଦ୍ଧା ଏସପି ସାଗରିକା ନାଥ କାର୍ଯ୍ୟରେ ଯୋଗ ଦେଉ ଦେଉ ଜିଲ୍ଲାରେ ନିଶା କାରବାର ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପୋଲିସ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଜିଞ୍ଜର ବୋତଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବର (୪୨) ବୋଲି ଜଣାପଡିଛି।

ସୂଚନା ମୁତବକ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଜିଞ୍ଜର କାରବାର ହେଉଥିବାର ଖବର ପାଇ ବାଲୁଗାଁ ଏସଡିପିଓଙ୍କ ନିର୍ଦେଶକ୍ରମେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏକ ଟିମ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୩୩୦ ବୋତଲ ଜିଞ୍ଜର ଏବଂ ୧୦ ଲିଟର ଦେଶୀ ମଦ ଜବତ ହୋଇଛି।