Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା

ନୟାଗଡ଼: ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସମ୍ବଲପୁରୀ ଭାଷାର ସଂପୂର୍ଣ୍ଣ ପାରିବାରିକ ନାଟକ ‘ଭାବନୁ ଅଭାବ’। ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଅତିଶ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଅଦୃଶ୍ୟ ନାଟ୍ୟାଶ୍ରମ, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ବେହେରା, ଅତିଶ କୁମାର ଶତପଥୀ, ରାହୁଲ ମହାନନ୍ଦ, ସୁମିତ୍ରା ମହାକୁଡ଼ ଏବଂ ପଙ୍କଜିନୀ ମେହେରଙ୍କ ଅଭିନୟ ଯାଦୁ ସମସ୍ତ ଦର୍ଶକଙ୍କୁ ଭାବର ଡୋରିରେ ବାନ୍ଧି ରଖିଥିଲା।

ଏହି ନାଟକରେ ସଙ୍ଗୀତ ଦେଇଥିଲେ ଗିରିଜା ଶଙ୍କର ମିଶ୍ର ଏବଂ ଘନଶ୍ୟାମ ମେହେର।ପ୍ରଚ୍ଛଦପଟ୍ଟ ସଙ୍ଗୀତ ଗାଇଥିଲେ ସଂକେତ କୁମାର ପୁରୋହିତ। ସେହିପରି ଲାଇଟରେ ପ୍ଲାବନ ମିଶ୍ର ଏବଂ ମଞ୍ଚସଜ୍ଜାରେ ରହିଥିଲେ ରାହୁଲ ଗୁପ୍ତା ଏବଂ କାର୍ତ୍ତିକ ମେହେର। ନାଟ୍ୟମେଳାର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ନୟାଗଡ଼ ଅଞ୍ଚଳର ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ, ଗଣମାଧ୍ୟମ ସଂଯୋଜକ ଲକ୍ଷ୍ମୀଧର ସାହୁ, ଅଶୋକ କୁମାର ମଲ୍ଲ, ପ୍ରଶାନ୍ତ କୁମାର ଦାସ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୫ ଉଦ୍‌ଘାଟିତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ଼କ୍ଟର.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଶୁଭକାନ୍ତ ପାଢ଼ୀ, ନାଟ୍ୟ ନିର୍ଦ୍ଦେଶିକା ସୌନିକା ସାହୁ ପ୍ରମୁଖ ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ଡ଼କ୍ଟର ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ଛଅଦିନ ଧରି ହେବାକୁଥିବା ଏହି ନାଟ୍ୟମେଳାର ଉଦ୍‌ଘାଟନୀ ଦିବସରେ ବିଦ୍ୟାକନକ ସୃଜନାନୁଷ୍ଠାନ, ଭୁବନେଶ୍ୱର ପ୍ରସ୍ତୁତି ନାଟକ “ଶୁଣନ୍ତୁ ହେ ଅଭିମନ୍ୟୁ ମାନେ” ମଞ୍ଚସ୍ଥ ହୋଇଥିଲା।

କଳୁଷିତ ଆଜିର ଏ ସମାଜ। ମାନବିକତା ଆଜି କବର ନେଇଛି। ହିଂସା, ଅନ୍ୟାୟ, ଅନୀତି, ଅସତ୍ୟ ପଥର ଯାତ୍ରୀ ଆଜିର ଯୁବ ସମାଜ। ସେ ପୁଷ୍ପିତ ପଲାଶ ବନରେ ଦେଖେ ବିଦ୍ରୋହର ବହ୍ନି। ସ୍ଥଳ ପଦ୍ମରେ ଦେଖେ ଆହବର ରକ୍ତ ଆଉ ଆନତ କୃଷ୍ଣଚୂଡ଼ାରେ ଦେଖେ ଅନାଗତ ଯୁଗର ରକ୍ତ କେତନ। କାମ, କ୍ରୋଧ, ଲୋଭ ମୋହ ଓ ଅଜ୍ଞତାର ବଶବର୍ତ୍ତୀ ହୋଇ ଜଘନ୍ୟ ଅପରାଧ ଘଟେଇବାକୁ ପଛ ଘୁଞ୍ଚା ଦେଉନି ଏ ଯୁବ ସମାଜ। ଏ ସବୁର ଅନ୍ତିମ ପରିଣତି କେତେ ଯେ ଭୟାନକ ସେ ନିଜେ ବି ଜାଣି ନ ଥାଏ।

ମହାଭାରତ ଯୁଦ୍ଧରେ ଚକ୍ରବ୍ୟୁହ ଭିତରକୁ ପ୍ରବେଶ କରିଥିଲେ ଅଭିମନ୍ୟୁ କିନ୍ତୁ ଫେରି ପାରିନଥିଲେ ସେମିତି ଆଜିର ଯୁବ ସମାଜ ଅପରାଧର ଚକ୍ରବ୍ୟୁହକୁ ଅତି ସହଜରେ ପ୍ରବେଶ କରିଯାନ୍ତି କିନ୍ତୁ ଫେରନ୍ତି ନାହିଁ। ଏପରି ଏକ ବାସ୍ତବଧର୍ମୀ ବିଷୟ ବସ୍ତୁକୁ ନେଇ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ଏବଂ ସୌନିକା ସାହୁଙ୍କ ନିର୍ଦ୍ଦେଶିତ ଏହି ନାଟକଟିକୁ ଉପସ୍ଥିତ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳିତ

ଭୁବନେଶ୍ଵର: କେନ୍ଦ୍ରପଡା ଜିଲ୍ଲା ପ୍ରଶାସନ (ଜିଲ୍ଲା ସଂସ୍କୃତି ପରିଷଦ), ନେହେରୁ ଯୁବ କେନ୍ଦ୍ର ତଥା ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଓ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ର ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଗୋଲି ତିରୁପତି ରେଡ୍ଡୀ, ଡିପିଓଏନଏସଏସ ପଦ୍ମଜା କବି ଶତପଥୀ ପ୍ରମୁଖ ଯୋଗ ଦାନ କରି ଯୁବଶକ୍ତିର ପ୍ରଶଂସା କରିବା ସହ କଳା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଯୁବକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରାୟତଃ ୧୦ଟି ମହାବିଦ୍ୟାଳୟରୁ ଅନ୍ୟୁନ ୩୦୦ ଛାତ୍ରଛାତ୍ରୀଙ୍କୁ ନେଇ ହିନ୍ଦୀ, ଇଂରାଜୀ ଔପଚାରିକ ବକ୍ତୃତା, ଚିତ୍ରାଙ୍କନ, ଫଟୋ ୱାର୍କସପ, ଦଳଗତ ତଥା ଏକକ ଲୋକନୃତ୍ୟ, ଦଳଗତ ତଥା ଏକକ ଲୋକସଙ୍ଗୀତ, କବିତା ଓ ଗଳ୍ପ ଲିଖନ, ଓ ବିଜ୍ଞାନ ପ୍ରଦର୍ଶନୀ ଆଦି ଆୟୋଜନ କରାଯାଇଥିଲା।

ଅପରାହ୍ଣ ଉଦଯାପନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏନ ଏସ ଏସ ଡି ପି ଓ ତଥା ଅଧ୍ୟାପକ ଶିଶିର କାନ୍ତ ମହାପାତ୍ର ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନାର ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ନେହେରୁ ଯୁବ କେନ୍ଦ୍ରର କର୍ମୀ ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ମହାବିଦ୍ୟାଳୟର କର୍ମକର୍ତ୍ତା ଅଧ୍ୟାପକ, ଅଧ୍ୟାପିକା, ଜିଲ୍ଲା କର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଓ ସ୍ଵଚ୍ଛାସେବୀ ପ୍ରଭାତ ବେହେରା, ଅଭିଷେକ ସାହୁ, ଶୁଭଶ୍ରୀ କର୍ଅ, ସିପ୍ରା ବିଶ୍ୱାଳ, ପୂଜାରାଣୀ, ସିତୁ ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ।