ନୂଆଦିଲ୍ଲୀ: ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଏବଂ ଏହାର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତୀ; ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
ଏହି ଅବସରରେ ସଚିବ ଶ୍ରୀ ମୂର୍ତ୍ତି କହିଥିଲେ ଯେ, ଭୁବନେଶ୍ୱର ଠାରେ ଆସନ୍ତା ୨୭-୨୮ ଏପ୍ରିଲ, ୨୦୨୩ରେ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ ଏବଂ ଏହାକୁ ସାଧାରଣ ଜନତାଙ୍କ ପାଇଁ ଏପ୍ରିଲ ୨୩ରୁ ୨୫ ଏବଂ ଏହାପରେ ଏପ୍ରିଲ ୨୭ ଏବଂ ୨୮ ତାରିଖ ପର୍ଯ୍ୟନ୍ତ ଖୋଲାଯିବ।
ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକରେ ଜି-୨୦ ରାଷ୍ଟ୍ରସମୂହର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟେମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଓ ମାର୍ଗଦର୍ଶନରେ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ କାର୍ଯ୍ୟକ୍ରମ, ବିଭିନ୍ନ ବିଷୟବସ୍ତୁ ଚୟନ ଏବଂ ଏସବୁ କାର୍ଯ୍ୟକ୍ରମରେ ଦେଶର ଯୁବକମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ସଚିବ ଶ୍ରୀ ମୂର୍ତ୍ତି କହିଥିଲେ। ଓଡ଼ିଶା ପରିଦୃଶ୍ୟରେ ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଚୟନ କରାଯାଇଛି ଏବଂ ଏହାକୁ ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଥିଲେ। ଯଦ୍ଦ୍ୱାରା ସମ୍ପୃକ୍ତ ଜିଲ୍ଲାରେ ଭବିଷ୍ୟତର କୌଶଳ ଆବଶ୍ୟକତା ଏବଂ ନିରନ୍ତର ଦକ୍ଷତା ବିକାଶ ତଥା ଉନ୍ନତିକରଣ ବା ସ୍କିଲିଂ, ରିସ୍କିଲିଂ ଏବଂ ଅପ-ସ୍କିଲିଂ ପ୍ରକ୍ରିୟାର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ତଥା ପ୍ରଭାବୀ ସଚେତନତା ସୃଷ୍ଟି କରାଯାଇପାରିବ।
ଗଣମାଧ୍ୟମକୁ ସମ୍ବୋଧିତ କରି ଅତୁଲ କୁମାର ତିୱାରୀ କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଆଧୁନିକୀକରଣ ଏବଂ ଡିଜିଟାଲକରଣ ଯୋଗୁ କାର୍ଯ୍ୟର ପ୍ରକୃତିରେ ଏକ ମୌଳିକ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ ବ୍ୟାପକ ଆର୍ଥିକ ସମ୍ଭାବନା ଉଜାଗର କରିବା ସହିତ ଉତ୍ପାଦକତା ଲାଭ ବଢ଼ାଇବ ଏବଂ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ।
ସେ ଆହୁରି କହିଥିଲେ ଯେ ଜି-୨୦ ରାଷ୍ଟ୍ରମାନେ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ପରିବର୍ତ୍ତନର ଅନୁଭୂତି ହାସଲ କରୁଛନ୍ତି। ସେମାନେ ଆବଶ୍ୟକ କୌଶଳ, ଗତି ଏବଂ ସ୍ଫୂର୍ତ୍ତି ପ୍ରଦାନ କରିବା ଦ୍ୱାରା ନିଜ ଦେଶର ଯୁବକମାନଙ୍କୁ ଭବିଷ୍ୟତର କାର୍ଯ୍ୟ ପାଇଁ ପ୍ରସ୍ତୁତ କରିପାରିବେ।
ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକରେ ଆମେ ଏହି ପରିବର୍ତ୍ତନ ଓ ଏହାର ସମାଧାନ ସହିତ କାର୍ଯ୍ୟର ଭବିଷ୍ୟତ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବୁ। ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀରେ ବିଶେଷଜ୍ଞ, ଅଂଶୀଦାର ଏବଂ ବୁଦ୍ଧିଜୀବୀମାନଙ୍କୁ ଏକତ୍ରିତ କରିବା ଦ୍ୱାରା ସଂସ୍କାରକୁ ପ୍ରାଥମିକତା ଦେବା ଲାଗି ଏକ ସମନ୍ୱିତ ଦୃଷ୍ଟିକୋଣ ବିକଶିତ ହୋଇପାରିବ।
ଏହାବ୍ୟତୀତ ଅଧ୍ୟୟନ ପ୍ରକ୍ରିୟାକୁ ପୁନଃପରିକଳ୍ପନା କରିବା, ପ୍ରତିଭାମାନଙ୍କୁ ପୁନଃପରିଭାଷିତ କରିବା ଏବଂ କାର୍ଯ୍ୟର ଭବିଷ୍ୟତ ପାଇଁ ସାମାଜିକ, ରାଜନୈତିକ ଏବଂ ବ୍ୟବସାୟିକ ନେତୃବର୍ଗଙ୍କୁ ପ୍ରସ୍ତୁତ କରିବା ଲାଗି ଏକ ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟତା ମିଳିପାରିବ ବୋଲି ସଚିବ ଶ୍ରୀ ତିୱାରୀ କହିଥିଲେ।
ସଞ୍ଜୟ କୁମାର ସିଂ ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶକୁ ଅନ୍ତର୍ଭୂକ୍ତ କରିବା ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ ଯେ ସ୍କୁଲ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସମ୍ପର୍କରେ ପ୍ରଶିକ୍ଷିତ କରିବା ଦ୍ୱାରା ସେମାନେ ଜୀବନବ୍ୟାପୀ ଅଧ୍ୟୟନର ଧାରାକୁ ଆସିପାରିବେ। କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ଏପ୍ରିଲ ୨୫ ତାରିଖରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ‘କାର୍ଯ୍ୟର ଭବିଷ୍ୟତ’ ଉପରେ ଆୟୋଜିତ ହେବାକୁ ଥିବା କର୍ମଶାଳାରେ ‘‘ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶକୁ ଅନ୍ତର୍ଭୂକ୍ତ କରିବା’’ ବିଷୟବସ୍ତୁକୁ ନେଇ ଏକ ବିଶେଷ ଅଧିବେଶନ ଆୟୋଜନ କରାଯିବ ବୋଲି ସଚିବ ଶ୍ରୀ ସିଂ ସୂଚନା ଦେଇଥିଲେ। ସ୍କୁଲ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସମ୍ପର୍କରେ ପ୍ରଶିକ୍ଷିତ କରିବା ମାଧ୍ୟମରେ ସେମାନଙ୍କ ଆଜୀବନ ଅଧ୍ୟୟନ ଧାରାକୁ ଆଣିବା ବିଷୟବସ୍ତୁ ଉପରେ ବିଚାରବିମର୍ଶ କରାଯିବ ବୋଲି ସେ କହିଥିଲେ। ସଚିବ ଆହୁରି ସୂଚନା ଦେଇଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ, ଷଷ୍ଠ ଶ୍ରେଣୀ ଠାରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଯୋଗାଇ ଦିଆଯିବ। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହା ଏକ ବିକଳ୍ପ ବିଷୟ ଭାବେ ରହିବ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବାଧ୍ୟତାମୂଳକ ବିଷୟ ଭାବେ ରହିବ।
ଏହି ସାମ୍ବାଦିକ ସମ୍ମିଳନୀରେ ଆହୁରି ସୂଚନା ଦିଆଯାଇଥିଲା ଯେ, ଭାରତର ଜି-୨୦ ଅଧ୍ୟକ୍ଷତାକୁ ଜନଭାଗିଦାରୀ ମାଧ୍ୟରେ ଅଧିକ ଫଳପ୍ରଦ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଆହ୍ୱାନ ଅନୁରୂପ ଓଡ଼ିଶାରେ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଏକ ମାସ ବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ସମ୍ମିଳନୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ରାଜ୍ୟରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ପହିଲା, ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନର ୮୬ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ କର୍ମକର୍ତ୍ତାମାନେ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।
ଏହି ଅବସରରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ଯୁବା ସମ୍ବାଦ କାର୍ଯ୍ୟକ୍ରମ, ସେମିନାର ଆଦି ଆୟୋଜନ କରାଯାଉଛି। ବିଭିନ୍ନ ବିଷୟବସ୍ତୁ ଯଥା : କାର୍ଯ୍ୟ କ୍ଷେତ୍ରର ଭବିଷ୍ୟତ, କୃଷି କ୍ଷେତ୍ରରେ ଡ୍ରୋନର ପ୍ରଚଳନ, ରୋବୋଟିକ୍ସର ଭବିଷ୍ୟତ, ଗୃହପାଳିତ ପ୍ରାଣୀଙ୍କ ଉତ୍ପାଦକତା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ରାସାୟନିକ ଇଞ୍ଜିନିୟରିଂର ଭବିଷ୍ୟତ, ଆଲୁମିନିୟମ ଉତ୍ପାଦନରେ କାର୍ବନ ଶୂନ୍ୟକରଣ – ନେଟ୍ ଜିରୋ ଲକ୍ଷ୍ୟ ହାସଲ ଆଦି ଉପରେ ସେମିନାର ଆୟୋଜନ କରାଯାଉଛି। ବିଭିନ୍ନ ବିଦ୍ୟାଳୟ, ଆଇଟିଆଇ, ପଲିଟେକ୍ନିକ, ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଏନଏସଟିଆଇର ଛାତ୍ରଛାତ୍ରୀ ଏବଂ ଜନ ଶିକ୍ଷଣ ସଂସ୍ଥାନର ହିତାଧିକାରୀମାନେ ଏସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଯୁବବର୍ଗ ଓ ମହିଳାଙ୍କ ନେତୃତ୍ୱରେ ଏସବୁ କାର୍ଯ୍ୟକ୍ରମ ଆୟୋଜନ କରାଉଛି। ଷ୍ଟାର୍ଟ ଟ୍ୱେଣ୍ଟି, ବି-ଟ୍ୱେଣ୍ଟି ଆଦି ଜି-ଟ୍ୱେଣ୍ଟି ଗୋଷ୍ଠୀମାନେ ଏଥିରେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହାୟତା ଯୋଗାଇ ଦେଉଛନ୍ତି।
ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏନଆଇଟି, ଆଇଏମଏମଟି ଭୁବନେଶ୍ୱର, ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ ହାଇଦ୍ରାବାଦ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ସହଯୋଗରେ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଡେଲଏଟ, ସିଆଇଆଇ ଏବଂ ୟୁଏସଆଇବିସି ଆଦି ଶିଳ୍ପ ସଂସ୍ଥା ସହଯୋଗ ଯୋଗାଇ ଦେଉଛନ୍ତି। ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଏକ ସପ୍ତାହବ୍ୟାପୀ ଆୟୋଜନ କରାଯିବାକୁ ଥିବା ବେଳେ ଏଥିରେ ଅନ୍ତର୍ଜାତୀୟ ସହଭାଗିତା ଏବଂ ଭବିଷ୍ୟତର କାର୍ଯ୍ୟ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରାଯିବ।
ବୈଠକ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ସୂଚୀ ନିମ୍ନରେ ଦିଆଗଲା:
- ଏକ ମାସ ବ୍ୟାପୀ ‘ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ପହିଲା ଠାରୁ ଆରମ୍ଭ ହୋଇସାରିଛି।
- କାର୍ଯ୍ୟର ଭବିଷ୍ୟତରେ ଆଧୁନିକ ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଗହନ ପ୍ରଯୁକ୍ତି ବା ଡିପ୍ ଟେକ୍ ସମ୍ମିଳନୀ ଏପ୍ରିଲ ୨୩ ତାରିଖରେ ଆୟୋଜନ କରାଯିବ।
- ଦୀର୍ଘସ୍ଥାୟୀତ୍ୱ ଉପରେ ଧ୍ୟାନ ଦିଆଯାଇ ଉପକୂଳ ଅର୍ଥବ୍ୟବସ୍ଥା ପାଇଁ ଲଜିଷ୍ଟିକ୍ସରେ ପରିବର୍ତ୍ତନ ଉପରେ ଏକ ସମ୍ମିଳନୀ ଏପ୍ରିଲ ୨୪ ତାରିଖରେ ଅନୁଷ୍ଠିତ ହେବ।
- ଏପ୍ରିଲ ୨୫ ତାରିଖରେ କାର୍ଯ୍ୟର ଭବିଷ୍ୟତ ଉପରେ କର୍ମଶାଳା: ଭାରତ ଓ ସିଙ୍ଗାପୁରର ଦକ୍ଷତା ବିକାଶ ଢାଞ୍ଚା ଓ ପ୍ରଶାସନିକ ମଡେଲ ଆୟୋଜନ କରାଯିବ।
- ଏପ୍ରିଲ ୨୬ ତାରିଖରେ କାର୍ଯ୍ୟର ଭବିଷ୍ୟତ ପରିଦୃଷ୍ୟରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ନିର୍ମାଣ ଉପରେ ଏକ ସେମିନାର ଆୟୋଜନ କରାଯିବ।
- ,ପ୍ରିଲ ୨୩ରୁ ୨୫ ତାରିଖ ଏବଂ ଏପ୍ରିଲ ୨୭-୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ।
- ତୃତୀୟ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଏପ୍ରିଲ ୨୭ ଏବଂ ୨୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ।
ଛାୟା ଜି ୨୦ କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୨୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋଗ୍ରାଫିକ୍ ଲିଡରଶିପ୍ ସହଯୋଗରେ ଆୟୋଜନ କରାଯିବ। ‘କାର୍ଯ୍ୟର ଭବିଷ୍ୟତ: ଇଣ୍ଡଷ୍ଟ୍ରୀ ଫୋର୍ ପଏଣ୍ଟ ଜିରୋ, ଏବଂ ଏକବିଂଶ ଶତାବ୍ଦୀର କୌଶଳ’ ବିଷୟବସ୍ତୁ ଉପରେ ନିମ୍ନ ଫର୍ମାଟରେ ଆୟୋଜନ କରାଯିବ ୨୦ଟି ଦେଶର ୪ ଜଣ ଲେଖାଏଁ ପ୍ରତିନିଧିଙ୍କୁ ମିଶାଇ ୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଅନ୍ୟ ୨୦ ଜଣ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟ ସଂଗଠନ, ବହୁପକ୍ଷୀୟ ପ୍ରତିଷ୍ଠାନ ଏବଂ ନିମନ୍ତ୍ରିତ ରାଷ୍ଟ୍ର ସଦସ୍ୟମାନଙ୍କର ପ୍ରତିନିଧି ଭୂମିକାରେ ରହିବେ।
‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁକୁ ନେଇ ଏକ ଛଅ ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯିବ। ସିଏସଆଇଆର-ଆଇଆଇଏମଟି ପନିଆରେ ୨୩ରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଏହା ଆୟୋଜନ କରାଯିବ। ଏଥିରେ ୧୦୦ରୁ ଅଧିକ ଷ୍ଟଲ୍ ପ୍ରଦର୍ଶିତ ହେବ। ପ୍ରଦର୍ଶନୀରେ ଉଦ୍ୟୋଗ ଜଗତ, ଶିକ୍ଷାନୁଷ୍ଠାନ, ନାଗରିକ ସମାଜ, ସରକାର ଆଦିଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରି ଉପରୋକ୍ତ ବିଷୟବସ୍ତୁ ଉପରେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିବେ। ୫୦ ହଜାର ଦର୍ଶକ ଏହି ପ୍ରଦର୍ଶନୀକୁ ଆସିବେ ବୋଲି ଆଶା କରାଯାଉଛି। ଏଥିରେ ଉତ୍ପାଦନର ଭବିଷ୍ୟତ, ପ୍ରଶାସନର ଭବିଷ୍ୟତ, ଅଧ୍ୟୟନ, ସମାବେଶୀ ବିକାଶର ଭବିଷ୍ୟତ ଆଦି ବିଷୟବସ୍ତୁ ଉପରେ ସ୍ୱତନ୍ତ୍ର ଜୋନ୍ ରହିବ। ଇଣ୍ଟରଆକ୍ଟିଭ୍ ୱାଲ, ହୋଲୋଗ୍ରାଫିକ୍ ଡିସପ୍ଲେ, ଏଆର/ଭିଆର ସଲ୍ୟୁସନ୍ସ, ଥ୍ରୀ-ଡି ପ୍ରିଣ୍ଟିଂ, ଆସିଷ୍ଟିଭ୍ ଟେକ୍ନୋଲୋଜି ଆଦି ଉପରେ ଲାଇଭ୍ ଡେମୋ ଦିଆଯିବ।
ଗହନ ପ୍ରଯୁକ୍ତି ଉପରେ ଆୟୋଜିତ ସେମିନାରରେ (୧) ବିଶ୍ୱ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଭାରତର ସମ୍ଭାବନା (୨) ଅଟୋମେସନ, ଗହନ ପ୍ରଯୁକ୍ତି, ଡିଜିଟାଲ ଫର୍ଷ୍ଟଭବିଷ୍ୟତ ଆଦି ଉପରେ ଧ୍ୟାନ ଦିଆଯାଇ ଡିଜିଟାଲକରଣ ଦୁନିଆ (୩) ଗହନ ପ୍ରଯୁକ୍ତି ଷ୍ଟାର୍ଟଅପ୍ସ ଉପରେ ଗୁରୁତ୍ୱାରୋପ କରାଯାଇ ନୂଆପିଢ଼ିର ପ୍ରଯୁକ୍ତି ଉପରେ ବିଚାରବିମର୍ଶ କରାଯିବ। ଏହି ଅଧିବେଶନରେ ଉଦ୍ୟୋଗ ଜଗତ, ସରକାର ଓ ଶିକ୍ଷା କ୍ଷେତ୍ରର ବରିଷ୍ଠ ନେତୃତ୍ୱ ଅଂଶଗ୍ରହଣ କରିବେ।
ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇ ଉପକୂଳ ଅର୍ଥବ୍ୟବସ୍ଥା ନିମନ୍ତେ ଲଜିଷ୍ଟିକ୍ସ ପରିବର୍ତ୍ତନ କ୍ଷେତ୍ରରେ ସେମିନାର ଆୟୋଜନ କରାଯିବ। ଏହି ସେମିନାରରେ ପିଏମ ଗତିଶକ୍ତି, ସାଗରମାଳା ଆଦି ବିଷୟ ଉପରେ ଧ୍ୟାନ ଦିଆଯାଇ ଭବିଷ୍ୟତର ଭିତ୍ତିଭୂମି ପ୍ରସ୍ତୁତି ଉପରେ ବିଚାରବିମର୍ଶ କରାଯିବ। ସେହିପରି ଉପକୂଳ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ ଦେଇ ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ଜନିତ ସମସ୍ୟାର ସମାଧାନ ଲାଗି ଏହି ସେମିନାରରେ ଆଲୋଚନା କରାଯିବ।
କାର୍ଯ୍ୟର ଭବିଷ୍ୟତ ଉପରେ କର୍ମଶାଳା: ଭାରତ ଏବଂ ସିଙ୍ଗାପୁରର କୌଶଳ ବିକାଶ ଢାଞ୍ଚା ଏବଂ ପ୍ରଶାସନିକ ମଡେଲ ଉପରେ ଧ୍ୟାନ ଦିଆଯାଇ ତିନୋଟି ପ୍ୟାନେଲ ଆଲୋଚନା ହେବ। (୧) ସ୍କୁଲ ପାଠ୍ୟକ୍ରମରେ କୌଶଳ ବିକାଶକୁ ସାମିଲ କରିବା, (୨) ଭବିଷ୍ୟତର କାର୍ଯ୍ୟଶକ୍ତି ସୃଷ୍ଟି କରିବା ପାଇଁ ସ୍ଫୂର୍ତ୍ତ ଓ ନମନୀୟ ଟିଭିଇଟି ଇକୋସିଷ୍ଟମ ଗଠନ କରିବା ଏବଂ (୩) ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନ ଏବଂ ଦକ୍ଷତା ବିକାଶ ମାନ୍ୟତା ଆଦି ବିଷୟବସ୍ତୁ ଉପରେ ଏହି ଆଲୋଚନା କରାଯିବ। ଛାତ୍ରଛାତ୍ରୀ-ଉଦ୍ୟୋଗଜଗତ-ଶିକ୍ଷାଜଗତର ପ୍ରତିନିଧିମାନଙ୍କୁ ନେଇ ଆଲୋଚନା କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତ ଏବଂ ସିଙ୍ଗାପୁରର ପ୍ରମୁଖ ଶିକ୍ଷାଗୁଡ଼ିକୁ ଆଧାର କରି ତିନୋଟି ପ୍ରାଥମିକତା କ୍ଷେତ୍ରରେ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ।
ଓଡ଼ିଶା ଏକ ପ୍ରମୁଖ ଜନଜାତି ଜନସଂଖ୍ୟା ବହୁଳ ରାଜ୍ୟ ହୋଇଥିବାରୁ ଓଡ଼ିଶାର ଜନଜାତିମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଜନଜାତି ବର୍ଗଙ୍କ ଉତ୍ପାଦ ପ୍ରଦର୍ଶିତ ହେବ। ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଥିବାରୁ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍ ଉପରେ ଏକ ଖାଦ୍ୟ ମେଳା ଆୟୋଜନ କରାଯିବା ସହିତ ଏଥିରେ ସ୍ଥାନୀୟ ବ୍ୟଞ୍ଜନ ପ୍ରଦର୍ଶିତ ହେବ। ଜି୨୦ ପ୍ରତିନିଧିମାନଙ୍କୁ ଭାରତର ପାରମ୍ପରିକ ଖାଦ୍ୟଦ୍ରବ୍ୟ ପରିବେଷଣ କରାଯିବ।