Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ବସ୍ତିରେ ଥିବା ଶିଶୁ ଶ୍ରମିକଙ୍କ ପାଇଁ ଘରୋଇ ଉଦ୍ୟମରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟର ସ୍କୁଲମାନଙ୍କରୁ ଅଧାରୁ ପାଠଛାଡ଼ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜଧାନୀର ଏହି ପିଲାମାନେ ପାଠପଢ଼ିବା ପରିବେର୍ତ୍ତ ପରିବାର ଚଳାଇବା ପାଇଁ ଜରି ଗୋଟାଇବା ସହିତ ଭିକ୍ଷାବୃତ୍ତି କରୁଛନ୍ତି।

ତେଣୁ ଏଭଳି ପିଲାମାନଙ୍କୁ ଶିକ୍ଷାପ୍ରଦାନ କରି ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନରେଖା ପରିଷଦ (ଜେଆରପି) ଓ ବର୍ଣ୍ଣିକା ମେମୋରିଆଲ ଫାଉଣ୍ଡେସନ (ବିଏମଏଫ)ର ମିଳିତ ସହଯୋଗରେ ରାଜଧାନୀର ବସ୍ତି ଅଞ୍ଚଳରେ ଶିଶୁଶ୍ରମିକମାନଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି।

ରବିବାର ଦିନ ଜେଆରପି ଓ ବିଏମଏଫର ମିଳିତ ଆନୁକୂଲ୍ୟରେ ଶିକ୍ଷା ମାଧ୍ୟମରେ ଦଳିତ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ନନ୍ଦନବିହାର ବସ୍ତିରେ ପାଠ୍ୟପୁସ୍ତକ ଓ ପଠନସାମଗ୍ରୀ ବିତରଣ କରାଯାଇଥିଲା। ନନ୍ଦନବିହାର ବସ୍ତିର ୫୦ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବିତରଣ କରାଯାଇଥିଲା।

ଏହି ଅବସରରେ ବିଏମଏଫର ସଦସ୍ୟ ସୂର୍ଯ୍ୟକାନ୍ତ ମହାନ୍ତି ଓ ଜେଆରପିର ଡ. ମନୋରଞ୍ଜନ ମିଶ୍ର, ସଂଗ୍ରାମ ସାହୁ, ଫ୍ରାନ୍ସରୁ ଆସିଥିବା ସ୍ୱେଚ୍ଛାସେବୀ ଟମ୍‌, କାମିଲା, ଭିଭିଆନ, ଇରିସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ବିତରଣ କରିଥିଲେ।