Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ପୁଅର ଚିତା ଲିଭିବା ପୂର୍ବରୁ ଦ୍ଵିତୀୟ ପୁଅକୁ ମଧ୍ୟ ହରାଇଲେ ବାପା: କରୋନା ନେଲା ଉଭୟଙ୍କ ଜୀବନ

ନୂଆଦିଲ୍ଲୀ: କରୋନା କେବଳ ସହରରେ ସୀମିତ ନାହିଁ। ଗ୍ରାମାଞ୍ଚଳରେ ଏବେ କରୋନା କାୟା ବିସ୍ତାର କରିଚାଲିଛି। ଯେଉଁଭଳି ଭାବେ କରୋନା ଗ୍ରାମାଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି, ଦେଖିଲେ ହୃଦୟ ଥରି ଉଠିବ। ଗ୍ରାମାଞ୍ଚଳରେ ନୂଆ ନୂଆ ଦୁଃଖଦ ଘଟଣାମାନ ସାମ୍ନାକୁ ଆସୁଛି। ତେବେ ପଶ୍ଚିମ ନୋଏଡାର ଜଲାଲପୁର ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ଛାତିକୁ ଥରାଇଦେବ।

ସେହି ଗ୍ରାମର ବାଡୁଅ ପୁଅର ମୁଖାଗ୍ନି ଦେଇ ଘରକୁ ଫେରିଲା ପରେ ଦ୍ଵିତୀୟ ପୁଅର ମୃତ ଦେହକୁ ଘରେ ପଡିଥିବାର ଜଣେ ବାପା ଦେଖିବାକୁ ପାଇଲେ। ପ୍ରଥମ ପୁଅର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ପୁଅ ମଧ୍ୟ ଆକ୍ରାନ୍ତ ହୋଇ ଘରେ ପୃଥକବାସରେ ରହୁଥିଲେ।

ହେଲେ ପ୍ରଥମ ପୁଅର ଚିତା ଲିଭିବା ପୂର୍ବରୁ ଦ୍ଵିତୀୟ ପୁଅର ଜୀବନ ଚାଲିଗଲା। ବାପା କେବେ ସ୍ଵପ୍ନରେ ବି ଭାବିନଥିବେ ଯେ ପ୍ରଥମ ପୁଅର ମୃତ୍ୟୁର କିଛି ଘଣ୍ଟା ପରେ ଦ୍ଵିତୀୟ ପୁଅ ପାଇଁ ମଧ୍ୟ କାନ୍ଧ ଦେବାକୁ ପଡିବ। ଦୁଇ ବାଡୁଅ ପୁଅଙ୍କୁ ହରାଇ ମା’ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେ ବାରମ୍ବାର ଚେତାଶୂନ୍ୟ ହୋଇପଡୁଥିବା ଦେଖିବାକୁ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ସେହି ଗ୍ରାମରେ ଗତ ୧୦ ଦିନ ଭିତରେ ୬ ଜଣ ମହିଳାଙ୍କ ସମେତ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି।