Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଶେଷ ହେଲା କୋଣାର୍କ ନାଟ୍ୟ ମଣ୍ଡପରେ ଚାଲିଥିବା ପାଞ୍ଚଦିନିଆ ଝୁଲଣ ଉତ୍ସବ

କୋଣାର୍କ: ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟରେ ଥିବା କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ଝୁଲଣ ଉତ୍ସବ ଶେଷ ହୋଇଛି। ଗତକାଲି ଶେଷ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଓଡିଶୀ, ଭାରତନାଟ୍ୟମ ସହିତ କଥକ। ଏହି ଶାସ୍ତ୍ରୀୟ ନୃତ୍ୟରେ ଝୁମି ଉଠିଥିଲା କୋଣାର୍କ ନାଟ୍ୟ ମଣ୍ଡପ।

ଶେଷ ସଂଧ୍ୟାର ପ୍ରଥମ ନୃତ୍ୟ ଥିଲା ଓଡିଶୀ। ଯାହାକୁ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ଜଗଜିତ ଦାସ। ସେ ଓଡିଶୀରେ ଅଭିନୟରେ ମା ଯୋଶଦାଙ୍କ କୃଷ୍ଣଙ୍କ ପ୍ରତି ଥିବା ସ୍ନେହକୁ ନୃତ୍ୟରୂପ ଦେଇଥିଲେ। ସେହିପରି ପୁନାର ମଧୁରା ଦେସପାଣ୍ଡେଙ୍କ କଥକ ମଧ୍ୟ ବେଶ ଉଚ୍ଚକୋଟିର ହୋଇଥିଲା। ଶେଷରେ ପରିବେଷଣ ହୋଇଥିଲା ଭାରତନାଟ୍ୟମ। କୋଲକାତାର ନୃତ୍ୟଶିଳ୍ପୀ ରାଜା ଦତ୍ତ ଏବଂ ଶ୍ରୀମତୀ ଛତ୍ୟା ଘୋଷ ଦଶାବତାର ଓ ଗୀତଗୋବିନ୍ଦକୁ ନୃତ୍ୟ ରୂପ ଦେଇଥିଲେ।

ଶେଷ ସଂଧ୍ୟାରେ ଅତିଥୀ ଭାବେ ସମାଜସେବୀ ରୋଜାଲୀନ ପାଟ୍ଟଶାଣୀ ମିଶ୍ର, ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ପର୍ଯ୍ୟଟନ ବିଭାଗର ପୂର୍ବତନ ସହ ନିର୍ଦ୍ଦେଶକ ବିରଞ୍ଚି ମିଶ୍ର ଏବଂ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ କବିତା ଦ୍ବିବେଦୀ ଯୋଗ ଦେଇଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସୁପୁତ୍ର ତଥା ନାଟ୍ୟମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ।

Categories
ଆଜିର ଖବର

କୋଣାର୍କ ନାଟ୍ୟ ମଣ୍ଡପରେ ଆରମ୍ଭ ହେଲା ଚାରିଦିନିଆ ଝୁଲଣ ଉତ୍ସବ

ପୁରୀ: ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟରେ ଥିବା କୋଣାର୍କ ନାଟ୍ୟ ମଣ୍ଡପରେ ଗତ ଗୁରୁବାର ସଂଧ୍ୟାରୁ ଆରମ୍ଭ ହୋଇଛି ଚାରିଦିନିଆ ଝୁଲଣ ଉତ୍ସବ। ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ଭୁବନେଶ୍ବରର ଶୁଭଲକ୍ଷ୍ମୀ ନନ୍ଦୀ। ଏଥିରେ ସେ ରାଧାକୃଷ୍ଣ ପ୍ରେମ ଲୀଳାକୁ ନୃତ୍ୟ ରୂପ ଦେଇଥିଲେ।

ଏହାପରେ ଚେନ୍ନାଇର ଗୋପୁକିରଣ ସଦାଶିବନ ଏବଂ ଶ୍ରୀମତୀ ଆଶିଷ କିରଣ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ଆସନ୍ତା ରବିବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବରେ ଓଡିଶୀ ସହିତ ଭାରତନାଟ୍ୟମ, ମୋହିନୀଆଟ୍ଟମ, କୁଚୁପୁଡି ନୃତ୍ୟ ସହିତ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯିବ।

ପ୍ରଥମ ସଂଧ୍ୟାରେ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପିକା ସ୍ନେହପ୍ରଭା ସାମନ୍ତରାୟ, ସମାଜସେବୀ ଶତରୂପା ଦାସ, ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସୁଲୋଚନା ପ୍ରଧାନ, ରମଣୀ ରଂଜନ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ନାଟ୍ୟମଣ୍ଡପର ପ୍ରତିଷ୍ଠାତା ଗୁରୁ ଗଂଗାଧର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ନିରଂଜନ ପାଲତା, ଶତରୂପା ଖଣ୍ଡାୟତରାୟ ସଂଯୋଜନା କରିଥିବା ବେଳେ ଖଗେଶ୍ବର ଖଣ୍ଡାୟତ ରାୟ, ଗୁରୁ ଜୟକୃଷ୍ଣ ନାୟକ, ସୁଦେସ୍ନା ସାସମଲ୍, ସଂଜୀବନୀ ପ୍ରଧାନ ପ୍ରମୁଖ ନାଟ୍ୟ ମଣ୍ଡପର କର୍ମକର୍ତ୍ତା ପରିଚାଳନା କରିଥିଲେ।