Categories
ଆଜିର ଖବର ଜାତୀୟ ଖବର

ଏକୀକୃତ ପେନସନ ଯୋଜନା ଅଧୀନରେ ଗ୍ରାଚ୍ୟୁଇଟି ସୁବିଧା ପାଇବେ ସରକାରୀ କର୍ମଚାରୀ: ଡ. ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି ବିଭାଗ, ମହାକାଶ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗତ ୧୧ ବର୍ଷ ମଧ୍ୟରେ କାର୍ମିକ, ସାଧାରଣ  ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର ରୂପାନ୍ତରଣକାରୀ ଯାତ୍ରାକୁ ରେଖାଙ୍କିତ କରିଛନ୍ତି। ମନ୍ତ୍ରଣାଳୟ ଶାସନକୁ ସରଳ କରିବା, ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ପ୍ରଶାସନକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରି କହିଥିଲେ ଯେ ଏକୀକୃତ ପେନସନ ଯୋଜନା ଅଧୀନରେ ଆସୁଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ କେନ୍ଦ୍ରୀୟ ପ୍ରଶାସନିକ ସେବା (ଜାତୀୟ ପେନସନ୍ପ୍ରଣାଳୀ ଅଧୀନରେ ଗ୍ରାଚ୍ୟୁଇଟି ପ୍ରଦାନ) ନିୟମ, ୨୦୨୧ର ବ୍ୟବସ୍ଥା ଅନୁଯାୟୀ ଅବସର ଏବଂ ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ଲାଭ ପାଇଁ ଯୋଗ୍ୟ ହେବେ

ସରକାରୀ କର୍ମଚାରୀଙ୍କ ଏକ ବଡ଼ ବର୍ଗଙ୍କ ଦୀର୍ଘ ଦିନରୁ ଏହି ଦାବି କରି ଆସୁଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସରକାରୀ କର୍ମଚାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦାବିକୁ ପୂରଣ କରିବ ଏବଂ ଅବସରକାଳୀନ ସୁବିଧାଗୁଡ଼ିକରେ ସମାନତା ଆଣିବ ବୋଲି କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ । ସେ ଆହୁରି କହିଥିଲେ, ଏହି ନୂତନ ବ୍ୟବସ୍ଥା ଜାତୀୟ ପେନସନ ବ୍ୟବସ୍ଥା ଅଧୀନରେ ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟର ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡକ୍ଟର ସିଂ ମନ୍ତ୍ରଣାଳୟର କାର୍ଯ୍ୟକୁ ଚାରୋଟି ପ୍ରମୁଖ କ୍ଷେତ୍ରରେ ବର୍ଗୀକୃତ କରିଥିଲେ ଯାହା ମୋଦୀ ସରକାରଙ୍କ ଅଧୀନରେ ଶାସନର ପରିବର୍ତ୍ତିତ ରୂପକୁ ପ୍ରତିଫଳିତ କରିଥିଲା।

ପ୍ରଥମତଃ, ଉପନିବେଶ କାଳରୁ ଚାଲି ଆସିଥିବା ବ୍ୟବସ୍ଥା ସମେତ ୧,୬୦୦ରୁ ଅଧିକ ପୁରୁଣା ବ୍ୟବସ୍ଥାର ଉଚ୍ଛେଦକୁ ଦର୍ଶାଇ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏକ ସରକାର ନୂଆ ନିୟମ ସୃଷ୍ଟି କରିବା ପରିବର୍ତ୍ତେ ଅନାବଶ୍ୟକ ନିୟମଗୁଡ଼ିକୁ ହଟାଇବାରେ ଗର୍ବ ଅନୁଭବ କରିଛନ୍ତି ବୋଲି ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ। ଏହା ଦେଶର ନାଗରିକ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ବିଶ୍ୱାସର ଏକ ଦୃଢ଼ ବାର୍ତ୍ତା ସୃଷ୍ଟି କରୁଥିବା ସେ କହିଥିଲେ । କେତେକ ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଚାକିରି ସାକ୍ଷାତକାରକୁ ଉଚ୍ଛେଦ କରିବାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲାଲକିଲ୍ଲାରୁ ଘୋଷଣା କରାଯାଇଥିଲା। ଜାନୁଆରୀ ୨୦୧୬ ସୁଦ୍ଧା ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ନିୟମ ନିଯୁକ୍ତି କ୍ଷେତ୍ରରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଥିଲା ବୋଲି ସେ କହିଥିଲେ।

ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁତ୍ୱାରୋପ କରି କହିଥିଲେ ଯେ ମନ୍ତ୍ରଣାଳୟର ଅନେକ ସଂସ୍କାର ପ୍ରଶାସନିକ ସୁବିଧାର ଠାରୁ ଊର୍ଦ୍ଧ୍ବରେ ଥିଲା ଏବଂ ସେଗୁଡ଼ିକ ବ୍ୟାପକ ସାମାଜିକ-ସାଂସ୍କୃତିକ ବାର୍ତ୍ତା ବହନ କରିଥିଲା। ଦୁର୍ନୀତି ନିବାରଣ ଆଇନରେ ସଂଶୋଧନ ଭଳି ପଦକ୍ଷେପଗୁଡ଼ିକ ଉତ୍ତମ କାର୍ଯ୍ୟ ସମ୍ପାଦନ କରୁଥିବା ଅଧିକାରୀମାନଙ୍କ ସୁରକ୍ଷା ସହିତ ଉତ୍ତରଦାୟିତ୍ୱକୁ ସନ୍ତୁଳିତ କରିବାକୁ ଚେଷ୍ଟା କରିଥିଲା। ଅନ୍ୟପକ୍ଷରେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିବାର ମାମଲାର ମୁକାବିଲା ଏବଂ ଏଥିରେ ସଂଗଠିତ ଠକେଇ ରାକେଟର ଠକାମିରୁ ଛାତ୍ରଛାତ୍ରୀଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଡକ୍ଟର ସିଂ ଜୋର ଦେଇ କହିଥିଲେ ଯେ ସାର୍ବଜନୀନ ନୀତିରେ ସନ୍ଦେହ ପରିବର୍ତ୍ତେ ସମର୍ଥନ ଉଦ୍ଦେଶ୍ୟ ନେଇ ସରକାର କାମ କରୁଛନ୍ତି । ଆମେ ଏଠାରେ ଛାତ୍ରଛାତ୍ରୀଙ୍କୁ ନୁହେଁ ବରଂ ରାକେଟରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବାକୁ ପଦକ୍ଷେପ ନେଇଛୁ ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ପରିବର୍ତ୍ତନଗୁଡ଼ିକ ଶାସନ ପାଇଁ ଏକ ନୂତନ ଧାରଣା ସୃଷ୍ଟି କରିବାରେ ସହାୟକ ହୋଇଥିଲା, ଯେଉଁଥିରେ ଦୋଷୀ ସାବ୍ୟସ୍ତ କରିବା ନୁହେଁ ବରଂ ବିଶ୍ୱାସ ସୃଷ୍ଟି କରିବାର ଉଦ୍ଦେଶ୍ୟକୁ ଗ୍ରହଣ କରାଯାଇଥିଲା।

ପୁରୁଣା ନିୟମରେ ଅସମ୍ବେଦନଶୀଳତାର ପ୍ରତ୍ୟକ୍ଷ ଅନୁଭୂତି କାରଣରୁ କେତେଗୁଡ଼ିଏ ପରିବର୍ତ୍ତନ କରାଯାଇଥିବା ଡକ୍ଟର ଜିତେନ୍ଦ୍ର ସିଂହ ଉଲ୍ଲେଖ କରିଥିଲେ। ତେଣୁ ମାନବ କୈନ୍ଦ୍ରିକ ସଂସ୍କାର ମନ୍ତ୍ରଣାଳୟର ପ୍ରୟାସର ତୃତୀୟ ସ୍ତମ୍ଭ ଥିଲା ବୋଲି ସେ କହିଥିଲେ । ଏଥିରେ ପେନସନଭୋଗୀଙ୍କ ପାଇଁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରବର୍ତ୍ତନ, ଛାଡପତ୍ର ଏବଂ ଅଲଗା ହୋଇଥିବା ଝିଅମାନଙ୍କୁ ସାମିଲ କରିବା ପାଇଁ ପାରିବାରିକ ପେନସନ୍ ନିୟମରେ ସଂସ୍କାର, ଏବଂ ମୃତ ପ୍ରସବ ମାମଲାରେ ମାତୃତ୍ୱ ଛୁଟି ବୃଦ୍ଧି କରିବା ଭଳି ପଦକ୍ଷେପ ସାମିଲ ଅଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସମୟୋଚିତ କ୍ୟାରିଅର ଅଗ୍ରଗତି ବିନା ସେବା କରିଥିବା ଅଧିକାରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ୧୯ ହଜାରରୁ ଅଧିକ ପଦୋନ୍ନତି କିପରି ତ୍ୱରାନ୍ୱିତ କରାଯାଇଥିଲା ତାହା ସେ ସ୍ମରଣ କରାଇ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ କହିଥିଲେ, ଆମେ ବ୍ୟକ୍ତିବିଶେଷଙ୍କ ମର୍ଯ୍ୟାଦାକୁ ସମ୍ମାନ କରୁଥିବା ସମାଧାନ ସୃଷ୍ଟି କରିବା ପାଇଁ ପ୍ରଯୁକ୍ତି ସହିତ ମାନବୀୟ ଚିନ୍ତାଧାରାକୁ ମିଳିତ କରିଛୁ। ସେ କହିଥିଲେ ଯେ ଏହି ପଦକ୍ଷେପଗୁଡିକ ଏପରି ଏକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଯାହା ନୀତିକୁ ସହାନୁଭୂତିର ଦୃଷ୍ଟିକୋଣରୁ ଦେଖୁଛି।

ନବୋନ୍ମେଷକୁ ଚତୁର୍ଥ ପ୍ରମୁଖ କ୍ଷେତ୍ର ଭାବରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ଅନେକ ଶାସନ ସଂସ୍କାରରେ ଅଭିନବ ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣୀୟତାକୁ ସାମିଲ କରାଯାଇଛି। କ୍ଷମତା ନିର୍ମାଣ କମିଶନର ପ୍ରତିଷ୍ଠା ଏବଂ ଆଇଗଟ୍‌-କର୍ମଯୋଗୀ ପ୍ଲାଟଫର୍ମର ପ୍ରଚଳନକୁ ବାସ୍ତବ ଦୁନିଆର ଆହ୍ୱାନ ପାଇଁ ସରକାରୀ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ଯୁଗାନ୍ତକାରୀ ପଦକ୍ଷେପ। ସିପିଗ୍ରାମ୍ସ ଅଭିଯୋଗ ସମାଧାନ ପୋର୍ଟାଲ୍ ବର୍ତ୍ତମାନ ୯୫-୯୬% ସମାଧାନ ହାର ସହିତ ବାର୍ଷିକ ୨୬ ଲକ୍ଷରୁ ଅଧିକ ଅଭିଯୋଗ ପରିଚାଳନା କରୁଛି । ପ୍ରତିକ୍ରିୟାଶୀଳ ପ୍ରଶାସନ ନାଗରିକଙ୍କ ଆଶାକୁ କିପରି ପୂରଣ କରୁଛି ଏହା ତାହାର ଏକ ଉଦାହରଣ। ‘ଅନୁଭବ’ ଭଳି ପଦକ୍ଷେପ, ଯେଉଁଠାରେ ଅବସରପ୍ରାପ୍ତ ଅଧିକାରୀମାନେ ସଂସ୍ଥାଗତ ସ୍ମୃତି ପାଇଁ ସେମାନଙ୍କର ଅଭିଜ୍ଞତାକୁ ଲିପିବଦ୍ଧ କରୁଛନ୍ତି । ଆଇଏଏସ ଅଧିକାରୀଙ୍କ ପାଇଁ ସହାୟକ ସଚିବ କାର୍ଯ୍ୟକ୍ରମ, ଏକ ଜ୍ଞାନ-ଉନ୍ମୁଖୀ, ଭବିଷ୍ୟତ-ପ୍ରସ୍ତୁତ ଅମଲାତନ୍ତ୍ର ଗଠନର ପ୍ରୟାସ ଭାବରେ ଦେଖାଯାଇଥିଲା। ‘‘ଆମେ ଲାଲ ଫିତାରୁ ବାସ୍ତବ-ସମୟକୁ, ଫାଇଲ-ପୁସିଂରୁ ମତାମତ-ଆଧାରିତ ନୀତିକୁ ସ୍ଥାନାନ୍ତରିତ ହୋଇଛୁ, ଡକ୍ଟର ଜିତେନ୍ଦ୍ର ସିଂହ ଶେଷରେ କହିଥିଲେ। ଏହି ସଂସ୍କାରଗୁଡ଼ିକ ନୂତନ ଭାରତର ଶାସନ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରେ ବୋଲି ସେ କହିଥିଲେ।

ସାମ୍ବାଦିକ ସମ୍ମିଳନୀ ସମୟରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ପ୍ରକାଶନ ଏବଂ ଡିଜିଟାଲ ପଦକ୍ଷେପର ଏକ ସେଟ୍ ମଧ୍ୟ ଉନ୍ମୋଚନ କରିଥିଲେ। ଏଗୁଡ଼ିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସେବା ପ୍ରଦାନ ଉପରେ ମନ୍ତ୍ରଣାଳୟର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରେ। ଏଥିରେ କାର୍ମିକ ଓ ତାଲିମ ବିଭାଗ, ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ବିଭାଗର ୧୧ ବର୍ଷର ସଫଳତା ପୁସ୍ତିକା ଅନ୍ତର୍ଭୁକ୍ତ। ପୁସ୍ତିକାରେ ତିନୋଟି ବିଭାଗର ସଂସ୍କାର ଏବଂ ମାଇଲଖୁଣ୍ଟଗୁଡ଼ିକର ଏକ ବିସ୍ତୃତ ସମୀକ୍ଷା କରାଯାଇଛି। ମନ୍ତ୍ରୀ ମଧ୍ୟ ପରିବାର ପେନସନଭୋଗୀଙ୍କ ଅଭିଯୋଗ ପାଇଁ ସ୍ୱତନ୍ତ୍ର ଅଭିଯାନ ପାଇଁ ମାର୍ଗଦର୍ଶିକା, ଅଗଷ୍ଟ ୨୦୨୪ ରୁ ଜୁନ୍ ୨୦୨୫ ପର୍ଯ୍ୟନ୍ତ ସମୟକୁ ଅନ୍ତର୍ଭୁକ୍ତ କରୁଥିବା ବିଜ୍ଞପ୍ତିଗୁଡ଼ିକର ଏକ ସାରାଂଶ ଏବଂ କେନ୍ଦ୍ରୀୟ ସିଭିଲ୍ ସର୍ଭିସ୍ (ୟୁନିଅନ୍ ପବ୍ଲିକ୍ ସର୍ଭିସ୍) ନିୟମ ସମ୍ବନ୍ଧୀୟ ଏକ ସର୍କୁଲାର ସେଟ୍ ଉନ୍ମୋଚନ କରିଥିଲେ।

କାର୍ମିକ ଓ ତାଲିମ ବିଭାଗର ସଚିବ ରଚନା ଶାହ ଗତ ୧୧ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ଢାଞ୍ଚାଗତ ସଂସ୍କାର ଏବଂ ସମାବେଶୀ ପ୍ରଶାସନିକ ପଦକ୍ଷେପଗୁଡ଼ିକର ଅବତାରଣା କରିଥିଲେ। ସେ କହିଥିଲେ ଏସବୁ ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ‘ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନ’ ମନ୍ତ୍ରକୁ ଆଧାର କରି  ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ଏହି ଅବଧି ମଧ୍ୟରେ ୮.୯ ଲକ୍ଷରୁ ଅଧିକ ମାମଲାର ସମାଧାନ କରାଯାଇଥିବା ସେ ସୂଚନା ଦେଇଥିଲେ।

ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ବିଭାଗର ସଚିବ ଭି. ଶ୍ରନିବାସ ଗତ ୧୧ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯାଇଥିବା ସୁଦୂରପ୍ରସାରୀ ପ୍ରଶାସନିକ ସଂସ୍କାର ଏବଂ ଡିଜିଟାଲ ନାଗରିକ ସେବାର ତାଲିକା ଦେଇଥିଲେ। ସେ କହିଥିଲେ, ସିପିଗ୍ରାମ୍ସ ବିଶ୍ୱର ସବୁଠୁ ବଡ଼ ଏଆଇ ପରିଚାଳିତ ଅଭିଯୋଗ ସମାଧାନ ମଞ୍ଚରେ ପରିଣତ ହେବା ସହିତ ବାର୍ଷିକ ୨୬ ଲକ୍ଷ ଅଭିଯୋଗର ସମାଧାନ କରୁଛି। ଅଧିକାଂଶ ଅଭିଯୋଗ ୧୪ ଦିନରୁ କମ୍‌ ସମୟ ମଧ୍ୟରେ ସମାଧାନ କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ତିନୋଟି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଚଳିତ ସପ୍ତାହରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ। ଏହି ଅଭିଯାନର ସଫଳତା ସହିତ ଚନ୍ଦ୍ର ପୃଷ୍ଠରେ ମହାକାଶଯାନ ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏକ ସମାଚାର ସରବରାହ ସଂସ୍ଥାକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ଡକ୍ଟର ସିଂ କହିଛନ୍ତି ଯେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ମହାକାଶ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଯେଉଁ ଦେଶରେ ଭାରତର ବହୁ ପୂର୍ବରୁ ମହାକାଶ ଅଭିଯାନ ଆରମ୍ଭ କରିଥିଲେ, ଆଜି ସେମାନେ ଭାରତକୁ ଏକ ସହଯୋଗୀ ଭାବେ ଦେଖୁଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ମହାକାଶ କ୍ଷେତ୍ରରେ ଏତେ ବ୍ୟାପକ ପ୍ରଗତି ପରେ ଭାରତ ଚନ୍ଦ୍ରପୃଷ୍ଠ ଦିଗରେ ଅଭିଯାନ ଆରମ୍ଭ କରିବା ଲାଗି ଆଉ ଅଧିକ ଦିନ ଅପେକ୍ଷା କରିପାରିବ ନାହିଁ କିମ୍ବା ଅନ୍ୟମାନଙ୍କ ଠାରୁ ପଛରେ ରହିବ ନାହିଁ।

ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ଅଭିଯାନ ଏବଂ ଚନ୍ଦ୍ର ପୃଷ୍ଠରେ ମହାକାଶଯାନର ସଫଳ ଅବତରଣ ଏହାର ଲକ୍ଷ୍ୟ। ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଆବଶ୍ୟକ ପ୍ରାକ୍ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରିବା ପରେ ସେଥିରୁ ୬ଟି ଚକ ଲାଗିଥିବା ରୋଭର୍‌ ବା ଚନ୍ଦ୍ର ପୃଷ୍ଠରେ ଘୂରି ବୁଲିବାକୁ ଥିବା ଯାନ ବାହାରକୁ ଆସିବ। ଏହି ରୋଭର ୧୪ ଦିନ ଧରି ଚନ୍ଦ୍ର ପୃଷ୍ଠରେ କାମ କରିବ ବୋଲି ଆଶା କରାଯାଉଛି। ରୋଭରରେ ଏକାଧିକ କ୍ୟାମେରା ଲଗାଯାଇଛି ଯାହାକି ଚନ୍ଦ୍ର ପୃଷ୍ଠର ଫଟୋ ପୃଥିବୀକୁ ପଠାଇବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ମହାକାକାଶ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ପରିବେଶ ଯୋଗାଇ ଦେବା ସହିତ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିଲେ। ଏହାର ଉଦାହରଣ ଦେଇ ସେ କହିଥିଲେ ଯେ ମହାକାଶ କ୍ଷେତ୍ରକୁ ସରକାରୀ ଘରୋଇ ଭାଗିଦାରୀ (ପିପିପି) ପାଇଁ ଖୋଲାଯିବା ଫଳରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ଏହି କ୍ଷେତ୍ରରେ ଭାରତର ଅର୍ଥବ୍ୟବସ୍ଥା ୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

ଚନ୍ଦ୍ରଯାନ -୩ ଅଭିଯାନ ସମ୍ପର୍କରେ ଅଧିକ ସୂଚନା ଦେଇ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ, ଏହି ମିଶନର ତିନୋଟି ଉଦ୍ଦେଶ୍ୟ ରହିଛି – ୧) ଚନ୍ଦ୍ର ପୃଷ୍ଠରେ ମହାକାଶଯାନର ସୁରକ୍ଷିତ ଓ ମୃଦୁ ଅବତରଣ, ୨) ଚନ୍ଦ୍ର ପୃଷ୍ଠରେ ରୋଭର ବୁଲିବାକୁ ପ୍ରଦର୍ଶିତ କରିବା ଏବଂ ୩)ବୈଜ୍ଞାନିକ ଅନ୍ୱେଷଣ କରିବା।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ସ୍ମରଣ କରାଇ ଦେଇ କହିଥିଲେ ଯେ, ଚନ୍ଦ୍ରଯାନ ୧ ଅଭିଯାନ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତିକୁ ଆବିଷ୍କାର କରିଥିଲା ଏବଂ ଦୁନିଆ ପାଇଁ ଏହା ଏକ ନୂଆ ତଥ୍ୟ ଥିଲା। ଆମେରିକୀୟ ମହାକାଶ ସଂସ୍ଥା ନାସା ମଧ୍ୟ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋର ଏହି ସଫଳତାକୁ ପ୍ରଶଂସା କରିଥିଲା। ଚନ୍ଦ୍ରଯାନ-୩ରେ ଇସ୍ରୋ ଦ୍ୱାରା ବିକଶିତ ଉତକ୍ଷେପଣ ଯାନକୁ ବ୍ୟବହାର କରାଯିବ।

ସେ ଆହୁରି କହିଛନ୍ତି, ଚନ୍ଦ୍ରଯାନ-୩ର ଉଦକ୍ଷେପଣକୁ ନେଇ ଦେଶରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି। ଅବତରଣ ଯାନର ଦୃଢ଼ତା ବଢ଼ାଇବା ଲାଗି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ପିଢ଼ି ଚନ୍ଦ୍ରଯାନ-୩ରେ କେତେକ ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସ୍ତରର ପରୀକ୍ଷା ପରେ ଏସବୁ ପରିବର୍ତ୍ତନକୁ ଗ୍ରହଣ କରାଯାଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବା ଅବତରଣ ଯାନ ଏବଂ ରୋଭର ବା ପୃଷ୍ଠରେ ଭ୍ରମଣ କରିବାକୁ ଥିବା ଯାନକୁ ଏପରି ପେଲୋଡ୍‌ ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଚନ୍ଦ୍ରପୃଷ୍ଠର ମୃତ୍ତିକା ଏବଂ ମାଟିର ବିଭିନ୍ନ ଉପାଦାନ ଉପରେ ବୈଜ୍ଞାନିକ ସମୁଦାୟକୁ ସୂଚନା ଦେବା ସହିତ ଏହାର ରାସାୟନିକ ଏବଂ ଉପାଦାନ ମିଶ୍ରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ।

Categories
ବିଶେଷ ଖବର

ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ରୋଜଗାର ମେଳା ସଂସ୍ଥାଗତ ରୂପ ଦେଇଛି: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ସଂସ୍ଥାଗତ ରୂପ ଦେଇଛି ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ନେସନ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ।

କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ, ପ୍ରଶାସନିକ ଏବଂ ସରକାରୀ ବ୍ୟବସ୍ଥାରେ ସଂସ୍କାର ଆଣିବା ସମୟରେ ଯୁବକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ରୋଜଗାର ମେଳା ଏକ ପ୍ରମୁଖ ତଥା ସାହସିକ ପଦକ୍ଷେପ। ଏହାବ୍ୟତୀତ ବିଭିନ୍ନ ଯୋଜନାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନର ସରକାରଙ୍କ ପରିଚୟ ପାଲଟିଛି।

କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ରୋଜଗାର ମେଳା ଜରିଆରେ କେନ୍ଦ୍ର ସରକାର ଏବଂ ସହଯୋଗୀ ରାଜ୍ୟ ସରକାର ମିଶନ୍‌ ମୋଡ୍‌ରେ 10 ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ।

ଡକ୍ଟର ସିଂ ଆହୁରି କହିଥିଲେ ଯେ, ମେ 2023ରେ ଶେଷ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି। ପୂର୍ବରୁ ନିଯୁକ୍ତି ପ୍ରକ୍ରିୟାରେ ଦେଖା ଦେଉଥିବା ସମସ୍ୟା ବିଷୟରେ ସେ କହିଥିଲେ । ପୂର୍ବରୁ କର୍ମଚାରୀ ଚୟନ ବୋର୍ଡ ଦ୍ୱାରା ନୂଆ ନିଯୁକ୍ତି ପାଇଁ ପ୍ରାୟ 15ରୁ 18 ମାସ ଲାଗୁଥିଲା ଯାହାକି ଏବେ 6ରୁ 8 ମାସକୁ ହ୍ରାସ ପାଇଛି।

ଯୁବ କୈନ୍ଦ୍ରିକ ନିଯୁକ୍ତି ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରି ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ, ଗ୍ରୁପ୍‌‌ ବି ଅଣଗେଜେଟେଡ୍‌ ଏବଂ ତା’ଠାରୁ ନିମ୍ନ ପଦବୀ ପାଇଁ ସାକ୍ଷାତକାର ଉଚ୍ଛେଦ କରାଯାଇଛି । ଫଳରେ ଅଧିକ ପାରଦର୍ଶିତା ଆସିଛି । କାଗଜ ଆଧାରିତ ପରୀକ୍ଷା ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯାଉଛି। ବିଭିନ୍ନ ଏସଏସସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଞ୍ଚଳିକ ଭାଷାର ପ୍ରୟୋଗ କାରଣରୁ ଅଧିକ ସଂଖ୍ୟାରେ ଯୁବବର୍ଗ ସରକାରୀ ଚାକିରି କରିବା ପାଇଁ ଆବେଦନ କରୁଛନ୍ତି ।

ଡକ୍ଟର ସିଂ ଗତ 9 ବର୍ଷ ମଧ୍ୟରେ ଆସିଥିବା ପ୍ରଶାସନିକ ସଂସ୍କାର ବିଷୟରେ ଉଲ୍ଲେଖ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ମିଶନ କର୍ମଯୋଗୀ” କ୍ଷମତା ବିକାଶରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଏହାକୁ “ନିୟମ ଆଧାରିତ ଦୃଷ୍ଟିକୋଣ”ରୁ “ଭୂମିକା ଆଧାରିତ ଦୃଷ୍ଟିକୋଣ”ରେ ପରିଣତ କରିବ।

କ୍ଷମତା ବିକାଶରେ ବିଶ୍ୱସନୀୟ ଓ ବ୍ୟବସ୍ଥିତ ଆଭିମୁଖ୍ୟ ପ୍ରତିଷ୍ଠା କରିବା ଲାଗି ‘କେପାସିଟୀ ବିଲ୍ଡିଂ କମିଶନ (ସିବିସି)’ ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସିବିସି ଦ୍ୱାରା ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ଜାତୀୟ ମାନକର ଶୁଭାରମ୍ଭ କରାଯାଇଛି । ସେ କହିଥିଲେ, ପ୍ରତ୍ୟେକ କେନ୍ଦ୍ରୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ବାର୍ଷିକ କ୍ଷମତା ବିକାଶ ଯୋଜନା ବିକଶିତ କରିବା ଲାଗି ସିବିସି ସବୁ ମନ୍ତ୍ରଣାଳୟ/ବିଭାଗ/ସଂଗଠନକୁ ସହାୟତା ଯୋଗାଇ ଦେଉଛି ।

କାର୍ମିକ ପରିଚାଳନା ପାଇଁ ନୋଡାଲ ମନ୍ତ୍ରଣାଳୟ ଭାବେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ଡକ୍ଟର ସିଂ ସୂଚନା ଦେଇଥିଲେ । ସେ ଶିଶୁ ଯତ୍ନ ଅବକାଶ (ସିସିଏଲ) ବିଷୟରେ ସୂଚନା ଦେଇଥିଲେ । ଏହି ଛୁଟି ଦିନକୁ 730 ଦିନ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁର କରାଯାଇଛି । ସିସିଏଲ ପ୍ରଦାନ କରିବା ଲାଗି ସର୍ବନିମ୍ନ ବାଧ୍ୟତାମୂଳକ ଅବଧିକୁ 15 ଦିନରୁ 5 ଦିନକୁ କମାଇ ଦିଆଯାଇଛି । 1 ଜୁଲାଇ 2022 ଠାରୁ ଦିବ୍ୟାଙ୍ଗ ଶିଶୁଙ୍କ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀଙ୍କୁ ମାସିକ 3ହଜାର ଟଙ୍କାର ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉଛି ।

ସେହିପରି ନିଖୋଜ କର୍ମଚାରୀଙ୍କ ପରିବାର ଏବେ ଏଫଆଇଆର ଦାଖଲ କରିବାର 6 ମାସ ମଧ୍ୟରେ ପାରିବାରିକ ପେନସନ ପାଇପାରିବେ ଏବଂ ସେମାନଙ୍କୁ ଆଉ 7 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ପ୍ରଶାସନିକ କ୍ଷେତ୍ରରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସମ୍ପର୍କରେ ଡକ୍ଟର ସିଂ କହିଥିଲେ ଯେ ସ୍ୱଚ୍ଛ ଓ ପ୍ରଭାବଶାଳୀ ସରକାରଙ୍କ ପରିଚୟ ହେଉଛି ଏକ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା । ବିଭିନ୍ନ ସରକାରୀ ବିଭାଗରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଦ୍ରୁତ କରିବା ଲାଗି 10 ସୂତ୍ରୀ ସିପିଗ୍ରାମ୍‌ସ୍‌ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ଫଳରେ ସାପ୍ତାହିକ ସମାଧାନ ହାର 95ରୁ 100ପ୍ରତିଶତକୁ ବୃଦ୍ଧି ପାଇଛି।

ସ୍ୱଚ୍ଛା 1.0 ଏବଂ 2.0 ଅଭିଯାନ ଅନ୍ତର୍ଗତ ଇଲେକ୍ଟ୍ରୋନିକ୍ସ ସ୍କ୍ରାପ୍‌ ଓ କାର୍ଯ୍ୟାଳୟ ସ୍କ୍ରାପ ବିକ୍ରି କରାଯାଇ 370.83 କୋଟି ଟଙ୍କାର ରାଜସ୍ୱ ଆୟ ହୋଇଛି । ଏହାଦ୍ୱାରା 89.85 ଲକ୍ଷ ବର୍ଗଫୁଟ୍‌ କାର୍ଯ୍ୟାଳୟ ପରିସର ଖାଲି ହୋଇପାରିଛି ।

ଡିଜିଟାଲ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ 75ଟି ବିଭାଗ ଓ ମନ୍ତ୍ରଣାଳୟରେ ଇ-ଅଫିସ ଭର୍ସନ 7.0 କାର୍ଯ୍ୟକାରୀ କରାଯାଇଛି । ଜାତୀୟ ରୋଜଗାର ମେଳା ଜରିଆରେ ଅଭିନବ ପରିବର୍ତ୍ତନ ଅଣାଯାଇଛି। ତଳୁ ଉପର ପର୍ଯ୍ୟନ୍ତ ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ ଅଧିକ ଦୃଢ଼ କ୍ଷମତା ବିକାଶ ଓ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତିର ଅଧିକ ବ୍ୟବହାର ଏବଂ ମନ୍ତ୍ରଣାଳୟ ପାଇଁ ଆଗକୁ ବଢ଼ିବା ଲାଗି ମୁକ୍ତ ବିଚାର ବିନିମୟ ନିମନ୍ତେ ନିୟମିତ “ଚିନ୍ତନ ଶିବିର” ଆୟୋଜନ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଶର ପ୍ରଥମ ଘରୋଇ ବିକ୍ରମ ସବଅରବିଟାଲ ରକେଟ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ

ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ ରକେଟର ସଫଳ ଉତ୍‌କ୍ଷେପଣ ପରେ ସେଠାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ତାଙ୍କ ପ୍ରତିକ୍ରିୟାରେ କହିଥିଲେ “ଅଭିନନ୍ଦନ ଭାରତ! ଭାରତୀୟ ମହାକାଶ ଯାତ୍ରାରେ ଏକ ନୂତନ ଆରମ୍ଭ! ମହାକାଶ କ୍ଷେତ୍ରକୁ ସରକାରୀ-ଘରୋଇ ଭାଗିଦାରୀ ନିମନ୍ତେ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ…ଆପଣଙ୍କୁ ଅଶେଷ ଧନ୍ୟବାଦ। ଭାରତୀୟ ଷ୍ଟାର୍ଟ-ଅପ୍ ଆନ୍ଦୋଳନର ଏକ ନୂଆ ମୋଡ… ଇସ୍ରୋର ନଭଶ୍ଚୁମ୍ଭୀ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରକୁ ୨୦୨୦ରେ ଘରୋଇ ଭାଗିଦାରୀ ପାଇଁ ଖୋଲିବା ପରେ ଇସ୍ରୋର ଯାତ୍ରାରେ ଏହା ଆଉ ଏକ ମାଇଲଖୁଣ୍ଟ। “ସଫଳତାର ସହ ମିଶନ ପ୍ରାରମ୍ଭ ହୋଇଛି ବୋଲି ଇସ୍ରୋ କହିଥିବାବେଳେ ଭାରତର ପ୍ରଥମ ଘରୋଇ ରକେଟ ଆକାଶ ଛୁଇଁ ବିକ୍ରମ-ଏସ୍ ଇତିହାସ ରଚିଛି ବୋଲି ସ୍କାଏରୁଟ୍‌ ଏରୋସ୍ପେଶ କହିଛି।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଭାରତର ପ୍ରଥମ ଘରୋଇ ବିକ୍ରମ-ସବଅରବିଟାଲ (ଭିକେଏସ) ରକେଟ ସଫଳତାର ସହ ଉତ୍‌କ୍ଷେପଣ କରି ଇତିହାସ ସୃଷ୍ଟି କରିଛି।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ରାଷ୍ଟ୍ରମନ୍ତ୍ରୀ ପିଏମଓ, ଆଣବିକ ଶକ୍ତି ଓ ମହାକାଶ ଡକ୍ଟର ଜିତେନ୍ଦ୍ର ସିଂ ବ୍ୟକ୍ତିଗତ ଭାବେ ଏହି ସ୍ମରଣୀୟ ମୁହୂର୍ତ୍ତର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଅବଲୋକନ କରିଥିଲେ।

ଇସ୍ରୋ ଟିମ୍ ଓ ସଂସଦୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେଟକୁ ଏକ ସଂକ୍ଷିପ୍ତ ଅଭିନନ୍ଦନ ବାର୍ତ୍ତା ଦେଇ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତିି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଏକ ଐତିହାସିକ ବୈଶିଷ୍ଟ୍ୟ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ଏକ ମୋଡ! ଇସ୍ରୋର ମହାକାଶକୁ ବିକ୍ରମ-ଏସ ରକେଟ ଉତ୍‌କ୍ଷେପଣର ଏକ ନୂତନ ଅୟମାରମ୍ଭ।

ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ ସ୍ୱାଧୀନ ଭାରତର ୭୫ବର୍ଷ ଇତିହାସରେ ଇସ୍ରୋ ଏହାର ଗୌରବମୟ , ମହାକାଶ ଯାତ୍ରାରେ ଆଉ ଏକ ସଫଳତାର ମାଇଲଖୁଣ୍ଟ ସ୍ପର୍ଶ କରିଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଉତ୍‌କ୍ଷେପଣ ଯୋଗୁଁ ଭାରତ ବିଶ୍ୱରେ ଅଗ୍ରଣୀ ମହାକାଶ ଶକ୍ତିର ଅଧିକାରୀ ହୋଇପାରିଛି। ଅନେକ ଦେଶ ଭାରତୀୟ ବିଶେଷଜ୍ଞତାରୁ କିଛି ଶିଖିବା ପାଇଁ ଇଚ୍ଛା କରିବେ। ଦୁଇବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶ କ୍ଷେତ୍ରକୁ ଭାରତରେ ଘରୋଇ ଭାଗିଦାରିତା ପାଇଁ ଖୋଲିଦେବା ଏକ ଅନନ୍ୟ ପ୍ରଚେଷ୍ଟା ବୋଲି ସେ କହିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ ବିକ୍ରମ-ଏସ୍ ଗୋଟିଏ ଏକକ ପର୍ଯ୍ୟାୟଭୁକ୍ତ ଇନ୍ଧନ ରକେଟ। ଏହା ଆସନ୍ତା ବର୍ଷ ଛଡା ହେବାକୁ ଥିବା ବିକ୍ରମ-୧ ପୂର୍ବରୁ ସ୍କାଏରୁଟ ଏରୋସ୍ପେସ ପ୍ରକଳ୍ପର ସବୁ ପଦ୍ଧତି ଓ ପ୍ରକ୍ରିୟାକୁ ପରୀକ୍ଷା କରିବ। ଏହି ରକେଟ ସମୁଦ୍ରପତନ ଠାରୁ ସର୍ବାଧିକ ୮୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଗତି କରି ସମୁଦ୍ରରେ ପଡିବ। ଏହାର ମୋଟ ଉତ୍‌କ୍ଷେପଣ ସମୟ ମାତ୍ର ୩୦୦ସେକେଣ୍ଡ।

ସ୍କାଏରୁଟ ହେଉଛି ପ୍ରଥମ ଷ୍ଟାର୍ଟଅପ ଯାହାକି ଇସ୍ରୋ ସହ ଏହାର ରକେଟ ଉତ୍‌କ୍ଷେପଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ବୋଲି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଦେଶର ପ୍ରଥମ ଘରୋଇ ଉତ୍‌କ୍ଷେପଣ ସହ ସ୍କାଏରୁଟ୍ ଏରୋସ୍ପେସର ପ୍ରଥମ ଅଭିଯାନର ନାମ “ପ୍ରାରମ୍ଭ” ରଖାଯାଇଛି ବୋଲି ସେ କହିଛନ୍ତି।

ଏକ ବିବୃତ୍ତିରେ ଇସ୍ରୋ କହିଛି ଯେ ପ୍ରାରମ୍ଭ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି। ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ ଆକାଶ ଛୁଇଁଥିବା ସ୍କାଇରୁଟ୍ ଏରୋସ୍ପେସ ପକ୍ଷରୁ କୁହାଯାଇଛି। ଏହା ମହାକାଶକୁ ମୋଟ ତିନି ପେଲୋଡ ବହନ କରିଥିବାବେଳେ ଏଥିରୁ ଗୋଟିଏ ବିଦେଶୀ ଗ୍ରାହକଙ୍କର ରହିଛି।

ପରେ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ ଡକ୍ଟର ବିକ୍ରମ ସରାଭାଇ ଇସ୍ରୋର ପ୍ରଥମ ଅଧ୍ୟକ୍ଷ  ତଥା ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି ପ୍ରାଚୀନ ବିଜ୍ଞାନ ବ୍ୟବସ୍ଥାରେ ଭାରତ ପାଇଁ ଦେଇଥିବା ଆକାଂକ୍ଷିତ ସ୍ୱପ୍ନ ଆଦି ଗୌରବର ସହ ସିଦ୍ଧି ଲାଭ କରିଛି ।

ଡକ୍ଟର ଜିତେନ୍ଦ୍ର ସିଂ ସ୍ମୃତିଚାରଣ କରି କହିଥିଲେ ଯେ ଡକ୍ଟର ବିକ୍ରମ ସାରାଭାଇ ସବୁବେଳେ ଇସ୍ରୋ ଜାତୀୟସ୍ତରରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପ୍ରସଙ୍ଗ ଉତ୍‌ଥାପନ କରୁଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗତ ଆଠବର୍ଷ ମଧ୍ୟରେ ଏହା ପ୍ରମାଣ କରିଛି । ଭାରତର ଯୁବ ମେଧା ଶକ୍ତି ସୁଯୋଗ ପାଇବା ପରେ ସେମାନଙ୍କ ସାମର୍ଥ୍ୟ ପ୍ରଚଣ୍ଡ ଉତ୍ସାହର ସହ ପ୍ରଦର୍ଶନ କରିଛନ୍ତି । ଭାରତର ବିଶାଳ ଜ୍ଞାନଯୁକ୍ତ ଯୁବଶକ୍ତିର ବିରାଟ ସ୍ୱପ୍ନ ଥିବାବେଳେ ମୋଦୀଜୀ ସେମାନଙ୍କୁ ଏକ ଉପଯୁକ୍ତ ରାସ୍ତା ଦେଖାଇପାରିଛନ୍ତି ।

ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ ମହାକାଶ ସଂସ୍କାର ଯୋଗୁଁ ମହାକାଶ କ୍ଷେତ୍ରରେ ଷ୍ଟାର୍ଟ ଅପ ସଂଖ୍ୟା ତିନି ଚାରିବର୍ଷ ଆଗରୁ ମାତ୍ର ଦୁଇଟି ଥିବାବେଳେ ଆଜି ଏହା ୧୦୨ରେ ପହଞ୍ଚିଛି । ସେଗୁଡିକ ମହାକାଶ ଭଗ୍ନାବଶେଷ ପରିଚାଳନା, ନାନୋ ଉପଗ୍ରହ, ଉତ୍‌କ୍ଷେପଣ ଯାନ, ଭୂପୃଷ୍ଠ ପଦ୍ଧତି ଓ ଗବେଷଣା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ଭାରତକୁ ଭାରତୀୟ ବିଜ୍ଞାନ, ପ୍ରଯୁକ୍ତି, ନବୋନ୍ମେଷ ସାମର୍ଥ୍ୟରେ ସାର୍ବଜନୀନ ସ୍ୱୀକୃତି ମିଳିଥିବାବେଳେ ଆମ ଷ୍ଟାର୍ଟଅପମାନଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଉଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି । ସମଗ୍ର ବିଶ୍ୱ ଭାରତରୁ ଉତ୍ସାହ ପାଇବା ଅପେକ୍ଷାରେ ରହିଛି ଓ ଅନେକ ଦେଶ ଉପଗ୍ରହ ଓ ନାନୋ ଉପଗ୍ରହ ନିର୍ମାଣରେ ଭାରତଠାରୁ ସାହାଯ୍ୟ ପାଉଛନ୍ତି ।