ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଶେଷକୃତ୍ୟ କରାଯାଇଛି।
ସ୍ବର୍ଗଦ୍ବାରରେ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାବା ରାମଦେବ, ରାଜ୍ୟମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ, ବିଜେପି ନେତା ପ୍ରମୁଖ ଯୋଗ ଦେଇଥିଲେ। ଦେବେନ୍ଦ୍ରଙ୍କ ବଡପୁଅ ମୁଖାଗ୍ନି ପ୍ରଦାନ କରିଥିଲେ। ଅନ୍ୟତମ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ଆଜି ସକାଳୁ ତାଙ୍କ ମରଶରୀର ଚନ୍ଦ୍ରଶେଖରପୁର ବାସ ଭବନରୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ଦେବେନ୍ଦ୍ରଙ୍କ ଶହଶହ ସମର୍ଥକ ଯୋଗ ଦେଇଥିଲେ। ଗତକାଲି ତାଙ୍କର ୮୪ ବର୍ଷ ବୟସରେ ଦିଲ୍ଲୀ ବାସଭବନରେ ପରଲୋକ ହୋଇଥିଲା। ମରଶରୀର ଦିଲ୍ଲୀରୁ ଆସିବା ପରେ ତାଙ୍କୁ ବିଜେପି କାର୍ଯ୍ୟାଳୟରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏହାପରେ ତାଙ୍କର ଚନ୍ଦ୍ରଶେଖରପୁର ବାସଭବନରେ ରାତିତମାମ ଲୋକଙ୍କ ଦର୍ଶନ ପାଇଁ ରଖାଯାଇଥିଲା।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ହେଉଛନ୍ତି ଡାକ୍ତର ଦେବେନ୍ଦ୍ର ପ୍ରଧାନ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ। ତାଳଚେର ମଣ୍ଡଳ ସଭାପତି ଭାବେ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ ।
୧୯୮୪ରେ ଦେଓଗଡ଼ ଆସନରୁ ସାଂସଦ ପ୍ରାର୍ଥୀ ଭାବେ ସେ ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କୁ ହରାଇ ବିଜୟ ଲାଭ କରିଥିଲେ । ଏହାପରେ ୧୯୯୧ରେ ୧୯୯୬ ରେ ସେ ସେହି ଆସନରୁ ସାଂସଦ ଭାବେ ବିଜୟ ଲାଭ କରିଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ ଥିଲ। ସେତେବେଳେ ସେ ଭୂପୃଷ୍ଠ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।