Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଏମ୍ସ ଭୁବନେଶ୍ୱରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଏମ୍‌ସ ଭୁବନେଶ୍ୱରରେ ପାଳିତ ହୋଇଛି ୭୮ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଡ. ବିଶ୍ବାସ ସ୍ୱାସ୍ଥ୍ୟ, ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏହି ଅନୁଷ୍ଠାନ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଏକ ଉତ୍କର୍ଷ କେନ୍ଦ୍ର ପାଲଟିଥିବା ସେ ପ୍ରକାଶ କରିଥିଲେ।

ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏମ୍‌ସ ଭୁବନେଶ୍ୱର ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଏନେଇ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ଡ. ବିଶ୍ବାସ। ନିକଟରେ ଏହି ଅନୁଷ୍ଠାନକୁ ଏନ୍ଆଇଆରଏଫ୍ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରିଛି।

ଏହି ଅବସରରେ କର୍ତ୍ତବ୍ୟନିଷ୍ଠା ଏବଂ କର୍ମକୁଶଳତା ନିମନ୍ତେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମଧ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମ୍ମାନିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ପରିବେଶକୁ ଭାବମୟ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ, ଡିନ୍‌ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ। ବରିଷ୍ଠ ପ୍ରାଶାସନିକ ଅଧିକାରୀ ରଶ୍ମି ରଂଜନ ସେଠୀ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଏମ୍‌ସ ଭୁବନେଶ୍ୱରର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍ସ ଭୁବନେଶ୍ୱର। ମେଡିକାଲ୍ ଶିକ୍ଷା ହେଉ ଅବା ଗବେଷଣା କିମ୍ବା ସ୍ୱଚ୍ଛତା, ସମସ୍ତ କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରୁଛି ଏହି ଜାତୀୟ ପ୍ରତିଷ୍ଠାନ। ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ ପ୍ରମାଣିତ କରୁଥିବା ମତପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ (ଆଇଏଏସ୍)। ଏମ୍ସକୁ ତାଙ୍କର ଦୁଇ ଦିନିଆ ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳପ କରିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କୁ ଏମ୍ସକୁ ସ୍ବାଗତ କରିବା ସହିତ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ ଏମ୍ସରେ ଜାରିରହିଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରକଳ୍ପ ଏବଂ ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ। ଏମ୍ସରେ ଯକୃତ(ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗ ଏବଂ ଦଳଗତ କାର୍ଯ୍ୟ କାରଣରୁ ଏମ୍ସ ଭୁବନେଶ୍ୱର ରୋଗୀସେବା, ଗବେଷଣା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଗୌରବମୟ ଦଶନ୍ଧି ଯାତ୍ରା କାଳରେ ସର୍ବସାଧାରଣଙ୍କ ଆସ୍ଥା ଜିଣିପାରିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏହି ଅବସରରେ ଯୁଗ୍ମ ସଚିବ ଶ୍ରୀମତୀ ପଟ୍ଟନାୟକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର, ସିଏସ୍ଏସ୍ଡି, ଏମ୍ଆରଡି, ପେଟ୍-ସିଟି, ରେଡିଏସନ୍ ଅଙ୍କୋଲୋଜି ସହିତ ଅନ୍ୟାନ୍ୟ ବିଭିନ୍ନ ସେବା ପରିଦର୍ଶନ କରିଥିଲେ। ଏମ୍ସରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ନିମନ୍ତେ ଥିବା ପ୍ରତିବଦ୍ଧତା ନିମନ୍ତେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ। ସେହିପରି କ୍ରମାଗତ ଭାବେ ସମ୍ମାନଜନକ ଏନ୍ଆଇଆରଏଫ୍ ଏବଂ ଇଣ୍ଡିଆ ଟୁଡେ ତାଲିକାରେ ଉଚ୍ଚସ୍ଥାନ ଅଧିକାର କରିଚାଲିଥିବାରୁ ଅନୁଷ୍ଠାନକୁ ଶ୍ରୀମତୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଯୁଗ୍ମ ସଚିବଙ୍କ ସହ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ସହିତ ବିଶେଷ ବୈଠକ କରିଥିଲେ ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ। ସେହିପରି ସିସିଏଚ୍ବି, ନୂତନ ଟ୍ରମା ଏବଂ ଜରୁରୀକାଳୀନ କୋଠା, ପ୍ରାଶାସନିକ ଭବନ ଏବଂ ଧର୍ମଶାଳା ପରି ଏକାଧିକ ଚିକିତ୍ସା ସୁବିଧାଗୁଡ଼ିକର ଅଗ୍ରଗତିନେଇ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀମତୀ ପଟ୍ଟନାୟକ ଓପିଡି କାଉଣ୍ଟରରୁ ତାଙ୍କର ଆଭା ନମ୍ବର କରିବା ସହିତ ଡିଜିଟାଲ ଇଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ରହିଥିବା ଭିଜନ୍କୁ ଏମ୍ସ ସଫଳତାର ସହିତ ଅନୁପାଳନ କରୁଥିବା ପ୍ରଶଂସା କରିଥିଲେ।

ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲ୍, ପାରାମେଡିକାଲ୍, ନର୍ସିଂ ଆଦି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଥିବା ସେମାନଙ୍କର ଦୂରଦୃଷ୍ଟି ଏବଂ ଭଲପାଇବାକୁ ନେଇ ବିଶେଷ ପ୍ରଭାବିତ ହୋଇଥିଲେ। ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଶବ ପରିଚାଳନାରେ ଏମ୍ସ ଭୁବନେଶ୍ୱରର ସଫଳ ପରିଚାଳନା ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ ଶ୍ରୀମତୀ ପଟ୍ଟନାୟକ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ଅନୁସନ୍ଧାନ ଏବଂ ରୋଗୀ ସେବା ଉପରେ ଧ୍ୟାନ ଦେଇ ଅନେକ ଜାତୀୟ ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେହିଭଳି, ଏହି ଜାତୀୟ ଅନୁଷ୍ଠାନ ସଫଳତାର ସହିତ ବାହାନଗା ରେଳ ଦୁର୍ଘଟଣାର ୧୬୨ ପାର୍ଥିବ ଶରୀରକୁ ସଂରକ୍ଷଣ କରିବା ଏବଂ ପରିଚାଳନା କରିବାର ସଫଳତା ବହନ କରୁଛି।