Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଚାଷୀଙ୍କ ପାଇଁ ଜୀବନ ବୀମା କରିଲା ଓମଫେଡ୍

ଭୁବନେଶ୍ୱର: ଓମଫେଡର 114 ତମ ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଆଜି ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓମଫେଡ୍ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପରିଚାଳନା ନିର୍ଦେଶକ ମଣ୍ଡଳୀର ସଦସ୍ୟ, ସଦସ୍ୟା ଓ ରାଜ୍ୟ ସରକାରଙ୍କର ପ୍ରତିନିଧି ଯୋଗଦେଇଥିଲେ।

ଓମଫେଡକୁ ଦୁଗ୍ଧ ଦେଉଥିବା ଚାଷୀଙ୍କୁ ଦୁର୍ଘଟଣା ଜନିତ ବୀମା ପରିସରଭୁକ୍ତ କରାଯାଇଥିବାରୁ ନିର୍ଦେଶକ ମଣ୍ଡଳୀ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପରିଚାଳନା ନିର୍ଦେଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଦ୍ୱାରା ରାଜ୍ୟର 2.5 ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। ଚାଷୀମାନଙ୍କର ବୀମା ପ୍ରିମିୟମ ଓମଫେଡ୍ ଦେବ। ଏହି ବୈଠକରେ ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ସମସ୍ତେ ସ୍ୱାଗତ କରିବା ସହ ମାଈ ବାଛୁରୀ ପାଳନ ଯୋଜନାକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ସଂପ୍ରତି ଦିନକୁ ଦିନ ସବୁ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଚାଷୀମାନଙ୍କଠାରୁ ସଂଗ୍ରହ ହେଉଥିବା ଦୁଗ୍ଧ ଦାମ ବୃଦ୍ଧି କରିବା ପାଇଁ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଜରିଆରେ ସରକାରଙ୍କୁ ଅବଗତ କରାଇଛନ୍ତି। ଦୁଗ୍ଧର ତିରୋଟ ସମୟରେ ଚାଷୀମାନଙ୍କୁ ରାଜ୍ୟ ସରକାର ଲିଟର ପିଛା 1ରୁ5 ଟଙ୍କା ପର୍ଯ୍ୟନ୍ତ ଇନସେଣ୍ଟିଭ ଦେଉଥିବାରୁ ସମସ୍ତେ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

ଗୁଣାତ୍ମକ ଦୁଗ୍ଧ ସଂଗ୍ରହ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଚାଷୀଙ୍କଠାରୁ ଗୁଣାତ୍ମକ ଦୁଗ୍ଧ ସଂଗ୍ରହ କରିବା ଏବଂ ସଂଗ୍ରହ ପରିମାଣ ବୃଦ୍ଧି କରିବା ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। ଏବେ ଦୈନିକ 5 ଲକ୍ଷ 40 ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଛି। ମାତ୍ର 2025-26 ଆର୍ଥିକ ବର୍ଷରେ ତା’ର ପରିମାଣ 6 ଲକ୍ଷ ଲିଟରକୁ ବୃଦ୍ଧି କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କେବଳ ସଂଗ୍ରହ ବୃଦ୍ଧି ନୁହେଁ, ଓମ୍ଫେଡ୍ ଉତ୍ପାଦଗୁଡିକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ମାର୍କେଟ୍ ବିସ୍ତାର କରିବାକୁ ମଧ୍ୟ ଆଲୋନଚା ହୋଇଥିଲା। ସେହିପରି ଗୁଣାତ୍ମକ ଦୁଗ୍ଧ ସଂଗ୍ରହ ପାଇଁ ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ର ବା ଟେଷ୍ଟିଂ ମେସିନ ରାଜ୍ୟ ସରକାର ପ୍ରତ୍ୟେକ ସୋସାଇଟକୁ ଯୋଗାଇ ଦେବାକୁ ସଦସ୍ୟ ସଦସ୍ୟାମାନେ ଅନୁରୋଧ କରିଛନ୍ତି।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଂଚଳରେ ସୋଲାର ପ୍ଲାଣ୍ଟ ଓ ବାୟୋ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି।

ଓମଫେଡ୍ ଏକ ଭରସାଯୋଗ୍ୟ ଆତ୍ମ ନିଯୁକ୍ତି ସଂସ୍ଥା ହୋଇଥିବାରୁ ଏଥିରେ ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ପରିବାର ପ୍ରତିପୋଷଣ ହେଉଛନ୍ତି। ଓଡିଆ ଅସ୍ମିତ ସହ ଜଡିତ ଓମ୍ଫେଡକୁ ସରକାର କାମଧେନୁ ଯୋଜନାରେ ସାମିଲ କରିଛନ୍ତି। ଆଗାମୀ ଦିନରେ ଓମଫେଡ ଉତ୍ପାଦଗୁଡିକ କିପରି ଗ୍ରାମାଞ୍ଚଳର ସବୁ ଲୋକଙ୍କ ପାଖରେପହଞ୍ଚି ପାରିବ, ସେଥିପାଇଁ ସମସ୍ତେ କାମ କରିବାକୁ ଅନୁରୋଧ କରିଛନ୍ତି ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ସଦସ୍ୟ ସଦସ୍ୟାମାନେ ଯେଉଁସବୁ ପ୍ରସ୍ତାବ ଦେଇଛନ୍ତି ତାହା ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।

ଏହି ବୈଠକରେ ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହ ଅତିରିକ୍ତ ନିର୍ଦେଶକ, ଡକ୍ଟର ଗିରିଧର ଭୋଇ, ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ହାଡିବନ୍ଧୁ ଭୋଇ, ଓମଫେଡର ଜେନେରାଲ ମ୍ୟାନେଜର (ଫାଇନାନ୍ସ) ସୁରେଶ କୁମାର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଓମ୍‌ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍‌ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍‌ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକ୍‌ରେ ଭାରତର ସଫଳତା ପାଇଁ ଭାରତୀୟ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଲେ ଯେ ଭାରତୀୟ ହକୀ ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ।

ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରୁଛନ୍ତି। ଗରିବ ଲୋକଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମା – ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କ ରୋଜଗାର ବଢାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ। ମା ମାନଙ୍କ ରୋଜଗାର ବଢାଇବା ସହିତ ସାଧାରଣ ଲୋକଙ୍କ ବିଶେଷକରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍‌ଧର ବହୁତ ବଡ ଭୂମିକା ରହିଛି ବୋଲି ସେ କହିଥିଲେ। ତେଣୁ ଦୁଗ୍‌ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ (Nutrition Level) ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି। ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍‌ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ୫-ଟି ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଲେ ଯେ ଏହାର ପ୍ରୟୋଗ ଦ୍ବାରା ରାଜ୍ୟ ପ୍ରାଣୀ ସଂପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି । ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ବିତ ହୋଇପାରିଛି ।

ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ନବରଂଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ଚାଷୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ବରଗଡ, ନବରଂଗପୁର ଓ କଟକର ୩ ଜଣ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସ୍ବତନ୍ତ୍ର ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ବରଗଡରୁ  ସତ୍ୟବତୀ ସାହୁ, ନବରଂଗପୁରରୁ ଖୋକନ ବିଶ୍ବାସ ଓ କଟକରୁ ବିଜୟଲକ୍ଷ୍ମୀ ସ୍ବାଇଁ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ରାଜ୍ୟ ସରକାର ସେମାନଙ୍କ ଦୁଗ୍‌ଧ ଚାଷ ପାଇଁ ଅନେକ ପ୍ରକାଶ ସହାୟତା ଦେଉଛନ୍ତି। ଗୋଖାଦ୍ୟ, ଔଷଧ, କ୍ୟାଲସିଅମ, ମିନେରେଲ ମିକ୍ସଚର ଆଦି ଅନେକ ସହାୟତା ମିଳୁଛି। ଦୁଗ୍‌ଧ ଚାଷ ଦ୍ବାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସହିତ ସେମାନେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇପାରିଛନ୍ତି ଏବଂ ଘର ଖଣ୍ଡେ ଖଣ୍ଡେ କରିପାରିଛନ୍ତି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ କେ. ରଘୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।