Categories
ଆଞ୍ଚଳିକ

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରରେ ନୂଆଁଖାଇ: ମା’ଙ୍କ ପାଖରେ ଲାଗି ହେଲା “ନବାନ୍ନ”

ବାଣପୁର (ସୀତାରାମ ଅଗ୍ରୱାଲ): ବିଛା ୨୮ ଦିନ, ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥି ଗୁରୁବାର ଅମୃତବେଳାରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ଓ ମା’ ଭଗବତୀଙ୍କ ପାଖରେ ଲାଗି ହେଲା “ନବାନ୍ନ”। କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିରଗଣକ ଶରତ ଚନ୍ଦ୍ର ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି ଚିଟାଉ ଦେଇଥିଲେ। ସେହି ଅନୁସାରେ ମା’ଙ୍କ ଜମିରୁ ଆଦାୟ ନୂଆ ଧାନ ନୂଆବିରି ଆଣି ଚାଷି ଉପିପ୍ରଧାନ ମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥିଲେ। ନୂଆ ଧାନରୁ ନୂଆ ଚାଉଳ, ନୂଆ ଚୁଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରତ୍ୟୁଷରୁ ବେଢ଼ା ଖାଡ଼କା ବୁଲି ପ୍ରଧାନ ମନ୍ଦିର ବାହାର ବେଢ଼ା ଓ ପାଳିଆ ମାଳି ପବିତ୍ର ନାୟକ, ଶିବ ନାୟକ, ସଂଗ୍ରାମ ମହାପାତ୍ର ଶଙ୍କର ନାୟକ ଭିତର ଶୋଧ କରି ଧୋପଖାଳ କରିଥିଲେ।

ସୁଆର ସେବକ ଟୁଟୁ ପଣ୍ଡା, ରଂଜନ ଷଡ଼ଙ୍ଗୀ ଗୋବର ଗଙ୍ଗାଜଳରେ ରୋଷଶାଳା ଲିପା ପୋଛା କରି ଶୋଧ କରିଥିଲେ। ନୂଆ ଚୁଲିପଡ଼ିଥିଲା। ଦେବା ଦେବୀଙ୍କୁ ନୂତନ ବସ୍ତ୍ର, ଏଣ୍ଡୁରିପାଇଁ ନୁଆଁ ହାଣ୍ଡି ନୂଆ ଅଥର କନା ସହିତ ସମସ୍ତ ଦ୍ରବ୍ୟ ମନ୍ଦିର କାର୍ଯ୍ୟାଳୟରୁ ଆଣି କାଳୁ ଦଣ୍ଡ ସେଣା ଯୋଗାଇ ଦେଇଥିଲେ। ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପସ୍ରାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ,ସାଧାରଣ ଦର୍ଶନ ପରେ ଅମୃତ ବେଳା ଦିବା ୨ ଘ/ ୧୭ମି ଗତେ ଦେବା ଦେବୀଙ୍କ ପାଖରେ ନୂଆ ଚାଉଳ ନୂଆବିରି, ନୂଆ ଚୂଡାରୁ ପ୍ରସ୍ତୁତ ଖେଚେଡ଼ି, ଡାଲି,ଆମ୍ବିଳ, ମହୁର, ଶାଗମୁଗ,ଏଣ୍ଡୁରି, ଘସା ବିଡ଼ିଆ, ଫଳ ମୂଳ ଇତ୍ୟାଦି ନୈବେଦ୍ୟ ଆକାରରେ ଠା କରାଯାଇ ଘଣ୍ଟା କାହାଳି ବୀର ବାଦ୍ୟବାଜି ପରିଛା ସାଆନ୍ତ ପ୍ରସନ୍ନ ମହାପାତ୍ର ଧୂପ ବଢାଇ ଆଳତି କରିଥିଲେ। ପରମ୍ପରା ଅନୁସାରେ ମା’ଙ୍କୁନବାନ୍ନ ଲାଗି ପର୍ଯ୍ୟନ୍ତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ କୌଣସି ପ୍ରକାର ଯଜମାନି ଭୋଗରାଗ ଲାଗି ବନ୍ଦ ଥିଲା।

ପରେନିଯୋଗୀ ସେବାୟତମାନେ ମା’ଙ୍କ ନବାନ୍ନ ପ୍ରସାଦ ସେବନ କରି ସମସ୍ତ ଶ୍ରଦ୍ଧାଳୁଙ୍କୁ ମଧ୍ଯ ନବାନ୍ନପ୍ରସାଦବଣ୍ଟନ କରିଥିଲେ। ମା’ ଙ୍କ ମନ୍ଦିରର ପ୍ରଚଳିତ ଏହି ନବାନ୍ନ ନୀତିକାନ୍ତି ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ ପାଳିତ ହେବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଥିବା କଥା ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ନୂଆଖାଇ, ଏଭଳି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି କୃଷି, ଧର୍ମ ସହିତ ସାମାଜିକ ବନ୍ଧନ

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି ।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା । ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।