Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର, ଶପଥ ପରେ ପରେ ନୂଆ କ୍ୟାବିନେଟ ନେଲେ ଏହି ୪ଟି ନିଷ୍ପତି

ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।

କ୍ୟାବିନେଟ୍‌ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ଆଜି ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା। ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହେବ। ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।

ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା (guidelines) ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି  ନୂଆ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏକ ନୂଆ ଯୋଜନା “ଭାରତ କୋଭିଡ-୧୯ ଜରୁରୀ ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜ୍-ପଯ୍ୟାୟ-୨” କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୨୩,୧୨୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି -ଶିଶୁ ଚିକିତ୍ସା ସେବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ଉଚିତ ପରିଣାମ ଉପରେ ଗୁରୁତ୍ବାରୋପ କରାଯାଇ ପ୍ରାରମ୍ଭିକ ନିରାକରଣ, ଚିହ୍ନଟ ଏବଂ ପରିଚାଳନା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା।

ଏହି ପ୍ୟାକେଜର ପଯ୍ୟାୟ-୨ରେ କେନ୍ଦ୍ରୀୟ କ୍ଷେତ୍ର (ସିଏସ) ଏବଂ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଉପାଦାନ ସାମିଲ ରହିଛି। କେନ୍ଦ୍ରୀୟ କ୍ଷେତ୍ର ଉପାଦାନରେ ଯାହା ସାମିଲ କରାଯାଇଛି ସେଗୁଡିକ ହେଲା

1- କେନ୍ଦ୍ରୀୟ ଡାକ୍ତରଖାନା, ଏମ୍ସ ଏବଂ ଡିଓଏଚଏଏଫଡବ୍ଲୁ ଅଧୀନରେ ଆସୁଥିବା ଅନ୍ୟ ଜାତୀୟ ଗୁରୁତ୍ୱସମ୍ପନ୍ନ ସଂସ୍ଥାନ (ବିଏମଏମସି ଏବଂ ସଫଦରଜଙ୍ଗ ଡାକ୍ତରଖାନା, ଦିଲ୍ଲୀ, ଏଲଏଚଏମସି ଏବଂ ଏସଏସକେଏଚ, ଦିଲ୍ଲୀ, ଆରଏମଏଲ, ଦିଲ୍ଲୀ, ରିମ୍ସ, ଇମ୍ପାଲ ଏବଂ ଏନଇଆଇଜିଆରଆଇଏମଏସ, ପିଜିଆଇଏମଇଆର, ଚଣ୍ଡିଗଡ଼, ଜିପମର, ପୁଡୁଚେରୀ ଏବଂ ଏମ୍ସ ନୂଆଦିଲ୍ଲୀ(ବର୍ତ୍ତମାନର ଏମ୍ସ) ଏବଂ ପିଏମଏସଏସଓ୍ବାଇ ଅନ୍ତର୍ଗତ ନୂଆ ଏମ୍ସ)ଗୁଡ଼ିକୁ କୋଭିଡ ପରିଚାଳନା ଲାଗି ୬,୬୮୮ ଶଯ୍ୟା ସ୍ଥାପନ ନିମନ୍ତେ ପୁନଃଉଦ୍ଦେଶ୍ୟ ସହାୟତା ପ୍ରଦାନ କରିବା।

2- ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)କୁ ବିଭିନ୍ନ ପ୍ରକାରର ସହାୟତା ଯେପରିକି ବୈଜ୍ଞାନିକ ନିୟନ୍ତ୍ରଣ କେନ୍ଦ୍ର, ମହାମାରୀ ସୂଚନା ସେବା (ଇଆଇଏସ) ଏବଂ ଆଇଏନଏସଏସିଓଜି ସଚିବାଳୟ ସହାୟତା ବ୍ୟତୀତ ଜିନୋମ ସିକୁଏନ୍ସିଂ ମେସିନ ଯୋଗାଇ ଦେଇ ମଜଭୁତ କରିବା।

3- ଦେଶର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକରେ ହସ୍ପିଟାଲ ପରିଚାଳନା ସୂଚନା ପ୍ରଣାଳୀ (ଏଚଏମଆଇଏସ)ର କାର‌୍ୟ୍ୟକାରିତା ନିମନ୍ତେ ସହଯୋଗ ଯୋଗାଇ ଦିଆଯିବ। ବର୍ତ୍ତମାନ ଏହା ମାତ୍ର ୩୧୦ଟି ଜିଲ୍ଲା ଡାକ୍ତରଖାନାରେ ହିଁ ଲାଗୁ କରାଯାଇଛି। ସମସ୍ତ ଜିଲ୍ଲା ଡାକ୍ତରଖାନା ଏନଆଇସି ପକ୍ଷରୁ ବିକଶିତ ଇ-ହସ୍ପିଟାଲ ଓ ସିଡିଏସି ଦ୍ବାରା ବିକଶିତ ଇ-ପ୍ରାରମ୍ଭ ସଫ୍ଟୱେର୍ ମାଧ୍ୟମରେ ଏଚଏମଆଇଏସ ଲାଗୁ କରିବେ। ଏହା ଜିଲ୍ଲା ଡାକ୍ତରଖାନାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ) କାଯ୍ୟକାରିତା ଲାଗି ବଡ଼ ପ୍ରୋତ୍ସାହନ ଭାବେ କାମ କରିବ। ଏହି ସହାୟତାରେ ଜିଲ୍ଲା ଡାକ୍ତରଖାନାଗୁଡ଼ିକୁ ହାର୍ଡୱେର୍ କ୍ଷମତା ବଢ଼ାଇବା ଲାଗି ଦିଆଯାଇଥିବା ସହାୟତା ସାମିଲ ରହିଛି।

4- ଟେଲି ପରାମର୍ଶ ସଂଖ୍ୟା ଦୈନିକ ୫୦,୦୦୦ରୁ ବୃଦ୍ଧି କରିବା ଲାଗି ଇ-ସଞ୍ଜିବନୀ ଟେଲି ପରାମର୍ଶ ପ୍ଲାଟଫର୍ମର ଜାତୀୟ ଢାଞ୍ଚାକୁ ବିସ୍ତାରିତ କରିବା ଲାଗି ସମର୍ଥନ ଯୋଗାଇ ଦିଆଯିବ। ଏଥିରେ ଦେଶର ସମସ୍ତ ଜିଲ୍ଲାରେ ଇ-ସଞ୍ଜିବନୀ ଟେଲି ପରାମର୍ଶ ଲାଗି ହବକୁ ସୁଦୃଢ଼ କରି କୋଭିଡ ଯତ୍ନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ସହିତ ଟେଲି ପରାମର୍ଶକୁ ସମ୍ଭବ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ଦିଆଯିବାକୁ ଥିବା ସହାୟତା ମଧ୍ୟ ସାମିଲ ରହିଛି।

5- ଡିଓଏଚଏଫଡବ୍ଲୁସ୍ଥିତ ସେଣ୍ଟ୍ରାଲ ଓ୍ବାର ରୁମ, ଦେଶର କୋଭିଡ-୧୯ ପୋର୍ଟାଲ, ୧୦୭୫ କୋଭିଡ ହେଲ୍ପଲାଇନ ଏବଂ କୋଓ୍ବିନ ପ୍ଲାଟଫର୍ମକୁ ମଜଭୂତ କରିବା ସହିତ ଆଇଟି ହସ୍ତକ୍ଷେପ ଉପଲବ୍ଧ କରିବା ଲାଗି ମଧ୍ୟ ସହଯୋଗ ଯୋଗାଇ ଦିଆଯିବ।