Categories
ଆଜିର ଖବର ଜାତୀୟ ଖବର

ପାରମ୍ପରିକ ହଲୱା ସମାରୋହ ସହିତ କେନ୍ଦ୍ର ବଜେଟ୍ ପାଇଁ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ୨୦୨୪-୨୫ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ହଲୱା ସମାରୋହ ଅନୁଷ୍ଠିତ ହୋଇଛି।

ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀଙ୍କ ‘ଲକ୍-ଇନ୍’ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପରିକ ହଲୱା ସମାରୋହ ଅନୁଷ୍ଠିତ ହୋଇଥାଏ। ୨୦୨୪-୨୫ ଆର୍ଥିକ ବର୍ଷପାଇଁ କେନ୍ଦ୍ରୀୟ ବଜେଟ୍ ୨୦୨୪ ଜୁଲାଇ ୨୩ ତାରିଖରେ ଉପସ୍ଥାପିତ ହେବ।

ଡିଜିଟାଲ ସୁବିଧାର ସରଳ ରୂପ ବ୍ୟବହାର କରି ସଂସଦ ସଦସ୍ୟ (ସାଂସଦ) ଏବଂ ସାଧାରଣ ଜନତାଙ୍କ ଦ୍ୱାରା ବଜେଟ୍ ଦସ୍ତାବିଜକୁ ଅସୁବିଧାମୁକ୍ତ ଆକସେସ୍ କରିବା ପାଇଁ ବାର୍ଷିକ ଆର୍ଥିକ ବିବରଣୀ (ସାଧାରଣତଃ ବଜେଟ୍), ଅନୁଦାନ ଦାବି (ଡିଜି), ଅର୍ଥ ବିଲ୍ ଇତ୍ୟାଦି ସମେତ ସମସ୍ତ କେନ୍ଦ୍ରୀୟ ବଜେଟ୍ ଦସ୍ତାବିଜ୍ “କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍”ରେ ଉପଲବ୍ଧ ହେବ। ଏହି ଆପ୍ ଦ୍ୱିଭାଷୀ (ଇଂରାଜୀ ଏବଂ ହିନ୍ଦୀ) ଏବଂ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ୟୁନିୟନ ବଜେଟ୍ ୱେବ୍ ପୋର୍ଟାଲ (www.indiabudget.gov.in) ରୁ ମଧ୍ୟ ଏହି ଆପ୍ ଡାଉନଲୋଡ୍ କରାଯାଇପାରିବ।

ଜୁଲାଇ ୨୩, ୨୦୨୪ରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ ମୋବାଇଲ୍ ଆପ୍ ରେ ଉପଲବ୍ଧ ହେବ।

ହଲୱା ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ମନ୍ତ୍ରଣାଳୟର ସଚିବ ଏବଂ ବଜେଟ୍ ପ୍ରସ୍ତୁତିରେ ସାମିଲ ଥିବା ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ପରିଦର୍ଶନ କରିବା ସହ ପ୍ରସ୍ତୁତିର ସମୀକ୍ଷା କରିବା ସହ ସଂପୃକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

୫୨ତମ ଜିଏସଟି ପରିଷଦ ବୈଠକରେ କରାଗଲା ବହୁ ଗୁରୁତ୍ୱପୂର୍ଣ୍ଣ ସୁପାରିସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଗୋଆ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଏସଟି ଟିକସ ହାରରେ ପରିବର୍ତ୍ତନ, ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଜିଏସଟି କାଉନସିଲ ନିମ୍ନଲିଖିତ ସୁପାରିସ କରିଛି।

A. ବସ୍ତୁ ଓ ସେବା ଉପରେ ଜିଏସଟି ଦର ସଂକ୍ରାନ୍ତରେ ସୁପାରିସ
I. ସାମଗ୍ରୀର ଜିଏସଟି ହାରରେ ପରିବର୍ତ୍ତନ

1. ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍ ବା ଶ୍ରୀ ଅନ୍ନ ଥିବା ଅଟା ଖୋଲାରେ ବିକ୍ରି ହେଉଥିଲେ ଏହା ଉପରେ କୌଣସି ଜିଏସଟି ଶୁଳ୍କ ଲାଗୁ ହେବ ନାହିଁ। ଅନ୍ୟପଟେ ଆଗୁଆ ପ୍ୟାକେଟ୍ ହୋଇ ଲେଭଲ ଥାଇ ବିକ୍ରି ହେଲେ ୫% ଜିଏସଟି ଲାଗୁ ହେବ ।

2. ଏଚ୍ଏସ୍ ୫୬୦୫ ଅଧୀନରେ ଆସୁଥିବା ମେଟାଲାଇଜ୍ଡ ପଲିଏଷ୍ଟର ଫିଲ୍ମ/ପ୍ଲାଷ୍ଟିକ୍ ଫିଲ୍ମରୁ ନିର୍ମିତ ଇମିଟେସନ ଜରି ସୂତା ବା ସୂତା କୁ ୫% ଜିଏସ୍ ଟି ହାର ଥିବା ଇମିଟେସନ ଜରି ସୂତା ବା ସୂତା ଏଣ୍ଟ୍ରି ମାଧ୍ୟମରେ କରାଯାଇଛି। ତେବେ ପଲିଏଷ୍ଟର ଫିଲ୍ମ (ମେଟାଲାଇଜ୍ଡ୍) /ପ୍ଲାଷ୍ଟିକ୍ ଫିଲ୍ମ ଉପରେ ଇନଭର୍ସନ କ୍ଷେତ୍ରରେ କୌଣସି ରିଫଣ୍ଡ କରାଯିବ ନାହିଁ।

3. ଉପକୂଳରେ ଯାତ୍ରା କରିବାକୁ ମାର୍ଗ ପରିବର୍ତ୍ତନ କଲେ ବିଦେଶ ଯାତ୍ରା କରୁଥିବା ଜାହାଜଗୁଡ଼ିକ ଜାହାର ମୂଲ୍ୟ ଉପରେ ୫% ଆଇଜିଏସଟି ପଇଠ କରିବେ। ତେବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି ବିଦେଶୀ ପତାକା ଥିବା ବିଦେଶୀ ଜାହାଜ ଉପକୂଳରେ ଯାତ୍ରା କରିବା ସମୟରେ ସର୍ତ୍ତମୂଳକ ଓ ସୀମିତ ଅବଧିର ଆଇଜିଏସଟି ଛାଡ଼ କରାଯିବ ।

II. ବସ୍ତୁ ସହ ଜଡ଼ିତ ଅନ୍ୟାନ୍ୟ ଶୁଳ୍କ

1. ମାନବ ବ୍ୟବହାର ପାଇଁ ଆଲକହଲ ଯୁକ୍ତ ମଦ ଉତ୍ପାଦନ ଲାଗି ବ୍ୟବହୃତ ଅତିରିକ୍ତ ସାଧାରଣ ମଦ (ଇଏନଏ) ଜିଏସଟି ବାହାରେ ରଖିବାକୁ ଜିଏସଟି ପରିଷଦ ସୁପାରିସ କରିଛି । ମାନବ ବ୍ୟବହାର ପାଇଁ ମଦ ଉତ୍ପାଦନରେ ଉପଯୋଗ କରାଯାଉଥିବା ଇଏନଏକୁ ଜିଏସଟି ପରିସରରୁ ବାଦ୍ ଦେବା ପାଇଁ ଆଇନ କମିଟି ଆଇନରେ ଉପଯୁକ୍ତ ସଂଶୋଧନ ସଂକ୍ରାନ୍ତରେ ଯାଞ୍ଚ କରିବ।

2. ଶୀରା ଉପରେ ଜିଏସଟି ୨୮%ରୁ ୫%କୁ ହ୍ରାସ କରାଯିବ । ଏହି ପଦକ୍ଷେପ ଚିନ ମିଲଗୁଡ଼ିକ ପାଇଁ ଅଧିକ ନଗଦ ଅର୍ଥ ବୃଦ୍ଧି କରିବ ଏବଂ ଆଖୁ ଚାଷୀଙ୍କ ଆଖୁ ବକେୟା ଶୀଘ୍ର ପରିଶୋଧ କରିବାରେ ସକ୍ଷମ କରିବ । ଶୀରା ମଧ୍ୟ ଏହାର ଉତ୍ପାଦନରେ ଏକ ଉପାଦାନ ହୋଇଥିବାରୁ ଏହା ଦ୍ୱାରା ଗୋଖାଦ୍ୟ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

3. ଶିଳ୍ପ ବ୍ୟବହାର ପାଇଁ ସଂଶୋଧିତ ସ୍ପିରିଟ୍ କୁ ଅନ୍ତର୍ଭୁକ୍ତ କରିବା ପାଇଁ ସୀମା ଶୁଳ୍କ ଆଇନରେ ୮ ଅଙ୍କ ସ୍ତରରେ ଏକ ପୃଥକ ଶୁଳ୍କ ଏଚ୍ ଏସ୍ କୋଡ୍ ସୃଷ୍ଟି କରାଯାଇଛି। ଜିଏସଟି ହାର ବିଜ୍ଞପ୍ତିରେ ସଂଶୋଧନ କରାଯାଇ ଶିଳ୍ପ ବ୍ୟବହାର ପାଇଁ ଇଏନଏର ଏକ ଏଣ୍ଟ୍ରି ସୃଷ୍ଟି କରାଯିବ ଯେଉଁଥିରେ ୧୮% ଜିଏସଟି ଲାଗୁ ହେବ ।

III. ସେବାର ଜିଏସଟି ହାରରେ ପରିବର୍ତ୍ତନ

1. ୨୮.୦୬.୨୦୧୭ ବିଜ୍ଞପ୍ତି ସଂଖ୍ୟା ୧୨/୨୦୧୭-ସିଟିଆରର ଧାରା ନଂ ୩ ଏବଂ ୩ଏରେ ଭାରତୀୟ ସମ୍ବିଧାନର ଧାରା ୨୪୩ଜି ଏବଂ ୨୪୩ଡବ୍ଲୁ ଅଧୀନରେ ପଞ୍ଚାୟତ/ପୌରପାଳିକାକୁ ଦିଆଯାଇଥିବା କୌଣସି କାର୍ଯ୍ୟ ସମ୍ବନ୍ଧରେ କେନ୍ଦ୍ର/ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଉଥିବା ଶୁଦ୍ଧ ଏବଂ ମିଶ୍ରିତ ସେବାକୁ ଜିଏସଟି ଛାଡ଼ କରାଯାଇଛି। ଜିଏସଟି କାଉନସିଲ ବର୍ତ୍ତମାନର ରିହାତି ଏଣ୍ଟ୍ରିଗୁଡ଼ିକୁ କୌଣସି ପରିବର୍ତ୍ତନ ନକରି ବଜାୟ ରଖିବାକୁ ସୁପାରିସ କରିଛି।

2. ଏହାବ୍ୟତୀତ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବସ୍ତି ଉନ୍ନତିକରଣ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବା ଉନ୍ନତିକରଣ ସେବାରୁ ଟିକସମୁକ୍ତ କରିବାକୁ ଜିଏସ୍ ଟି ପରିଷଦ ସୁପାରିସ କରିଛି।

IV. ସେବା ସହ ଜଡ଼ିତ ଅନ୍ୟାନ୍ୟା ପରିବର୍ତ୍ତନ

1. ଏହା ସ୍ପଷ୍ଟ କରାଯାଉଛି ଯେ, ‘‘ଖାଦ୍ୟ ଓ ଖାଦ୍ୟ ଉତ୍ପାଦ ସହ ଜଡ଼ିତ ସେବା କାର୍ଯ୍ୟ’’ କ୍ଷେତ୍ରରେ ପ୍ରଯୁଜ୍ୟ ୫% ଜିଏସଟି ଦର ବାର୍ଲିକୁ ମଲ୍ଟରେ ପ୍ରକ୍ରିୟାକରଣ କରିବା ସେବା କ୍ଷେତ୍ରରେ ମଧ୍ୟ ଲାଗୁ ହେଉଛି ଏବଂ ଏହି ଦର ୧୮% ନୁହେଁ।

2. ସିଜିଏସଟି ଆଇନ, ୨୦୧୭ର ଧାରା ୯(୫) ଅନୁଯାୟୀ ଇଲେକ୍ଟ୍ରୋନିକ୍ ବାଣିଜ୍ୟିକ ଅପରେଟର (ଇସିଓ) ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବସ୍ ପରିବହନ ସେବା ଉପରେ ଜିଏସଟି ପୈଠ କରିବାର ଦେୟତା ଇସିଓଙ୍କ ଉପରେ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ କରାଯାଇଛି । ଶିଳ୍ପ ସଂଘର ପ୍ରସ୍ତାବ ଆଧାରରେ ବାଣିଜ୍ୟ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ଯେ ଇସିଓ ମାଧ୍ୟମରେ ସେବା ଯୋଗାଉଥିବା ଅଧିକାଂଶ ବସ୍ ଅପରେଟର ଗୋଟିଏ କିମ୍ବା ଦୁଇଟି ବସ୍ ର ମାଲିକ ଏବଂ ସେମାନେ ପଞ୍ଜୀକରଣ କରିବା ଏବଂ ଜିଏସଟି ଅନୁପାଳନ ପୂରଣ କରିବା ସ୍ଥିତିରେ ନଥିଲେ। ବ୍ୟବସାୟକୁ ସହଜ କରିବା ପାଇଁ କ୍ଷୁଦ୍ର ଅପରେଟରମାନଙ୍କ ଆବଶ୍ୟକତା ଏବଂ ଆଇଟିସି ନେବା ପାଇଁ ବଡ଼ ସଂଗଠିତ କମ୍ପାନୀର ଆବଶ୍ୟକତା ମଧ୍ୟରେ ସନ୍ତୁଳନ ଆଣିବା ଲାଗି ଜିଏସଟି କାଉନସିଲ ସୁପାରିସ କରିଛି ଯେ, କମ୍ପାନୀ ଭାବରେ ସଂଗଠିତ ବସ୍ ଅପରେଟରମାନଙ୍କୁ ସିଜିଏସଟି ଅଧିନିୟମ, ୨୦୧୭ର ଧାରା ୯(୫)ର ପରିସରରୁ ବାଦ୍ ଦିଆଯାଇପାରେ । ଏହାଦ୍ୱାରା ସେମାନେ ଆଇଟିସି ବ୍ୟବହାର କରି ସେମାନଙ୍କ ଯୋଗାଣ ଉପରେ ଜିଏସଟି ପୈଠ କରିପାରିବେ ।

3. ସାରା ଦେଶରେ ଖଣିଜ ସମ୍ପଦ ଥିବା ଖଣି ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ଟ୍ରଷ୍ଟ (ଡିଏମଏଫଟି) ସରକାରୀ କର୍ତ୍ତୃପକ୍ଷ ଏବଂ ଏହିପରି ଅନ୍ୟ କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ପାଇଁ ଉପଲବ୍ଧ ଜିଏସଟିରୁ ସମାନ ରିହାତି ପାଇବାକୁ ଯୋଗ୍ୟ ବୋଲି ପରିଷଦ ସ୍ପଷ୍ଟ କରିଛି।

4. ଭାରତୀୟ ରେଳବାଇ ଦ୍ୱାରା ସମସ୍ତ ସାମଗ୍ରୀ ଏବଂ ସେବା ଯୋଗାଣ ଉପରେ ଫରୱାର୍ଡ ଚାର୍ଜ ବ୍ୟବସ୍ଥା ଅଧୀନରେ ଟିକସ ଆଦାୟ କରାଯିବ ଯାହା ଦ୍ୱାରା ସେମାନେ ଆଇଟିସି ପାଇପାରିବେ । ଏହା ଦ୍ୱାରା ଭାରତୀୟ ରେଳବାଇର ଖର୍ଚ୍ଚ ହ୍ରାସ ପାଇବ ।

B. ବ୍ୟବସାୟକୁ ସୁଗମ କରିବା ପାଇଁ ପଦକ୍ଷେପ:

i) ଯେଉଁ କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆପିଲ୍ ଦାଖଲ ହୋଇପାରିବ ନାହିଁ ସେଠାରେ ଡିମାଣ୍ଡ ଅର୍ଡର ବିରୋଧରେ ଅପିଲ୍ ଦାଖଲ କରିବା ପାଇଁ କ୍ଷମା ଯୋଜନା

1. ୩୧ ମାର୍ଚ୍ଚ ୨୦୨୩ରେ କିମ୍ବା ତା’ପୂର୍ବରୁ ସିଜିଏସଟି ଆଇନ, ୨୦୧୭ର ଧାରା ୭୩ ଓ ୭୪ ଅଧୀନରେ ଜାରି ହୋଇଥିବା ଡିମାଣ୍ଡ ଅର୍ଡର ବିରୋଧରେ ଏହି ଆଇନର ୧୦୭ ଧାରା ଅଧୀନରେ ଏକ ଅପିଲ କରିପାରିନଥିବା ଟିକସଦାତା ବ୍ୟକ୍ତି କିମ୍ବା କେବଳ ଧାରା ୧୦୭ର ଉପଧାରା (୧) ରେ ନିର୍ଦ୍ଧାରିତ କରାଯାଇଥିବା ସମୟ ଅବଧିରେ ଅପିଲ କରାଯାଇନଥିବା ଦର୍ଶାଇ ଆଦେଶ ବିରୋଧରେ ଯେଉଁମାନଙ୍କର ଅପିଲକୁ ଖାରଜ କରି ଦିଆଯାଇଛି ସେମାନଙ୍କୁ ସିଜିଏସଟି ଆଇନ, ୨୦୧୭ର ଧାରା ୧୪୮ରେ ଥିବା ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ କ୍ଷମା ପ୍ରାର୍ଥନା ଯୋଜନାର ସୁବିଧା ଦେବା ପାଇଁ ପରିଷଦ ସୁପାରିସ କରିଛି। ଏଭଳି ସମସ୍ତ କ୍ଷେତ୍ରରେ ଟିକସଦାତାଙ୍କ ଦ୍ୱାରା ଆବେଦନ ଦାଖଲ ପାଇଁ ୩୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଅନୁମତି ଦିଆଯିବ, ଯେଉଁଥିରେ ବିବାଦ ଅଧୀନ ଟିକସର ୧୨.୫% ପୂର୍ବ ଜମା ରାଶି ପୈଠ କରିବାର ସର୍ତ୍ତ ରହିଛି, ସେଥିରୁ ଅତିକମରେ ୨୦% (ଅର୍ଥାତ୍ ବିବାଦ ଅଧୀନ ଟିକସର ୨.୫%) ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜରରୁ ଡେବିଟ୍ ହେବା ଆବଶ୍ୟକ। ଏହା ଦ୍ୱାରା ବହୁ ସଂଖ୍ୟକ ଟିକସଦାତା ସୁବିଧା ପାଇବେ, ଯେଉଁମାନେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅତୀତରେ ଆବେଦନ କରିପାରି ନାହାନ୍ତି ।

କମ୍ପାନିକୁ ମଞ୍ଜୁର କରାଯାଉଥିବା କ୍ରେଡିଟ୍ ସୀମା/ଋଣ ବିରୁଦ୍ଧରେ ନିର୍ଦ୍ଦେଶକମାନେ ବ୍ୟାଙ୍କକୁ ପ୍ରଦାନ କରୁଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟିର ଟିକସଯୋଗ୍ୟତା ଏବଂ ହୋଲ୍ଡିଂ କମ୍ପାନୀ ଦ୍ୱାରା ଏହାର ସହାୟକ କମ୍ପାନୀକୁ ପ୍ରଦାନ କରାଯାଇଥିବା କର୍ପୋରେଟ୍ ଗ୍ୟାରେଣ୍ଟି ସମେତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ପ୍ରଦାନ କରାଯାଇଥିବା କର୍ପୋରେଟ୍ ଗ୍ୟାରେଣ୍ଟିର ଟିକସଯୋଗ୍ୟତା ସମ୍ପର୍କରେ ସ୍ପଷ୍ଟୀକରଣ: ଏ ସଂକ୍ରାନ୍ତ ପରିଷଦର ସୁପାରିସ ହେଲା :

a) ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରାଯାଇଛି ଯେ ଯେତେବେଳେ ବ୍ୟାଙ୍କ/ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସେମାନଙ୍କ ତରଫରୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ପ୍ରଦାନ କରିବା ପାଇଁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶକଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ପ୍ରତିଫଳ ପ୍ରଦାନ କରାନଯାଏ, ତେବେ ଉକ୍ତ କାରବାର/ଯୋଗାଣର ଖୋଲା ବଜାର ମୂଲ୍ୟକୁ ଶୂନ୍ୟ ବୋଲି ବିବେଚନା କରାଯାଇପାରେ ଏବଂ ତେଣୁ ଏଭଳି ସେବା ଯୋଗାଣ କ୍ଷେତ୍ରରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।

b) ପରସ୍ପର ସହ ଜଡ଼ିତ ପକ୍ଷମାନଙ୍କ ମଧ୍ୟରେ ପ୍ରଦାନ କରାଯାଇଥିବା କର୍ପୋରେଟ୍ ଗ୍ୟାରେଣ୍ଟି ଯୋଗାଣର ଟିକସଯୋଗ୍ୟ ମୂଲ୍ୟ ପ୍ରଦାନ କରିବା, କିମ୍ବା ବାସ୍ତବ ପ୍ରତିଫଳ, ଯାହା ଅଧିକ ଥିବ ତାହାର ଏକ ପ୍ରତିଶତ ଭାବରେ ପ୍ରଦାନ କରିବା ଲାଗି ସିଜିଏସଟି ନିୟମ, ୨୦୧୭ର ନିୟମ ୨୮ରେ ଉପ-ନିୟମ (୨) ସାମିଲ କରିବାକୁ ପରିଷଦ ସୁପାରିସ କରିଛି।

c) ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରାଯାଉଛି ଯେ ଉକ୍ତ ଉପ-ନିୟମ ଯୋଡ଼ିବା ପରେ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ପ୍ରଦାନ କରାଯାଉଥିବା କର୍ପୋରେଟ୍ ଗ୍ୟାରେଣ୍ଟି ସେବାର ଏଭଳି ଯୋଗାଣ ମୂଲ୍ୟ ସିଜିଏସଟି ନିୟମ, ୨୦୧୭ର ନିୟମ ୨୮ର ପ୍ରସ୍ତାବିତ ଉପନିୟମ (୨) ଦ୍ୱାରା ନିୟନ୍ତ୍ରିତ ହେବ ଏବଂ ସେବା ଗ୍ରହଣକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଆଇଟିସି ଉପଲବ୍ଧ ଅଛି କି ନାହିଁ ତାହାର କୌଣସି ଫରକ ପଡ଼ିବ ନାହିଁ ।

iii) ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ଭାବେ ବ୍ୟାଜାପ୍ତି ହୋଇଥିବା ସମ୍ପତ୍ତିର ସ୍ୱୟଂକ୍ରିୟ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା :
ସିଜିଏସଟି ନିୟମ, ୨୦୧୭ର ନିୟମ ୧୫୯ର ଉପନିୟମ (୨) ଏବଂ ଫର୍ମ ଜିଏସଟି ଡିଆରସି-୨୨ରେ ସଂଶୋଧନ କରିବାକୁ ପରିଷଦ ସୁପାରିସ କରିଛି, ଯାହା ଦ୍ୱାରା ଫର୍ମ ଜିଏସଟି ଡିଆରସି -୨୨ରେ ଅସ୍ଥାୟୀ ବ୍ୟାଜାପ୍ତି ପାଇଁ ଦିଆଯାଇଥିବା ଆଦେଶ କଥିତ ଆଦେଶ ଦିଆଯିବା ତାରିଖଠାରୁ ଏକ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ବୈଧ ହେବ ନାହିଁ । କମିଶନରଙ୍କ ଠାରୁ ପୃଥକ ନିର୍ଦ୍ଦିଷ୍ଟ ଲିଖିତ ନିର୍ଦ୍ଦେଶର ଆବଶ୍ୟକତା ରହିବ ନାହିଁ ଏବଂ ଏକ ବର୍ଷର ଅବଧି ଶେଷ ହେବା ପରେ ଅସ୍ଥାୟୀ ଭାବେ ଜବତ ସମ୍ପତ୍ତି ମୁକ୍ତ ହୋଇପାରିବ।

iv) ଯୋଗାଣ ସ୍ଥାନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ: ନିମ୍ନଲିଖିତ ସେବା ଯୋଗାଣ ସମ୍ବନ୍ଧରେ ଯୋଗାଣର ସ୍ଥାନ ସ୍ପଷ୍ଟ କରିବା ପାଇଁ ପରିଷଦ ଏକ ସର୍କୁଲାର ଜାରି କରିବାକୁ ସୁପାରିସ କରିଛି:

a) ଯେଉଁ କ୍ଷେତ୍ରରେ ଯୋଗାଣକାରୀଙ୍କ ଅବସ୍ଥାନ କିମ୍ବା ସେବା ଗ୍ରହଣକାରୀଙ୍କ ଅବସ୍ଥାନ ଭାରତ ବାହାରେ ଥାଏ, ସେହି କ୍ଷେତ୍ରରେ ମେଲ୍ କିମ୍ବା କୋରିଅର୍ ମାଧ୍ୟମରେ ସାମଗ୍ରୀ ପରିବହନର ସେବା ଯୋଗାଣ;

b) ବିଜ୍ଞାପନ ସେବା ଯୋଗାଣ;

c) ସହ-ଅବସ୍ଥାନ ସେବା ଯୋଗାଣ।

v) ସେବାର ରପ୍ତାନି ସମ୍ବନ୍ଧୀୟ ସ୍ପଷ୍ଟୀକରଣ ଜାରି -: ଆଇଜିଏସଟି ଆଇନ ୨୦୧୭ର ଧାରା ୨ର ଧାରା (୬)ର ଉପଧାରା (୪)ର ବ୍ୟବସ୍ଥା ଅନୁଯାୟୀ ସେବା ରପ୍ତାନି ପାଇଁ ଯୋଗ୍ୟତା ଅର୍ଜନ କରିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ସ୍ୱତନ୍ତ୍ର ଆଇଏନଆର ଭୋସ୍ତ୍ରୋ ଆକାଉଣ୍ଟରେ ପ୍ରାପ୍ତ ରପ୍ତାନି ବାବଦ ପ୍ରେରିତ ଅର୍ଥରାଶି ଗ୍ରହଣୀୟତା ସ୍ପଷ୍ଟ କରିବା ପାଇଁ ପରିଷଦ ଏକ ସର୍କୁଲାର ଜାରି କରିବାକୁ ସୁପାରିସ କରିଛି।

୩୧.୦୭.୨୦୨୩ ତାରିଖରେ ଜାରି ହୋଇଥିବା ୦୧/୨୦୨୩-ସମନ୍ୱିତ ଟିକସ ବିଜ୍ଞପ୍ତିରେ ସଂଶୋଧନ ଦ୍ୱାରା ଆଇଜିଏସଟି ଫେରସ୍ତ ମାର୍ଗ ପାଇଁ ଅଧିକୃତ କାର୍ଯ୍ୟ ନିମନ୍ତେ ଏସଇଜେଡ୍ ୟୁନିଟ୍ / ଡେଭଲପର୍ସଙ୍କୁ ଯୋଗାଣ ଅନୁମତି : ସମନ୍ୱିତ ଟିକସ ପୈଠ ଉପରେ ଅଧିକୃତ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଆର୍ଥକ ଜୋନ୍ ଡେଭଲପର୍ କିମ୍ବା ସ୍ୱତନ୍ତ୍ର ଆର୍ଥିକ ଜୋନ୍ ୟୁନିଟକୁ ସାମଗ୍ରୀ କିମ୍ବା ସେବା ଯୋଗାଣ କରିବା ପାଇଁ (ପାନ ମସଲା, ତମାଖୁ, ଗୁଟଖା ଇତ୍ୟାଦି ସାମଗ୍ରୀ ବ୍ୟତୀତ) ବିଜ୍ଞପ୍ତି ସଂଖ୍ୟା ୧/୨୦୨୩-ସମନ୍ୱିତ ଟିକସ ତାରିଖ ୩୧.୦୭.୨୦୨୩ରେ ଉଲ୍ଲେଖ କରାଯାଇଥିବା ସାମଗ୍ରୀ କିମ୍ବା ସେବା ଯୋଗାଣ କରିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ଜୋନ୍ ଡେଭଲପର୍ କିମ୍ବା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ୟୁନିଟକୁ ଯୋଗାଣକାରୀ ଏବଂ ଏହିପରି ପ୍ରଦାନ କରାଯାଇଥିବା ଟିକସ ରିଫଣ୍ଡ ଦାବି କରିବା ଲାଗି ୩୧.୦୭.୨୦୨୩ ତାରିଖରେ ଜାରି ହୋଇଥିବା ୦୧/୨୦୨୩-ସମନ୍ୱିତ ଟିକସ ବିଜ୍ଞପ୍ତିରେ ସଂଶୋଧନ ପାଇଁ ପରିଷଦ ସୁପାରିସ କରିଛି ।

C. ଆଇନ ଓ ପ୍ରକ୍ରିୟା ସଂକ୍ରାନ୍ତରେ ଅନ୍ୟାନ୍ୟ ପଦକ୍ଷେପ :

i) ପ୍ରସ୍ତାବିତ ଜିଏସଟି ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ସମ୍ବନ୍ଧରେ ଟ୍ରିବ୍ୟୁନାଲ ସଂସ୍କାର ଆଇନ, ୨୦୨୧ର ବ୍ୟବସ୍ଥା ସହିତ ସିଜିଏସଟି ଆଇନ, ୨୦୧୭ର ବ୍ୟବସ୍ଥାଗୁଡ଼ିକର ସମନ୍ୱୟ: ନିମ୍ନଲିଖିତ ଉଦ୍ଦେଶ୍ୟ ଲାଗି ସିଜିଏସଟି ଆଇନ, ୨୦୧୭ର ଧାରା ୧୧୦ରେ ସଂଶୋଧନ ପାଇଁ ପରିଷଦ ସୁପାରିସ:

ଆପିଲେଟ୍ ଟ୍ରିବ୍ୟୁନାଲ, କେନ୍ଦ୍ରୀୟ ବର୍ହିଶୁଳ୍କ ଓ ସେବା କର ଟ୍ରିବ୍ୟୁନାଲ, ରାଜ୍ୟ ଭାଟ୍ ଟ୍ରିବ୍ୟୁନାଲରେ ଅଥବା ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ପରୋକ୍ଷ ଟିକସ ଆଇନ ଅଧୀନରେ ମାମଲାରେ ଯଥେଷ୍ଟ ଅଭିଜ୍ଞତା ଥିବା ଜଣେ ଓକିଲ ନ୍ୟାୟିକ ସଦସ୍ୟ ଭାବରେ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ;

ଅଧ୍ୟକ୍ଷ ଏବଂ ସଦସ୍ୟ ଭାବରେ ନିଯୁକ୍ତି ଲାଗି ଯୋଗ୍ୟ ହେବା ପାଇଁ ସର୍ବନିମ୍ନ ବୟସ ୫୦ ବର୍ଷ;

ଅଧ୍ୟକ୍ଷ ଏବଂ ସଭ୍ୟମାନଙ୍କର କାର୍ଯ୍ୟକାଳ ଯଥାକ୍ରମେ ୭୦ ବର୍ଷ ଏବଂ ୬୭ ବର୍ଷ ପର୍ଯ୍ୟନ୍ତ ହେବ ।

ii) ଜିଏସଟି କାଉନସିଲର ୫୦ତମ ବୈଠକରେ ସୁପାରିସ ଅନୁଯାୟୀ ଆଇଏସଡି ସମ୍ବନ୍ଧୀୟ ଆଇନରେ ସଂଶୋଧନ:

ଜିଏସଟି କାଉନସିଲ ଏହାର ୫୦ତମ ବୈଠକରେ ସୁପାରିସ କରିଥିଲା ଯେ ସିଜିଏସଟି ଆଇନ, ୨୦୧୭ର ଧାରା ୨୦ରେ ଧାର୍ଯ୍ୟ କରାଯାଇଥିବା ଆଇଏସଡି (ଇନପୁଟ୍ ସର୍ଭିସ ଡିଷ୍ଟ୍ରିବ୍ୟୁଟର) ପ୍ରକ୍ରିୟାକୁ ତୃତୀୟ ପକ୍ଷଠାରୁ ମୁଖ୍ୟ କାର୍ଯ୍ୟାଳୟ (ଏଚଓ) ଦ୍ୱାରା କ୍ରୟ କରାଯାଇଥିବା ଇନପୁଟ୍ ସେବା ସମ୍ବନ୍ଧରେ ଆଇଟିସି ବଣ୍ଟନ ପାଇଁ ବାଧ୍ୟତାମୂଳକ କରାଯାଇପାରେ କିନ୍ତୁ ଉଭୟ ଏଚଓ ଏବଂ ଶାଖା କାର୍ଯ୍ୟାଳୟ (ବିଓ) କିମ୍ବା କେବଳ ଏକ କିମ୍ବା ଏକାଧିକ ବିଓଙ୍କ ପାଇଁ ଆରୋପଣୀୟ ହେବ।
ସୂଚନା:

ଜିଏସଟି ପରିଷଦର ସୁପାରିସକୁ ଏହି ବିଜ୍ଞପ୍ତି ଜରିଆରେ ହିତାଧିକାରୀଙ୍କ ସୂଚନା ପାଇଁ ସରଳ ଭାଷାରେ ଉପସ୍ଥାପିତ କରାଯାଇଛି । ସମ୍ପୃକ୍ତ ସର୍କୁଲାର/ବିଜ୍ଞପ୍ତି/ଆଇନ ସଂଶୋଧନ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ, ଯାହାକି କେବଳ ଆଇନ ଦ୍ୱାରା ବଳବତ୍ତର ହେବ ।

Categories
ବିଶେଷ ଖବର ବ୍ୟବସାୟ

ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ସମ୍ବିଧାନର ୧୦୧ତମ ସଂଶୋଧନର ଧାରା ୧୮ ଅନୁଯାୟୀ, ଜିଏସଟି ପରିଷଦର ସୁପାରିସ କ୍ରମେ ଏହି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷର ଅବଧି ମଧ୍ୟରେ କେନ୍ଦ୍ର ସରକାର ଏହି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ଅନ୍ୟପଟେ ପାଞ୍ଚ ବର୍ଷ ମଧ୍ୟରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୧୬ହଜାର ୧୬୫ କୋଟି ଟଙ୍କା ମିଳିଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କ୍ଷତିପୂରଣ ଦେବା ଏବଂ ଜିଏସଟି ଅଧୀନରେ ସମ୍ବଳର ବୃଦ୍ଧି ସମ୍ପର୍କରେ ଲକ୍ଷ୍ନୌରେ ଅନୁଷ୍ଠିତ ୪୫ତମ ଜିଏସଟି ବୈଠକରେ ଆଲୋଚନା କରାଯାଇଥିଲା। ପରିଷଦର ନିଷ୍ପତ୍ତି ପରେ ଦୁଇଟି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଜିଏସଟି ପ୍ରଣାଳୀରେ ସଂସ୍କାର ଉପରେ ମନ୍ତ୍ରୀ ଗୋଷ୍ଠୀ ଏବଂ ଦରକୁ ଯୁକ୍ତିସଙ୍ଗତ କରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଦର ଯୁକ୍ତିସଙ୍ଗତ କରିବା ପରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ଏହାର ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲା। କେତେକ ଶୁଳ୍କରେ ସଂଶୋଧନ ଏବଂ ଛାଡ଼ ପାଇଁ ସୁପାରିସ କରାଯାଇଥିଲା ଯାହାକି ଚଣ୍ଡିଗଡ଼ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା।

ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିରନ୍ତର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବା କାରଣରୁ ନିକଟରେ ମାସିକ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି। ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୧.୧୦ ଲକ୍ଷ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏଥିରେ ୩୭% ବୃଦ୍ଧି ପରିଲକ୍ଷିତ ହୋଇଥିବା ମନ୍ତ୍ରୀ କହିଥିଲେ। ମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷର ଅବଧି ଠାରୁ ଅଧିକ ସମୟ ପାଇଁ ଜିଏସଟି କ୍ଷତିପୂରଣ ଦେବା ଲାଗି କେତେକ ରାଜ୍ୟ ଅନୁରୋଧ କରିଥିଲେ।

ମନ୍ତ୍ରୀ ଆହୁରି କହିଥିଲେ ଯେ ଜିଏସଟି (ରାଜ୍ୟମାନଙ୍କୁ କ୍ଷତିପୂରଣ) ଆଇନ, ୨୦୧୭ର ଧାରା ୭ ଅନୁଯାୟୀ, ୧.୭.୨୦୧୭ରେ ଜିଏସଟି ଲାଗୁ ହେବା ପରେ ହୋଇଥିବା ରାଜସ୍ବ ହାନି ବାବଦରେ ୫ ବର୍ଷ ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବାର ନିୟମ ରହିଛି । ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ସମୟରେ, ୨୦୧୫-୧୬ ମୂଳ ବର୍ଷ ତୁଳନାରେ ବାର୍ଷିକ ୧୪% ଅଭିବୃଦ୍ଧି ହାରରେ ରାଜ୍ୟମାନଙ୍କର ରାଜସ୍ବକୁ ସୁରକ୍ଷା ଦିଆଯାଇଛି। ତଦନୁଯାୟୀ, ସୁରକ୍ଷିତ ରାଜସ୍ବ ବାବଦରେ ଦେଖାଦେଇଥିବା ନିଅଣ୍ଟ ଭରଣା କରିବା  ଲାଗି ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯାଇଛି।