ଖୋର୍ଦ୍ଧା: ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ “ସୁଭଦ୍ରା” ଯୋଜନା ନିମିତ୍ତ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ସୁଭଦ୍ରା କୁ କିପରି ସଫଳ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ବୈଠକରେ ଟାଇମସ ଅଫ ଇଣ୍ଡିଆର ମୁଖ୍ୟ ରାଜରାମ ଶତପଥୀ, ଆଇ ଆଇ ଟି ଭୁବନେଶ୍ଵର ର ସହକାରୀ ପ୍ରଫେସର ଦୁଖବନ୍ଧୁ ସାହୁ, ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ତଥା ସରପଞ୍ଚ, ପ୍ରକଳ୍ପ ସ୍ତରୀୟ ସମସ୍ତ ସରକାରୀ ଅଧିକାରୀ, ବ୍ଲକ ର ସଭାପତି, ଜିଲ୍ଲା ପରିଷଦ ସଭାପତି, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ସମସ୍ତ ସି ଡ଼ି ପି ଓ ଆଜି ଯୋଗ ଦେଇ ସେମାନଙ୍କର ବହୁମୂଲ୍ୟ ମତ ଦେଇଥିଲେ। ସୁଭଦ୍ରା ଯୋଜନାରେ ହିତାଧିକାରୀ ଚୟନ, ଅର୍ଥ ଡିପୋଜିଟର ମାଧ୍ଯମ ତଥା ସହାୟତା ଅର୍ଥର କିପରି ସୁବିନିଯୋଗ ହେଇପାରିବ ସେଥିପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ।
ସୂଚନା ଯୋଗ୍ୟ କି ଏହି ପରାମର୍ଶ ବୈଠକ କେବଳ ୧୦ ଟି ଜିଲ୍ଲା କୁ ଦିଆଯାଇଛି ଯେଉଁଥିରୁ ଖୋର୍ଦ୍ଧା ଜିଲ୍ଲା ଅନ୍ୟତମ। କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଅତିରିକ୍ତ ଶିଶୁ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ସୁରଥ ବିଶ୍ଵାଳ ତଥା ଜିଲ୍ଲା ସୁରକ୍ଷା ଅଧିକାରୀ ଗୁରୁବରୀ ସିଂହ କାର୍ଯ୍ୟକ୍ରମକୁ ସମ୍ପାଦନା କରିବାରେ ସହଯୋଗ କରିଥିଲେ।