ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ବ୍ଲକ ସାମ୍ନାରେ ପ୍ରଶାସନ ତରଫରୁ ନିର୍ମାଣଧୀନ ଏକ ପାଚେରୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗତ ଦୁଇ ଦିନ ତଳେ ବାଣପୁର ବ୍ଲକ ପ୍ରଶାସନ ତରଫରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ବିରୋଧ କରିବା ଆରମ୍ଭ କରିଛନ୍ତି।
ବ୍ଲକ୍ ପ୍ରଶାସନ ତରଫରୁ ନିର୍ମାଣ ହେଉଥିବା ପାଚେରୀ ଯାଗାର କିଛି ଅଂଶ ଐତିହ୍ୟସମ୍ପନ୍ନ ପଞ୍ଚୁଦୋଳ ଯାତ୍ରାରେ ବ୍ୟବହୃତ ହୋଇଥାଏ। ସେହି ରାସ୍ତାଟା ଓସାରିଆ ହୋଇଥିବାରୁ ବହୁ ସଂଖ୍ୟକ ଲୋକେ ସେହି ବାଟ ଦେଇ ଯିବାଆସିବା କରିଥାନ୍ତି। ଅପରପକ୍ଷରେ ଏହି ଅଞ୍ଚଳର ଏକ ପ୍ରମୁଖ ଗ୍ରାମ ଭୀମପୁରର ସମେତ ଆଉ ଅନେକ ଗ୍ରାମବାସୀମାନେ ଏହି ରାସ୍ତାରେ ନିର୍ଭରଶୀଳ ରହିଥିବା ସ୍ଥଳେ ବ୍ଲକ ପ୍ରଶାସନ ରାସ୍ତା କଡ଼ରେ ପାଚେରୀ ଉଠାଇବା ପାଇଁ ପ୍ରୟାସ କରିଛି। ସାଧାରଣ ଯାତାୟତ ପାଇଁ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଥିବାବେଳେ ବାଣପୁର ବ୍ଲକ ପ୍ରଶାସନର ପ୍ରାଚୀର ନିର୍ମାଣ ଏହି ରାସ୍ତାକୁ ସଂକୁଚିତ କରିଦେବ ଯାହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକଟ କରିଛନ୍ତି।
ଗତକାଲି ଏହି ପାଚେରୀ ନିର୍ମାଣ କାର୍ଯ୍ୟକୁ ନେଇ ବହୁ ଲୋକେ ଘଟଣାସ୍ଥଳରେ ପ୍ରତିବାଦ କରିବା ସହ ଏହି କାର୍ଯ୍ୟ ତୁରନ୍ତ ବନ୍ଦ ନ ହେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ବ୍ଲକ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଅପରପକ୍ଷରେ ଏହି ରାସ୍ତା କାର୍ଯ୍ୟକୁ ବିରୋଧ କରୁଥିବାର କିଛି ଲୋକେ ସ୍ଥାନୀୟ ବିଧାୟକଙ୍କୁ ଭେଟିଥିଲେ। ବିଧାୟକ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ବ୍ଲକ ପ୍ରଶାସନର ସୁରକ୍ଷା ପାଇଁ ଏହି ପାଚେରୀ ନିର୍ମାଣ ହେଉ। ତେବେ ଏହି ପାଚେରୀଟି ଅସ୍ଥାୟୀ ରୂପେ କରାଯାଉଛି ଏବଂ ପଞ୍ଚୁ ଦୋଳ ସମୟରେ ଯାତାୟାତ ସମସ୍ୟା ଉପୁଜିଲେ ଏହା ପ୍ରତି ଦୃଷ୍ଟି ଦିଆଯିବା ସହ ଏହି ପାଚେରୀ ନିର୍ମାଣରେ ରାସ୍ତା ଯେପରି ସଂକୁଚିତ ନ ହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।
ରାସ୍ତାରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ଗ୍ରାମବାସୀ ତଥା ପଞ୍ଚୁଦୋଳ କମିଟି ସହ ବ୍ଲକ ପ୍ରଶାସନ ବୈଠକ ନକରି ଏପରି ନିଷ୍ପତ୍ତି ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ତେବେ ଯାହାବି ହେଉ ସମୂହ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଣପୁର ବ୍ଲକ ପ୍ରଶାସନ ଉତ୍ତମ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି।