Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥରେ ପାଟ୍ରୋଲିଂ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ଘଟଣା ମୁତାବକ ଆଜି ଅପରାହ୍ନରେ ସୁବୁଦ୍ଧିପାଟଣା ଛକରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଛି। ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଗାଡିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଗାଡ଼ିରୁ ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଆହତ କର୍ମଚାରୀ ଦ୍ବୟ ହେଲେ ଏସପିଓ ବିଶ୍ୱରଞ୍ଜନ ନାୟକ ଏବଂ ଡ୍ରାଇଭର ଭାଗିରଥି ସେଠି।

ସୂଚନା ଥାଉକି ଗାଡ଼ିରେ ଉକ୍ତ ଦୁଇ ଜଣଙ୍କ ସମେତ ହୋମଗାର୍ଡ ବିଦ୍ୟାଧର ସେଠି ମଧ୍ୟ ଉପସ୍ଥିତ ଥିବା ବେଳେ ତାଙ୍କର କିଛି କ୍ଷତି ହୋଇନାହିଁ।

ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବସ ଭ୍ୟାନଟିକୁ ଡାହାଣ ପାର୍ଶ୍ଵରୁ ଧକ୍କା ଦେଇଥିଲା। ଯାହାଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ଧକ୍କା ଦେଇଥିଲା। ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ବସଟିକୁ ପୋଲିସ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି।