Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୮ ରେ ବାଣପୁର ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା: ଚଳଚଞ୍ଚଳ ଚିଲିକା ବିଜେପି

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୨୮ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆସୁଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆ ଠାରେ ତାଙ୍କର ଏକ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି। ସେହି ଦିନ ବାଣପୁର ପଲଟନ ପଡିଆ ଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏ ନେଇ ଚିଲିକା ବିଜେପି ଚଳାଚଞ୍ଚଳ ହୋଇଉଠିଛି।

ଆଜି ମଧ୍ୟାହ୍ନରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା ପଲଟନ ପଡିଆ ବୁଲି ଦେଖିବା ସହ ସଭା ମଞ୍ଚ, ହେଲିପ୍ୟାଡ଼, ବ୍ୟାରିକେଡ଼ ଆଦି ବିଭିନ୍ନ ବ୍ୟବସ୍ଥା ପରଖିଥିଲେ।  ଏହାପରେ ଆଜି ଅପରାହ୍ନରେ ନାଚୁଣୀରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ନଡ୍ଡାଙ୍କ ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଡିସେମ୍ବର ୨୮ ତାରିଖ ଅପରାହ୍ନରେ ଶ୍ରୀ ନଡ୍ଡା ପଲଟନ ପଡିଆ ପହଞ୍ଚିବାର କାର୍ଯ୍ୟକ୍ରମ ଥିବା ବେଳେ ସେଠାରେ ସେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ପୁରୀ ଲୋକସଭାର ବିଶିଷ୍ଟ ବିଜେପି ନେତାମାନଙ୍କ ସହ ଭେଟି ସାଂଗଠନିକ ବିଷୟ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବାର ଜଣାପଡିଛି। ଶ୍ରୀ ନଡ୍ଡାଙ୍କ ବାଣପୁର ଗସ୍ତ ବିଜେପି ଲୋକସଭା ପ୍ରବାସ ଯୋଜନାର ପ୍ରଥମ ଗସ୍ତ ବୋଲି ଜଣାପଡିଛି।