Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଦୁଇଟି ନୂଆ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ, ଖର୍ଚ୍ଚ ହେବ ୪ ହଜାର କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ମୋଟ ୬,୪୫୬ କୋଟି ଟଙ୍କା (ପ୍ରାୟ) ବ୍ୟୟ ଅଟକଳ ସହିତ  ରେଳ ମନ୍ତ୍ରଣାଳୟର ଦୁଇଟି ନୂଆ ରେଳ ଲାଇନ୍‌ ଓ ଗୋଟିଏ ମଲ୍ଟି ଟ୍ରାକିଂ ବା ଟ୍ରାକ୍‌ ସଂଖ୍ୟା ବୃଦ୍ଧି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

କ୍ୟାବିନେଟ୍‌ ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ଦୁଇଟି ପ୍ରକଳ୍ପ ସାମିଲ ରହିଛି। ଏଥିରେ ଥିବା ୩୭ କିଲୋମିଟର ଲମ୍ବ ସରଡେଗା-ଭାଲୁମୁଡ଼ା ଡବଲ୍‌ ରେଳ ଲାଇନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସହ ଯୋଡ଼ିବ।

ସେହିପରି ବରଗଡ଼ ଜିଲ୍ଲାକୁ ନୂଆପଡ଼ା ସହ ଯୋଡ଼ୁଥିବା ୧୩୮ କିଲୋମିଟର ଲମ୍ବ ବରଗଡ଼ ରୋଡ୍‌ – ନୂଆପଡ଼ା ରୋଡ୍‌ ନୂଆ ଲାଇନକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି । ଦୁଇଟି ପ୍ରକଳ୍ପ ପାଇଁ ଯଥାକ୍ରମେ ୧,୩୬୦ କୋଟି ଏବଂ ୨,୯୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ୨୧୭୦ କୋଟି ଟଙ୍କା ବ୍ୟୟରେ ୧୨୧ କି.ମି. ବିଶିଷ୍ଟ ଜାମସେଦପୁର-ପୁରୁଲିଆ-ଆସାନସୋଲ୍‌ ରେଳ ଲାଇନକୁ ମଞ୍ଜୁର କରାଯାଇଛି ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରେଳ ସଂଯୋଗ ବିହୀନ ଅଞ୍ଚଳକୁ ରେଳ ସେବା ପ୍ରଦାନ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ବର୍ତ୍ତମାନର ରେଳ ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱର୍କ ବିସ୍ତାର କରିବ, ଯାହାଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ।

ନୂତନ ଲାଇନ୍ ପ୍ରସ୍ତାବଗୁଡ଼ିକ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାକୁ ଉନ୍ନତ କରିବ । ଏଥିସହିତ ଭାରତୀୟ ରେଳବାଇ ପାଇଁ ଦକ୍ଷତା ଏବଂ ସେବା କ୍ଷେତ୍ରରେ ବିଶ୍ୱସନୀୟତା ଆଣିବ । ରେଳ ଲାଇନ ମଲ୍ଟି ଟ୍ରାକିଂ ବା ଏକାଧିକ ଟ୍ରାକ୍‌ ନିର୍ମାଣ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ଟ୍ରେନ ଚଳାଚଳକୁ ସହଜ କରାଯିବା ଦ୍ୱାରା ଭିଡ଼ ହ୍ରାସ ପାଇବ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ସଂକଳ୍ପ ଅନୁରୂପ ଯାହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବିକାଶ ମାଧ୍ୟମରେ ଏସବୁ ଅଞ୍ଚଳର ଲୋକମାନଙ୍କୁ ‘‘ଆତ୍ମନିର୍ଭରଶୀଳ’’ କରିବ, ଫଳରେ ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି ହେବ । ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ପ୍ରାୟ ୧ କୋଟି ୧୪ ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ।

ଏହି ପ୍ରକଳ୍ପଗୁଡ଼ିକ ବହୁମୁଖି ଯୋଗାଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ ଅଟେ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି । ଏଗୁଡ଼ିକ ସାଧାରଣ ଯାତ୍ରୀ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବେ ।

୪ଟି ରାଜ୍ୟ ଯଥା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ  ଓ ଛତିଶଗଡ଼ର ୭ଟି ଜିଲ୍ଲାକୁ ସାମିଲ କରି ୩ଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ପ୍ରାୟ ୩୦୦ କିଲୋମିଟର ଅଧିକ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ସହିତ ୧୪ଟି ନୂତନ ଷ୍ଟେସନ ନିର୍ମାଣ କରାଯିବ, ଯାହା ୨ଟି ଆକାଂକ୍ଷୀ ଜିଲ୍ଲା (ନୂଆପଡ଼ା ଓ ପୂର୍ବ ସିଂହଭୂମ୍)କୁ  ଯୋଗାଯୋଗରେ ସୁଧାର ଆଣିବ। ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୧ ଲକ୍ଷ ଜନସଂଖ୍ୟାକୁ ରେଳ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ଟ୍ରାକ୍‌ ସଂଖ୍ୟା ବୃଦ୍ଧି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୯ ଲକ୍ଷ ଜନସଂଖ୍ୟାକୁ ଉନ୍ନତ ରେଳ ଯୋଗାଯୋଗ ସେବା ମିଳିପାରିବ ।

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନପଥର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୪୫  ନିୟୁତ ଟନ୍ (ଏମଟିପିଏ) ପରିମାଣର ଅତିରିକ୍ତ ମାଲ ପରିବହନ ସହଜ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ କୁ ହ୍ରାସ କରିବା, ତୈଳ ଆମଦାନୀ (୧୦ କୋଟି ଲିଟର) କମାଇବା ଏବଂ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ (୨୪୦ କୋଟି କିଲୋଗ୍ରାମ) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା କି ୯.୭ କୋଟି ବୃକ୍ଷରୋପଣ ସହିତ ସମାନ ।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନରେ ୫ ବର୍ଷରୁ କମ୍ ପିଲାଙ୍କ ମାଗଣା ଯାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନାହିଁ, ରେଳ ବିଭାଗ

ନୂଆଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ।

ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁ ନାହାନ୍ତି, ତେବେ ଏହା ମାଗଣା ରହିଛି, ଯେଉଁ ଭଳି ପୂର୍ବରୁ ରହି ଆସିଛି।

ରେଳ ମନ୍ତ୍ରଣାଳୟର ତା ୦୬.୦୩.୨୦୨୦ରିଖର ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ପାଂଚ ବର୍ଷରୁ କମ୍ ବୟସର ପିଲା ମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବ ନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକେଟ୍ କ୍ରୟ କରିବା ଆବଶ୍ୟକ ନାହିଁ। ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ ବା ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଂକ୍ରମଣକୁ ରୋକିବା ଲାଗି ପୂର୍ବତଟ ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା

ଭୁବନେଶ୍ୱର: କମ୍ ଯାତ୍ରୀ ଓ କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳ ବିଭାଗ ବଡ଼ ପଦକ୍ଷେପ ନେଇଛି। ମେ’ ୩୧ ଯାଏଁ ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା। ଭୁବନେଶ୍ୱର-କେନ୍ଦୁଝରଗଡ଼, ଭୁବନେଶ୍ୱର-ଭଦ୍ରକ ଟ୍ରେନ ଉଭୟ ପଟୁ ବାତିଲ ହୋଇଛି। ସେହିପରି କଟକ-ଭଦ୍ରକ, କଟକ-ପାରାଦୀପ ସ୍ପେଶାଲ ଟ୍ରେନ୍‌ ଉଭୟ ପଟୁ ବାତିଲ ହୋଇଛି। ୨୨, ୨୩, ୨୬, ୨୯ ଓ ୩୦ ତାରିଖରେ ୩ ଯୋଡ଼ା ମେମୁ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ପୁରୀ-ଅନୁଗୋଳ, ପୁରୀ-କଟକ, ଭୁବନେଶ୍ୱର-ପଲାସା ଉଭୟ ପଟୁ ବାତିଲ୍‌ କରିଛି ପୂର୍ବତଟ ରେଳ ବିଭାଗ।

ପୂର୍ବରୁ ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଥିଲେ ପୂର୍ବତଟ ରେଲୱେ। ମେ’ ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଥିଲା। ସେହିପରି ଆସନ୍ତା ୯ରୁ ୨୩ ତାରିଖ ଯାଏଁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ବାତିଲ୍‌, ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ ବାତିଲ୍ କରାଯାଇଥିଲା। ସେହିପରି ଗତ ୭ଠୁ ୩୦ ଯାଏଁ ତିରୁପତି-ବିଶାଖାପାଟଣା ସ୍ପେଶାଲ ଟ୍ରେନ ବାତିଲ୍‌ କରାଯାଇଥିଲା। ଗତ ୮ରୁ ୩୧ ତାରିଖ ଯାଏଁ ବିଶାଖାପାଟଣା-ତିରୁପତି ସ୍ପେଶାଲ ଟ୍ରେନ୍‌, ୮ରୁ ୨୯ ଯାଏଁ ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌ ଓ ୯ରୁ ୩୦ ତାରିଖ ଯାଏଁ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାତିଲ୍ କରାଯାଇଛି