Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଓ ନେକ୍ସ୍ଟ ଓଟିଟିରେ ଜୁନ ୧୪ ରେ ଉପଲବ୍ଧ ହେବ ଅନୁଭବ ମହାନ୍ତିଙ୍କ ସୁପର ହିଟ୍ ଫିଲ୍ମ ‘କୁହୁଡି’

ଭୁବନେଶ୍ଵର: ପୂର୍ବ ଭାରତର ସବୁଠାରୁ ଲୋକପ୍ରିୟ ଓ ପ୍ରିମିୟମ୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ଜୁନ ୧୪ ତାରିଖରୁ ଉପଲବ୍ଧ ହେବ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସୁପର ହିଟ୍ ଫିଲ୍ମ କୁହୁଡି’। ୨୦୨୪ ରଜରେ ବଡ଼ ପରଦାକୁ ଏହି ଫିଲ୍ମ ମାଧ୍ୟମରେ ଫେରିଥିଲେ ଅନୁଭବ ମହାନ୍ତି। ଫିଲ୍ମଟି ନିଆରା ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁ ଥିଲା।

ନିର୍ଦ୍ଦେଶକ ଅଜୟ ପାଢୀଙ୍କ ନିର୍ଦ୍ଦେଶିତ ଏହି ‘କୁହୁଡି’ ଫିଲ୍ମରେ ଅନୁଭବ ମହାନ୍ତିଙ୍କ ସହ ଅଭିନେତା ଦ୍ବିପନ୍ବିତ ଦାସମହାପାତ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। କ୍ୟାମେରା କୁଇନ ପ୍ରଡ଼କ୍ସନ ପ୍ରସ୍ତୁତ ଏହି ଓଡ଼ିଆ ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଥିଲେ ହିମାଦ୍ରୀ ତନୟ ଦାସ, ନିର୍ଦ୍ଦେଶନା ଅଜୟ ପାଢ଼ୀ, ଚିତ୍ରତ୍ତୋଳନ ଅନିଲ କାକ୍କୀ କରିଥିଲେ। ଅନ୍ୟାନ୍ୟ ଭୂମିକାରେ କୁନା ତ୍ରିପାଠୀ, ସୁକୁମାର ଟୁଡୁ, ସୁଶୀଲ ମିଶ୍ର, ଶକ୍ତି ବରାଳ ଏବଂ ଦୁଇଜଣ ଶିଶୁ କଳାକାର ପିହୂ ଏବଂ ଦୀକ୍ଷା ପ୍ରମୁଖ ଅଛନ୍ତି।

‘ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଦର୍ଶକଙ୍କ ମନକୁ ଛୁଇଁଲା ପରି କାହାଣୀ ଓ ବିଷୟ ବସ୍ତୁ ନିଜ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆଣିଥିବାରୁ ସମସ୍ତ ଓଡ଼ିଆଙ୍କ ପ୍ରିୟ ହୋଇ ପାରିଛି। ରଜ ପୂର୍ବରୁ ଏହି ଫିଲ୍ମଟି ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ। ଅନୁଭବ ଜଣେ ଓକିଲ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଦ୍ବିପନ୍ବିତ ଏକ ଅଭିଯୁକ୍ତ ଭୂମିକାରେ ନଜର ଆସିଛନ୍ତି ଏହି ଫିଲ୍ମରେ। ବହୁ ପ୍ରତିକ୍ଷୀତ ଏହି ଫିଲ୍ମ ପାଇଁ ଅନୁଭବଙ୍କ ଫ୍ୟାନ ମାନେ ଏହି ଫିଲ୍ମକୁ ଭରପୁର ଭଲପାଇବା ଦେବା ସହ ଏହି ଫିଲ୍ମ ଓଡ଼ିଶାର ରଜ ବଜାରକୁ ପୂରା ସରଗରମ କରିବ ବୋଲି ସେ କହିଛନ୍ତି।

‘କୁହୁଡି’ ଏକ ପାରିବାରିକ ବିଷୟବସ୍ତୁ ଆଧାରିତ ଫିଲ୍ମ। ସତ ମିଛର କୁହୁଡି ଭିତରେ କିଭଳି କୁହୁଡି ହଟିଛି ଆଉ ସତ ସାମ୍ନାକୁ ଆସିଛି, ବିଶେଷକରି ଜଣେ ବିଚ୍ଛେଦ ବାପା ମାଆଙ୍କର ସନ୍ତାନ କାହା ପାଖରେ ରହିବାର ଆବଶ୍ୟକତା ଅଛି ନା ପିଲାର ସୁସ୍ଥ ଭବିଷ୍ୟତ ପାଇଁ ବାପା ଓ ମା’ଙ୍କୁ ଏକାଠି ରହିବାର ଅଛି ତାର ନିଷ୍ପତ୍ତି ଏହି ଫିଲ୍ମରେ ଦେଖିବାକୁ ମିଳିଛି। ସମାଜକୁ ଏକ ସୁନ୍ଦର ସଚେତନତା ଏବଂ ଶିକ୍ଷଣୀୟ ବାର୍ତ୍ତା ଦେଇ ଏହି ସିନେମାଟି ଗତିଶୀଳ ହୋଇଥିବା ହେତୁ ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ଏକ ଅନନ୍ୟ ରେକର୍ଡ କରିବ ବୋଲି ଫିଲ୍ମର ସମସ୍ତ ସଦସ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୂର୍ବ ଭାରତରେ ପ୍ରଥମ: ଏମ୍‌ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହିତ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି। ଏଥିସହିତ ପ୍ରଯୁକ୍ତିବିଦ୍ୟା ସହିତ ଚିକିତ୍ସା ବିଜ୍ଞାନର ସମ୍ମୀଶ୍ରଣ କରି ଉନ୍ନତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ଲପଲବ୍ଧି ହାସଲ କରିଛି ଏହି ଜାତୀୟ ଅନୁଷ୍ଠାନ।

ଏମ୍‌ସ ଭୁବନେଶ୍ବର ଅର୍ଥୋପେଡିକ୍‌ସ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳା ରୋଗୀଙ୍କର ପ୍ରଥମ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସଫଳତାର ସହିତ କରାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାଯୁକ୍ତ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସୁଗମ ଭାବରେ ସମ୍ପନ୍ନ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ମାତ୍ର ୪୮ ଘଣ୍ଟା ପରେ ସେ ସ୍ବାଭାବିକ ଭାବେ ଚଲାବୁଲା କରିପାରିବେ ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ଭାବେ ଏହି ପ୍ରକ୍ରିୟା ସମ୍ପାଦନରେ ସଫଳତା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ସମ୍ପୂର୍ଣ୍ଣ ଅର୍ଥୋପେଡିକ୍ସ୍‌ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସମୟରେ ରୋବୋଟିକ୍‌ ସର୍ଜରୀର ଗୁରୁତ୍ବ ସମୟର ଏକ ବଡ଼ ଆହ୍ବାନ। କିନ୍ତୁ ଘରୋଇ କ୍ଷେତ୍ରରେ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଏମ୍‌ସରେ ଏହା ସମାଜର ସମସ୍ତ ବର୍ଗଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସେବାର ଉପଲବ୍ଧତାକୁ ସୁନିଶ୍ଚିତ କରି ରୋବୋ-ସହାୟିତ ଅସ୍ତ୍ରୋପଚାରଗୁଡ଼ିକୁ ସୁଗମ କରିଥିବା ଡ. ବିଶ୍ୱାସ କହିଛନ୍ତି।

ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ସାଧାରଣତଃ “ଶତାବ୍ଦୀର ଅସ୍ତ୍ରୋପଚାର” ଭାବରେ ଜଣାଶୁଣା, ଯାହା ଦୁର୍ବଳ ଆଣ୍ଠୁ ଆର୍ଥ୍ରାଇଟିସ୍ ପୀଡ଼ିତ ରୋଗୀଙ୍କ ଜୀବନକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ସମୟରେ, ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ଅନେକଙ୍କ ପାଇଁ ଆଶାର ନୂତନ ଆଲୋକ ପାଲଟିଛି।

ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ସଠିକତାକୁ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିଥାଏ। ଏହି ପ୍ରଯୁକ୍ତିବିଦ୍ୟା ମାନବ ତ୍ରୁଟିର ବିପଦକୁ କମ କରେ ଏବଂ ପ୍ରକୃତ-ସମୟ ମତାମତ ପ୍ରଦାନ କରି, ସର୍ଜନଙ୍କୁ ଜଟିଳ ପଦକ୍ଷେପଗୁଡ଼ିକୁ ଅଧିକ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ। ଯାହାକି ଏପରି ଅସ୍ତ୍ରୋପଚାର ଫଳାଫଳକୁ ଉନ୍ନତ କରୁଥିବା ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି।

ଯୋଗ୍ୟ ରୋଗୀମାନଙ୍କୁ ମାଗଣା ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ଜୀବନ ପରିବର୍ତ୍ତନକାରୀ ଚିକିତ୍ସାର ସୁବିଧାକୁ ଆହୁରି ବିସ୍ତାର କରିଛି। ଏମ୍‌ସରେ ପ୍ରଥମ ରୋବୋଟିକ୍‌ ଅସ୍ତ୍ରୋପଚାର ପ୍ରାୟ ୮୦ ମିନିଟ୍ ସମୟ ନେଇଥିଲା। ଆଗକୁ ଏହି ସମୟ ଆହୁରି କମିବ। ସେହିପରି ଖୁବ୍‌ଶୀଘ୍ର ଏମ୍‌ସରେ ରୋବୋଟିକ୍‌ ହିପ୍‌ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି। ଏହି ପ୍ରଥମ ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାରରେ ଅର୍ଥୋପେଡିକ୍‌ସ ବିଭାଗର ଚିକିତ୍ସକଙ୍କ ସମେତ ଅନ୍ୟମାନେ ସାମିଲ୍‌ ଥିଲେ।

ଆଜି ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ବିଶ୍ୱାସଙ୍କ ସହିତ, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ପାତ୍ରଙ୍କ ସମେତ ଡ. ସୁଜିତ ତ୍ରିପାଠୀ, ଡ. ଗୁରୁଦୀପ ଦାସ, ଡ. ମେଗାନାଥ ଭି ପାୱାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ପାରମ୍ପରିକ ଆଣ୍ଠୁ ପ୍ରତିରୋପଣ ପ୍ରକ୍ରିୟାରେ ଜିଗ୍ସ ଏବଂ କଟିଂ ବ୍ଲକ ବ୍ୟବହାର ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, ଗୁରୁତର ବିକୃତି, ପୂର୍ବ ଅସ୍ତ୍ରୋପଚାର କିମ୍ବା ଉନ୍ନତ ଆର୍ଥ୍ରାଇଟିସ୍ ଜଟିଳ କ୍ଷେତ୍ରରେ, ମାନବ ତ୍ରୁଟିର ସମ୍ଭାବନା ବହନ କରୁଥିଲା। ମାତ୍ର ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଏହି ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଏହା ସହିତ, ରୋବୋଟ୍ ନାଭିଗେସନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ସ୍ୱାଧୀନ ଭାବରେ କିଛି ପଦକ୍ଷେପ ନେଇପାରିବ, ସମଗ୍ର ଅସ୍ତ୍ରୋପଚାର ସମୟରେ ଉଚ୍ଚ ସ୍ତରର ସଠିକତା ଏବଂ ସ୍ଥିରତା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଟିଇଆର କୁ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି।

ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ ସୁଦ ଏହି ସମ୍ମାନ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ସୋଆର ଆଇଟିଇଆରକୁ ‘ର‌୍ୟାଗିଙ୍ଗ ମୁକ୍ତ କ୍ୟାମ୍ପସ୍‌’ ଭାବେ ପ୍ରତିପାଦିତ କରାଯାଇଥିଲା। ଆଇଟିଇଆର୍‌ରେ ର‌୍ୟାଗିଙ୍ଗ୍‌କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଏ ନାହିଁ କିମ୍ବା ସେଭଳି ପରିବେଶ ଏଠାରେ ନାହିଁ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କୁହାଯାଇଥିଲା।

ସୋଆ ପକ୍ଷରୁ ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନି୍ସ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଉତ୍କର୍ଷ କୁମାର, ବରିଷ୍ଠ ସାମ୍ବାଦିକ ବଲବିର ଦତ, ବିଶିଷ୍ଠ ପରିବେଶବିତ୍ କୌଶଳ କିଶୋର ଜୟସ୍ୱାଲ୍‌, ରାଡିସନ୍ ବ୍ଲୁର ପରିଚାଳନା ନିର୍ଦ୍ଦେଶିକା ନନ୍ଦିନୀ ଗୁପ୍ତା ଓ ଜେନେରାଲ ମ୍ୟାନେଜର ହେମନ୍ତ ମେହେଟା ଅତିଥି ଭାବେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କୋଲକାତାରେ “ସିଆଇଆଇ ପୂର୍ବାଞ୍ଚଳ ଏକଜିମ୍ ସମ୍ମିଳନୀ”ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ଭାରତରେ ବିପୁଳ ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ଯୁବଗୋଷ୍ଠୀ ଓ ଦକ୍ଷ ଶ୍ରମଶକ୍ତି ରହିଛି। ଏହି ରାଜ୍ୟ ସମୂହର ମାନବ ସମ୍ବଳ ଏବଂ ବୌଦ୍ଧିକ କ୍ଷମତା ଆମ ଦେଶର ଅଭିବୃଦ୍ଧିକୁ ଆଗକୁ ନେଇପାରିବ। ବିଶେଷ ଭାବରେ କୋଲକାତା, ଭୁବନେଶ୍ଵର, ପାଟନା, ରାଞ୍ଚି, ରାୟପୁର ଏବଂ ପୂର୍ବ ଭାରତର ସମସ୍ତ ପ୍ରମୁଖ ସହର ଭାରତ ଓ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହେବାର ସମ୍ଭାବନା ରଖିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ମଙ୍ଗଳବାର କୋଲକାତା ଠାରେ ଆୟୋଜିତ “ସିଆଇଆଇ ପୂର୍ବାଞ୍ଚଳ ଏକଜିମ୍ ସମ୍ମିଳନୀ- ୨୦୨୪”ରେ ପୂର୍ବାଞ୍ଚଳକୁ ଭାରତର ପ୍ରଗତିର ପ୍ରବେଶ ଦ୍ୱାରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଚଳିତବର୍ଷ ବଜେଟରେ ପ୍ରସ୍ତୁତ ‘ପୂର୍ବୋଦୟ ଯୋଜନା’ ହୋଇଛି। ସାଧାରଣତଃ ଦେଶର ସମସ୍ତ ରପ୍ତାନି ମଧ୍ୟରୁ ଅଳ୍ପ ପରିମାଣର ରପ୍ତାନି ପୂର୍ବ ଭାରତରୁ ଆସିଥାଏ। ଭାରତ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ନୀତିକୁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି। ଆମର ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ଅଛି ଯାହାଦ୍ୱାରା ପୂର୍ବ ଭାରତ ଏଥିରୁ ଅଧିକ ଲାଭବାନ ହୋଇପାରିବ। ପ୍ରଥମ ପର୍ଯ୍ୟାୟରେ ଏହି କ୍ଷେତ୍ରର ବିକାଶ ପାଇଁ ଏଠାରେ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ନୀତି ସଂସ୍କାର ପାଇଁ ଚିନ୍ତା କରାଯାଇଛି। ଦୀର୍ଘ ଦିନ ପରେ ଦେଶର ଖଣିଜ ନୀତିରେ ସଂସ୍କାର ଆସିଛି। ଏହି ସବୁ ଲାଭ ପୂର୍ବ ଭାରତକୁ ମିଳିବ। ପୂର୍ବ ଭାରତର ପ୍ରତିଭା ପୁଞ୍ଜିର ଆକାଂକ୍ଷାକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ପୂର୍ବ ଭାରତର ଓ୍ୱେଲଥ୍ କ୍ରିଏଟର, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ନୀତି ନିର୍ଦ୍ଧାରଣକାରୀ ଏକାଠି ହେବା ଆବଶ୍ୟକ। ପୂର୍ବ  ଭାରତର ସମ୍ପୂର୍ଣ୍ଣ ରପ୍ତାନି ସମ୍ଭାବନାକୁ ଉପଲବ୍ଧ କରିବା ଏବଂ ଭାରତକୁ ରପ୍ତାନିର ଏକ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ ଭଳି ଶିଳ୍ପ ସଂସ୍ଥା ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆଇଆଇଟି ଖଡଗପୁର ଗବେଷଣା ପାର୍କ ପରିଦର୍ଶନ କରିଥିଲେ। ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା, ଶୈକ୍ଷିକ ପ୍ରଦର୍ଶନ, ଗବେଷଣା ପ୍ରକଳ୍ପ, ଶିଳ୍ପ ସହଭାଗୀତା, ରାଙ୍କିଂ, ରେଟିଂ ଏବଂ ଭବିଷ୍ୟତ ଯୋଜନା ଉପରେ ଏକ ବିସ୍ତୃତ ପ୍ରଜେଣ୍ଟେସନ ଦେଖିଥିଲେ। ଏନଆଇଟି ଦୁର୍ଗାପୁର, ଆଇଜର୍ କୋଲକାତା, ଆଇଆଇଇଏସଟି ଶିବପୁର, ତ୍ରିପଲ ଆଇଟି କଲ୍ୟାଣୀ, ବିଶ୍ୱ ଭାରତୀ, ଆଇଆଇଏମ କୋଲକାତା, ଏନଆଇଟିଟିଆର କୋଲକାତା, ଜିକେସିଆଇଇଟି ମାଲଦା ଏବଂ ଆଇଆଇଟି ଖଡ଼ଗପୁର ଭଳି ସମସ୍ତ ଅନୁଷ୍ଠାନ ଗବେଷଣା, ଇନୋଭେସନ, ଉଦ୍ୟୋଗ ଏବଂ ନିଯୁକ୍ତି ଦୃଶ୍ୟପଟ୍ଟକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଅନେକ ମହତ୍ୱାକାଂକ୍ଷୀ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଆମର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଶ୍ୱସ୍ତରୀୟ ଜ୍ଞାନ କେନ୍ଦ୍ରରେ ପରିଣତ କରିବା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ନାଳନ୍ଦା ଭାବନାକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ।

Categories
ଆଞ୍ଚଳିକ

ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ଵ କ୍ୟାନ୍ସର ଦିବସ ପାଳିତ 

ଭୁବନେଶ୍ବର: ପୂର୍ବ ଭାରତରେ ସେବା ବୃହତ କ୍ୟାନ୍ସର ସେଣ୍ଟର ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ, ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସାଲିଷ୍ଟ ଉତ୍କଳ ହସ୍ପିଟାଲରେ ବିଶ୍ଵ କ୍ୟାନ୍ସର ଦିବସ ଅବ୍ୟବହିତ ପୂର୍ବରୁ ଆଜି କ୍ୟାନ୍ସର ରୋଗର କାରଣ, ନିଦାନ ଓ ନିରାକରଣ ଉପରେ  ଏକ ଆଲୋଚନା ଚକ୍ର ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କ୍ୟାନ୍ସର ବିଶେଷଜ୍ଞ ମାନେ ଯୋଗ ଦେଇ ଜନସାଧାରଣଙ୍କୁ ସାଂପ୍ରତିକ ସ୍ଥିତିରେ କର୍କଟ ରୋଗର ମୁକାବିଲା ଏକ ଆହ୍ଵାନ ସାଜିଥିବା ବେଳେ ସମୟ ପୂର୍ବରୁ ଏହାର ଚିହ୍ନଟ ତଥା ଚିକିତ୍ସା ପଦ୍ଧତି ଉପରେ ବିଶେଷ ଆଲୋଚନା କରଯାଇଥିଲା।

ନିର୍ଦ୍ଦେଶକ ମେଡିକାଲ ସାଇନ୍ସ ଡ. ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ ରେଡିଏସନ ଅଙ୍କୋଲୋଜି ଡ. ସଞ୍ଜୀବ କୁମାର ମିଶ୍ର, ଡ. ଚିନ୍ମୟ ପାଣି, ରଞ୍ଜନ ମହାନ୍ତି, ଡ. ଦିଲ୍ଲୀପ କର, ଡ. ସୁଶାନ୍ତ ପାଇକରାୟ, ଡ. ବ୍ରହ୍ମାନନ୍ଦ ସତପଥି, ଡ. ସେଖ ଅଲ୍ଲୀ, ଡ. ଅରୟାବନି ଦତ୍ତ, ଓଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ର ଏବଂ କ୍ୟାନ୍ସର ସରଭାଇଭର ସତ୍ବତି ମିଶ୍ର ଏବଂ ଅନେକ ଖ୍ୟାତନାମା ଡକ୍ଟର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଡ଼ିଏମଇଟି ପ୍ର. ଡ. ସଚିଦାନନ୍ଦ ମହାନ୍ତି ତାଙ୍କର ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଉପଯୁକ୍ତ ସୁଯୋଗ ମିଳିଲେ ଆଗାମୀ ଦିନରେ ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବାର ସାମର୍ଥ୍ୟ ରଖିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ  ଆଲୋଚନା ଚକ୍ରର ଉଦଘାଟନୀ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରର ଶୀର୍ଷକ ରହିଛି  “ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ସ୍ଥାପନ ଉପରେ ପ୍ରତିଫଳନ” । ଏହା ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଆମର ସାମୂହିକ ପ୍ରୟାସର ଏକ ଅଂଶବିଶେଷ । ପୂର୍ବୋଦୟ ମିଶନର ସବୁଠାରୁ ବଡ଼ ଲାଭାର୍ଥୀ ଓଡ଼ିଶା ହୋଇଛି । ମିଶନ ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୃଷ୍ଟିକୋଣ ନୂତନ ସୁଯୋଗ ସୃଷ୍ଟି କରୁଛି ।  ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ମାନବ ପୁଞ୍ଜି ଏବଂ ଭୌଗଳିକ ଅବସ୍ଥିତି ସହ ପୂର୍ବ ଭାରତ ଓ ଓଡ଼ିଶା ଆଗାମୀ ଦିନରେ ବିକଶିତ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି ୧୦ କୋଟି ଲୋକ “ପୂର୍ବୋଦୟ” ଅର୍ଥାତ୍ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟସମୂହରେ ବସବାସ କରନ୍ତି । ଆମର ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶର ସଂସ୍କୃତି ପ୍ରାୟ ସବୁ ଏକାପରି । ଏହି ଅଞ୍ଚଳର ସମ୍ଭାବନା ହିମାଳୟ ଠାରୁ ବି ବଡ । ଓଡ଼ିଶା ସମେତ ଏହି ରାଜ୍ୟ ସମୂହରେ ଦକ୍ଷତାର କୌଣସି ଅଭାବ ନାହିଁ । ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ପରିଶ୍ରମୀ ମାନବ ସମ୍ବଳ ବସବାସ କରନ୍ତି । ଅତୀତରେ ଏଠାରେ ଅନେକ ବଡ ବଡ କୀର୍ତ୍ତିମାନ ସ୍ଥାପନ ହୋଇଛି । ଏହି ସବୁ ଅଞ୍ଚଳର ସାମଗ୍ରିକ ବିକାଶର ରାସ୍ତା ଭାରତ ଦେଇ ହେବ । ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ ଭଳି ଅଞ୍ଚଳରେ ବନ୍ଦର ସଂଯୋଗୀକରଣ, ବୌଦ୍ଧିକ କ୍ଷମତାର ନେଟଓ୍ୱାର୍କିଂ, ସମ୍ବଳ ପରିଚାଳନା ଅଛି ତଥା ବିଶ୍ୱର ଅନ୍ୟ ଅଞ୍ଚଳକୁ ଯୋଡିହେବାର ରାସ୍ତା ଭାରତ ଦେଇ ଅଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ଆକ୍ଟ ଇଷ୍ଟ’ ନୀତିର ଯୁଗ ଆରମ୍ଭ ହୋଇଛି । ଯୋଗାଯୋଗ ମୋଦି ସରକାରଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ହୋଇଛି । ବିକଶିତ ଭାରତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଉତ୍ତର ତଥା ଭାରତର ପୂର୍ବାଞ୍ଚଳରେ ଯୋଗାଯୋଗ ସ୍ଥାପନକୁ ମଜଭୂତ୍ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ମତ ଦେଇଛନ୍ତି । “ପୂର୍ବୋଦୟ” କେବଳ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର ଏକତ୍ରୀକରଣ ନୁହେଁ, ବରଂ ନଦୀ ଏବଂ ସମୁଦ୍ରର ନେଟଓ୍ୱାର୍କକୁ ଉପଯୋଗ କରି ଏହି ରାଜ୍ୟଗୁଡ଼ିକୁ ଏସିଆର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହିତ ଅବିଚ୍ଛେଦ୍ୟ ଭାବରେ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ପଡୋଶୀ ଦେଶ ଗୁଡିକ ସହ ଯେତେବେଳେ ଭାରତ ସମ୍ପର୍କ ମଜଭୂତ୍ ହେଉଛି ସେହି ସମୟରେ ପୂର୍ବୋଦୟର ସମ୍ଭାବନାକୁ ଉପଯୋଗ କରି ଭାରତକୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପରିଣତ କରିବା ଆମର ଦାୟିତ୍ୱ ।

ଆମର ଗୌରବମୟ ବାଲିଯାତ୍ରା ହେଉଛି ଯୋଗାଯୋଗର ପ୍ରତୀକ  ଓ ମିଶନ ପୂର୍ବୋଦୟ ହେଉଛି ପୁନରୁତ୍ଥାନ ଏବଂ ପୁନଃଆବିଷ୍କାରର ପ୍ରତୀକ ।  ଯୋଗାଯୋଗ ସ୍ଥାପନାକୁ ବିକଶିତ କରିବାର ଅର୍ଥ ଅର୍ଥନୈତିକ ଏବଂ ସାମାଜିକ ବିକାଶ କରିବା । ଆମେ ଯେତେବେଳେ ବାଲିଯାତ୍ରା ପାଳନ କରୁଛେ ଏକବିଂଶ ଶତାବ୍ଦୀରେ ନିଜର ବିଚାର ଆଧାରରେ ପୃଥିବୀର ନେତୃତ୍ୱ ନେବାର କ୍ଷମତା ଆମ ପାଖରେ ଅଛି । ଆଜି ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀତାକୁ ଆଗକୁ ନେବା ପାଇଁ ଏହି ସେମିନାରର ଆୟୋଜନ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ; ଏନର୍ଜି ଫୋରମ ଇଣ୍ଡିଆ ସହିତ ମିଶି “ପୂର୍ବୋଦୟ”ର ଲାଭ ଉଠାଇବା ଏବଂ ଏହାକୁ ବିଶ୍ୱର ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏକ କାର୍ଯ୍ୟକାରୀ ଚିନ୍ତାଧାରା ଏବଂ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଞ୍ଚଳିକ ସ୍ତରରେ ଯୋଗାଯୋଗ ସ୍ଥାପନ ବିଶ୍ୱ ଅର୍ଥନୀତିରେ ପ୍ରଭାବ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ କହିଛନ୍ତି ଯେ ଏହି ସମ୍ମିଳନୀ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବ ସମୂହ ଅଞ୍ଚଳର ବିକାଶ କ୍ଷେତ୍ରରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହେବ । ଭାରତ ଏବଂ ପୂର୍ବ ଏସିଆର ଦେଶ ମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିବାରେ ସହାୟକ ହେବ । ବିଶେଷତଃ ଯୋଗାଯୋଗ, ସାମୁଦ୍ରିକ ବାଣିଜ୍ୟ ଓ ଅର୍ଥନୀତି ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ । ପୂର୍ବ ଭାରତ ଏବଂ ଏହାର ପଡୋଶୀ ଦେଶ ଗୁଡ଼ିକ ବିଶ୍ଵ ଦରବାରରେ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତର ପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରାଇବା ଦିଗରେ  ଏନଏସଡିସି ସହ ବ୍ଲିନକିଟ୍, ଅପନା,କ୍ୟୁଇଜ୍ କ୍ରପ୍ ମଧ୍ୟରେ ପୃଥକ ପୃଥକ ତିନୋଟି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଉଲ୍ଲେଖନୀୟ, ଆଜିର ପ୍ରଥମ ଅଧିବେଶନରେ ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋଓ୍ୱାରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୌରଭ କୁମାର, ବାଂଲାଦେଶର ହାଇକମିଶନର ମୁସ୍ତାଫିଜୁର ରେହମାନ, ବୈଦେଶିକ ମନ୍ତ୍ରଣାଳୟର ସଚିବ(ଇଷ୍ଟ) ସୌରଭ କୁମାର, ବୈଜ୍ଞାନିକ ପଦ୍ମବିଭୂଷଣ ଡକ୍ଟର ଅନିଲ କାକୋଡକର, ସିଆଇଆଇର ସଭାପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

‘ଯାଯାବର ୨.୦’ କେବଳ ଆଓ ନେକ୍ସ୍ଟରେ ଉପଲବ୍ଧ, ଜାଗ୍ରନ୍ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ

ଭୁବନେଶ୍ଵର: ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ରେ ଉପଲବ୍ଧ ‘ଯାଯାବର ୨.୦’, ସମ୍ମାନିତ ଜାଗ୍ରନ୍ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଯେହେତୁ ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବାରେ ଲାଗିଛି, ଆଓ ନେକ୍ସ୍ଟ ପୂର୍ବ ଭାରତୀୟ ବଜାରରେ ଏକ ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ଏକ ଉପଭୋକ୍ତା-ଅନୁକୂଳ ଇଣ୍ଟରଫେସ୍, ବିଷୟବସ୍ତୁର ଏକ ବିସ୍ତୃତ ଲାଇବ୍ରେରୀ ଏବଂ ଆଞ୍ଚଳିକ ମନୋରଞ୍ଜନ ଉପରେ ଏକ ଗୁରୁତ୍ୱ ଦେଇ, ଓଟିଟି ପ୍ଲାଟଫର୍ମ ସମଗ୍ର ଅଞ୍ଚଳରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟକୁ ଜିତିପାରିଛି।

ଦୁଇଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣ ଏଥିରୁ ମୁକ୍ତି ଖୋଜେ। ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ୍ କଣ୍ଟ୍ରାକ୍ଟ କିଲର ଜଗତର ଓଡିଆ ଚଳଚ୍ଚିତ୍ର ପ୍ରତି ଏକ ଅଦ୍ଭୁତ ସଂଯୋଗ ଅଛି, ବିଶେଷ ଭାବରେ ଶ୍ରୀରାମ ପଣ୍ଡା, ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ଯିଏକି ପରେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ।

ଜଗତ, ସତ୍ୟବ୍ରତଙ୍କ ପାଇଁ ଗାଡି ଚଳାନ୍ତି। ନିଜର ଅତ୍ୟଧିକ ଦୋଷ ଅନୁଭବ କରି, ଜଗତକୁ ନିଜର ଜୀବନଭରର ସଞ୍ଚୟ ଦେଇ ତାକୁ ନିଜର ଜୀବନ ହରାଇବାକୁ ସତ୍ୟବ୍ରତ କୁହନ୍ତି, ଯେତେବେଳେ ଜଗତ୍ ପାର୍ଟ ଟାଇମ୍ ବେଶ୍ୟା, ବାର୍ ନୃତ୍ୟଶିଳ୍ପୀ ଓ ଗାୟିକା ମାନିନୀଙ୍କୁ ଭେଟିଲା ପରେ ସବୁକିଛି ବଦଳିଯାଏ। ତେବେ ଆଗକୁ କ’ଣ ହେବ ? ଏମିତି ଏକ ରହସ୍ୟରେ ଭରପୁର କାହାଣୀ ହେଉଛି ‘ଯାଯାବର ୨.୦’।

କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଯାଯାବର ୨.୦’ ର ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଂଜନ, ସୋନାଲି ସରମିଷ୍ଟା, ଚୌଧୁରୀ ବିକାଶ ଦାଶ, ସ୍ୱେତା ଆଚାର୍ଯ୍ୟ, ମାନସ ରଂଜନ ମୁଦୁଲି। ଅଭିଷେକ ଦାସ, ଅଭିଷେକ ଅଭିଷେକ ସ୍ବାଇଁ ଙ୍କ ଦ୍ବାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି: ଅଭିଷେକ ସ୍ବାଇଁ।

ଓଡିଶାର ପ୍ରଥମ ସ୍ବାଧୀନ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ, ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ ଜଣେ ଉଦ୍ୟୋଗୀ ଏବଂ ପ୍ରଯୋଜକ।  ବିଜ୍ଞାନରେ ସ୍ନାତକ ସହିତ ସେଲ୍ସ ଓ ମାର୍କେଟିଙ୍ଗ ରେ ମ୍ଯାନେଜମେନ୍ଟ ଡିଗ୍ରୀ ଲାଭ କରିଛନ୍ତି ଓ ଆଓ ନେକ୍ସ୍ଟ ପରି ଏକ ଷ୍ଟାର୍ଟଅପ୍ ରାଜ୍ୟରେ ଆରମ୍ଭ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ କହିଛନ୍ତି ଯେ, “ଆମେ ଆମ ଦର୍ଶକଙ୍କ ପାଇଁ ସର୍ବଦା ଉତ୍ସାହୀ, ଯେଉଁଥିପାଇଁ ଆମେ ଆମ ଦର୍ଶକଙ୍କ ପାଇଁ ସର୍ବଦା ଆକର୍ଷଣୀୟ ତଥା ଉଚ୍ଚକୋଟୀର ବିଷୟବସ୍ତୁ ଆଣିବାର ଲକ୍ଷ୍ୟ ଥାଉ। ଆଓ ନେକ୍ସ୍ଟ ପ୍ରତିଭାବାନ ପ୍ରଫେସନାଲମାନଙ୍କ ସହିତ ଘନିଷ୍ଠ ଭାବରେ କରୁଛି ଯାହା ଶୋ ଏବଂ ଚଳଚ୍ଚିତ୍ରର ଏକ ରୋମାଞ୍ଚକର ଲାଇନ୍ଅପ୍ ତିଆରି କରିଛି ଓ ଆମ ଦର୍ଶକଙ୍କୁ ମନୋରଞ୍ଜନ ପାଇଁ ନିଶ୍ଚୟ ଆକର୍ଷିତ କରିବ।

ଏହି ଅତୁଳନୀୟ ସତନ୍ତ୍ରତା ଗୁଡିକ ଆଓ ନେକ୍ସ୍ଟର ସ୍ଥିତିକୁ ଅଧିକ ସୁଦୃଢ କରିବା ସହ ଆଞ୍ଚଳିକ ମନୋରଞ୍ଜନ ପାଇଁ ଏକ ୱାନଗୋ-ପ୍ଲାଟଫର୍ମ ହୋଇଛି। ଯାଯାବର ୨.୦ ପଛରେ ଥିବା ପ୍ରତିଭା ଏବଂ କାହାଣୀକୁ ସ୍ୱୀକୃତି ଦେଇଥିବାରୁ ଆମେ ଜାଗ୍ରନ୍ ଚଳଚ୍ଚିତ୍ର ମହୋତ୍ସବକୁ ଅଶେଷ ଧନ୍ୟବାଦ ଦେଉଛୁ ଓ ଆମେ ସମସ୍ତ ଫିଲ୍ମ ପ୍ରେମୀ ଏବଂ ମିଡିଆ ପ୍ରଫେସନାଲମାନଙ୍କୁ ଆମନ୍ତ୍ରଣ କରୁଛୁ କି, ଆଓ ନେକ୍ସ୍ଟରେ ଏହି ଫିଲ୍ମକୁ ଉପଭୋଗ କରିବାପାଇଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ: ପୂର୍ବ ଭାରତରେ ପ୍ରଥମ

ଭୁବନେଶ୍ୱର: ଉତ୍ତମ ରୋଗୀ ସେବା କ୍ଷେତ୍ରରେ ସବୁବେଳେ ଆଗଧାଡ଼ିରେ ରହି ନୂତନ ଜ୍ଞ୍ୟାନ କୌଶଳ ସମ୍ପନ୍ନ ଓ ଅତ୍ୟାଧୁନିକ ସରଞ୍ଜାମ ଆପଣେଇବାରେ ଅଗ୍ରଣୀ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ ଲାବୋରେଟୋରୀ ହେମାଟୋଲୋଜି କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି। ପୂର୍ବାଂଚଳର ପ୍ରଥମ ହସପିଟାଲ୍ ଭାବେ ସବୁଠାରୁ ଅତ୍ୟାଧୁନିକ ଅଟୋମେଟେଡ ସିବିସି ଆନାଲାଇଜର ସମ୍‌ରେ ପ୍ରତିଷ୍ଠା କରାଯାଇଛି।

ଭାରତର ଚତୁର୍ଥ ହସପିଟାଲ ଭାବେ ସମ୍‌ରେ ଏହି ମେସିନ୍‌ର ପ୍ରତିଷ୍ଠା କରାଯାଇଥିବା ହସପିଟାଲର ପାଥୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଲାବୋରେଟୋରୀ ହେମାଟୋଲୋଜିର ଇନଚାର୍ଜ ଡ. ରାଜେଶ କୁମାର ଭୋଳ ସୂଚନା ଦେଇଛନ୍ତି। ରକ୍ତ ନମୂନା ପରୀକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୂନିକ ମେସିନ (ସିସମେକ୍ସ ଏକ୍ସଏନ୩୧୧୧ଏ ଆନାଲାଇଜର) ରକ୍ତ ନମୁନାକୁ ଅତି ଅଳ୍ପ ସମୟରେ ପରୀକ୍ଷା କରିବାରେ ସାହାଯ୍ୟ କରିବ। ଏହା ଦ୍ୱାରା ସିବିସି ପରୀକ୍ଷା ସହ ସ୍ଲାଇଡ ପ୍ରସ୍ତୃତ କରାଯିବ ଓ ରିଫ୍ଲେକ୍ସ ରୁଲ ମାଧ୍ୟମରେ ଷ୍ଟେନିଂ ମଧ୍ୟ କରାଯିବ।ଅଟୋମେଟେଡ ଡ଼ିଜିଟାଲ ମାଇକ୍ରୋସ୍କୋପ ଦ୍ୱାରା ରକ୍ତ ନମୂନାରେ ଥିବା ସମସ୍ୟାକୁ ଚିହ୍ନଟ କରିହେବ ବୋଲି ସେ କହିଛନ୍ତି।

ସିବିସି ପରୀକ୍ଷା କ୍ଷେତ୍ରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ଡିଜିଟାଲ ପାଥୋଲୋଜି ସେଲାଭିଜନ ସ୍ଥାପନ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ଦ୍ୱାରା ମାଇକ୍ରୋସ୍କୋପି ସ୍ଲାଇଡ ରିଭ୍ୟୁ ପ୍ରୋସେସକୁ ଦ୍ରୁତ ଓ ସରଳ କରିବା ସହ ଏହାର ଫଳାଫଳ ମଧ୍ୟ ଠିକ୍ ଭାବେ ବାହାରି ପାରିବ ବୋଲି ଡ. ଭୋଳ କହିଛନ୍ତି।

ଏହି ଆନାଲାଇଜର ଦ୍ୱାରା ଷ୍ଟେମ ସେଲ କାଉଂଟ ମଧ୍ୟ ହୋଇପାରିବ ଯାହାକି ବୋନ ମ୍ୟାରୋ ପ୍ରତ୍ୟାରୋପଣ ପ୍ରକ୍ରିୟାରେ ସାହାଯ୍ୟ କରିବ। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ଗବେଷଣା କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଡିଜିଟାଲ ଏବଂ ଭର୍ଚୁଆଲ ମାଇକ୍ରୋସ୍କୋପି ଉପରେ ଦୃଷ୍ଟି କେନ୍ଦ୍ରିଭୂତ ହେବ।

ଏହି ନୂଆ ମେସିନ୍‌ଟି ଶୁକ୍ରବାର ଦିନ ହସପିଟାଲରେ ଉଦଘାଟନ କରାଯାଇଥିବାବେଳେ ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏମଏସ ସମ୍ ହସପିଟାଲ ଡିନ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଂଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡ. ରାଜେଶ ଲେଙ୍କା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମହାପାତ ଏବଂ ସମ୍ ସେଂଟ୍ରାଲ
ଲବୋରେଟୋରୀର ମୁଖ୍ୟ ପ୍ରଫେସର ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି ଯେ ଏହି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଅନେକ ଗୁଡିଏ ରକ୍ତ ପରୀକ୍ଷା ନମୁନା ଖୁବ୍ ଶୀଘ୍ର ହେବା ସହ ସଠିକ୍ ଏବଂ ନିର୍ଭୁଲ ହେବ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆଇଏମଏସ ଓ ସମ୍ ହସପିଟାଲରେ ପ୍ରତିଷ୍ଠା କରିବା ଦିଗରେ ଡ. ଭୋଳଙ୍କ ସମେତ ତାଙ୍କ ଟିମ୍‌ର ସଦସ୍ୟ ଡ. ସରିତା ପ୍ରଧାନ, ଡ. ରିପୂଞ୍ଜୟ ମହାନ୍ତି, ଡ. ରାକା ହୋତା, ଡ. ଗାୟତ୍ରୀ ବେହେରା ଓ ଡ. ସଞ୍ଜିତା ହଜାରୀଙ୍କ ସମେତ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଲ୍ୟାବ ଟେକନିସିଆନ ଓ କର୍ମଚାରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଭୁବନେଶ୍ଵର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି
ବିଶ୍ୱବିଦ୍ୟାଳୟର ବିଶେଷତ୍ୱ।

ସୋଆ ଭାବେ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଦେଶ ତଥା ବିଦେଶରୁ ୧୨୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି।

ମାତ୍ର ୧୪ ବର୍ଷର ଏହି ବିଶ୍ୱବିଦ୍ୟାଳୟ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ବିଗତ ୫ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ନିଜର ସ୍ଥାନ ବଜାୟ ରଖିଛି।

ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍ ୨୦୨୧ରେ ୩୫୧ ରୁ ୪୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି।

ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍ ହାସଲ କରିଛି ସୋଆ। ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍ ୧୯ ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମିଳିଛି।

ସେହିପରି ଟାଇମ୍‌ସ ହାୟର୍ ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ ୨୦୨୧ରେ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ କ୍ଷେତ୍ରରେ ୧୦୦୧ ପ୍ଲସ୍ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍‌ରେ ସ୍ଥାନ ପାଇପାରିଛି। ସେହିପରି ହେଲ୍‌ଥ ସାଇନ୍‌ସେସ୍ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍ ର‌୍ୟାଙ୍କରେ ରହିଥିବା ବେଳେ ଟିଏଚ୍‌ଇ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି। ସେହିପରି ଟିଏଚ୍‌ଇ ଏମିର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ ରେ ୫୦୦ ପ୍ଲସ୍‌ କ୍ୟାଟେଗୋରିରେ ସ୍ଥାନିତ ହୋଇଛି ସୋଆ।

ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ଉନ୍ନତମାନର ଗୁଣାତ୍ମକ ଓ ଶୈକ୍ଷିକ କାର୍ଯ୍ୟଧାରା ନିମନ୍ତେ ‘ଏ’ ଗ୍ରେଡ୍‌ରେ ରିଆକ୍ରେଡିଟେଡ୍ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସୋଆର ୧୧ ଜଣ ଗବେଷକ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ,୬୭ ପୋଷ୍ଟ ଗ୍ରାଜୁଏଟ୍‌, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ।

ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି। କୋଭିଡ୍ ମହାମାରୀ ସତ୍ୱେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ଼୍ ଡିଲଏଟ୍‌, ଇନ୍‌ଫର୍ମାଟିକା, ଟେମେନୋସ୍‌, ମ୍ୟାକ୍ ସଫ୍ଟୱେର, ଏନ୍‌ପିସିଆଇ, ସେଲ୍‌ସଫୋର୍ସ ଓ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଇଛନ୍ତି।

ଅଧିକାଂଶ ଛାତ୍ରଛାତ୍ରୀ ଏକରୁ ଅଧିକ କମ୍ପାନୀରେ ଚାକିରୀ ସୁଯୋଗ ପାଇଥିବା ବେଳେ ପ୍ରାୟ ୯୦ଟି କମ୍ପାନୀ ଏହି ରିକ୍ରୁଟମେଂଟ ନିମନ୍ତେ ସୋଆ କ୍ୟାମ୍ପସ୍‌କୁ ଆସିଥିଲେ।ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୭୭୩୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍‌-ଇଣ୍ଡେକ୍ସ ୭୦ ରହିଛି।

ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ରୋଗୀମାନେ ଏଠାରେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି।

ଗତବର୍ଷ କୋଭିଡ ମହାମାରୀର ପ୍ରଥମ ଲହରୀ ରାଜ୍ୟକୁ ଆକ୍ରାନ୍ତ କରିବା ସମୟରେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହା ସରକାରଙ୍କ ସହଯୋଗିତାରେ ଓଡ଼ିଶାରେ ୨୩୪୧ଟି ଶଯ୍ୟା ବିଶିଷ୍ଟ ୪ ଟି କୋଭିଡ ହସ୍ପିଟାଲ୍ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସଫଳ ହୋଇଥିଲା। ଏହି କୋଭିଡ ହସ୍ପିଟାଲ୍ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା ଓ ଚାନ୍ଦପୁର ଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା।

ସେହିପରି ଚଳିତ ବର୍ଷ ରାଜ୍ୟ ମହାମାରୀର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଥିବା ବେଳେ ସୋଆ ପକ୍ଷରୁ ସରକାରଙ୍କ ସହାୟତାରେ ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର, ଚାନ୍ଦପୁର ଓ ପୁରୀ ଠାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ ୫ଟି ଡାକ୍ତରଖାନା ଓ ଜଟଣୀ ଠାରେ ଏକ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି। ଏଥିରେ ଆଇଏମ୍‌ଏସ୍ ଓ ସମ୍‌
ହସ୍ପିଟାଲ୍‌ର ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ

ଭୁବନେଶ୍ୱର: ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା। ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ ମିଳିଛି।

ବିଭିନ୍ନ ପର୍ଯ୍ୟାୟରେ ସୋଆର ପାରଦର୍ଶିତାକୁ ଅନୁଶୀଳନ କରାଯିବା ସହ ସ୍ୱତନ୍ତ୍ର ଭାବେ ତଥ୍ୟ ସଂଗ୍ରହ କରାଯାଇ ଏହି ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟୁଏସ୍ ଆଇ-ଗଜ୍‌ର ନିର୍ଦ୍ଦେଶକ (ଗ୍ରାହକ ସମ୍ପର୍କ) ଶ୍ରୀ ଶୁଭାୟୁ ନାୟକ। ଶିକ୍ଷା ପ୍ରଦାନ ଓ ଗ୍ରହଣ, ନିଯୁକ୍ତି, ସୁବିଧା ସୁଯୋଗ, ସାମାଜିକ ଦାୟିତ୍ୱ, ଗବେଷଣା ଓ ମାନ୍ୟତା ଏଭଳି ୬ଟି ମାପଦଣ୍ଡରେ ଗୁରୁବାର ଦିନ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଏହି ‘ଡାଇମଣ୍ଡ ରେଟିଙ୍ଗ୍‌’ ପ୍ରଦାନ କରାଯାଇଛି।

କ୍ୟୁଏସ୍ ଆଇ-ଗଜ୍ ଏପରି ଏକ ରେଟିଙ୍ଗ୍ ବ୍ୟବସ୍ଥା ଯେଉଁଥିରେ ଭାରତର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଭିନ୍ନ ମାପଦଣ୍ଡକୁ ଆଧାର କରି ସମ୍ମାନ ପ୍ରଦାନ କରାଯାଇଥାଏ। ଏହା ଶିକ୍ଷାନୁଷ୍ଠାନ ଗୁଡ଼ିକର ପାରଦର୍ଶିତାକୁ ବୃଦ୍ଧି କରାଇବା ସହ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ।

ପୂର୍ବରୁ କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜର ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ (ଇ-ଲିଡ) ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।