Categories
ଆଜିର ଖବର ରାଜ୍ୟ ଖବର

ଜାତିଗତ ଜନଗଣନା ଉପରେ ବିଜେପିର ବକ୍ତବ୍ୟ ରାଜ୍ୟର ପଛୁଆବର୍ଗଙ୍କ ପାଇଁ ଅପମାନଜନକ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କର ଜାତିଗତ ଜନଗଣନା ଉପରେ ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ଏବଂ ଓଡ଼ିଶାର ୫୦ଭାଗ ପଛୁଆବର୍ଗଙ୍କ ପାଇଁ ଅପମାନଜନକ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜେପିର ଏହି ବକ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଜାତିଗତ ଆଧାରରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ନେଇ ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରୁଥିବା ବେଳେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ପଛୁଆବର୍ଗ ରାଜନୀତିକୁ ଗ୍ରହଣ କରିନପାରି ଏହା ଉପରେ ଏଭଳି ବିବୃତ୍ତି ଦେବା ଦୁର୍ଭାଗ୍ୟଜନକ। ବିଜେପି ଦଳର ମଙ୍ଗୁଆଳ ସାଜିଥିବା ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଉଚ୍ଚଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅତୀତରେ ଓଡ଼ିଶା ସରକାର ପଛୁଆବର୍ଗ ସଂରକ୍ଷଣ ଅବିଳମ୍ବେ ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିଛନ୍ତି। କିନ୍ତୁ ତାକୁ ଏଡ଼ାଇ ଦେଇ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟରେ ପଛୁଆବର୍ଗ ଜନଗଣନାକୁ ନେଇ ଯେଉଁ ବକ୍ତବ୍ୟ ପ୍ରଦାନ କରିଛି ତାହା ବାସ୍ତବରେ ବିଜେପିର ଦୁର୍ବଳ ଶ୍ରେଣୀ ପ୍ରତି ଥିବା ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

ଏଠାରେ ଉଲ୍ଲେଖଥାଉକି, ୧୯୫୩ ମସିହାରେ ଭାରତବର୍ଷର ସମ୍ବିଧାନର ପ୍ରଥମ ସଂଶୋଧନ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ କରାଯାଇ କାକା କାଲେକର କମିଶନ ଗଠନ କରାଯାଇ ପଛୁଆବର୍ଗଙ୍କ ସ୍ୱାର୍ଥରେ ଗଠନ କରାଯାଇଥିଲା। ପୁନଶ୍ଚ ୧୯୭୮ ମସିହାରେ ଜନତା ପାର୍ଟି ସରକାର ସମୟରେ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ ମଣ୍ଡଳ କମିଶନ ଗଠନ କରାଯାଇଥିଲା। କିନ୍ତୁ ଦୁଃଖର କଥା ଏହି କମିଶନ ରିପୋର୍ଟ ଦେବାର ୧୦ବର୍ଷ ପରେ କେନ୍ଦ୍ର ସରକାର ଏହାର ସୁପାରିଶକୁ ଆଂଶିକ ଭାବରେ କାର୍ଯ୍ୟକାରୀ କଲେ। ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ ପଛୁଅବର୍ଗଙ୍କୁ କେନ୍ଦ୍ର ଚାକିରୀରେ ୨୭ଭାଗ ସଂରକ୍ଷଣ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନିଆଗଲା। ଏହାର ଦୀର୍ଘ ୧୬ବର୍ଷ ପରେ ୨୦୦୬ ମସିହାରେ କେନ୍ଦ୍ରୀୟ ଶିକ୍ଷା ସଂସ୍ଥା ଯଥା ଆଇଆଇଟି, ଆଇଆଇଏମ୍ ଓ ସର୍ବଭାରତୀୟ ମେଡ଼ିକାଲ ଶିକ୍ଷାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମ ଲେଖାରେ ୨୭ଭାଗ ସଂରକ୍ଷଣ ଦିଆଗଲା।

କିନ୍ତୁ ଦୁଃଖର କଥା ଆଜି ମଧ୍ୟ ୨୦୧୭ ମସିହାରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧୧ହଜାର ୨୭ଜଣ ପଛୁଆବର୍ଗ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ବୋଲି ଖୋଦ୍ ଜାତୀୟ ପଛୁଆବର୍ଗ କମିଶନ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ଏହାର ପ୍ରତିକାର ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଜାତିଗତ ଜନଗଣନାକୁ ନେଇ ବିଜେପି ନେତାମାନେ ଯେଉଁଭଳି ବକ୍ତବ୍ୟ ପ୍ରଦାନ କରିଛନ୍ତି ଏହା ତାଙ୍କର ପଛୁଆବର୍ଗ ପ୍ରତି ଥିବା ଅସୂୟା ମନୋଭାବକୁ ଦର୍ଶାଉଛି ବୋଲି ଶ୍ରୀ ବେହେରା ମତ ଦେଇଛନ୍ତି।

ଏପର୍ଯ୍ୟନ୍ତ ଓଡ଼ିଶାରେ ପଛୁଆ ଜାତିର ଯୁବକଯୁବତୀମାନେ ରାଜ୍ୟ ସରକାରଙ୍କ ଚାକିରୀ କ୍ଷେତ୍ରରେ ୧୧.୨୫ ସଂରକ୍ଷଣ ପାଉଥିବା ବେଳେ ମେଡ଼ିକାଲ, ଇଞ୍ଜିନିୟରିଂ ଓ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନାମ ଲେଖାରେ ଆଦୌ ସଂରକ୍ଷଣ ପାଉନାହାଁନ୍ତି। କିନ୍ତୁ ସେଥିପ୍ରତି ବିଜେପି ଆନ୍ତରିକତା ପ୍ରକାଶ ନକରି ଓଲଟି ଜାତିଗତ ଜନଗଣନାକୁ ନେଇ ପ୍ରଶ୍ନ ଉଠାଇବା ଏହି ଜାତିର ସ୍ୱାର୍ଥର ବିଡ଼ମ୍ବନା ମାତ୍ର।

ରାଜ୍ୟ ସରକାର ତୁରନ୍ତ କରୋନା ପରେ ପରେ ଜାତିଗତ ଜନଗଣନାକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ସହିତ ଚଳିତ ଶିକ୍ଷାବର୍ଷ ଠାରୁ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ, ଇଞ୍ଜିନିୟରିଂ ସମେତ ଉଚ୍ଚଶିକ୍ଷାରେ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ଆନ୍ଦୋଳନରୁ ନଜର ହଟାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି। କୃଷକଙ୍କ ପାଇଁ ବିଜେପିର ଏହା କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ନେତାଙ୍କୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ବର୍ତ୍ତମାନ ସୁଦ୍ଧା ଧାନକିଣା ସବସିଡ୍‍ ଆକାରରେ ବାକିଥିବା ୬୬୨୦ କୋଟି ଟଙ୍କା ଓଡିଶାକୁ ଦେଉନଥିବା ପ୍ରସଙ୍ଗକୁ ଶ୍ରୀ ହରିଚନ୍ଦନ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଓଡିଶାରୁ ୧୦ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ନଉଠାଇବା ଘଟଣାକୁ ମଧ୍ୟ ସେ ଲୁଚାଇବାକୁ ଅପଚେଷ୍ଟା କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

ବିଜେପି ନେତା ଏହା ମଧ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ୧.୫ ଗୁଣା ବୃଦ୍ଧି କରିନାହିଁ ଯାହାକି ଦଳୀୟ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା କିମ୍ବା ସେମାନେ ସ୍ୱାମୀନାଥନ କମିଶନ ରିପୋର୍ଟ ସୁପାରିଶକୁ ବି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରିନାହାନ୍ତି।

ରାଜନୈତିକ ଦୃଷ୍ଟିରୁ ଗଣମାଧ୍ୟମରେ ତିଷ୍ଠି ରହିବା ପାଇଁ ଏଭଳି ବିବୃତ୍ତି ଦେବା ରାଜ୍ୟ ବିଜେପି ନେତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ବିଜେପିର ଏଭଳି ବିବୃତ୍ତି କୃଷକମାନଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।