Categories
ଆଜିର ଖବର ବିଶେଷ ଖବର

ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ଗୁଜରାଟର ସୁରତରେ ଆୟୋଜିତ ପ୍ରାକୃତିକ କୃଷି ସଂକ୍ରାନ୍ତ ଏକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଉଦ୍‌ବୋଧନ ଦେଇଛନ୍ତି। ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ଆପଣାଉଥିବା ହଜାର ହଜାର ଚାଷୀ ଏବଂ ଏହି ଚାଷ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷର ଲୋକ ବହୁ ସଂଖ୍ୟାରେ ଯୋଗଦେଇଛନ୍ତି। ଏଥିରେ ଚାଷୀମାନେ ସେମାନଙ୍କ ସଫଳ କାହାଣୀମାନ ଉପସ୍ଥାପିତ କରିଛନ୍ତି। ଏହି ସମ୍ମିଳନୀରେ ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ଅଧିକାରୀ ଯୋଗଦେଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ଆଜିର ଏହି ସମ୍ମିଳନୀ ଭାରତର ‘ଅମୃତକାଳ”ର ସଂକଳ୍ପ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ପ୍ରତ୍ୟେକ ପଞ୍ଚାତୟର ୭୫ ଚାଷୀଙ୍କୁ ପ୍ରାକୃତିକ କୃଷି ସହିତ ସମ୍ପୃକ୍ତ  କରି ସୁରତ ଜିଲ୍ଲା ଯେଉଁ ସଫଳତା ହାସଲ କରିଛି ତାହା ସମଗ୍ର ଦେଶ ପାଇଁ ଏକ ଉଦାହରଣ ପାଲଟିବାକୁ ଯାଉଛି । ପ୍ରାକୃତିକ କୃଷିକୁ ଲୋକପ୍ରିୟ କରିବାରେ ସେ ସରପଞ୍ଚଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି  ଉତ୍ସବ ପାଳନ ଅବସରରେ ଭାରତ ସରକାର ବିଭିନ୍ନ କ୍ଷେତ୍ରରେ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରି ତାହାକୁ ଶୀଘ୍ର ପୂରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏସବୁ ଲକ୍ଷ୍ୟ ପୂରଣ ହେଲେ ଦେଶରେ ବଡଧରଣର ପରିବର୍ତ୍ତନ ଆସିବ ଏବଂ ଭବିଷ୍ୟତ ପାଇଁ ଏହା ବିଶେଷ ଲାଭବାନ ସାବ୍ୟସ୍ତ ହେବ। ବିକାଶର ଭିତ୍ତି ଓ ଦେଶର ବେଗ ‘ସବ୍‌କା ପ୍ରୟାସ’ ନୀତିରେ ଚାଲିଛି। ଏହା ହିଁ ଆମ ବିକାଶଯାତ୍ରାର ନେତୃତ୍ୱ ନେଉଛି। ସେଥିପାଇଁ ଗ୍ରାମ ପଞ୍ଚାୟତଗୁଡିକୁ ଗରିବଙ୍କ ବିକାଶମୂଳକ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ କୃଷିକୁ ପ୍ରତି ପଞ୍ଚାୟତରେ ଲୋକପ୍ରିୟ କରିବାରେ ପଞ୍ଚାୟତଗୁଡିକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେମାନଙ୍କ ସାହାଯ୍ୟ ସହଯୋଗ ବିନା ସମ୍ପୃକ୍ତ ଚାଷୀ ଆବଶ୍ୟକ ତାଲିମ, ସାହାଯ୍ୟ, ସମ୍ବଳ ଓ ପ୍ରୋତ୍ସାହନ ପାଇ ନ ଥାନ୍ତେ। ଏଭଳି ସହଯୋଗ ସମଗ୍ର ଦେଶରେ ପଞ୍ଚାୟତ ସ୍ତରରେ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ସୁରତର ଏହି ପ୍ରାରମ୍ଭିକ ପ୍ରୟାସ ଦ୍ୱାରା ୫୫୦ ପଞ୍ଚାୟତର ୪୦ହଜାରରୁ ଅଧିକ ଚାଷୀ ପ୍ରାକୃତିକ କୃଷି ସହିତ ଜଡିତ ହୋଇ ପାରିଛନ୍ତି। ଏହା ଏକ ବିରାଟ ଅୟମାରମ୍ଭ ଏବଂ ଅତ୍ୟନ୍ତ ଉତ୍ସାହପଦ। ସୁରତରେ ଏହି ପ୍ରାକୃତିକ କୃଷି ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ମଡେଲ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଯେତେବେଳେ ବଡ ବଡ ପ୍ରକଳ୍ପମାନ ଜନସାଧାରଣଙ୍କ ଅଂଶଗ୍ରହଣ ଜନିତ ଶକ୍ତି ନେଇ ଆରମ୍ଭ ହୁଏ ସେତେବେଳେ ଦେଶର ଜନତା ସେସବୁର ସଫଳତାକୁ ସୁନିଶ୍ଚିତ କରିଥାନ୍ତି। ଜଳ ଜୀବନ ମିଶନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଛି ଏବଂ ସେମାନେ ହିଁ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିଭଳି ସେ ଡିଜିଟାଲ  ଇଣ୍ଡିଆ ମିଶନର ସଫଳତାର ଉଦାହରଣ ଦେଇ କହିଛନ୍ତି ଯେ ଯେଉଁମାନେ କହୁଥିଲେ, ଦେଶରେ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ ସଫଳ କାହାଣୀ ସେମାନଙ୍କ ପାଇଁ ଏକ ଯଥାର୍ଥ ଉତ୍ତର। ଆମ ଗାଁମାନେ ଦେଖାଇ ଦେଇଛନ୍ତି ଯେ ଗ୍ରାମରେ ପରିବର୍ତ୍ତନ ଆଣିବା ସହିତ ଏହାର ନେତୃତ୍ୱ ଦେବାକୁ ଗାଁ ସମୂହ ସମର୍ଥ। ଆଗାମୀ ଦିନରେ ପ୍ରାକୃତିକ କୃଷି ଏକ ଜନ ଆନ୍ଦୋଳନରେ ପରିଣତ ହେବା ସହିତ ବିପୁଳ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ  କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଯେଉଁ ଚାଷୀମାନେ ପ୍ରାକୃତିକ କୃଷି ସହିତ ଆଗୁଆ ସମ୍ପୃକ୍ତ ହେବେ ଓ ଏହି ପଦ୍ଧତିକୁ ଆପଣାଇବେ ସେମାନେ ସେତେ ଶୀଘ୍ର ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମ ସ୍ୱାସ୍ଥ୍ୟ,ଜୀବନ ଓ ସମାଜର ମୂୂଳ ଭିତ୍ତି ହେଲା କୃଷି ବ୍ୟବସ୍ଥା । ଭାରତ ଉଭୟ ପ୍ର୍‌୍‌କୃତ ସଂସ୍କୃତି ଦୃଷ୍ଟିରୁ ଏକ କୃଷିଭିତ୍ତିକ ଦେଶ। ତେଣୁ ଆମ ଚାଷୀଙ୍କର ଉନ୍ନତି ଘଟିଲେ ଆମ ଚାଷର ଉନ୍ନତି ଘଟିବ ଓ ଦେଶ  ପ୍ରଗତି କରି ସମୃଦ୍ଧ ହେବ। ପ୍ରାକୃତିକ କୃଷି ପଦ୍ଧତି ସମୃଦ୍ଧିର ଏକ ମାଧ୍ୟମ ହେବା ସହିତ ମାଟି ମା’କୁ ସମ୍ମାନ ଦେଇ ତାହାର ସେବା କରିବାର ଏକ ଉପାୟ ବୋଲି ପ୍ରଧାନମନ୍ତ୍ରୀ କୃଷକ ସମୁଦାୟଙ୍କୁ କହିଛନ୍ତି। ସେ କହିଛନ୍ତି ଯେ “ ଆପଣମାନେ ଯେତେବେଳେ ପ୍ରାକୃତିକ ପଦ୍ଧତିରେ ଚାଷ କରିବେ, ସେତେବେଳେ ମାଟି ମା’ର ସେବା କରି ମୃତ୍ତିକା ମାନ ଏବଂ ଏହାର ଉତ୍ପାଦକତାକୁ ତାକୁ ସୁରକ୍ଷିତ ରଖି ପାରିବେ। ପ୍ରାକୃତିକ କୃଷି ମାଧ୍ୟମରେ ଆପଣମାନେ ପ୍ରକୃତି ଓ ପରିବେଶର ସୁରକ୍ଷା କରିବାରେ ସଫଳ ହେବେ। ପ୍ରାକୃତିକ କୃଷି ଦ୍ୱାରା ମଧ୍ୟ ଗୋମାତାଙ୍କ ସେବା କରିବାର ସୁଯୋଗ ମିଳିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣ ପ୍ରସଙ୍ଗରେ ଆହୁରି କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ ସହଣୀୟ ଓ ନିରନ୍ତର ଜୀବନ ଶୈଳୀ କଥା କହୁଛି। ଏହା ଏକ ବିଷୟ ଯେଉଁଥିରେ ଭାରତ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱର ନେତୃତ୍ୱ ନେଇ ଆସୁଛି। ବଂଚିବା ପାଇଁ ମଣିଷର ସର୍ବନିମ୍ନ ଆବଶ୍ୟକତା ପୂରଣ ଏବଂ ପ୍ରାକୃତିକ ସମ୍ବଳର ବିଚାର ପୂର୍ବକ ବ୍ୟବହାର କଥା ଭାରତୀୟ ସଂସ୍କୃତିରେ ପ୍ରାଧାନ୍ୟ ଲାଭ କରିଆସିଛି। ଅତଏବ ଆମେ ପ୍ରାକୃତିକ କୃଷିକୁ ବ୍ୟାପକ ଆକାରରେ ଗ୍ରହଣ କରି ସମଗ୍ର ବିଶ୍ୱରେ ଏ  ନେଇ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହାର ପୂର୍ଣ୍ଣ ଉପଯୋଗ କରିବାରେ ସମୟ ଆସିଛି। ପରମ୍ପରାଗତ କୃଷି ବିକାଶ ଯୋଜନା ସହିତ ପ୍ରାକୃତିକ କୃଷିର ପ୍ରୋତ୍ସାହନ ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ମଧ୍ୟରେ କହିଛନ୍ତି। ପରମ୍ପରାଗତ କୃଷି ବିକାଶ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏଥିରେ ପାରମ୍ପରିକ ଚାଷ ପାଇଁ ଚାଷୀଙ୍କୁ ତାଲିମ ଓ ସାଧନ ଯୋଗାଇ ଦିଆଯାଉଛି। ସମଗ୍ର ଦେଶରେ ଏଥିପାଇଁ ୩୦ହଜାର ପ୍ରାକୃତିକ କୃଷି ଚକଡା (କ୍ଲଷ୍ଟର) ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ। ପରମ୍ପରାଗତ କୃଷି ବିକାଶ ଯୋଜନାରେ ୧୦ଲକ୍ଷ ହେକ୍ଟର ଜମି ଅନ୍ତର୍ଭୁକ୍ତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ କୃଷିକୁ ନମାମି ଗଙ୍ଗେ ପ୍ରକଳ୍ପ ସହିତ ସମ୍ପୃକ୍ତ କରାଯାଇଛି। ଏଥିରେ ଗଙ୍ଗାନଦୀର ଉଭୟ ପାଶ୍ୱର୍ରେ ପ୍ରାକୃତିକ କରିଡର ସୃଷ୍ଟି ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।

ପ୍ରାକୃତିକ କୃଷିର ଉତ୍ପାଦଗୁଡିକୁ ସାର୍ଟିଫିକେଟ ପ୍ରଦାନ ବା ଏହାର ପ୍ରମାଣନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ କ୍ୱାଲିଟି ଆସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି। ପ୍ରାକୃତିକ କୃଷିଜାତ ପଦାର୍ଥଗୁଡିକ ଏହା ଦ୍ୱାରା ପ୍ରମାଣପତ୍ର ପାଇଲେ ସେସବୁର ଚାହିଦା ଦେଶବିଦେଶରେ ବଢିବ। ପ୍ରାମାଣିକ ପ୍ରାକୃତିକ କୃଷିଜାତ ସାମଗ୍ରୀର ଚାହିଦା ବିଦେଶରେ ଭଲ ଏବଂ ଏହାର ମୂଲ୍ୟ ଅଧିକ ରହୁଛି। ଏହା ଦ୍ୱାରା ସମ୍ପୃକ୍ତ ଚାଷୀ ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆମ ଧର୍ମପୁସ୍ତକ ଓ ଲୋକ ସଂସ୍କୃତିରେ ରହିଥିବା ପ୍ରାକୃତିକ କୃଷିଜ୍ଞାନ ବିଷୟରେ ସ୍ମରଣ କରି କହିଛନ୍ତି ଯେ ଏନ୍‌ଜିଓ ଓ ବିଶେଷଜ୍ଞମାନେ ଏହା ଉପରେ ଗବେଷଣା କରିବାକୁ ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ଆଧୁନିକ କାଳରେ ଚାହିଦା ଦୃଷ୍ଟିରୁ ଏହି ପ୍ରାଚୀନ କୃଷି ପଦ୍ଧତି ଓ ଜ୍ଞାନକୁ କିପରି କାମରେ ଲଗାଇ ହେବ ତା’ ଉପରେ ଗବେଷକମାନେ କାମ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ୭୫ଜଣ ଚାଷୀ ପ୍ରାକୃତିକ ଚାଷ ସହ ଯୋଡି ହେବାର ଯେଉଁ ଅୟମାରମ୍ଭ ହୋଇଛି ଏହା ଖୁବ୍ ଶୀଘ୍ର ବହୁଗୁଣିତ ହେବ। ଏହା ସହିତ ରାସାୟନିକ ସାମଗ୍ରୀ ମୁକ୍ତ ଏହି ପ୍ରାକୃତିକ କୃଷି ଉତ୍ପାଦର ଚାହିଦା ମଧ୍ୟ ବଢିବ।

ଆଜାଦି କି  ଅମୃତ ମହୋତ୍ସବର ଅଂଶସ୍ୱରୂପ ଏକ  କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୨୨ମାର୍ଚ୍ଚ ମାସରେ ଗୁଜରାଟ ପଞ୍ଚାୟତ ମହାସମ୍ମିଳନୀକୁ ଉଦ୍‌ବୋଧନ ଦେବା ଅବସରରେ ପ୍ରତି ଗ୍ରାମରେ ଅତି କମ୍‌ରେ ୭୫ଜଣ ଚାଷୀ ପ୍ରାକୃତିକ କୃଷି ଆରମ୍ଭ କରିବାକୁ ଆହ୍ୱାନ  ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ସୁରତ ଜିଲ୍ଲା କର୍ତ୍ତୃପକ୍ଷ ଏ ଦିଗରେ କାମ ଆରମ୍ଭ କରିଥିଲେ। ଏଥିରେ ସବୁ ପଞ୍ଚାୟତ ଓ ଗାଁର ଚାଷୀ, ଚାଷୀଗୋଷ୍ଠୀ, ନିର୍ବାଚିତ ପ୍ରତିନିଧି, କୃଷି ଉତ୍ପାଦକ ବିପଣନ କମିଟି, ସମବାୟ ବ୍ୟାଙ୍କର ପ୍ରତିନିଧି ଓ ଅନ୍ୟାନ୍ୟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସାମିଲ କରାଯାଇ ଯୋଜନା ମୁତାବକ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଚାଷୀଙ୍କୁ ପ୍ରାକୃତିକ ଚାଷ ଆରମ୍ଭ କରିବାକୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ପ୍ରତ୍ୟେକ ପଞ୍ଚାୟତରୁ ୭୫ଜଣ ଚାଷୀଙ୍କୁ ବାଛି ପ୍ରାକୃତିକ କୃଷିରେ ନିୟୋଜିତ କରାଯାଇଛି। ସେମାନଙ୍କୁ ଏଥିପାଇଁ ଆବଶ୍ୟକ ତାଲିମ ଓ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ବିଭିନ୍ନ ୯୦ଟି କ୍ଲଷ୍ଟରରେ ଏହି ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହାଫଳରେ ସୁରତ ଜିଲ୍ଲାରେ ୪୧ହଜାରରୁ ଅଧିକ ଚାଷୀ ପ୍ରାକୃତିକ କୃଷି ପଦ୍ଧତି ସମ୍ପର୍କରେ ତାଲିମ ନେଇ ଚାଷ ଆରମ୍ଭ କରିଛନ୍ତି।