Categories
ବିଶେଷ ଖବର

ସିଏସ୍‌ସି ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରେ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌) ଦ୍ୱାରା ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି ଏଲ୍ ବର୍ମା, ସଚିବ, ସମବାୟ ମନ୍ତ୍ରଣାଳୟ, ଜ୍ଞାନେଶ କୁମାର, ସଚିବ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ, ଅଳ୍କେଶ କୁମାର ଶର୍ମା ଏବଂ ସିଏସସି-ଏସପିଭିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ରାକେଶ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହିତ ଉପସ୍ଥିତ ଥିଲେ ।

 

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପିଏସିଏସ୍ ଏବଂ ସିଏସ୍‌ସିର ଏକତ୍ରିକରଣ ସହିତ ସମବାୟ ସମିତିକୁ ମଜଭୁତ କରିବା ଏବଂ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁଇଟି ସଂକଳ୍ପ ଆଜି ପୂରଣ ହେଉଛି । ଡିଜିଟାଲ ଇଣ୍ଡିଆ ମିଶନ ଅଧୀନରେ ସିଏସ୍‌ସି ମାଧ୍ୟମରେ ଶାସନରୁ ଦୁର୍ନୀତି ଦୂର କରିବା ଏବଂ ଗରିବ ଲୋକଙ୍କ ଦୁଆର ମୁହଁକୁ ସୁବିଧା ଗୁଡିକୁ ନେବା ତଥା ସମବାୟ ମନ୍ତ୍ରଣାଳୟ ଗଠନ କରି ପିଏସିଏସ ଠାରୁ ଆପେକ୍ସ ପର୍ଯ୍ୟନ୍ତ ସମଗ୍ର ସମବାୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଦ୍ୱାରା ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନେଇଥିବା ସଂକଳ୍ପ ଆଜି ସମନ୍ୱିତ ହୋଇଛି ।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏକ ମହାନ ଦର୍ଶନ ସହ ସମବାୟ ମନ୍ତ୍ରଣାଳୟର ମାର୍ଗଦର୍ଶନ କରାଇଛନ୍ତି । ସେ କହିଛନ୍ତି ଯେ ସମବାୟ ଆନ୍ଦୋଳନକୁ ମଜଭୁତ କରିବାକୁ ହେଲେ ଏହାର କ୍ଷୁଦ୍ରତମ ୟୁନିଟ୍ ପିଏସିଏସ୍‌କୁ ସୁଦୃଢ଼ କରିବାକୁ ପଡିବ । ଶ୍ରୀ ଶାହ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ପିଏସିଏସ୍ ଶକ୍ତିଶାଳୀ ହୋଇ ନାହିଁ, ସେ ପର୍ଯ୍ୟନ୍ତ ସମବାୟ ଆନ୍ଦୋଳନକୁ ମଜଭୁତ କରାଯାଇ ପାରିବ ନାହିଁ । ତେଣୁ ସରକାର ସେମାନଙ୍କୁ ସ୍ୱଚ୍ଛ କରିବା, ସେମାନଙ୍କର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଏବଂ ଆଧୁନିକୀକରଣ କରିବା ପାଇଁ ପିଏସିଏସ୍‌କୁ କମ୍ପ୍ୟୁଟରୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ୱାରା ସରକାରଙ୍କ ଡିଜିଟାଲୀକୃତ ଯୋଜନାଗୁଡିକ ପିଏସିଏସ୍ ସହିତ ଏକୀଭୂତ ହୋଇ ପାରିବ । ଶ୍ରୀ ଶାହ କହିଛନ୍ତି ଯେ ସମବାୟ ମନ୍ତ୍ରଣାଳୟ ଗଠନ ହେବାର ୨୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏସିଏସ୍‌ର କମ୍ପ୍ୟୁଟରୀକରଣ ପାଇଁ ୨୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯେଉଁଥିପାଇଁ ୬୫,୦୦୦ ପିଏସିଏସ୍ କମ୍ପ୍ୟୁଟରୀକରଣ କରାଯାଉଛି ।

 

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ‘ସର୍ବନିମ୍ନ ସରକାର, କିନ୍ତୁ ବିନା ଦୁର୍ନୀତିରେ ଅନ୍ତିମ ମାଇଲ୍ ପର୍ଯ୍ୟନ୍ତ ବିତରଣ ସହିତ ସର୍ବାଧିକ ଶାସନ’ ସୂତ୍ର କାର୍ଯ୍ୟକାରୀ କରିବା ପାଇଁ ସିଏସ୍‌ସି ଠାରୁ କୌଣସି ବଡ଼ ମାଧ୍ୟମ ଥାଇ ନପାରେ । ସେ ସୂଚନା ଦେଇଛନ୍ତି ଯେ ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କର ୩୦୦ ରୁ ଅଧିକ କ୍ଷୁଦ୍ର ହିତାଧିକାରୀ ଯୋଜନା ସିଏସ୍‌ସି ସହିତ ଏକୀଭୂତ ହୋଇଛି । ସେ କହିଛନ୍ତି ଯେ ଗ୍ରାମର ଗରିବ, ଭୂମିହୀନ କୃଷି ଶ୍ରମିକ ଏବଂ ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସିଏସ୍‌ସି ସେବା ଯୋଗାଇବା ପାଇଁ ପିଏସିଏସ୍ ଠାରୁ ଭଲ ମାଧ୍ୟମ ଥାଇ ନପାରେ । ଆଜି ପିଏସିଏସ୍ ଏବଂ ସିଏସ୍‌ସି ମିଳିତ ହେବାକୁ ଯାଉଛନ୍ତି, ଏହା କେବଳ ଗରିବଙ୍କ ସୁବିଧା ବୃଦ୍ଧି କରିବ ନାହିଁ, ବରଂ ଗ୍ରାମୀଣ ଅର୍ଥନୀତି ମଧ୍ୟ ନୂତନ ଶକ୍ତି ଏବଂ ଦୃଢ଼ତା ପାଇବ । ଏହା ସହିତ ଆମେ ଦେଶର ବିକାଶ ପାଇଁ ସର୍ବାଧିକ ସାମର୍ଥ୍ୟକୁ ମଧ୍ୟ ବ୍ୟବହାର କରିବା କ୍ଷେତ୍ରରେ ସମର୍ଥ ହେବା ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସିଏସ୍‌ସି ରେ ୧୭,୧୭୬ ପିଏସିଏସ୍ ପଞ୍ଜିକୃତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ମାସର ସ୍ୱଳ୍ପ ସମୟ ମଧ୍ୟରେ ୧୭,୦୦୦ ରୁ ଅଧିକ ପିଏସିଏସ୍ ପରିସର ଭିତରକୁ ଆସିବା ହେଉଛି ଏକ ବଡ଼ ସଫଳତା । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶ୍ରୀ ଶାହ ସମବାୟ ମନ୍ତ୍ରଣାଳୟର ସଚିବ ଏବଂ ମନ୍ତ୍ରଣାଳୟର ସମଗ୍ର ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ୧୭,୧୭୬ ପିଏସିଏସ୍ ମଧ୍ୟରୁ ପ୍ରାୟ ୬,୬୭୦ କାର୍ଯ୍ୟ କରିାବ ଆରମ୍ଭ କରିଛନ୍ତି ଏବଂ ଅବଶିଷ୍ଟ ପିଏସିଏସ୍ ମଧ୍ୟ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବେ । ଏହା ପ୍ରାୟ ୧୪,୦୦୦ ଗ୍ରାମୀଣ ଯୁବକଙ୍କୁ ନିଯୁକ୍ତି ଯୋଗାଇବ ଏବଂ ଏହି ଯୁବକମାନେ ଗ୍ରାମାଞ୍ଚଳର ଅର୍ଥନୀତି ଏବଂ ଗ୍ରାମ ଗୁଡିକରେ ସୁବିଧା ଗୁଡ଼ିକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ । ସେ କହିଛନ୍ତି ଯେ ଆମ ଦେଶର ଜନସଂଖ୍ୟାର ୬୦-୬୫% ଗ୍ରାମରେ ବସବାସ କରନ୍ତି ଆଉ ସେଥିପାଇଁ ଆମକୁ “ସହକାର ସେ ସମ୍ରିଦ୍ଧି’ ମନ୍ତ୍ର ସହିତ ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ ଏବଂ ବିବିଧତାଭରା କରିବା ନିମନ୍ତେ ଉଦ୍ୟମ କରିବାକୁ ହେବ ।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୯ ବର୍ଷ ମଧ୍ୟରେ ଭାରତ ସରକାର ବିନା ମୂଲ୍ୟରେ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାସନ, ଗୃହ, ବିଦ୍ୟୁତ୍‌, ଜଳ, ରନ୍ଧନ ଗ୍ୟାସ, ଶୌଚାଳୟ ଏବଂ ସ୍ୱାସ୍ଥ୍ୟ ସୁବିଧା ୬୦ କୋଟି ଲୋକଙ୍କୁ ଯୋଗାଇ ଦେଇଛନ୍ତି । ବର୍ତ୍ତମାନ ଏହି ସବୁ ସୁବିଧା ପାଇଁ ପଞ୍ଜିକରଣ ତଥା ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟକୁ ନେବା ପାଇଁ ୧୭,୦୦୦ ରୁ ଅଧିକ ପିଏସିଏସ୍ ମଧ୍ୟ ମାଧ୍ୟମ ହେବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଜନ-ଧନ ଜମା ଖାତା, ଆଧାର କାର୍ଡ ଏବଂ ମୋବାଇଲ ଯୋଗାଇ ଦେଇ ନାହାନ୍ତି, ବରଂ ଡିଜିଟାଲ ଇଣ୍ଡିଆ ମିଶନ ଅଧୀନରେ ଗ୍ରାମ ତଥା ଗ୍ରାମ ପଞ୍ଚାୟତରେ ଅପ୍ଟିକାଲ ଫାଇବର ନେଟୱର୍କ ସ୍ଥାପନ କରିବା ଭଳି ମଧ୍ୟ ଏକ ବଡ଼ କାର୍ଯ୍ୟ କରିଛନ୍ତି ।

 

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୫୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ପ୍ରତି ଜିବି ଡାଟାର ମୂଲ୍ୟ ୯୬ ପ୍ରତିଶତ ହ୍ରାସ ପାଇଛି, ଯାହା ଗରିବ ଏବଂ ବଞ୍ଚିତ ଲୋକ ମାନଙ୍କୁ ଏହି ସୁବିଧା ବ୍ୟବହାର କରିବାରେ ସକ୍ଷମ କରାଇଛି । ସେ କହିଛନ୍ତି ଯେ ପିଏସିଏସ୍‌କୁ କମ୍ପ୍ୟୁଟରୀକରଣ କରି ସରକାର ପିଏସିଏସ୍‌ର ବହୁମୁଖୀକରଣ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ଏଫପିଓ (କୃଷକ ଉତ୍ପାଦକ ସଂଗଠନ) ଭାବରେ କାର୍ଯ୍ୟ କରିବାକୁ ମଧ୍ୟ କ୍ଷମତା ଦେଇଛନ୍ତି । ଏଥି ସହିତ ବିହନ ଉତ୍ପାଦନ, ଜୈବ ଚାଷର ବିପଣନ ଏବଂ କୃଷକ ଉତ୍ପାଦ ରପ୍ତାନି ପାଇଁ ତିନୋଟି ବହୁମୁଖୀ ରାଜ୍ୟ ସମବାୟ ସମିତି ଗଠନ କରାଯାଇଛି । ବିଶ୍ୱର ସର୍ବବୃହତ ଖାଦ୍ୟ ଶସ୍ୟ ସଂରକ୍ଷଣ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ଶ୍ରୀ ଶାହ କହିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଛୋଟ ପିଏସିଏସ୍ ଦେଶର ୩୦% ଖାଦ୍ୟ ଶସ୍ୟକୁ ସଂରକ୍ଷଣ ଯୋଗାଇବ ।

ଅମିତ ଶାହ କହିଛନ୍ତି ଯେ ବର୍ତ୍ତମାନ ପିଏସିଏସ୍ ଏଲପିଜି, ଡିଜେଲ ଏବଂ ପେଟ୍ରୋଲର ବିତରଣ କାର୍ଯ୍ୟ ଆରମ୍ଭ କରି ପାରିବ । ସେମାନେ ମଧ୍ୟ ସୁଲଭ ମୂଲ୍ୟ ଦୋକାନ, ଜନ ଔଷଧି କେନ୍ଦ୍ର, ପ୍ରଧାନ ମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଏବଂ ସାର ଦୋକାନ ଖୋଲି ପାରିବେ । ସେ କହିଛନ୍ତି ଯେ, ଏହି କାର୍ଯ୍ୟ ମାଧ୍ୟମରେ ପିଏସିଏସ୍ ଗ୍ରାମ ଗୁଡିକର ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ବିନ୍ଦୁ ହେବ । ଶ୍ରୀ ଶାହ କହିଛନ୍ତି ଯେ ଯଦି ପିଏସିଏସ୍ ସମୃଦ୍ଧ ହୁଏ, ତେବେ କୃଷକମାନେ ସମୃଦ୍ଧ ହେବେ, କାରଣ ଏହାର ଲାଭ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ । ସେ କହିଛନ୍ତି ଯେ ସରକାର ସମବାୟ କ୍ଷେତ୍ରରେ ଅନେକ ଆଇନଗତ ଏବଂ ପ୍ରଶାସନିକ ସଂସ୍କାର ଆଣିଛନ୍ତି ଏବଂ ବହୁମୁଖୀ ଢଙ୍ଗରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ମୋଦୀ ସରକାରଙ୍କ ସମବାୟ ଯୋଜନା ଏବଂ ନିରନ୍ତର ସଂସ୍କାର ତୃଣମୂଳ ସ୍ତରରେ ପହଞ୍ଚିଛି, ତେଣୁ ସମବାୟ ଆନ୍ଦୋଳନକୁ ମଜଭୁତ ହେବାକୁ କେହି ଅଟକାଇ ପାରିବେ ନାହିଁ । ପିଏସିଏସକୁ ମଜଭୁତ କରିବା ପାଇଁ ଏବଂ ‘ପିଏସିଏସ୍‌କୁ ମଜଭୁତ କରି ଗ୍ରାମର ସମୃଦ୍ଧି\’ ମନ୍ତ୍ର ଗ୍ରହଣ କରି ଏହାକୁ ଆଗକୁ ନେବାକୁ ଶ୍ରୀ ଶାହ ଲୋକମାନଙ୍କୁ ନିବେଦନ କରିଥିଲେ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ନିକଟରେ ଏକ ନୂତନ ପଦକ୍ଷେପ ନେଇଛି ଏବଂ ସାହାରା ଗୋଷ୍ଠୀର ସମବାୟ ସମିତିରେ ଜମାକାରୀଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛି । ସେ କହିଛନ୍ତି ଯେ ସମବାୟ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି । ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ୫୦୦୦ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାହାରା ଗୋଷ୍ଠୀର ସମବାୟ ସମିତିର ପ୍ରକୃତ ଜମାକାରୀଙ୍କୁ ଆଇନଗତ ଦେୟ ପ୍ରଦାନ ପାଇଁ “ସାହାରା-ସେବି ଫେରସ୍ତ ଆକାଉଣ୍ଟ’ରୁ କୋଅପରେଟିଭ ସୋସାଇଟି (ସିଆର୍‌ସିଏସ୍‌) ର କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କ ଆକାଉଣ୍ଟକୁ ୫୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସେ କହିଛନ୍ତି ଯେ ଏହି ନିର୍ଦ୍ଦେଶକୁ ଅନୁସରଣ କରି ଜୁଲାଇ ୧୮, ୨୦୨୩ ରେ ‘ସିଆର୍‌ସିଏସ୍ – ସାହାରା ଫେରସ୍ତ\’ ପୋର୍ଟାଲ ଆରମ୍ଭ କରାଯାଇଥିଲା । ଅମିତ ଶାହ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ୫ ଲକ୍ଷ ଲୋକ ପଞ୍ଜିକୃତ ହୋଇଛନ୍ତି ଏବଂ ପ୍ରକୃତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ଏହା ଏକ ଉତ୍ତମ ଉଦାହରଣ ଯେ ଯଦି ସରକାର ସକ୍ରିୟ ଢଙ୍ଗରେ କାର୍ଯ୍ୟ କରନ୍ତି, ତେବେ ସର୍ବାଧିକ ଜଟିଳ ସମସ୍ୟାର ମଧ୍ୟ ସମାଧାନ ହୋଇ ପାରିବ ।

Categories
ଆଜିର ଖବର ଜାତୀୟ ଖବର

ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ପ୍ରତିଷ୍ଠା ହେବ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଏହାର ପହଞ୍ଚ ବଢ଼ାଇବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମାନନୀୟ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ପ୍ରତିଷ୍ଠା, ସବୁ ଅପହଞ୍ଚ ପଞ୍ଚାୟତ/ଗ୍ରାମରେ ସକ୍ଷମ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ପ୍ରତିଷ୍ଠା, ବଡ଼ ଜଳାଶୟ ଥିବା ପଞ୍ଚାୟତ/ଗ୍ରାମ ସମେତ ପ୍ରତ୍ୟେକ ଉପକୂଳ ପଞ୍ଚାୟତ/ଗ୍ରାମରେ ସକ୍ଷମ ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ଏବଂ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିକୁ ସୁଦୃଢ଼  କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି। ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସମନ୍ବୟ ଅଣାଯାଇ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ ଲକ୍ଷ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ନାବାର୍ଡ, ଜାତୀୟ ଦୁଗ୍ଧ ଉତ୍ପାଦନ ବିକାଶ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ମାଛ ଚାଷ ବିକାଶ ବୋର୍ଡ (ଏନଏଫଡିବି) କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ।

ବର୍ତ୍ତମାନର ପରିଯୋଜନା ଅଧୀନରେ ନିମ୍ନଲିଖିତ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ବୟ ଆଣିବା ଲାଗି ଚିହ୍ନଟ କରାଯାଇଛି:

୧- ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ;

୨- ଦୁଗ୍ଧ ଉତ୍ପାଦନର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ (ଏନପିଡିଡି) ଏବଂ

୩- ଦୁଗ୍ଧଜାତ ଉତ୍ପାଦର ପ୍ରକ୍ରିୟାକରଣ ଓ ଭିତ୍ତିଭୂମି ବିକାଶ ପାଣ୍ଠି (ଡିଆଇଡିଏଫ)

ମତ୍ସ୍ୟ ଉତ୍ପାଦନ ବିଭାଗ:

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସଓ୍ବାଇ) ଏବଂ ମାଛ ଚାଷ ଓ ଜଳଜ କୃଷି ବା ଆକ୍ବାକଲ୍ଚର ଭିତ୍ତିଭୂମି ବିକାଶ (ଏଫଆଇଡିଏଫ) 

ଏହା ସାରା ଦେଶର ଚାଷୀ ସଦସ୍ୟମାନଙ୍କୁ ଗ୍ରାମାଞ୍ଚଳ ସ୍ତରରେ ସେମାନଙ୍କର ଉତ୍ପାଦ ବିକ୍ରି କରିବା, ଆୟ ବଢ଼ାଇବା ଏବଂ ଋଣ ସୁବିଧା ହାସଲ କରିବା ସମେତ ଅନ୍ୟାନ୍ୟ ସେବା ନିମନ୍ତେ ଆବଶ୍ୟକ ଫରଓ୍ବାର୍ଡ ଓ ବ୍ୟାକଓ୍ବାର୍ଡ ଲିଙ୍କେଜ୍ ଯୋଗାଇ ଦେବ। ଯେଉଁ ପ୍ରାଥମିକ ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ବନ୍ଦ କରି ଦିଆଯିବ ଏବଂ ସେମାନଙ୍କ ପରିଚାଳନା କ୍ଷେତ୍ରରେ ନୂତନ ପ୍ରାଥମିକ ସମବାୟ ସମିତି ପ୍ରତିଷ୍ଠା କରାଯିବ।

ଆହୁରି ନୂଆ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ହେବା ଫଳରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ଯାହାକି ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ଲାଭଜନକ ପ୍ରଭାବ ପକାଇବ। ଏହି ପରିଯୋଜନା ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ନିମନ୍ତେ ଭଲ ମୂଲ୍ୟ ପ୍ରଦାନ କରିବା, ସେମାନଙ୍କର ବଜାର ଆକାର ବୃଦ୍ଧି କରିବ ତଥା ସେମାନଙ୍କୁ ଯୋଗାଣ ଶୃଙ୍ଖଳରେ ବାଧାମୁକ୍ତ ଭାବେ ସାମିଲ କରିବ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆନ୍ତଃମନ୍ତ୍ରଣାଳୟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ମାଛ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମନ୍ତ୍ରୀ ଓ ସଚିବ; ନାବାର୍ଡ, ଏନଡିଡିବିର ଅଧ୍ୟକ୍ଷ ଓ ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଥିରେ ସଦସ୍ୟ ରହିଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ସମନ୍ବୟ ପାଇଁ ଚିହ୍ନଟ ହୋଇଥିବା ଯୋଜନାର ମାର୍ଗଦର୍ଶିକାରେ ଅନୁକୂଳ ପରିବର୍ତ୍ତନ, ଯୋଜନାର ସୁଗମ କାର୍ଯ୍ୟକାରିତା ନିମନ୍ତେ କମିଟିକୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଇଛି। କାର୍ଯ୍ୟ ଯୋଜନାର ଲକ୍ଷ୍ୟ ଆଧାରିତ ଏବଂ ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଲାଗି ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି।

ପେକ୍ସଗୁଡ଼ିକର କାର୍ଯ୍ୟକ୍ଷମତା ବଢ଼ାଇବା ଏବଂ ସେମାନଙ୍କୁ ପଞ୍ଚାୟତ ସ୍ତରରେ ସକ୍ରିୟ ଆର୍ଥିକ ସଂସ୍ଥା ଭାବେ ପରିଣତ କରି ସେମାନଙ୍କ ବ୍ୟବସାୟିକ କାର୍ଯ୍ୟକଳାପର ବିବିଧକରଣ କରିବା ଉଦ୍ଦେଶ୍ୟରେ ସବୁ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ମନ୍ତ୍ରଣାଳୟ ଦ୍ବାରା ପେକ୍ସଗୁଡ଼ିକର ମଡେଲ ବାଇଲ’ ପ୍ରସ୍ତୁତ କରାଯାଇଛି। ପେକ୍ସର ଏହି ମଡେଲ ବାଇଲ’ ସେମାନଙ୍କୁ ୨୫ଟି ବ୍ୟବସାୟିକ କାର୍ଯ୍ୟ ପରିଚାଳନା ନିମନ୍ତେ ସକ୍ଷମ କରିବ ଯେଉଁଥିରେ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ଗୋଦାମ ପ୍ରତିଷ୍ଠା, ଖାଦ୍ୟ ଶସ୍ୟ କ୍ରୟ, ସାର, ବିହନ କ୍ରୟ, ଏଲପିଜି/ଏଲଏନଜି/ପେଟ୍ରୋଲ/ଡିଜେଲ ବିତରଣ, ସ୍ବଳ୍ପ ଅବଧି ଓ ଦୀର୍ଘ ଅବଧି ଋଣ, କଷ୍ଟମ ହାୟରିଂ କେନ୍ଦ୍ର, ଜନ ସେବା କେନ୍ଦ୍ର, ସରକାରୀ ସାଧାରଣ ବଣ୍ଟନ କେନ୍ଦ୍ର, ଗୋଷ୍ଠୀ ଜଳସେଚନ, ବ୍ୟବସାୟିକ ପ୍ରତିନିଧିତ୍ବ କାର୍ଯ୍ୟ ଆଦି ସାମିଲ ରହିଛି। ୫ ଜାନୁଆରୀ ୨୦୨୩ରେ ଏହି ମଡେଲ ବାଇଲ’ଗୁଡ଼ିକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପଠାଇ ଦିଆଯାଇଛି। ସେମାନେ ନିଜର ରାଜ୍ୟ ସମବାୟ ଆଇନ ଅନୁଯାୟୀ ଅନୁକୂଳ ପରିବର୍ତ୍ତନ କରି ଏଗୁଡ଼ିକୁ ପେକ୍ସ ପାଇଁ କାର୍ଯ୍ୟକାରୀ କରିପାରିବେ।

ସମବାୟ ମନ୍ତ୍ରଣାଳୟ ଦ୍ବାରା ଏକ ଜାତୀୟ ସମବାୟ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯାଉଛି ଯେଉଁଥିରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସମବାୟ ସମିତି ରେଜିଷ୍ଟ୍ରାରଙ୍କ ସହାୟତାରେ ପଞ୍ଚାୟତ ଓ ଗ୍ରାମ ସ୍ତରରେ ସମବାୟ ସମିତିଗୁଡ଼ିକର ଦେଶବ୍ୟାପୀ ମ୍ୟାପିଂ କରାଯିବ। ଜାନୁଆରୀ ୨୦୨୩ରେ ପେକ୍ସର ଏକ ବିସ୍ତୃତ ଡେଟା ବେସ ବିକଶିତ କରାଯାଇଛି। ଏଥିସହିତ ଫେବୃଆରୀ ଶେଷ ସୁଦ୍ଧା ଦୁଗ୍ଧ ଉତ୍ପାଦନ/ମାଛ ଚାଷ ପ୍ରାଥମିକ ସମବାୟ ସମିତିଗୁଡ଼ିକର ଏକ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯିବ। ଏହାଫଳରେ ପେକ୍ସ, ଦୁଗ୍ଧ ଉତ୍ପାଦନ ଓ ମାଛ ଚାଷ ସମବାୟ ସମିତି ନଥିବା ପଞ୍ଚାୟତ ଓ ଗ୍ରାମଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇପାରିବ। ନୂଆ ସମବାୟ ସମିତିଗୁଡ଼ିକର ଗଠନକୁ ବାସ୍ତବ ସମୟରେ ଅନୁଧ୍ୟାନ ପାଇଁ ଜାତୀୟ ସମବାୟ ଡେଟାବେସ ଓ ଅନଲାଇନ କେନ୍ଦ୍ରୀୟ ପୋର୍ଟାଲକୁ ବିନିଯୋଗ କରାଯିବ।

ସମ୍ପୃକ୍ତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସଂଘ ସହିତ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିଗୁଡ଼ିକୁ ଯୋଡ଼ାଯିବ। ‘ସାମଗ୍ରିକ ସରକାର’ ଦୃଷ୍ଟିକୋଣ ନେଇ ଏହି ସବୁ ସମବାୟ ସମିତିଗୁଡ଼ିକ ନିଜର ବ୍ୟବସାୟିକ କାର୍ଯ୍ୟକଳାପରେ ବିବିଧକରଣ ନିମନ୍ତେ ଜରୁରି ଭିତ୍ତିଭୂମି ପ୍ରତିଷ୍ଠା କରିପାରିବେ ଓ ଏହାର ଆଧୁନିକୀକରଣ କରିପାରିବେ। ଏହିସବୁ କାର୍ଯ୍ୟ ଭିତରେ ଦୁଗ୍ଧ ପରୀକ୍ଷାଗାର ପ୍ରତିଷ୍ଠା, ଅଧିକ ଦୁଗ୍ଧ ଶୀତଳୀକରଣ, ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ ନିର୍ମାଣ କରିବା, ବାୟୋଫ୍ଲକ ପୁଷ୍କରିଣୀ, ଫିସ କିଓସ୍କ ନିର୍ମାଣ, ହାଚେରୀ ବିକାଶ, ଗଭୀର ସାମୁଦ୍ରିକ ମାଛ ଧରା ତୋପ ବିକାଶ ଆଦି ସାମିଲ ରହିଛି।

ଦେଶର ସ୍ବଳ୍ପ ଅବଧି ବିଶିଷ୍ଟ ସମବାୟ ଋଣ (ଏସଟିସିସି) ଢାଞ୍ଚାର ସମନିମ୍ନ ସ୍ତରକୁ ଗଠନ କରୁଥିବା ପ୍ରାୟ ୯୮,୯୯୫ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ରହିଛି ଏବଂ ଏସବୁ ପେକ୍ସର ୧୩ କୋଟିରୁ ଅଧିକ ସଦସ୍ୟତା ଆଧାର ରହିଛି। ଏଗୁଡ଼ିକ ସ୍ବଳ୍ପ ଅବଧି ଏବଂ ମଧ୍ୟମ ଅବଧି ବିଶିଷ୍ଟ ଋଣ ସହିତ ବିହନ, ସାର, କୀଟନାଶକ ବିତରଣ ଆଦି ଅନ୍ୟାନ୍ୟ ଇନପୁଟ ସେବା ଯୋଗାଇ ଦେଇଥାନ୍ତି। ୩୫୨ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଏବଂ ୩୪ଟି ରାଜ୍ୟ ସମବାୟ ବ୍ୟାଙ୍କ (ଏସଟିସିବି) ଜରିଆରେ ନାବାର୍ଡ ଦ୍ବାରା ଏସବୁ ପେକ୍ସଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆଯାଇଥାଏ।

ଦେଶରେ ପ୍ରାୟ ୧,୯୯,୧୮୨ଟି ପ୍ରାଥମିକ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ରହିଛି ଏବଂ ଏହାର ପ୍ରାୟ ଦେଢ଼ କୋଟି ସଦସ୍ୟ ଅଛନ୍ତି। ଏଗୁଡ଼ିକ ନିଜ ସଦସ୍ୟମାନଙ୍କୁ ଚାଷୀଙ୍କ ଠାରୁ କ୍ଷୀର କିଣିବା, ଦୁଗ୍ଧ ପରୀକ୍ଷା ସୁବିଧା ଯୋଗାଇ ଦେବା, ଗୋଖାଦ୍ୟ ବିକ୍ରି କରିବା, ସମ୍ପ୍ରସାରିତ ସୁବିଧା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି।

ଦେଶରେ ପ୍ରାୟ ୨୫ ହଜାର ୨୯୭ଟି ପ୍ରାଥମିକ ମାଛ ଚାଷ ସମବାୟ ସମିତି ରହିଛନ୍ତି ଏବଂ ଏହାର ପାଖାପାଖି ୩୮ ଲକ୍ଷ ସଦସ୍ୟ ଅଛନ୍ତି। ଏଗୁଡ଼ିକ ସମାଜର ସବୁଠୁ ବଞ୍ଚିତ ବର୍ଗଙ୍କର ଆବଶ୍ୟକତା ପୂରଣ କରିଥାନ୍ତି, ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଇଥାନ୍ତି, ମାଛ ଧରା ଉପକରଣ କିଣିବାରେ ସହାୟତା କରିଥାନ୍ତି, ମାଛ ଯାଆଁଳ ଓ ଖାଦ୍ୟ କ୍ରୟ ସହିତ ଏକ ସୀମିତ ପରିମାଣରେ ନିଜର ସଦସ୍ୟମାନଙ୍କୁ ଋଣ ସୁବିଧା ଯୋଗାଇ ଦେଇଥାନ୍ତି।

ତେବେ ଦେଶରେ ଏବେ ବି ୧.୬ ଲକ୍ଷ ପଞ୍ଚାୟତରେ କୌଣସି ପେକ୍ସ ନାହିଁ ଏବଂ ୨ ଲକ୍ଷ ପଞ୍ଚାୟତରେ ଆଦୌ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ନାହିଁ। ଦେଶର ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥାରେ ଏସବୁ ପ୍ରାଥମିକ ସ୍ତରର ସମବାୟ ସମିତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ସମବାୟ ଆନ୍ଦୋଳକୁ ସୁଦୃଢ଼ କରିବା ଲାଗି ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆହୁରି, ସବୁ ପଞ୍ଚାୟତ/ଗ୍ରାମରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବୁ ସମବାୟ ସମିତିର ପହଞ୍ଚକୁ ତୃଣମୂଳ ସ୍ତରରେ ବଢ଼ାଇବା ଏବଂ ସୁସମ ବିତରଣ କରିବାର ମଧ୍ୟ ପଦକ୍ଷେପ ନିଆଯିବା ଜରୁରି।

Categories
ବିଶେଷ ଖବର

ପ୍ରାଥମିକ କୃଷି ଋଣ ସମିତି ଗୁଡ଼ିକର କମ୍ପ୍ୟୁଟରୀକରଣକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ପ୍ୟାକ୍ସଗୁଡ଼ିକର ଦକ୍ଷତା ବଢ଼ାଇବା ସହିତ ପରିଚାଳନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବ। ପ୍ୟାକ୍ସଗୁଡ଼ିକର କାରବାରରେ ବିବିଧତା ଆସିବା ସହିତ ବିଭିନ୍ନ ଗତିବିଧି/ସେବା ଆରମ୍ଭ କରିବା କ୍ଷେତ୍ରରେ ସୁବିଧା ମିଳିବ। ଏହି ପ୍ରକଳ୍ପ ପାଇଁ ମୋଟ ୨୫୧୬ କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି। ଭାରତ ସରକାର ଏଥିରେ ୧୫୨୮ କୋଟି ଟଙ୍କା ଖର୍ଚ୍ଚ କରିବେ। ମୋଟ ୫ ବର୍ଷର ଅବଧି ମଧ୍ୟରେ ପ୍ରାୟ ୬୩ ହଜାର କାର୍ଯ୍ୟକ୍ଷମ ପ୍ୟାକ୍ସର କମ୍ପ୍ୟୁଟରୀକରଣ କରାଯିବ।

ଦେଶରେ ସ୍ବଳ୍ପକାଳୀନ ସମବାୟ ଋଣ (ଏସଟିସିସି) ଯୋଗାଇ ଦେବାର ତ୍ରିସ୍ତରୀୟ ବ୍ୟବସ୍ଥାରେ ସବୁଠୁ ତୃଣମୂଳସ୍ତରରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଗୁଡ଼ିକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ପ୍ରାୟ ୧୩ କୋଟି ଚାଷୀ ପ୍ୟାକ୍ସର ସଦସ୍ୟ ଭାବେ ସାମିଲ ରହିଛନ୍ତି ଏବଂ ଏମାନେ ଗ୍ରାମୀଣ ଅର୍ଥବ୍ୟବସ୍ଥାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି। ଦେଶରେ ସବୁ ସଂସ୍ଥାଗୁଡ଼ିକ ଦ୍ବାରା ଦିଆଯାଉଥିବା କେସିସି ଋଣ ମଧ୍ୟରେ ପ୍ୟାକ୍ସର ଭାଗ ୪୧ ପ୍ରତିଶତ (୩.୦୧ କୋଟି ଚାଷ) ହୋଇଥିବା ବେଳେ ପ୍ୟାକ୍ସ ମାଧ୍ୟମରେ ଏସବୁ କେସିସି ଋଣ ମଧ୍ୟରୁ ୯୫ ପ୍ରତିଶତ (୨.୯୫ କୋଟି ଚାଷୀ) କେବଳ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଦିଆଯାଇଛି। ଅନ୍ୟ ଦୁଇଟି ସ୍ତର ଅର୍ଥାତ ରାଜ୍ୟ ସମବାୟ ବ୍ୟାଙ୍କ (ଏସଟିସିବି) ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି)ଗୁଡ଼ିକୁ ପୂର୍ବରୁ ନାବାର୍ଡ ଦ୍ବାରା ସ୍ବୟଂଶାସିତ କରି ଦିଆଯାଇଛି। ଏମାନଙ୍କୁ କମନ୍‌ ବ୍ୟାଙ୍କିଙ୍ଗ ସଫ୍ଟୱେର ଅଧୀନକୁ ଅଣାଯାଇ ସାରିଛି।

ତେବେ, ଅଧିକାଂଶ ପ୍ୟାକ୍ସ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟରୀକୃତ ହୋଇନାହାନ୍ତି ଏବଂ ଏବେ ବି ହସ୍ତଚାଳିତ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି, ଫଳରେ ଏସବୁର ପରିଚାଳନାରେ ଅକ୍ଷମତା ଏବଂ ଭରସାର ଅଭାବ ଦେଖା ଦେଇଛି। କେତେକ ରାଜ୍ୟରେ କିଛି ସ୍ଥାନରେ ପ୍ୟାକ୍ସଗୁଡ଼ିକୁ ଆଂଶିକ ଭାବେ କମ୍ପ୍ୟୁଟରୀକରଣ କରାଯାଇଛି। ତେବେ ସେମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ସଫ୍ଟୱେରରେ କୌଣସି ସମାନତା ନାହିଁ ଏବଂ ଏଗୁଡ଼ିକ ଡିସିସିବି ଏବଂ ଏସଟିସିବି ସହ ଯୋଡ଼ି ହୋଇ ନାହାନ୍ତି। ସାରା ଦେଶରେ ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। କମ୍ପ୍ୟୁଟରୀକରଣ ହେବା ଦ୍ବାରା ପ୍ୟାକ୍ସଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଏକ ଜାତୀୟ ସ୍ତରର ପ୍ଲାଟଫର୍ମରେ ସାମିଲ ହୋଇପାରିବ।

ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ଦ୍ବାରା ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟକୁ ପୂରଣ  କରାଯାଇ ପାରିବ। ଚାଷୀ, ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦିଆଯାଉଥିବା ସେବା ଯୋଗାଣ ସୁଦୃଢ଼ ହେବ। ଏଥିସହିତ ସାର, ବିହନ ଆଦି ଇନପୁଟ ଯୋଗାଣ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରକାର ସେବା ନିମନ୍ତେ ପ୍ୟାକ୍ସଗୁଡ଼ିକ ନୋଡାଲ ସେବା ବିତରଣ କେନ୍ଦ୍ର ଭାବେ କାର୍ଯ୍ୟ କରିପାରିବେ। ଏହି ପ୍ରକଳ୍ପ ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲକରଣରେ ସୁଧାର ଆଣିବ। ବ୍ୟାଙ୍କ ଗତିବିଧି ସହିତ ଅଣବ୍ୟାଙ୍କିଙ୍ଗ ଗତିବିଧି କେନ୍ଦ୍ର ରୂପରେ ପ୍ୟାକ୍ସର ପ୍ରସାରକୁ ଉନ୍ନତ କରିବାରେ ସହାୟକ ହେବ। ଏଥିସହିତ ପ୍ୟାକ୍ସ ମାଧ୍ୟମରେ ଲାଗୁ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ବିକଳ୍ପ ଭାବେ ପ୍ୟାକ୍ସକୁ ନାମାଙ୍କନ କରିବା ଲାଗି ଡିସିସିବିଗୁଡ଼ିକ ସକ୍ଷମ ହୋଇପାରିବେ। ଏସବୁ ସେବାରେ ଋଣ ଏବଂ ଅନୁଦାନ ସାମିଲ ରହିଥାଏ। ଏହି ପଦକ୍ଷେପ ତୁରନ୍ତ ଋଣ ସମାଧାନ, ଅପେକ୍ଷାକୃତ କମ ହସ୍ତାନ୍ତର ଖର୍ଚ୍ଚ, ତୁରନ୍ତ ଅଡିଟ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସହ ରହିଥିବା ପରିଶୋଧ ଓ ଆକାଉଣ୍ଟିଂ ସମ୍ବନ୍ଧୀୟ ଅସନ୍ତୁଳନ ଦୂର କରିବ।

ଏହି ପ୍ରକଳ୍ପରେ ତଥ୍ୟ ସଂଗ୍ରହ, ସାଇବର ସୁରକ୍ଷା, ହାର୍ଡୱେର, ବର୍ତ୍ତମାନ ରେକର୍ଡର ଡିଜିଟାଲକରଣ, ରକ୍ଷଣାବେକ୍ଷଣ ଏବଂ ପ୍ରଶିକ୍ଷଣ ସମେତ କ୍ଲାଉଡ୍‌ ଆଧାରିତ ଏକୀକୃତ ସଫ୍ଟୱେର ଆଦିକୁ ମୁଖ୍ୟ ଉପାଦାନ ଭାବେ ସାମିଲ କରାଯାଇଛି। ସ୍ଥାନୀୟ ଭାଷାରେ ଏହି ସଫ୍ଟୱେର ବିକଶିତ କରାଯିବ ଏବଂ ରାଜ୍ୟର ଆବଶ୍ୟକତା ଅନୁସାରେ ଏହାକୁ ଅନୁକୂଳ କରିବା ଲାଗି ଏଥିରେ ସୁବିଧା ରହିବ। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ପ୍ରକଳ୍ପ ପରିଚାଳନା ୟୁନିଟ୍‌ ପ୍ରତିଷ୍ଠା କରାଯିବ। ପ୍ରାୟ ୨୦୦ ପ୍ୟାକ୍ସର ସମୂହକୁ ନେଇ ଜିଲ୍ଲାସ୍ତରୀୟ ସହାୟତା ପ୍ରଦାନ କରାଯିବ। ଯେଉଁ ସବୁ ରାଜ୍ୟରେ ପ୍ୟାକ୍ସର କମ୍ପ୍ୟୁଟରୀକରଣ ସମ୍ପୂର୍ଣ୍ଣ ହୋଇସାରିଛି, ସେମାନଙ୍କ କ୍ଷେତ୍ରରେ ପ୍ରତି ପ୍ୟାକ୍ସକୁ ୫୦,୦୦୦ ଟଙ୍କାର ସହାୟତା ଦିଆଯିବ। ତେବେ ଏସବୁ ପ୍ୟାକ୍ସ ସହଭାଗୀ ସଫ୍ଟୱେର ସହିତ ଏକୀକୃତ ହେବା ଏବଂ ନୂଆ ପ୍ରଣାଳୀକୁ ଆପଣାଇବା ଜରୁରି। ସେମାନଙ୍କର ହାର୍ଡୱେର ଆବଶ୍ୟକ ମାର୍ଗଦର୍ଶିକାକୁ ପୂରଣ କରୁଥିବ ଏବଂ ସଫ୍ଟୱେର ୧ ଫେବୃଆରୀ, ୨୦୧୭ ଠାରୁ ଆରମ୍ଭ ହୋଇଥିବ।