ଭୁବନେଶ୍ବର: ବିଭିନ୍ନ ସମୟରେ ବିବାଦୀୟ ହୋଇପଡିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ଫେରିବା ପରେ ଏବେ ଭିନ୍ନ ରୂପ ଧାରଣ କରିଛନ୍ତି। ସେ ବର୍ତ୍ତମାନ ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରଖୁଛନ୍ତି। ନିଜ ଭିତରେ ଏବଂ ରାଜ୍ୟରେ ଶାନ୍ତି ଆଣିବା ପାଇଁ ବର୍ତ୍ତମାନ ସେ ନିଜକୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖୁଛନ୍ତି।
ନିକଟରେ ଦୁର୍ଗାପୂଜା ଆଉ ଲକ୍ଷ୍ମୀ ପୂଜାରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରୁଥିବାର ପରିଲକ୍ଷିତ ହୋଇଥିଲା। ବିଶେଷ କରି ସେ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ହେଉଥିବା ଏହି ପୂଜାରେ ନିଜକୁ ନିୟୋଜିତ ରଖିଥିଲେ। ସେତିକି ନୁହେଁ ସେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦଙ୍କ ସହିତ ମଧ୍ୟ ସଂପର୍କ ଯୋଡିଥିଲେ।
ପ୍ରଶାନ୍ତ ଜଗଦେବ ଜଣେ ରାଗି ମିଞ୍ଜାଜର ନେତା ବୋଲି ଯେଉଁ ପ୍ରଚାର ଚାଲିଛି ସେଥିରେ ସେ ଭଟ୍ଟା ପକାଇବା ପାଇଁ ଏହି ନୂଆ ମାଧ୍ୟମକୁ ଆପଣେଇଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ଜଣେ ରାଗି ବ୍ୟକ୍ତି ନୁହଁନ୍ତି, ସେ ଜଣେ ସରଳ ଓ ଶାନ୍ତଶିଷ୍ଟ ବ୍ୟକ୍ତି ବୋଲି ପ୍ରମାଣିତ କରିବା ପାଇଁ ସେ ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ସେଥିପାଇଁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରି ନୃତ୍ୟଶିଳ୍ପୀଙ୍କ ସହିତ ନୃତ୍ୟ କରିବା ମଧ୍ୟ ଆରମ୍ଭ କରିଛନ୍ତି।
ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜାରେ ପରେ ଏବେ ସେ କାଳୀ ପୂଜାରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି। ପବିତ୍ର କାଳୀପୂଜା ଅବସରରେ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ “ମା” ରକ୍ଷାକାଳୀଙ୍କ ମନ୍ଦିରର ବାର୍ଷିକ ଉତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରିଛନ୍ତି। ତାଙ୍କର ଧର୍ମପତ୍ନୀ ତଥା ସମାଜସେବୀ ସ୍ୱାଗତିକା ଜଗଦ୍ଦେବ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।
ବର୍ତ୍ତମାନ କୋର୍ଟ ନିର୍ଦ୍ଦେଶ ଯୋଗୁଁ ପ୍ରଶାନ୍ତ ତାଙ୍କ ନିର୍ବାଚନ ମଣ୍ଡଳି ଚିଲିକାକୁ ଯାଇପାରୁ ନାହାଁନ୍ତି। ହେଲେ ସେ ଭୁବନେଶ୍ବରରେ ରହି ନିଜର ନିର୍ବାଚନ ମଣ୍ଡଳିକୁ ନିୟନ୍ତ୍ରିତ କରୁଛନ୍ତି। ସେହିପରି ଏହି କଟକଣା ପାଇଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେ ଅନ୍ୟ ସ୍ଥାନରେ ଏହି ଧାର୍ମିକ କାର୍ଯ୍ୟରେ ନିୟୋଜିତ କରି ନିଜର ଭାବମୂର୍ତ୍ତି ସଜାଡିବାରେ ଲାଗିଛନ୍ତି।