Categories
ବିଶେଷ ଖବର ରାଜ୍ୟ ଖବର

ବିଜୁ ସେତୁ କାର୍ଯ୍ୟର ସମୀକ୍ଷା ବୈଠକ, ଶିଘ୍ର ନିର୍ମାଣ ଶେଷ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆଜି ଗ୍ରାମ୍ୟ ନିର୍ମାଣ ଭବନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଏକ ସମୀକ୍ଷା ବୈଠକ କରିଛନ୍ତି।
ବୈଠକରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେତୁର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ସହ ସେ ପ୍ରକଳ୍ପ ନିମନ୍ତେ ଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଥିବା ସମସ୍ୟାର ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେତୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା ନେଇ ପ୍ରତ୍ୟେକ ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଘଡ଼ାଇ ପ୍ରକାଶ କରିଛନ୍ତି।

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କହିଛନ୍ତି ଯେ ସେତୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପନ୍ନ କରିବାରେ ଉଭୟ ବିଭାଗୀୟ ଅଧିକାରୀ ଏବଂ ଏଜେନ୍ସୀଙ୍କ ସମାନ ଦାୟିତ୍ୱ ରହିଛି। ତେଣୁ ସମସ୍ତଙ୍କୁ ଦଳଗତ ମନୋଭାବ ନେଇ କାମ କରିବାକୁ ପଡ଼ିବ। ସମସ୍ତ ଯନ୍ତ୍ରୀମାନଙ୍କୁ କ୍ଷେତ୍ର ଗସ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାଗୁଡ଼ିର ସମାଧାନ କରି ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସେତୁ ପରି ଐତିହାସିକ ଯୋଜନାର ପରିକଳ୍ପନା କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୧୩୯ଟି ବିଜୁ ସେତୁ ନିର୍ମାଣ ହୋଇଛି ଏବଂ ୨୦୨୩ ମାର୍ଚ୍ଚ ସୁଦ୍ଧା ଆହୁରି ୩୦୦ଟି ବିଜୁ ସେତୁ ନିର୍ମାଣ କରାଯିବ।

ଏହି ସମୀକ୍ଷା ବୈଠକରେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଯନ୍ତ୍ରୀମୁଖ୍ୟ ଶ୍ରୀ ପ୍ରଦୀପ ସାମଲ, କୋଠାବାଡ଼ି ଓ ସେତୁର ମୁଖ୍ୟଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା, ସ୍ୱତନ୍ତ୍ର ଶାସନ ସଚିବ ଇଂ ଅକ୍ଷୟ କୁମାର ପ୍ରଧାନ, ମୁଖ୍ୟଯନ୍ତ୍ରୀ(ରାସ୍ତା) ଶ୍ରୀ ସଂଜୀବ ମହାନ୍ତିଙ୍କ ସମେତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଏଜେନ୍ସୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ସେତୁରେ ପୁଣି ଅଘଟଣ: ଜଣେ ଶ୍ରମିକ ମୃତ

ଭୁବନେଶ୍ବର: ଆଜି ବିଜୁ ସେତୁ କାମ ଚାଲିଥିବା ବେଳେ ଏକ ଅଘଟଣ ଘଟିଯାଇଛି। ବାରିପଦା-ବଡସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଅଘଟଣ ଘାଟିଯାଇଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେତୁର ଖୋଲାଯାଉଥିବା ଫାଉଣ୍ଡେସନ ଖାତରେ ଖସି ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗଭୀର ଖାତରେ ଖସି ପଡିବାରୁ ସେହି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ଶ୍ରମିକଙ୍କ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ଶ୍ରମିକମାନେ ଧାରଣାରେ ବସିଛନ୍ତି।