Categories
ଆଜିର ଖବର ରାଜ୍ୟ ଖବର

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଅନ୍ଧାରୁଆ ଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରକୁ ଆଜି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରିଦର୍ଶନ କରିଛନ୍ତି। ଏଥିରେ ମନ୍ତ୍ରୀ ପ୍ରତିଷ୍ଠାନର ପରିସର ଯଥା ପ୍ରଶାସନିକ ବ୍ଲକ, ଏକାଡେମିକ ବ୍ଲକ, ଲାଇବ୍ରେରୀ ଓ ଛାତ୍ରାବାସ ଆଦି ବୁଲି ଦେଖିଥିଲେ।

ପ୍ରାରମ୍ଭରେ ପ୍ରତିଷ୍ଠାନର କାର୍ଯ୍ୟବଳୀ ଓ ଯୋଜନା ସମ୍ପର୍କରେ ମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେନା ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟବଳୀ, ପାଠ୍ୟ ଖସଡା , ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ।

ଗଣିତର ଗବେଷଣାତ୍ମକ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇ ଶିକ୍ଷାଦାନ, ଗଣିତର ପ୍ରୟୋଗାତ୍ମକ ଦିଗରେ ଗବେଷଣା , ମେଧା ଅନ୍ଵେଷଣ ଓ ପ୍ରଶିକ୍ଷଣ ଇତ୍ୟାଦି କାର୍ଯ୍ୟକୁ ହାତକୁ ନେଇ ପ୍ରତିଷ୍ଠାନ ସେହି ଦିଗରେ କାର୍ଯ୍ୟ କରୁଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଆବଶ୍ୟକ ଅନୁସାରେ ଏହି ପ୍ରତିଷ୍ଠାନରେ ଅଧ୍ୟାପକ ନିଯୁକ୍ତି ଏବଂ ଭିତ୍ତି ଭୂମି ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଏହି ଅବସରରେ କହିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଅନୁ ଶାସନ ସଚିବ ଶ୍ରୀ ପଦ୍ମଲୋଚନ ଦାସ , ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ରେଜିଷ୍ଟାର ଓ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବୌଦ୍ଧିକ ସଂପଦ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ ବିଭାଗର ସହଯୋଗ କ୍ରମେ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଲଷ୍ଟର ଫାଉଣ୍ଡେସନ୍‌ ଓ ଦିଳ୍ଲୀସ୍ଥିତ ଭାରତୀୟ ପେଟେଣ୍ଟ ଦପ୍ତରର ମିଳିତ ଆନୁକୂଲ୍ୟରେ ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ବୌଦ୍ଧିକ ସଂପଦ ଉପରେ ଦୁଇଟି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧିକ ସଂପଦ ନେଇ ରାଜ୍ୟର ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଉଭୟ ସଭାରେ ଗୁରୁତ୍ୱ ଆରୋପ କରାଯାଇଛି।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୌଦ୍ଧିକ ସଂପଦ ଉପରେ ଅଧିକ ଜ୍ଞାନ ଆହରଣ ଏବଂ ସଂପଦ ଅଧିକାର ଦିଗରେ ଆବେଦନ ତଥା ପଂଜୀକରଣ ପାଇଁ ସୁବିଧା ଉପଲବ୍ଧ ହେବ ବୋଲି ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କୁହାଯାଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଉପରୋକ୍ତ ଦୁଇଟି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ପୂଜା ମିଶ୍ର, ରମାଦେବୀ ମହିଳା ବିଶ୍ୱବିିଦ୍ୟାଳୟ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀଚରଣ ରଥ ବକ୍ତବ୍ୟ ରଖି ଏପରି ସୁବିଧାର ସୁଯୋଗ ନେବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଦିଲ୍ଲୀସ୍ଥିତ ଜାତୀୟ ବୌଦ୍ଧିକ ସଂପତ୍ତି ସଚେତନତା ମିଶନ (ନିପାମ୍‌)ର କାର୍ଯ୍ୟକର୍ତ୍ତା ତଥା ଭାରତୀୟ ପେଟେଣ୍ଟ ଦପ୍ତରର ପରୀକ୍ଷକ ଶ୍ରୀମତୀ ଛବି ଗର୍ଗ ଉଭୟ କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ।