Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ସ୍ଵାର୍ଥ ପାଇଁ ବିଧାନସଭାରେ ବିଜେଡି ଦୃଢ଼ ସ୍ୱର ଉଠାଇବ: ବିଧାୟକ ଦଳ ବୈଠକରେ କହିଲେ ନବୀନ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ଡବଲ ଇଞ୍ଜିନ ସରକାର ଆଠ ମାସ ହେଲା ଦାୟିତ୍ୱ ନେଲଣି, କିନ୍ତୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରାରେ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତିଫଳିତ ହେଉ ନାହିଁ। କେନ୍ଦ୍ର ବଜେଟ ଠାରୁ ଆରମ୍ଭ କରି ରେଳ ବଜେଟ, ପୋଲାବରମ, ମହାନଦୀ, ପୂର୍ବତଟ ରେଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାର ସ୍ୱାର୍ଥ ଉପେକ୍ଷିତ।

ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା, ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଆର୍ଥିକ କୁପରିଚାଳନା ତଥା ମିଶନ ଶକ୍ତି ଗୋଷ୍ଠୀଙ୍କ ସମସ୍ୟା ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଜନ ଅସନ୍ତୋଷ ସୃଷ୍ଟି କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ତେଣୁ ଏକ ଦାୟିତ୍ୱ ପୂର୍ଣ୍ଣ ବିରୋଧୀ ଦଳ ଭାବରେ ବିଜେଡି ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ବିଧାନସଭାରେ ଦୃଢ଼ ସ୍ୱର ଉଠାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ରାଜା ସ୍ୱାଇଁ, ବିଧାୟକ ଅରୁଣ ସାହୁ, ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ଗୌତମ ବୁଦ୍ଧ ଦାସ, ବିଧାୟକ ଗଣେଶ୍ୱର ବେହେରା, ଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ଵର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସୋମବାର ଭୁବନେଶ୍ୱରରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳୀୟ ବିଧାୟକମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ଆଗାମୀ ବିଧାନସଭା ଅଧିବେଶନ କାଳରେ ଆଗତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକ, ପ୍ରସ୍ତାବ ଓ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରାଯାଇଛି। ଏଥିସହିତ ଶାସକ ଦଳର ରଣନୀତିକୁ ନେଇ ଚର୍ଚ୍ଚା ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ବିଧାନସଭାର ସୁପରିଚାଳନା ନେଇ ଆଲୋଚନା ହୋଇଛି।

ରାଜ୍ୟର ହିତ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯିବ। ବିରୋଧୀ ଦଳ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବେ ତା’ ଉପରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା ଡକ୍ଟର ମହାଲିଙ୍ଗ କହିଛନ୍ତି।