ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରିଲିଫ ଆୟୁକ୍ତ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ସଚିବଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରସ୍ତୁତି ସମୀକ୍ଷା ପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। କୋଭିଡ-୧୯ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନ ପରେ ଏହି ସମ୍ମିଳନୀ ପ୍ରତ୍ୟକ୍ଷ ଉପସ୍ଥିତି ସହ ଅନୁଷ୍ଠିତ ହେଉଛି।
ଉଦ୍ଘାଟନୀ ଅଭିଭାଷଣରେ କେନ୍ଦ୍ର ଗୃହ ସଚିବ ରାଜ୍ୟ ଓ କେନ୍ଦ୍ର ସରକାରୀ ଅଧିକାରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମ୍ଭାବ୍ୟ ବାତ୍ୟା, ଝଡ ଓ ଭୂସ୍ଖଳନ ଯୋଗୁଁ ଯେପରି କମ୍ ଧନଜୀବନ ହାନୀ ହୁଏ ସେଥିପ୍ରତି ଭଲଭାବେ ପ୍ରସ୍ତୁତ ରହିବାକୁ କହିଥିଲେ। ସେ ବର୍ଷ ତମାମ ଅହୋରାତ୍ର ପ୍ରସ୍ତୁତି ବଳବତ୍ତର ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଦୀର୍ଘକାଳୀନ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱଆରୋପ କରିଥିଲେ। ଏହା ଆମକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଭାବିପିଢୀକୁ ମଧ୍ୟ ସୁରକ୍ଷିତ ରଖିବ। କେନ୍ଦ୍ର ଗୃହ ସଚିବ କହିଥିଲେ ଯେ ଗତ କେତେବର୍ଷ ମଧ୍ୟରେ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ବିପର୍ଯ୍ୟୟ ପରିଚାଳନାରେ ଉନ୍ନତି ଦେଖାଯିବା ସହ ମାନବଜୀବନ ଉପରେ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୧୪ ମସିହାରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିପର୍ଯ୍ୟୟ ପରିଚାଳନାରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଗୃହ ସଚିବ ସମର୍ଥନ କରିଥିଲେ। ଆଗରୁ ବିପର୍ଯ୍ୟୟ ପରିଚାଳନା କେବଳ ରିଲିଫ କେନ୍ଦ୍ରିକ ଥିବାବେଳେ, ଏବେ ମାନବଜୀବନ ରକ୍ଷା ଏକ ଅତିରିକ୍ତ କର୍ତ୍ତବ୍ୟ ବୋଲି ବିବେଚନା କରାଯାଉଛି ବୋଲି କହିଥିଲେ। ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ଯୋଗୁଁ ଯଥାସମ୍ଭବ ଧନଜୀବନ ହାନୀ ରୋକିବା ଉପରେ ଶ୍ରୀ ଶାହ ଗୁରୁତ୍ୱ ଆରୋପ କରିଥିଲେ। ବିପଦ ଆପଦ ହ୍ରାସ ନିମନ୍ତେ ଠିକ୍ ସମୟରେ ପଦକ୍ଷେପ ନେବା ତଥା ଏ ବାବଦ ସମ୍ବଳ ବିନିଯୋଗ କରିବା ଉପରେ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ଜୀବନହାନୀ ଶୂନ୍ୟକୁ ହ୍ରାସ କରିଥିବା ଲକ୍ଷ୍ୟ ନେଇ ଆପତକାଳୀନ ଅବସ୍ଥା ହ୍ରାସ ଲାଗି ବ୍ୟବସ୍ଥା ହେବା ଦରକାର ବୋଲି ସେ କହିଥିଲେ।
ଯେକୌଣସି ବିପର୍ଯ୍ୟୟ କାଳରେ ପ୍ରଥମେ ସହାୟତାରେ ହାତ ବଢାଉଥିବା ସ୍ଥାନୀୟ ସହରାଂଚଳ ସଂସ୍ଥା, ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବଳ, ଅଗ୍ନିଶମ ସେବା ଓ ବେସାମରିକ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କରେ ରହିବା ଉପରେ ସେ ଜୋର ଦେଇଥିଲେ । ସେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ସହର ଓ ଜିଲ୍ଲାସ୍ତରରେ ନିଜର ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ।
କେନ୍ଦ୍ର ଗୃହ ସଚିବ ଆହୁରି କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ, ବନାଗ୍ନି, ଅଂଶୁଘାତ ଓ ବଜ୍ରପାତ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ସ୍ତରରେ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍ଥାନୀୟ, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରି ଏହି ସମନ୍ୱୟ ଅଭାବକୁ ପୂରଣ କରି ହେବ। ସମ୍ମିଳନୀ କାଳରେ ବିଭିନ୍ନ ରାଜ୍ୟ ବିଗତବର୍ଷ ଗୁଡିକରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କିପରି ପ୍ରସ୍ତୁତିର ସହ ମୁକାବିଲା କରିଛନ୍ତି ସେଥିରେ ସେମାନଙ୍କ ଅଭିଜ୍ଞତା ନେଇ ବୁଝାଇବେ। ୨୭ଟି ରାଜ୍ୟ ଓ ସାତୋଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧି, ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା (ଏନଡିଏମଏ) ପ୍ରତିନିଧି, ଜାତୀୟ ବିପର୍ଯ୍ୟୟ ତ୍ୱରିତବଳ(ଏନଡିଆରଏଫ), କେନ୍ଦ୍ରୀୟ ମନ୍ତ୍ରଣାଳୟ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ), ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି), କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲସି), ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ), ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ), ଭାରତୀୟ ଭୂତାତ୍ୱିକ ସର୍ଭେ (ଜିଏସଆଇ) ଓ ଅନ୍ୟାନ୍ୟ ବୈଜ୍ଞାନିକ ସଂଗଠନ ଓ ସଶସ୍ତ୍ର ସେନା ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରୁଛନ୍ତି।